ପରଲୋକରୁ ପତ୍ର

ଉପେନ୍ଦ୍ର ବିଶ୍ୱାଳ

ହେଶ୍ରଦ୍ଧାସିକ୍ତ ପୁତ୍ର ପୌତ୍ର ଗଣ, ମର୍ତ୍ତ୍ୟ ଲୋକର ଦୁର୍ଦ୍ଦଶା ଦେଖି ଆମେ ଖୁବ୍‌ ମର୍ମାହତ। ଏପରି ଦୁର୍ଦ୍ଦିନରେ ତୁମକୁ ଟିକେ ପଥ ଦେଖାଇବାକୁ ପରଲୋକରୁ ଏ ପତ୍ରଟି ଆମର। ଯଥେଷ୍ଟ ନ ହେଲେ ବି ସାମାନ୍ୟ ହେଲେ ତ ରାହା ଦେଖାଇବ ତୁମକୁ। କାରଣ କ୍ଷୀଣ ଆଲୋକ ତ ହଁି ଯଥେଷ୍ଟ ସାହାରା ସାଜିଥାଏ ଗାଢ଼ ଅନ୍ଧକାରଭରା ଟନେଲ୍‌ ବା ଭୂଗର୍ଭସ୍ଥ ସୁଡ଼ଙ୍ଗ ଭିତରେ। ସଙ୍କଟ କାଳେ ସାମାନ୍ୟ ସହାୟତା ବି ମହତ୍ତ୍ୱ ରଖେ ଅନେକ। ଏ ସମୟର ଟିକେ ସ୍ନେହ, ସହାନୁଭୂତି, ସମବେଦନା ସୁଖାବସ୍ଥାର ପ୍ରାଚୁର୍ଯ୍ୟଠାରୁ ବି ଖୁବ୍‌ ମୂଲ୍ୟବାନ। ଆଜି ସେଠି ଏକ ଅଦ୍ଭୁତ ଅବସ୍ଥା। ସବୁ ମଣିଷ ସତେ ଯେମିତି ଅଛୁଆଁ। କରୋନା ଠିଆ କରୁଛି ପ୍ରାଚୀର ଓ ବଢୁଛି ମଣିଷ- ମଣିଷ ଭିତରେ ବ୍ୟବଧାନ। କିନ୍ତୁ ବାବୁରେ, ଯାହା ବି ହୋଇଯାଉ ପଛେ ଏପରି ଦୁଃସ୍ଥିତିରେ ମାନବିକତା ଯେମିତି ମରି ନ ଯାଏ। ମଣିଷ ପଣିଆ ଯେମିତି ମଶାଣିମୁହାଁ ନ ହୁଏ।
ପ୍ରାଚୀର ତିଆରିକରେ ବିଭେଦ। କିନ୍ତୁ ସେତୁଟିଏ ଆମକୁ ଯୋଡ଼ି ଧରେ। ଏଣୁ ମାନବିକତାର ସେତୁ ଦ୍ୱାରା ଯୋଡିରୁହ। କାରଣ ଯୋଡିହେବାରେ ହଁି ଜୀବନର ଜୟଗୀତି ରଚାଯାଇପାରେ। ଝଡ଼-ଖଞ୍ଜା, ଦୁର୍ଦ୍ଦିନ – ଦୁର୍ବିପାକ ଆଦି ଜୀବନର ଏକ ଏକ ପର୍ଯ୍ୟାୟ, ଠିକ୍‌ ଅମାବାସ୍ୟା ଓ ପୂର୍ଣ୍ଣମୀ ପରି। ଏଣୁ ଏଥିରେ ଧୈର୍ଯ୍ୟହରା ନ ହୋଇ ବିଭୁଙ୍କ ଉପରେ ଭରସା ରଖି। ‘ଏ ସମୟ ରହିବନି’ ଏ ବିଶ୍ୱାସ ଟିକକ ରଖ। ଜୀବନର ଯାତ୍ରାପଥରେ ଏମିତି କେବେ କେବେ ଅକସ୍ମାତ୍‌ ଘୋଟି ଆସିଥାଏ କଳାବାଦଲ। ରାତିର ଭ୍ରମ ସୃଷ୍ଟିକରି ଖେଳିଯାଏ ଅନ୍ଧାର। କିଛି କ୍ଷଣ ପରେ ମେଘ ଅପସରି ଗଲାପରେ ଆଶ୍ୱସ୍ତ ହୁଅନ୍ତି ସମସ୍ତେ। କିଟିମିଟିଆ ଅନ୍ଧାର ରାତିଟା କଟିଲାପରେ ପରା ଉଦ୍‌ଭାସିତ ହୋଇଉଠେ ଉଷାଲୋକ। ଆଲୋକର ବନ୍ୟାରେ ପ୍ଲାବିତ ହୋଇଉଠେ ଜଗତ। ଚହଟି ଉଠେ ଚତୁର୍ଦ୍ଦିଗ ଆନନ୍ଦରେ। ଏଣୁ ଜୀବନରେ କେବେ ହତାଶ ଭାବ ରଖିବନି। ସ୍କୁଲ୍‌ ଘରର କଳାପଟା ହିଁ ତ ଶିଖାଇଥାଏ ଅନେକ କିଛି। ସେମିତି ବି ଆଜିର ଏଇ କଳାଦିନ ବାଣ୍ଟୁଛି ଅନେକ ବାର୍ତ୍ତା। ଦେଖାଏ ଜୀବନ ଦର୍ଶନ। ଖାଲି ବୁଝିପାରିଲେ ହେଲା। ସଚରାଚର ଏ ବିଶ୍ୱ ବ୍ରହ୍ମାଣ୍ଡର ରଚୟିତା ଭଗବାନଙ୍କର ଯୋଜନା ସଦା ଶୁଭଙ୍କର। ଆମର କିନ୍ତୁ ବୁଝିବାରେ ଭୁଲ୍‌ ରହିଯାଏ। ବେଳେ ବେଳେ ମନକୁ ଆସିଥାଏ ଯେ ମଣିଷ ଏତେ ହନ୍ତସନ୍ତ ହେଉଛି, କାତର ହୋଇ ପ୍ରାର୍ଥନା କରୁଛି, ଠାକୁରଙ୍କୁ ଏତେ ଡାକୁଛି ତଥାପି ଭଗବାନ ଏତେ ନୀରବି ଯାଇଛନ୍ତି କେମିତି। ମାସ ମାସ ଧରି ଦୁନିଆକୁ ଏ ଦୁଃସ୍ଥିତିରୁ ମୁକ୍ତି ଦେଉନାହାନ୍ତି କାହିଁକି? କାହିଁକି ଆଜି ସେ ନିଷ୍ଠୁର ଏତେ? ଏତିକିବେଳେ ଭଗବାନଙ୍କ ନୀରବତାରୁ ଆମେ ବୁଝିନେବା ଉଚିତ ହେବ ଯେ ଆସନ୍ତାକାଲି ପାଇଁ ସେ ଏକ ଭଲ ଖସଡ଼ା ତିଆରିରେ ବ୍ୟସ୍ତ ଅଛନ୍ତି। ଏଣୁ ଆସୁଥିବା ନୂଆ ସକାଳ ନିହାତି ସୁଖକର ହେବ ଆମ ପାଇଁ। ଠିକ୍‌ ଏହି ବିଶ୍ୱାସ ନେଇ କେମିତି ବଞ୍ଚତ୍ଛି ବୃକ୍ଷଟି ଦେଖି। ଦାରୁର ଭାଗ୍ୟରେ ବି ଦେଖାଦିଏ ଦୁର୍ଭାଗ୍ୟ। ଶ୍ରୀହୀନ ହୋଇପଡ଼େ ପତ୍ରଝଡ଼ା ଦେଲାପରେ, ସତେ ଯେମିତି ନିର୍ଜୀବ । ତଥାପି ସେ ବ୍ୟସ୍ତ ବା ବିବ୍ରତ ହୁଏନା କେବେ। ବିଶ୍ୱାସ ଥାଏ ଭଗବାନଙ୍କଠାରେ। ଅପକ୍ଷାରଖେ ଆସନ୍ତାକାଲି ଏକ ଅନୁକୂଳ ଆଗମନକୁ। ସତକୁ ସତ ସେ ସମୟ ତା’ର ଚାଲିଯାଏ। ଅବସ୍ଥା ସୁଧୁରିଯାଏ। ଥୁଣ୍ଟା ଦେହରେ ସବୁଜିମା ଭରିଯାଏ। ନୂଆରୂପ ନେଇ ପୁଣି ହସିଉଠେ ବୃକ୍ଷ।
ଚାଲି ଶିଖିଲା ବେଳେ ଆମେ ଝୁଣ୍ଟିପଡୁ ବାରମ୍ବାର। ଉଠିକି ପୁଣି ଚାଲୁ। ଏହି ପଡ଼ିବା ଓ ଉଠିବା ଭିତରେ ଜଣାପଡେନି କେତେବେଳେ ଆମେ ଦୌଡିବା ଶିଖି ଗଲୁଣି। ସେମିତି ବି ଜୀବନର ଚଲାପଥରେ ଯିଏ ଯେତେ ଝୁଣ୍ଟିଥାଏ, ଝଡ଼-ଝଞ୍ଜା ବା ଜଞ୍ଜାଳ-ଯନ୍ତ୍ରଣା ସହିତ ଯିଏ ଯେତେ ଯୁଝିଥାଏ, ସିଏ ସେତେ ସମର୍ଥ ହୁଏ ସମୟାନ୍ତରରେ। ତା’ପାଇଁ ସୁଗମ ହୋଇଉଠେ ଭବିଷ୍ୟତର ରାଜପଥ। ନିଆଁର ତାଟି ନ ପାଇଲେ ମାଠିଆ କ’ଣ ଟାଣ ହୁଅନ୍ତା ନା ସୁନାର ଚମକ୍‌ ଫୁଟି ଉଠୁଥାନ୍ତା। ଅତି କୁତ୍ସିତ ଜୀବ ଶମ୍ବାଳୁଆର ଜୀବନ ଯାତ୍ରାକୁ ଟିକେ ଲକ୍ଷକର। ମଝିରାସ୍ତାରେ କି ଦୁର୍ଦ୍ଦିନକୁ ସେ ସାମ୍ନା ନ କରେ ସତରେ! ଜୀବନଚକ୍ର ମଧ୍ୟରେ ତାକୁ ଅବରୋଧ ହୋଇ ରହିବାକୁ ପଡ଼େ। ରୁଦ୍ଧ କୋଷ ଭିତରେ ରୁନ୍ଧିହୋଇ ଅଣନିଃଶ୍ବାସୀ ହୋଇଯାଏ। ସେଥିରେ ଦବି ନ ଯାଇ ମହାସଙ୍କଟରୁ ବର୍ତ୍ତିବାକୁ ବଳ ଗୋଟାଏ। ଦୃଢ଼ ମନୋବଳ ସହିତ ଖୁବ୍‌ ସଂଘର୍ଷ କରେ। ସତେଯେମିତି ମନରେ ତା’ର ଦୃପ୍ତ ସଂକଳ୍ପ – ଯେମିତି ବି ହେଉ ଯନ୍ତ୍ରଣାକୁ ଜୟ କରିବାକୁ ହେବ। ଫଳତଃ ଏକୋଇଶ ଦିନର ତାଲାବନ୍ଦ ବା ସଂଘର୍ଷଭରା ବନ୍ଦୀ ଜୀବନ ପାର କରି ସକ୍ଷମ ହୁଏ ସେଥିରୁ ମୁକୁଳିବାରେ। ଅତୀବ କଷ୍ଟକର ପରିସ୍ଥିତିକୁ କୋଣଠେସା କରି ନିଜର ଉଜ୍ଜ୍ୱଳ ଉପସ୍ଥିତି ଜାହିର କରି ବସେ। ଉଭାହୁଏ ସୁନ୍ଦର ଏକ ପ୍ରଜାପତି ରୂପ ନେଇ। ସତେଯେମିତି କୁନିପରୀଟିଏ ଜନ୍ମନେଲା। ଏହା ହିଁ ତ ଧୈଯ୍ୟ ଓ ସହନଶୀଳତାର ଉତ୍କର୍ଷ ଉପଲବ୍ଧି, ଜୀବନର ଉତ୍ତରଣ। ମନଲୋଭା ଇନ୍ଦ୍ରଧନୁର ଛଟା କେବେ କେଉଁଠି ସୃଷ୍ଟି ହୋଇଛି କି ବିନା ବର୍ଷାରେ? ସେମିତି ବି ଦୁର୍ଦ୍ଦିନ ପରେ ପରେ ଜୀବନ ଆକାଶରେ ରଙ୍ଗିନ୍‌ ଛଟା ଆବିିର୍ଭାବ ନ ହେବ କାହିଁକି? ଏଣୁ ଦୁର୍ଯୋଗ ସମୟରେ ଏତେ ଭାଙ୍ଗି ନ ପଡ଼ି ସମସ୍ୟା ସବୁକୁ ସାବଧାନତାର ସହିତ ସମ୍ମୁଖୀନ ହୁଅ। ପାରୁଛ ଯଦି ପରମପିତାଙ୍କୁ ସେସବୁକୁ ସମର୍ପି ଦିଅ। ଭଗବାନଙ୍କ ଏହା ଇଚ୍ଛା ବୋଲି ଭାବିନେଇ ସବୁ ଉଦ୍‌ବିଗ୍ନତାକୁ ଉପାସନାରେ ପରିଣତ କରିଦିଅ। ଆଉ ଦେଖିବ, ସ୍ବୟଂ ଭଗବାନ ସତେଯେମିତି ତୁମ ସହିତ ସାଥୀ ହୋଇଯାଇଛନ୍ତି। ଭଗବାନ ଯଦି ତୁମ ସହିତ ରହିଛନ୍ତି, ଦୁନିଆର କୌଣସି ତାକତ୍‌ ନାହିଁ ତୁମ ବିରୁଦ୍ଧରେ ଛିଡ଼ା ହେବାକୁ। ଦେଖିଛ ନା ମହାଭାରତର ଅର୍ଜୁନଙ୍କୁ। ଯେତେଦିନ ଭଗବାନ ତାଙ୍କ ସହିତ ଥିଲେ, ସେତେଦିନ ପର୍ଯ୍ୟନ୍ତ ଅର୍ଜୁନ ଥିଲେ ଅପରାଜେୟ। ଭଗବାନ ଯେଉଁଦିନ ତାଙ୍କ ହାତ ଛାଡ଼ିଦେଲେ, ମହାଭାରତର ମହାବୀର ଅର୍ଜୁନ ବନିଗଲେ ଅତି ନଗଣ୍ୟ। ସଙ୍କଟର ଗର୍ଭଗୃହରେ ଥାଏ ଦୁଇଟି ଦ୍ୱାର। ଗୋଟିଏ ସୌଭାଗ୍ୟର ଓ ଅନ୍ୟଟି ଦୁର୍ଭାଗ୍ୟର। ଧୈର୍ଯ୍ୟହରା ହେଲେ ସଙ୍କଟ ହୁଏତ ତୁମର ଆଗାମୀ କାଲିକୁ ଆକଟ କରି ରଖିଦେବ। ଅର୍ଥାତ୍‌ ଦୁର୍ଭାଗ୍ୟ ଦେଖାଯାଇ ଥାଏ। କିନ୍ତୁ ବିଚାରଶୀଳ ହୋଇ ପରିସ୍ଥିତିକୁ ସାମ୍ନାକଲେ, ସୌଭାଗ୍ୟର ଆଲୋକ ଅବଶ୍ୟ ଦେଖାଯିବ ଜୀବନରେ। ଆଜିର ଏ ସ୍ଥିତି ସମୟର ଏକ ଚେତାବନୀ ତଥା ମଶାଲଟିଏ ମଧ୍ୟ। ଏହାରି ଭିତରେ ହିଁ ସାଇତା ଆମ କବଚ ଆଉ ଶସ୍ତ୍ର। ସେଇ ମଶାଲରେ ତୁମେ ଦେଖିପାରିବ ବାହାର ଦୁନିଆକୁ। ତା’ପରେ ବି ତୁମ ଭିତରର ମଶାଲକୁ ପ୍ରଜ୍ୱଳିତ କରିବାକୁ ହେବ, ଯଦ୍ଦ୍ବାରା ତୁମ ଭିତରର କୁରୁକ୍ଷେତ୍ରକୁ ଧର୍ମକ୍ଷେତ୍ରରେ ପରିଣତ କରିପାରିବ ତୁମେ। ସମୟର ବଡ଼ଦାଣ୍ଡରେ କ’ଣ ଘଟିଲା ତାହା ଯେତିକି ଗୁରୁତ୍ୱ ନୁହେଁ, ତାକୁ କେମିତି ଢଙ୍ଗରେ ମୁକାବିଲା କଲ, ତା’ ହେଉଛି ସବୁଠୁ ବଡ଼କଥା। ଦୁର୍ଯୋଗ ବା ଦୁର୍ବିପାକ ସମୟରେ ଆଇନାଟିଏ ହିଁ ଆମ ପାଇଁ ଅନୁକରଣର ଆଧାର। ଭାଙ୍ଗିଯାଇ ଯେତେ ଟୁକୁରା ଟୁକୁରା ହୋଇଗଲେ ବି ଦର୍ପଣ ତା’ର ମୌଳିକତାକୁ ହରାଇ ନ ଥାଏ। ସାମାନ୍ୟ ସତ୍ତା ଥିଲା ଯାଏ ସାଧ୍ୟମତେ ସେ ପ୍ରତିବିମ୍ବିତ କରିଚାଲେ। ଏଣୁ ଆମର ସ୍ବାଭାବିକ ପଣ ଅର୍ଥାତ୍‌ ମହାର୍ଘ ଏହି ମଣିଷ ଜୀବନର ଯେଉଁ ମାନବିକ ମୂଲ୍ୟବୋଧ, ତାହା ଯେମିତି ହଜି ନ ଯାଏ। ଆହୁରି ବି ଦୁର୍ଦ୍ଦିନରେ ସର୍ବନିମ୍ନ ଆବଶ୍ୟକତାକୁ ନେଇ ବଞ୍ଚି ଶିଖିବା ଓ ନିଜକୁ ସର୍ବାଧିକ ବ୍ୟବସ୍ଥିତ କରିବା ହେଉ, ତୁମ ଜୀବନର ଜପାମାଳି। ଏହି ଦୁଃସ୍ଥିତି ସମୟରେ ନାନାଦି ଭାବନା ମନକୁ ଭାରାକ୍ରାନ୍ତ କରି ରଖେ। ନକାରାତ୍ମକ ଭାବନା ମନକୁ କବଳିତ କରିଚାଲେ, ଯାହା କି ଜୀବନର ମାଧୁର୍ଯ୍ୟକୁ ନଷ୍ଟ କରିଦିଏ। ଏଣୁ ମନକୁ ସଦା ସଜାଇରଖ ସଦ୍‌ଭାବନା ଓ ସକାରାତ୍ମକ ଚିନ୍ତନରେ। ଦେଖିବ, କେମିତି ମଧୁମୟ ହୋଇ ଉଠିବ ତୁମ ଜୀବନ। ଆମ ପାଇଁ ଆଉ କାହାର ମୁହଁରେ ହସର ଧାରଟିଏ ଖେଳିଗଲା। ଏଇଯେମିତି, ଦୁର୍ବାର ସଂକଳ୍ପ ନେଇ ଦୁର୍ଗତଜନଙ୍କ ସେବା କରିଚାଲିଥିବା ନର୍ଭୟ, ଦୁର୍ଜୟ ଯୋଧ୍ୟାମାନେ। ଈଶ୍ବରଙ୍କ ଅନ୍ୟ ଏକ ଅବତାର ଭାବେ ଆବିର୍ଭୂତ ଏହି କରୋନା ଯୋଦ୍ଧାଦଳ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୋଲିସ, ପ୍ରଶାସନ ଆଦି ଦିବ୍ୟ ସତ୍ତାଧାରୀମାନେ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଲାଗି ପଡିଛନ୍ତି ଅନ୍ୟକୁ ବଞ୍ଚାଇବାକୁ। ଅନ୍ୟର ଶୁଖିଲା ମୁହଁରେ, ବିଷଣ୍ଣ ବଦନରେ ଟିକିଏ ହସ ଭରିବାକୁ। ଏଇଥିରେ ହିଁ ନିହିତ ଜୀବନର ସାର୍ଥକତା, ରଚିତ ଜୀବନର ଯଶଗୀତି। ହଟୁ ଦୁର୍ଦ୍ଦିନ, ଜୟ ହେଉ ଜୀବନ।
। ଇତି । ପରଲୋକରୁ ତୁମ ପୂର୍ବସୂରୀ
ଗୋଡ଼ିଶୁଲ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ପୃଶ୍ୟତାର ଅନ୍ତ କେବେ

ସମାଜ ସମୟକ୍ରମେ ଆଧୁନିକତା ଆଡ଼କୁ ଗତିଶୀଳ ହେଉଛି। କିନ୍ତୁ ଦିନକୁ ଦିନ ଲୋକଙ୍କ ଚିନ୍ତନଶକ୍ତିରେ ଅବନତି ଘଟୁଛି। ବେଶଭୂଷା ପରିଧାନରେ ଆଧୁନିକତାର ଛାପ ଦେଲେ ସୁଦ୍ଧା ଆଚରଣ…

ରକ୍ଷକ ଯେବେ ଭକ୍ଷକ ହୁଅନ୍ତି

ଦେଶ ସ୍ବାଧୀନ ହେବା ପୂର୍ବରୁ ଚାକିରିର ଉପର ପଦବୀରେ ପ୍ରାୟ ଇଂରେଜମାନେ ଥିବାରୁ ତାଙ୍କ ଅଧୀନରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିବିଚ୍ୟୁତି ପାଇଁ କଠୋର ଦଣ୍ଡ ବ୍ୟବସ୍ଥା…

ସହଜରେ ମଦ

କାଚବୋତଲ ପରିବର୍ତ୍ତେ କାଗଜ ପ୍ୟାକେଟରେ ମଦ ବଜାରକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ନୂଆ ଅବକାରୀ…

ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା…

ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: ଏହି ସମୟରେ ଆରମ୍ଭ ହେବ ପାକତ୍ୟାଗ

କିଛିବର୍ଷ ତଳେ ପ୍ରାଥମିକ ସ୍ତରରେ ପଢାଯାଉଥିବା ସାହିତ୍ୟ ବହିର ଏକ କବିତାର କିୟଦଂଶ ସହିତ ଊଣା ଅଧିକେ ସମସ୍ତେ ପ୍ରାୟତଃ ପରିଚିତ ଥିବେ। ଆଜିର ଆଲୋଚ୍ୟ ପ୍ରସଙ୍ଗ…

ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri