Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ତାମିଲନାଡୁର ଅମ୍ବାସମୁଦ୍ରମ୍‌

ତାମିଲନାଡୁର ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଅମ୍ବାସମୁଦ୍ରମ୍‌ର ଭଲ ନାଁ ରହିଛି। ଦେବସ୍ଥଳୀ ବ୍ୟତୀତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଜଳପ୍ରପାତ, ଡ୍ୟାମ୍‌ ତଥା ଅଭୟାରଣ୍ୟ ବି ଅଛି। ଖାସ୍‌ ସେଥିପାଇଁ ବର୍ଷସାରା ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହେଉଛି।

ତାମିଲନାଡୁର ତିରୁନେଲଭେଲି ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଛୋଟ ସହର ହେଉଛି ଅମ୍ବାସମୁଦ୍ରମ୍‌। ଏହି ସହର ପଶ୍ଚିମୀଘାଟ ପର୍ବତମାଳାର ପାଦଦେଶରେ ଅବସ୍ଥିତ ଏବଂ ତମୀରାବାରାନୀ ନାମକ ଏକ ନଦୀ ଏଠାରେ ପ୍ରବାହିତ। ଉକ୍ତ ନଦୀର ଗୋଟିଏ ପାର୍ଶ୍ୱରେ ଅମ୍ବାସମୁଦ୍ରମ୍‌ ଥିବାବେଳେ ଅନ୍ୟ ପାର୍ଶ୍ୱରେ ରହିଛି ଏହାର ପଡୋଶୀ ସହର କଲ୍ଲିଦାଇକୁରିଚି। ଖାସ୍‌ ସେଥିପାଇଁ ଅମ୍ବାସମୁଦ୍ରମ୍‌ର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷସାରା ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।

କେବେ ଓ କେମିତି ଯିବେ
ଅମ୍ବାସମୁଦ୍ରମ୍‌ର ଜଳବାୟୁ ବର୍ଷସାରା ବେଶ୍‌ ଅନୁକୂଳ ରହିଥାଏ। ନା ବେଶି ଖରା ହୁଏ ନା ବେଶି ଶୀତ। ଖାସ୍‌ କରି ବର୍ଷାଦିନ ପରେ ପରେ ଏଠାକାର ପାଣିପାଗ ବେଶ୍‌ ଆରାମଦାୟକ ରୁହେ। ତେବେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ସେପ୍ଟେମ୍ବରରୁ ମାର୍ଚ୍ଚ ହେଉଛି ସବୁଠୁ ଭଲ ସମୟ। ସେହିପରି ଗମନାଗମନର ମଧ୍ୟ ଏଠାରେ ଭଲ ବ୍ୟବସ୍ଥା ରହିଛି। ମଦୁରାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅମ୍ବାସମୁଦ୍ରମ୍‌ର ନିକଟତମ ବିମାନବନ୍ଦର ହୋଇଥିବାବେଳେ ଚେନ୍ନାଇ ସେଣ୍ଟ୍ରାଲ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ଏକ ମୁଖ୍ୟ ରେଳଷ୍ଟେଶନ। ଅନ୍ୟପକ୍ଷେ ଦେଶର ବିଭିନ୍ନ ସ୍ଥାନରୁ ବସ୍‌ ଯୋଗେ ମଧ୍ୟ ଅମ୍ବାସମୁଦ୍ରମ୍‌କୁ ବୁଲିବାକୁ ଯାଇହେବ।

କ’ଣ ଦେଖିବେ
ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ: ଅମ୍ବାସମୁଦ୍ରମ୍‌ରେ ଅନେକ ଆଧ୍ୟାତ୍ମିକ ସ୍ଥଳୀ ଦେଖିବାକୁ ମିଳିଥାଏ। ଖାସ୍‌କରି ପ୍ରାୟ ୨୦୦ ବର୍ଷ ପୁରୁଣା ଥିରୁମୁଲାନାଥାର୍‌ସ୍ବାମୀ ମନ୍ଦିର ଏବଂ କାଷିବାନାଥାସ୍ବାମୀ ମନ୍ଦିର ହେଉଛି ଏଠାକାର ଦୁଇ ପ୍ରମୁଖ ଦେବସ୍ଥଳୀ। ତା’ଛଡ଼ା ପାପନାଶସ୍ବାମୀ ମନ୍ଦିର, ଅଗସ୍ତୀୟାର୍‌ ମନ୍ଦିର, କ୍ରିଷ୍ଣାସ୍ବାମୀ ମନ୍ଦିର, କାଶି ବିଶ୍ୱନାଥାର୍‌ ମନ୍ଦିର, ଦୁର୍ଗାଇ ଅମ୍ମାନ୍‌ ମନ୍ଦିର, ଶିବସୈଲମ୍‌ ମନ୍ଦିର ଇତ୍ୟାଦି ବି ହେଉଛି ଏଠାକାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟକ ଚାହିଁଲେ ଏହି ସବୁ ଦେବଭୂମି ବୁଲି ପ୍ରଭୁକୃପା ଲଭି ପାରିବେ।

କାଲାକ୍କଡ୍‌ ମୁଣ୍ଡାନାଥୁରାଈ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର:ତାମିଲନାଡୁର ଉଭୟ ତିରୁନେଲଭେଲି ଜିଲା ଓ କନ୍ୟାକୁମାରୀ ଜିଲାର ପରିସୀମା ଭିତରେ ଆସୁଥିବା କାଲାକ୍କଡ୍‌ ମୁଣ୍ଡାନାଥୁରାଈ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ତେବେ କେବଳ ବାଘ ନୁହେଁ ଅନ୍ୟ ବିରଳ ପଶୁପକ୍ଷୀଙ୍କୁ ବି ଦେଖିବାର ଏକ ନିଆରା ଅନୁଭୂତି ଏଠାରେ ମିଳିଥାଏ। ଅମ୍ବାସମୁଦ୍ରମ୍‌ ବୁଲି ଆସୁଥିବା ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ଯାଇ ବୁଲିପାରିବେ।
ଅଗସ୍ତୀୟାର୍‌ ଜଳପ୍ରପାତ:ତିରୁନେଲଭେଲି ଜିଲାରେ ଅଗସ୍ତୀୟାର୍‌ ନାମକ ଏକ ଜଳପ୍ରପାତ ବି ରହିଛି। ଅମ୍ବାସମୁଦ୍ରମ୍‌ଠାରୁ ଏହା ମାତ୍ର କିଛି କି.ମି. ବ୍ୟବଧାନରେ ଅବସ୍ଥିତ। ପ୍ରାକୃତିକ ବୈଭବରେ ଭରା ଏହି ଜଳପ୍ରପାତ ନିକଟକୁ ଅନେକ ପର୍ଯ୍ୟଟକ ପିକ୍‌ନିକ୍‌ କରିବା ପାଇଁ ମଧ୍ୟ ଆସିଥାନ୍ତି।  ଏସବୁ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ଅମ୍ବାସମୁଦ୍ରମ୍‌ଠାରୁ ଅଳ୍ପ କିଛି ଦୂରରେ ଥିବା ପାପନାଶମ୍‌ ଡ୍ୟାମ୍‌, କରାଈୟାର୍‌ ଡ୍ୟାମ୍‌, ସର୍‌ଭାଲାର୍‌ ଡ୍ୟାମ୍‌ ଇତ୍ୟାଦି ବି ବୁଲି ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?