ପରିବେଶ ବନାମ ଆତ୍ମକୈନ୍ଦ୍ରିକତା

ଡ. ସୁବାସ ଚନ୍ଦ୍ର ପାତ୍ର

ଆମେ ସମସ୍ତେ ପରିବେଶ ପ୍ରଦୂଷଣ ନେଇ ଚିନ୍ତିତ ବୋଲି ଦାବି କରୁ ବା ଛଳନା କରୁ। ଅଥଚ ଟିକେ ନିରେଖି ଦେଖିଲେ ଜଣାପଡ଼େ ଏହି ବ୍ୟଗ୍ରତା ସୁସଂହତ ନୁହେଁ, ବରଂ ଅଧିକାଂଶ କ୍ଷେତ୍ରରେ ଏହା ମଣିଷକୈନ୍ଦ୍ରିକ। ସୂକ୍ଷ୍ମ ଭାବରେ ଦେଖିଲେ ଏହା ପୁଣି ବ୍ୟକ୍ତିକୈନ୍ଦ୍ରିକ ବା ଆମତ୍କୈନ୍ଦ୍ରିକ। ବାୟୁ ପ୍ରଦୂଷଣକୁ ଏକ ଉଦାହରଣ ହିସାବରେ ନେଇ ଏ କଥାଟିର ଆଲୋଚନା କରାଯାଇପାରେ।
ବାୟୁପ୍ରଦୂଷଣ ଖାଲି ମଣିଷକୁ ନୁହେଁ, ସମଗ୍ର ଜୀବଜଗତକୁ ପ୍ରଭାବିତ କରେ। କିନ୍ତୁ କ୍ୱଚିତ ଜୀବଜଗତ ଅର୍ଥାତ୍‌ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ଉପରେ ଏହାର ପ୍ରଭାବ ନେଇ ଆମେ ବ୍ୟତିବ୍ୟସ୍ତ ହେଉ। ଆମର ସମସ୍ତ ଦୃଷ୍ଟି ଏହା ମଣିଷର ସ୍ବାସ୍ଥ୍ୟ, ଜୀବନ ଓ ଜୀବିକା ଉପରେ କି ପ୍ରକାର ପ୍ରଭାବ ପକାଏ, ତା’ ଉପରେ ନିବଦ୍ଧ। ସ୍ବାସ୍ଥ୍ୟ ବିଷୟରେ ଆମର ଦୃଷ୍ଟି ପୁଣି ଭାରି ସଂକୀର୍ଣ୍ଣ। ଆମେ ମୂଳତଃ ଏହାକୁ ଏକ ଫୁସ୍‌ଫୁସ୍‌ କୈନ୍ଦ୍ରିକ ସମସ୍ୟା ହିସାବରେ ବିଚାର କରୁ। ଅଥଚ ବୈଜ୍ଞାନିକମାନେ କହନ୍ତି ଏହା ଆମକୁ ସୂକ୍ଷ୍ମ ତଥା ଗଭୀର ଭାବରେ ବିଭିନ୍ନ ରୂପରେ ପ୍ରଭାବିତ କରେ। ଆମ ମନ ଭିତରେ ଅକାରଣ କ୍ଳାନ୍ତି, ଉଦ୍‌ବିଗ୍ନତା, ବିରକ୍ତିଭାବ ସୃଷ୍ଟି କରିବା ସହିତ ଏହା ଆମର ପ୍ଳିହା, ଯକୃତ, ଜନନେନ୍ଦ୍ରିୟକୁ କ୍ଷତିଗ୍ରସ୍ତ କରେ। ରକ୍ତରେ ଅମ୍ଳଜାନର ପରିମାଣ କମ୍‌ ରହୁଥିବାରୁ ରକ୍ତର ଗୁଣବତ୍ତା ପ୍ରଭାବିତ ହେବା ସହିତ ଆମର ରୋଗ ନିବାରଣ ଶକ୍ତି ହ୍ରାସ ପାଏ। ଆମର ସ୍ଫୁର୍ତ୍ତି, ଚପଳତା ଓ ପ୍ରାଣପ୍ରାଚୁର୍ଯ୍ୟ ନିମ୍ନଗାମୀ ହୁଏ। ଉପରଲିଖିତ ମାନସିକ ସମସ୍ୟାର ନିରାକରଣ ପାଇଁ ଆମେ ମନରୋଗ ବିଶାରଦଙ୍କର ପରାମର୍ଶକ୍ରମେ ଔଷଧ ଖାଉ, କିନ୍ତୁ ଏସବୁର ପ୍ରତିକାରକୁ ପରିବେଶ ସହିତ ଯୋଡ଼ି ଦେଖିବାରେ ଆମର ସାମର୍ଥ୍ୟ ନ ଥାଏ।
ଯାହା ବି ହେଉ, ଆମେ ବାୟୁ ପ୍ରଦୂଷଣକୁ ଅତି ସ୍ବାର୍ଥପର ଭାବରେ ଏକ ମାନବକୈନ୍ଦ୍ରିକ ସମସ୍ୟା ହିସାବରେ ବିବେଚନା କରୁ। ବିଡ଼ମ୍ବନାର କଥା ବୃକ୍ଷ ଓ ପ୍ରାଣୀଜଗତ ଉପରେ ଏହାର ପ୍ରଭାବ ପରୋକ୍ଷରେ ମଣିଷର ଜୀବନକୁ ଓ ଜୀବିକାକୁ ପ୍ରଭାବିତ କରେ। ତା’ ସତ୍ତ୍ୱେ ଆମେ ଖାଲି ଆମକଥା ବୁଝୁ, ଆମ ଆଖପାଖ ବାହ୍ୟ ପୃଥିବୀ କଥା ବୁଝିବାକୁ ଆମର ଆଗ୍ରହ ନ ଥାଏ। ବାୟୁ ପ୍ରଦୂଷଣ ମଣିଷର ସ୍ବାସ୍ଥ୍ୟ, ଜୀବନ, ଜୀବିକାକୁ ସିନା ପ୍ରଭାବିତ କରେ, କିନ୍ତୁ ମଣିଷ ପ୍ରଜାତିକୁ ବିଲୁପ୍ତ କରେନାହିଁ। ବିଜ୍ଞାନର ଅବଦାନ ଏବଂ ପ୍ରାକୃତିକ ପ୍ରତିକୂଳତା ସହ ଲଢ଼ିବାର ସହଜାତ ପ୍ରବୃତ୍ତି ଯୋଗୁ ମଣିଷ ତିଷ୍ଠି ରହେ, କିନ୍ତୁ ସେତକ ଜୀବଜଗତ ଭାଗ୍ୟରେ ଜୁଟେ ନାହିଁ। ପ୍ରଦୂଷଣ ପ୍ରଭାବରେ ହଜାର ହଜାର ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଆଜି ଲୁପ୍ତ। ବେଶି ଦୂର ନୁହେଁ, ପଚାଶ ବର୍ଷ ତଳର ଜୈବ ବିବିଧତା ଓ ବୈଚିତ୍ର୍ୟ ଆଜି ଆମ ସ୍ବପ୍ନର ସାମଗ୍ରୀ।
ଖାଲି ବିବିଧତା ନୁହେଁ, ମାନବସୁଳଭ ସ୍ବାର୍ଥପରତା ଯୋଗୁଁ ଯେଉଁ ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ନେଇ ଆମେ ଦୈନନ୍ଦିନ ଜୀବନରେ ବଞ୍ଚୁ, ସେମାନଙ୍କର ଜୀବନ ଓ ଗୁଣବତ୍ତା ପ୍ରତି ଆମେ ଅନ୍ଧ ହୋଇଯାଉ। କାୈତୁକର କଥା ସେମାନଙ୍କ ଉପରେ ପ୍ରଦୂଷଣର ପ୍ରଭାବ ମଣିଷର ଜୀବନକୁ ପ୍ରଭାବିତ କରେ। ତଥାପି ଆମେ ଆମ ବାଟରେ ସେଥିରୁ ମୁକୁଳି ବୃହତ୍ତର ଜାଗତିକ ସ୍ବାର୍ଥ ପ୍ରତି ଆଖି ବନ୍ଦ କରୁ। ବାୟୁ ପ୍ରଦୂଷଣ ପ୍ରଭାବରେ ଉଦ୍ଭିଦମାନଙ୍କର ସ୍ବାଭାବିକ ଆକାର ଓ ଆକୃତି ଖର୍ବ ହୁଏ; ପତ୍ର, ଫୁଲ ଓ ଫଳର ରଙ୍ଗ ବଦଳେ, ସ୍ବାଦ ବଦଳେ, ଅମଳର ପରିମାଣ ହ୍ରାସ ପାଏ। ଖାଦ୍ୟର ଗୁଣବତ୍ତା ଓ ଖାଦ୍ୟପ୍ରାଣ ଦିନକୁ ଦିନ କମିବାକୁ ଲାଗେ। ଅଙ୍ଗାର ଆମତ୍ିକରଣ ହ୍ରାସ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢ଼େ, ଅମ୍ଳଜାନ କମେ। ଠିକ୍‌ ଅନୁରୂପ ଭାବରେ ଖାଦ୍ୟ ଓ ପାଣି ଉସତ୍ ପ୍ରଦୂଷିତ ହେଉଥିବାରୁ ଏବଂ ପ୍ରାକୃତିକ ଖାଦ୍ୟର ଉସତ୍ ଓ ଇଲାକା ଦିନକୁ ଦିନ ହ୍ରାସ ପାଉଥିବାରୁ ଗୃହପାଳିତ ପଶୁପକ୍ଷୀମାନେ ଦୂଷିତ ତଥା ଅଳ୍ପ ପରିମାଣର ଖାଦ୍ୟ ଖାଇ ଆମକୁ ଖାଦ୍ୟ ହିସାବରେ ଯେଉଁ ମାଂସ, ଅଣ୍ଡା ବା କ୍ଷୀର ଦିଅନ୍ତି ତାହା ଅନେକାଂଶରେ ସ୍ବାସ୍ଥ୍ୟର ପରିପନ୍ଥୀ। ପ୍ରଦୂଷଣଜନିତ ପ୍ରତିକୂଳତାକୁ ପରିବେଶ ଅନୁକୂଳ ପଦକ୍ଷେପ ମାଧ୍ୟମରେ ପ୍ରତିହତ କରିବା ଅପେକ୍ଷା ଅତି ସ୍ବାର୍ଥପର ବ୍ୟାବସାୟିକ ମନୋଭାବ ନେଇ ଆମେ ସେସବୁର ମୁକାବିଲା କରୁ ଏବଂ ପ୍ରକାରାନ୍ତରେ ଜୀବଜଗତର ଜୈବ ବିବିଧତାର ଶତ୍ରୁ ସାଜୁ।
ପ୍ରଦୂଷଣ ସମସ୍ୟାର ମୁକାବିଲାବେଳେ ଆମେ ଆମର ବୃହତ୍ତର ଉତ୍ତରଦାୟିତ୍ୱ ସମ୍ବନ୍ଧରେ କ୍ୱଚିତ ସଚେତନ ଥାଉ। ଖାଲି ଆମେ ମଣିଷକୈନ୍ଦ୍ରିକ ହୋଇଯାଉ ତାହା ନୁହେଁ, ବେଳେବେଳେ ମଣିଷ ମଣିଷ ଭିତରେ ଯଥେଷ୍ଟ ବାଛବିଚାର ପ୍ରଦର୍ଶନ କରୁ। ତେଣୁ ପରିବେଶ ସଜାଡ଼ିବା କ୍ରମରେ ଆମେ ଜାତି, ଶ୍ରେଣୀ ଓ ଲିଙ୍ଗଭେଦର ବିଭିନ୍ନ ବୈଷମ୍ୟକୁ ରୂପ ଦେଉ। ଜାତିଭେଦରେ ଲୋକଟି କାୈଣସି ଅନୁଷ୍ଠାନର ସଫେଇ କର୍ମଚାରୀ ହୋଇ କାର୍ଯ୍ୟସ୍ଥଳୀରେ ଦୂଷିତ ପରିବେଶର ଶିକାର ହୋଇ ରୋଗାକ୍ରାନ୍ତ ହୁଏ ଅବା ମାନସିକ ଅବସାଦର ଶିକାର ହୁଏ। ଶ୍ରେଣୀଭେଦରେ ଲୋକଟି ପେଟପାଟଣା ଦାୟରେ ଅନନ୍ୟୋପାୟ ହୋଇ କଳକାରଖାନା ହେଉ ଅବା କାୈଣସି ଘରୋଇ ଅନୁଷ୍ଠାନରେ ଏମିତି କିଛି କାମ କରେ ଯେଉଁଠି ସର୍ବନିମ୍ନ ପରିବେଶଗତ ସୁରକ୍ଷା ବା ଅନୁକୂଳତା ନ ଥାଏ। ଅତି ପ୍ରତିକୂଳ ପରିବେଶକୁ ପ୍ରତିହତ କରିବା ପାଇଁ ଅଫିସରେ ବା କାହାରି ଘରେ ଯାବତୀୟ ଆଧୁନିକ ଯନ୍ତ୍ରପାତି ଲାଗିଥିବାବେଳେ ତାକୁ କାମ କରିବାକୁ ଯେଉଁ ପ୍ରକୋଷ୍ଠ ମିଳେ ବା ସ୍ଥାନଟି ନିରୂପିତ ହୋଇଥାଏ ସେଠି ସାମାନ୍ୟତମ ସ୍ବାସ୍ଥ୍ୟପ୍ରଦ ସୁବିଧା ନ ଥାଏ। ଫଳତଃ ସଫେଇ କର୍ମଚାରୀଟି ବା ଶ୍ରମିକଟି ଅସୁସ୍ଥ ହୁଏ ଏବଂ ତା’ର ଅସୁସ୍ଥତା ଗୋଟିଏ ଚେନ୍‌ ରିଆକ୍‌ସନ୍‌ ପରି କାମ କରେ। ଅର୍ଥାତ୍‌ ଘରକର୍ତ୍ତା ଅସୁସ୍ଥ ହେଲେ ଗୃହିଣୀ ଘର ଚଳାଇବାରେ ସ୍ବଚ୍ଛଳତା ହରାଏ, ଝିଅର କମ୍ପ୍ୟୁଟର ପଢ଼ା ବନ୍ଦ ହୁଏ, ପୁଅ ଆଉ ସ୍କୁଲ ଯାଏନି। ସମାଜରେ ନିମ୍ନ ଜାତି ଓ ଦରିଦ୍ର ଶ୍ରେଣୀ ସହିତ ପ୍ରଦୂଷଣ ସବୁଠୁ ବେଶି କ୍ଷତି ପହଞ୍ଚାଏ ଜଣେ ନାରୀକୁ। ପ୍ରଦୂଷଣ ମୁକାବିଲାରେ ସ୍ବାର୍ଥପରତା ତଥା ସମ୍ବେଦନହୀନତା ଏହି ପ୍ରକାର ସାମାଜିକ ବୈଷମ୍ୟ ଏବଂ ଦୁଃସ୍ଥିତି ସୃଷ୍ଟି କରେ ଯାହାକୁ ‘ଏନ୍‌ଭାଇରନ୍‌ମେଣ୍ଟାଲ ଇନ୍‌ଜଷ୍ଟିସ୍‌’ କହନ୍ତି।
କରୋନା ପରି ମହାମାରୀ ସମସ୍ତଙ୍କୁ ଗୋଟିଏ ସମତଳକୁ ଘେନି ଆସେ। (ଇଟ୍‌ ଇଜ୍‌ ଏ ଗ୍ରେଟ୍‌ ଲେଭେଲର୍‌)। ଜୀବଜଗତ, ମଣିଷ ଜଗତ ଏବଂ ମଣିଷମାନଙ୍କ ମଧ୍ୟରୁ ଧନୀ, ଗରିବ, ନିମ୍ନଜାତି ଓ ନାରୀ ସମସ୍ତେ ଏହାର ବିଭୀଷିକାରେ ସମଭାବରେ ପ୍ରଭାବିତ। ସ୍ବାର୍ଥାନ୍ଧ ହୋଇ ମଣିଷ କେତେବେଳେ ଜୀବନଜଗତ କଥା ଭୁଲିଯାଏ ତ ଆଉ କେତେବେଳେ ସମାଜର ପ୍ରାନ୍ତରେ ରହୁଥିବା ମଣିଷମାନଙ୍କ ପ୍ରତି ନିର୍ଦ୍ଦୟ ହୋଇପଡ଼େ। ଯେପର୍ଯ୍ୟନ୍ତ ମଣିଷ ବାହ୍ୟ ପ୍ରକୃତି ତଥା ସମାଜର ବଞ୍ଚତ୍ତ ଗୋଷ୍ଠୀ ପ୍ରତି ସୁସଂହତ ସମଦୃଷ୍ଟି ପ୍ରଦର୍ଶନ ନ କରିଛି, ପ୍ରଦୂଷଣ ମୁକାବିଲା ଏକ ପ୍ରହସନରେ ପରିଣତ ହେବ।
ଅବସରପ୍ରାପ୍ତ ଅଧ୍ୟକ୍ଷ, ଜେଲ୍‌ରୋଡ, ବାଲେଶ୍ୱର
ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri