ନିଜ ମଣିଷ, ମିଛ ବିଶ୍ୱାସ

ଦ୍ୱିତୀ ଚନ୍ଦ୍ର ସାହୁ

ଆପଣ କାହାକୁ ବିଶ୍ୱାସ କରୁଛନ୍ତି କି? ଯଦି ହଁ, ତେବେ ଟିକେ ସାବଧାନ। ଆପଣ ଆଗାମୀ ଦିନରେ ହୁଏତ ହରଡ଼ଘଣାରେ ପଡ଼ିପାରନ୍ତି। ମଝିରେ ମଝିରେ ବିଶ୍ୱାସକୁ ପରଖନ୍ତୁ। ଆପଣ ଯଦି ଆସ୍ଥାଭାଜନ ହୋଇପାରୁଛନ୍ତି ତେବେ ଭରସି ଆଗକୁ ବଢ଼ନ୍ତୁ। ଅନ୍ୟଥା ସେଇଠି ବିଶ୍ୱାସକୁ ହନନ କରିଥିବା ମଣିଷ ସହ ସମ୍ପର୍କରେ ଡୋରି ପକାଇବାକୁ ଚେଷ୍ଟା କରନ୍ତୁ। ମଣିଷ ବିଶ୍ୱାସ କରୁଥିବା ଲୋକ ପ୍ରତି ଅନ୍ଧ ହୋଇଯାଏ। ସବୁକିଛି ଖୋଲାମେଲା ଗପିପାରେ। ନିଜର ଦୁଃଖସୁଖ, ବିପଦଆପଦରେ ସେଇ ମଣିଷକୁ ଖୋଜେ। ମନକଥାକୁ ଖୋଲି କହିଦେଲେ ତା’ର ହୃଦୟ ଭରିଯାଏ। ମନ ହାଲ୍‌କା ହୋଇଯାଏ। ଏଇ କାରଣରୁ ମଣିଷ କାହାକୁ ନା କାହାକୁ ବିଶ୍ୱାସ କରିବା ସ୍ବାଭାବିକ୍‌। ମନକୁ ମନ ମିଶିଗଲେ ହୃଦୟ ବିଗଳିତ ହୁଏ। ମନରେ ଭାବାନ୍ତର ହୁଏ। ମନ ଓ ହୃଦୟ ଭିତରେ ଯେଉଁ ଦ୍ୱନ୍ଦ୍ୱ ହୁଏ, ସେଇ ଦ୍ୱନ୍ଦ୍ୱକୁ ଯିଏ ଠିକଣା ଢଙ୍ଗରେ ବୁଝି ଉପଯୁକ୍ତ ସହାୟତାର ହାତ ବଢ଼ାଏ, ତେଣିକି ସିଏ ହୃଦୟର ମଣିଷ ହୁଏ। ବିଶ୍ୱାସ ଜାଗ୍ରତ ହୁଏ। ସେଇ ବିଶ୍ୱାସ ପରସ୍ତ ପରସ୍ତ ହୋଇ ସ୍ତରୀଭୂତ ହୁଏ। ଚଟାଣ ପରି ଦୃଢ଼ ହୁଏ। ସେଇଠୁ ସେଇ ମଣିଷ ପ୍ରିୟପାତ୍ର ହୋଇଯାଏ। ତା’ପରେ ନିଜ ଲୋକ ପାଲଟିଯାଏ ତଥାକଥିତ ମଣିଷ। କଥାଠାରୁ ଆରମ୍ଭକରି କାରବାର, ନେଣଦେଣ, ଲାଭକ୍ଷତି, ଗୁମର ବେପାର ସବୁ ଚାଲେ ବେଧଡ଼କ ହୋଇ। ସେଇ ବିଶ୍ୱାସୀ ମଣିଷ ହୃଦୟତାର ସହ ସବୁ ଗ୍ରହଣ କଲେ କିଛି ସମସ୍ୟା ନାହିଁ। କେଉଁଠାରେ ଟିକେ ଓଲମବିଲମ ହୋଇଗଲେ ପାନରୁ ଚୂନ ଖସିବ। ତା’ପରଠାରୁ ସେ ଶତ୍ରୁ ପାଲଟିଯିବ। ଆପଣଙ୍କ ପୂର୍ବ ଶତ୍ରୁ ସହ ହାତ ମିଶେଇବ। ଆପଣଙ୍କ ବିରୋଧରେ ମେଳି କରିବ। ନିଜର ଅପଯଶ, ଗୁଣକୀର୍ତ୍ତି କହି ବୁଲିବ। ଆପଣଙ୍କୁ ବଦନାମ କରିବା ଲାଗି ଅହରହ ଚେଷ୍ଟା କରିବ। ଆପଣ ନିଷ୍ଠାର ସହ ଥିଲେ କିଛି ହେବନି। ସାମୟିକ ଭାବେ ହୁଏତ ଆପଣଙ୍କ ମାନସିକ ଅବସାଦ ଆସିବ। ପରେ ଆପଣଙ୍କ ନିଷ୍ଠା, ସଚ୍ଛୋଟତା ଓ ସ୍ବାଭିମାନର ବିଜୟ ହେବ ନିଶ୍ଚିତ। ସମୟକ୍ରମେ ଲୋକେ ଅସଲ କଥାକୁ ବୁଝିବେ। ତଥାକଥିତ ଲୋକଙ୍କ ଚରିତ୍ର ପଦାରେ ପଡ଼ିବ। କିନ୍ତୁ ଯଦି ଆପଣ ବେଆଇନ ପଥରେ ପାଦ ଦେଇଥିବେ, ସେଇ ବିଶ୍ୱାସୀ ମଣିଷକୁ ସାଥୀ କରିଥିବେ ସେ ହୁଏତ ଆପଣଙ୍କ ପ୍ରଭୂତ କ୍ଷତି କରିଦେଇପାରେ। ସେଥିପାଇଁ ବେଆଇନ କାରବାରରେ କିଏ ସାଥୀ, ବନ୍ଧୁ ଓ ଆତ୍ମୀୟ ସମ୍ପର୍କ ବୃଦ୍ଧି କରିବା ଠିକ୍‌ ନୁହେଁ ବୋଲି କୁହାଯାଏ। ଅନୀତି କ୍ଷଣସ୍ଥାୟୀ। ସେ କାୟା ପରିବର୍ତ୍ତନ କରିବ ନିଶ୍ଚିତ। କାୟା ପାଲଟିଗଲେ ସବୁକିଛି ଗୋଳମାଳ ହେବ। ସେହିକ୍ରମରେ ଏଇ ବ୍ୟାପାରରେ କାହାକୁ ବିଶ୍ୱାସଭାଜନ ହେବା ବୋକାମିର ପରିଚୟ ବୋଲି ଧରାଯାଏ। ବେଆଇନ କାମ କରୁଥିବା ଲୋକଟି ଜାଣେ ଯେ କେବେ ନା କେବେ କେଉଁଠି ବି ଏସବୁର ହୁଏତ ଅନ୍ତ ହୋଇପାରେ। ସେଠି ନିଜେ ମୁକୁଳିବା ବାଟ ରଖିଥାଏ ସେହି ଲୋକ। କିନ୍ତୁ ସେଥିରେ ଆଉ କାହାକୁ ବିଶ୍ୱାସୀ ଅଂଶୀଦାର କଲେ ଅଡୁଆ ସୂତାର ଖିଅ ଖୋଲିଯିବ କେଉଁ ମୁହୂର୍ତ୍ତରେ।
ସାଧାରଣତଃ ନିଜ ଆତ୍ମୀୟସ୍ବଜନଙ୍କ ଉପରେ ଅଧିକ ଆସ୍ଥା ରଖନ୍ତି ଲୋକ। ପର ଲୋକ କେତେବେଳେ ବି ଛୁରିକା ଘାତ କରିପାରନ୍ତି। ତଣ୍ଟି କାଟିପାରନ୍ତି। ନିଜ ଲୋକ ପାଖରେ ଥିଲେ ଗୋଟେ ଅସୀମ ସାହସ ମିଳେ। ଆଗକୁ ବଢ଼ିବାକୁ ଧୈର୍ଯ୍ୟ ମିଳେ। ଭଲରେ ମନ୍ଦରେ ସାହା ହେବାର ଗୋଟେ ଆଶା ରଖେ ମଣିଷ। ନିଜ ଲୋକ ନିକଟରେ ଅଧିକ ସହଜ ହୁଏ ମଣିଷ। ଆହୁରି ଅଧିକ ଖୋଲାମେଲା ହେବାରେ ସମସ୍ୟା ନ ଥାଏ। କିନ୍ତୁ ଦେଖାଯାଏ ସେଇ ମଣିଷମାନେ ହିଁ ସହଜରେ ଅସୁବିଧାରେ ପକାଇପାରନ୍ତି। ନିଜ ଲୋକ ପାଖରେ ଥିବାର ମିଛ ବିଶ୍ୱାସକୁ ନେଇ ବଞ୍ଚତ୍ଥିବା ମଣିଷ ଶେଷରେ ସାଂଘାତିକ ଭାବେ ହଇରାଣ ହୁଅନ୍ତି। ଏବେ ପ୍ରଶ୍ନ ଉଠୁଛି ତେବେ ମଣିଷ କାହାକୁ ବିଶ୍ୱାସ କରିବ? ଅବଶ୍ୟ ମଣିଷକୁ ମଣିଷ ବିଶ୍ୱାସ କରିବାକୁ ପଡ଼ିବ। କିନ୍ତୁ ନିଜ ଭିତରେ ବରାବର ପ୍ରତ୍ୟୟ ଜାଗ୍ରତ କରିବାକୁ ହେବ ସେଇ ଲୋକଟି କେତେ ବିଶ୍ୱାସୀ, ଯଦିଓ ମଣିଷଠାରୁ ପଶୁମାନେ ଢେର୍‌ ବିଶ୍ୱାସୀ। ସାମାନ୍ୟ ଖାଦ୍ୟ ଓ ଆଦରରେ ପଶୁପକ୍ଷୀଗୁଡ଼ିକ ନିଜର ଆତ୍ମୀୟଙ୍କଠାରୁ ବି ଢେର୍‌ ଗୁଣରେ ବିଶ୍ୱାସ ପ୍ରଦର୍ଶନ କରନ୍ତି। ଏମିତିକି ସମୟେ ସମୟେ ନିଜ ମାଲିକର ପ୍ରାଣରକ୍ଷା ଲାଗି ନିଜ ଜୀବନକୁ ବି ବଳି ଦେଇପାରନ୍ତି। ହିଂସ୍ର ମନେହେଉଥିବା ମାଂସାଶୀ ପ୍ରାଣୀମାନେ ବି ମଣିଷର ବୋଲ ମାନିପାରନ୍ତି। କିନ୍ତୁ ମଣିଷକୁ ଆପଣ ବୋଲ ମନେଇ ପାରିବେନି।
ବର୍ତ୍ତମାନ ପରିସ୍ଥିତିରେ ସବୁ ସମ୍ପର୍କ ସ୍ବାର୍ଥରେ ବନ୍ଧା। ସ୍ବାର୍ଥ ସରିଗଲେ ସମ୍ପର୍କ ଶେଷ। ମୁହଁ ଫେରାଇନେବେ। ଆସ୍ଥା କୁହୁଡ଼ି ଭଳି ଉଭେଇଯିବ। ବିଶ୍ୱାସର ତାସ୍‌ଘର ଭୁଶୁଡ଼ିଯିବ। କ୍ୱଚିତ୍‌ ସମ୍ପର୍କ ଗୋଟେ ଦୃଢ଼ ବିଶ୍ୱାସରେ ବନ୍ଧା। ତାହା ଭାଗ୍ୟର ବିଷୟ। ବାକି ସବୁ ସ୍ବାର୍ଥର ଇଟାରେ ସମ୍ପର୍କର ମହଲ ଗଢ଼ିଚାଲିଥାଏ। ଆପଣ ଜାଣିବାକୁ ହେବ ଯାହାସବୁ ସମ୍ପର୍କ ସୃଷ୍ଟି ହୋଇଛି ମିଛ ବିଶ୍ୱାସରେ ଗଢ଼ା ହୋଇଛି। ସେଇ ବିଶ୍ୱାସ ପଛରେ ଆପଣଙ୍କ ଉଦାରପଣ, ମହତ୍‌ ଉଦ୍ଦେଶ୍ୟ ସବୁ ଗୌଣ। ମୁଖ୍ୟ ହେଲା ପର ମଣିଷର ସ୍ବାର୍ଥ। ଆପଣ ଅନେଶତଟି ସହାୟତା କରିଥିବେ ଜଣେ ମଣିଷକୁ କିନ୍ତୁ ଶହେ ନମ୍ବର ସ୍ବାର୍ଥରେ ଯଦି ବ୍ୟାଘାତ ସୃଷ୍ଟି ହେଲା, ସେବେଠାରୁ ସମ୍ପର୍କରେ ଭଟ୍ଟା ସୁନିଶ୍ଚିତ। ସେଇ ଲୋକଟି ଅଚିରେ ଅନେଶତ ସହାୟତାକୁ ଭୁଲିଯିବ। କେବଳ ଶହେ ନମ୍ବର ସ୍ବାର୍ଥ ସାଧନରେ ଆପଣଙ୍କ ବିଫଳତାକୁ ଗଣ୍ଠି ପକେଇବ। କେଉଁ ପରିସ୍ଥିତିରେ ଆପଣ ବିଫଳ ହେଲେ ତାହା ବୁଝିବା ଅପେକ୍ଷା ଅନ୍ୟ ଅର୍ଥରେ ସେଇ ପରିସ୍ଥିତିକୁ ସେ ପରଖିବ। ସେଇଠୁ ମିଛ ବିଶ୍ୱାସକୁ ହତ୍ୟା କରିବ। ଅତଏବ ଅନ୍ୟର ସ୍ବାର୍ଥ କଥା ବୁଝିଲେ ଆପଣ ବିଶ୍ୱାସୀ ଓ ଭଲ ମଣିଷ ହୋଇପାରିବେ। ଅପରପକ୍ଷେ ଏସବୁର ଊର୍ଦ୍ଧ୍ୱରେ ଯଦି ଆପଣଙ୍କ ନିକଟରେ ଥିବା ମଣିଷ ସବୁ ବର୍ଷ ବର୍ଷ ଧରି ପରୀକ୍ଷା ପରେ ଦୃଢ଼ ବିଶ୍ୱାସୀ ଭଳି ପ୍ରମାଣିତ କରିଆସୁଛି। ଜାଣନ୍ତୁ ଆପଣ ବେଶ୍‌ ଭାଗ୍ୟବାନ୍‌। ସେଇ ମଣିଷଙ୍କୁ କେବେ ହରେଇବାକୁ ଚେଷ୍ଟା କରନ୍ତୁନି।
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri