ପରିଣତ ବୟସର କଥା

ପ୍ରକାଶ ତ୍ରିପାଠୀ

ସଦାନନ୍ଦବାବୁ ଆଠବର୍ଷ ତଳୁ ସରକାରୀ ଚାକିରିରୁ ଅବସର ନେଲେଣି। ଅବସର ନେବା ପରେ କିଛି ବର୍ଷ ସେ ଶାରୀରିକ ସ୍ତରରେ ସୁସ୍ଥ ଥିଲେ। ମାତ୍ର ଏଇ ଦୁଇବର୍ଷ ହେବ ଶାରୀରିକ ଦୁର୍ବଳତା ହେଉ ବା ମାନସିକ ଦୁର୍ବଳତା ହେଉ, ସେ ଆଉ ବେଶି ବୁଲାଚଲା କରିପାରୁନାହାନ୍ତି। କେବଳ ପ୍ରାତଃ ଭ୍ରମଣକୁ ବାଦ୍‌ ଦେଲେ ସେ ସମସ୍ତ ସମୟ ଘରେ ରହୁଛନ୍ତି। ବେଳେବେଳେ ପ୍ରାତଃ ଭ୍ରମଣ ସମୟରେ ତାଙ୍କ ସହିତ ଦେଖାହୁଏ ଓ କଥା ହେବାର ସୁଯୋଗ ମିଳେ। ତାଙ୍କ କଥାବାର୍ତ୍ତାରୁ ଜାଣିପାରେ ତାଙ୍କ ମନ ଭିତରେ ଥିବା ଅନେକ ଅସନ୍ତୋଷ। ତାଙ୍କ ସହିତ କେହି ଭଲରେ କଥା ହେଉନାହାନ୍ତି, ଭଲ ଖାଇବାକୁ ଦେଉନାହାନ୍ତି, ଘରେ ଅନେକ କଥା ତାଙ୍କୁ ଲୁଚାଯାଉଛି, ଅଯଥା ଖର୍ଚ୍ଚ କରୁଛନ୍ତି, ଭବିଷ୍ୟତ କଥା ଚିନ୍ତା କରୁନାହାନ୍ତି, ଘରର ପରମ୍ପରା ଓ ଚଳଣିକୁ ମାନୁ ନାହାନ୍ତି। ଜୀବନରେ ସେ ଅନେକ କିଛି କରିପାରିଥାନ୍ତେ, କିନ୍ତୁ କରିପାରିଲେନି, ପୁଅ ଝିଅଙ୍କଠୁ ବହୁତ କିଛି ଆଶା କରୁଥିଲେ, କିନ୍ତୁ ସେମାନେ ତାଙ୍କୁ ନିରାଶ କଲେ ଇତ୍ୟାଦି ଇତ୍ୟାଦି ଅନେକ ଅନେକ ଅଭିମାନ, ଅଭିଯୋଗ ଓ ଅବସୋସର କଥା। ଏପରିକି ମୋର ଶୁଣିବାକୁ ଇଚ୍ଛା ନ ଥିଲେ ବି ସଦାନନ୍ଦବାବୁ ଜବରଦସ୍ତି ମୋ ଆଗରେ ତାଙ୍କର ଘର କଥା ବଖାଣିଥାଆନ୍ତି। ଥରେ ସଦାନନ୍ଦବାବୁଙ୍କ ବଡ଼ପୁଅ ସହ ହାଟରେ ଦେଖାହେଲା। ସଦାନନ୍ଦବାବୁ କେମିତି ଅଛନ୍ତି ବୋଲି ପଚାରିଲି। ମନ ଦୁଖରେ କହିଲେ, ବାପାଙ୍କ ଦେହ ଏବେ ଛୋଟ ଛୋଟ କଥାରେ ଚିଡ଼ି ଚିଡ଼ି ହେଉଛନ୍ତି। ଅନାବଶ୍ୟକ କଥାରେ ଜିଦ୍‌ କରୁଛନ୍ତି, ରୁଷୁଛନ୍ତି।
ସଦାନନ୍ଦବାବୁଙ୍କ ଭଳି ପରିଣତ ବୟସର ବ୍ୟକ୍ତି ଆମ ସମୟରେ ଅନେକ ଅଛନ୍ତି, ଯେଉଁମାନେ ଘରର ଛୋଟ ଛୋଟ କଥା ବାହାରେ କହିଥା’ନ୍ତି, ଯାହାକି ସେମାନଙ୍କ ପାଇଁ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଅଶାନ୍ତିର କାରଣ ହୋଇଥାଏ। ପ୍ରୌଢ଼ ହେବା ପୂର୍ବରୁ ଆମେ ଯେମିତି ଚଳୁଥିଲେ, ପ୍ରୌଢ଼ ଅବସ୍ଥା ପରେ ସେହିପରି ଚଳିବୁ ବୋଲି କିଛି ମାନେ ନାହିଁ। ସମାଜ ବଦଳୁଛି ଓ ତା’ ସହ ବଦଳୁଛି ଆମ ବେଶ ପୋଷାକ, ଖାଦ୍ୟପେୟ, ପରମ୍ପରା ଓ ଆମ ଚାଲିଚଳଣି। ଏଥିସହ ଯଦି ଆମେ ଖାପ ଖୁଆଇ ଚଳି ନ ପାରିବା, ତେବେ ଏ ସବୁକୁ ଦେଖି ନ ଦେଖିଲା ପରି ରହିବାକୁ ପଡ଼ିବ। ସମାଜକୁ ଆମେ ବଦଳାଇ ପାରିବାନି। କାରଣ ବହୁସଂଖ୍ୟକ ଯାହା କରନ୍ତି, ସମୟକ୍ରମେ ତାହା ସାମାଜିକ ଚଳଣି ହୋଇଯାଏ। ଧରାଯାଉ ଏବେ ଛୋଟରୁ ବଡ଼ ସଭିଏଁ ନିଜ କାମ ଧନ୍ଦାକୁ ଉପେକ୍ଷା କରି ସ୍ମାର୍ଟଫୋନରେ ବ୍ୟସ୍ତ ରହୁଛନ୍ତି ଓ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଯଦି ଆମେ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ହିସାବରେ ଏହାକୁ ପରିବାର ଭିତରେ ବିରୋଧ କରିବାକୁ ଚେଷ୍ଟା କରିବା ଏହା କ’ଣ ସଫଳ ହେବ କି? ବୋଧହୁଏ ନା। ଆମେ ବର୍ତ୍ତମାନ ପ୍ରୌଢ଼। ଶାରୀରିକ ଓ ମାନସିକ ସ୍ତରରେ କ୍ରମଶଃ ଦୁର୍ବଳ ହେବାକୁ ଲାଗୁଛେ। ତେଣୁ ଆବଶ୍ୟକତା ଅନୁଯାୟୀ କମ୍‌ କଥା କହିବା ନିଜ ପାଇଁ ତଥା ଆମ ପରିବାର ପାଇଁ ଭଲ। ବୟସ ଥିବା ବେଳେ ସବୁ ଖାଇ ଆମେ ହଜମ କରିଦେଉଥିଲେ। ତା’ ବୋଲି ଆମେ ଏ ବୟସରେ ସେପରି ଖାଇବା ଠିକ୍‌ ହେବ ନାହିଁ। ତେଣୁ ଖାଇବା ପିଇବା ଉପରେ ସେତେଟା ଧ୍ୟାନ ନ ଦେଇ ଯାହା ବି ଖାଇବାକୁ ମିଳିବ ସେଥିରେ ସନ୍ତୋଷ ପ୍ରକାଶ କରିବା ଉଚିତ ହେବ। ପ୍ରୌଢ଼ ସମୟରେ ସବୁ ସମୟ ହିଁ ଅବସର ସମୟ। ସେଥିପାଇଁ ଭଲ ଭଲ ଗୀତ ଶୁଣିବା, ଈଶ୍ବରଙ୍କ ନାମ ଓ ପ୍ରାର୍ଥନା କରିବା, ଦେବାଳୟରେ ସମୟ ଅତିବାହିତ କରିବା, ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ବା ପରୋକ୍ଷରେ ଜଡ଼ିତ ରହିବା ଉଚିତ ହେବ। ଘରେ ଅନ୍ୟମାନଙ୍କ କାର୍ଯ୍ୟଶୈଳୀରେ ଅଯଥା ହସ୍ତକ୍ଷେପ ବେଳେବେଳେ ଘରେ ଅଶାନ୍ତି ସୃଷ୍ଟି କରିଥାଏ। ଏବେ ସମସ୍ତେ ସ୍ବାଧୀନଚେତା। ସେମାନଙ୍କ କାମରେ ଅଯଥା ହସ୍ତକ୍ଷେପକୁ କେହି ପସନ୍ଦ କରୁନାହାନ୍ତି। ଘରେ ପୁଅବୋହୂ ସେମାନଙ୍କ ଢାଞ୍ଚାରେ ସେମାନଙ୍କ ସଂସାର ଚଳାଇବେ। ଆମେ ସେଥିରେ ମୁଣ୍ଡ ପୂରାଇବା କାହିଁକି। ଯଦି କେତେବେଳେ ଆମର ପରାମର୍ଶ ଲୋଡ଼ିବେ, ସେତେବେଳେ ସେମାନଙ୍କୁ କିଛି କହିବ। ଆମେ ଯାହା ଚାହିଁବା ସେ ସବୁ ପୂରଣ ହେବ ବୋଲି ଭାବିବା ଭୁଲ୍‌। ଯଦି ମିଳିଲା ଭଲ, ନ ମିଳିଲେ ବି ଭଲ। ଏହାକୁ ନେଇ କ୍ରୋଧ ବା ବିରକ୍ତ ପ୍ରକାଶ କରିବା ଉଚିତ ନୁହେଁ।
ବେଳେବେଳେ ଦେଖାଯାଏ, ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି ନିଜେ ଅର୍ଜନ କରିଥିବା ଧନ ସମ୍ପତ୍ତି ବିଷୟରେ ବାରମ୍ବାର ଅବତାରଣା କରିଥା’ନ୍ତି, ଯାହାକି ପରିବାର ଭିତରେ ଅଶାନ୍ତିର କାରଣ ହୋଇଥାଏ। କଥା କଥାକେ ମୁଁ ଏତେ ରୋଜଗାର କରୁଥିଲି, ସମସ୍ତଙ୍କୁ ପଢ଼ାଇ ରୋଜଗାରକ୍ଷମ କରିଛି, ଘରଦ୍ବାର, ଜମିବାଡ଼ି କରିଛି ଇତ୍ୟାଦିର ଉଦାହରଣ ଦେଇ ଅନ୍ୟମାନଙ୍କ ମନରେ ଅସହିଷ୍ଣୁତା ସୃଷ୍ଟି କରିଥା’ନ୍ତି। ତୁମେମାନେ ଅଯଥା ଖର୍ଚ୍ଚ କରି ସବୁ ବରବାଦ୍‌ କରୁଛ କହି ପରିବାର ସଦସ୍ୟଙ୍କ ମନରେ ଆଘାତ ଦେଇଥା’ନ୍ତି। ଏହା ସତ ଯେ ଆର୍ଥିକ ଅନଟନ ଭିତରେ ଆମେ ବହୁ କଷ୍ଟ ସ୍ବୀକାର କରି ସଂସାର କରିଥିଲେ। ତା’ ଅର୍ଥ ନୁହେଁ ଯେ ଆମ ପୁଅ ଝିଅ ବା ନାତି ନତୁଣୀମାନେ ସେହିପରି କଷ୍ଟ ସ୍ବୀକାର କରି ଆଗକୁ ବଢ଼ିବେ। ଆମ ସମୟରେ ଜୋତା ଛିଣ୍ଡିଲେ ନୂଆ ଜୋତା କିଣା ହେଉଥିଲା, ସେହିପରି ପ୍ୟାଣ୍ଟ ଶାର୍ଟ ଚିରିଗଲେ ବା ବିଭିନ୍ନ ପର୍ବପର୍ବାଣି ହେଲେ ନୂଆ ପୋଷାକପତ୍ର କିଣା ହେଉଥିଲା। ତା’ ବୋଲି ଏବର ଆର୍ଥିକ ସ୍ବଚ୍ଛଳ ଥାଇ ବି ପିଲାଙ୍କୁ କ’ଣ ସେହିପରି ଚଳିବାକୁ ବାଧ୍ୟ କରିବା। ଏ ସବୁ ପ୍ରସଙ୍ଗ ଉପସ୍ଥାପନ କରି ଅଯଥା ପରିବାର ଭିତରେ ଅଶାନ୍ତି ସୃଷ୍ଟି କରିବା ବୟୋଜ୍ୟେଷ୍ଠମାନଙ୍କ ପାଇଁ ଆଦୌ ଠିକ୍‌ ନୁହେଁ। ଘରର ସବୁ କାମ ଯେ ତାଙ୍କୁ ପଚରା ଯାଇ କରାଯିବ, ଏପରି ଭାବନା ଆଦୌ ମନରେ ଆଣିବା ଉଚିତ ନୁହେଁ।
ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ସକାରାତ୍ମକ ଭାବନା ହିଁ ଟନିକ୍‌ ସଦୃଶ କାମ କରିଥାଏ। ଆବଶ୍ୟକ ହେଲେ ନିଜ ସାମର୍ଥ୍ୟ ଅନୁଯାୟୀ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିପାରିଲେ ତାହା ପରିବାର ମଧ୍ୟରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିଥାଏ। ନାତି-ନାତୁଣୀଙ୍କ ସହ ସମୟ କାଟିବା, ସେମାନଙ୍କୁ ଭଲ ଭଲ କାହାଣୀ ମାଧ୍ୟମରେ ନୀତିବାଣୀ ଶୁଣାଇବାରେ ସମୟ କାଟିପାରିଲେ ଏହା ମାନସିକ ଶାନ୍ତି ଦେଇଥାଏ। ବିଶେଷକରି ଯେତେଦୂର ସମ୍ଭବ ତିନୋଟି ଅ ଅର୍ଥାତ୍‌ ଅଭିମାନ, ଅଭିଯୋଗ ଓ ଅବସୋସଠାରୁ ନିଜକୁ ଦୂରେଇ ରଖିପାରିଲେ ତାହା ପରିଣତ ବୟସର ଶେଷ ସମୟତକ ସୁଖ ଓ ଶାନ୍ତିରେ ଭରିଦେବ।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri