ଦାଦନ ଦୁର୍ଦ୍ଦଶାର ଅନ୍ତ କେବେ

ଘାସିରାମ ପଣ୍ଡା

ଦେଶବ୍ୟାପୀ ତାଲାବନ୍ଦ ଫଳରେ ରୋଜଗାରର ଅନ୍ବେଷଣରେ ଦେଶାନ୍ତର ହୋଇଥିବା ଶ୍ରମିକମାନେ ଭିଟାମାଟିକୁ ଫେରିଲେ। ଫେରୁଥିବାର କରୁଣ କାହାଣୀ ସେତେବେଳେ ସମସ୍ତଙ୍କୁ ବ୍ୟଥିତ କରିଥିଲା। ସରକାର ତପତ୍ର ହୋଇଥିଲେ। ପଞ୍ଚାୟତ ସ୍ତରରେ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କର ଆସିବା ଓ ଏଠାରେ ରହଣିର ବ୍ୟବସ୍ଥା କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଓ ନଗଦ ଏକ ହଜାର ଟଙ୍କା, ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗେଇବା ଭଳି ଅନେକ ପଦକ୍ଷେପ ନେଇଥିଲେ। ଫେରିଥିବା ଲୋକଙ୍କ କୌଶଳକୁ ଚିହ୍ନଟ କରାଯାଇ ସେହି ଅନୁସାରେ କର୍ମସଂସ୍ଥାନ, ଆତ୍ମନିଯୁକ୍ତି ପାଇଁ ଋଣର ଘୋଷଣା ଅର୍ଦ୍ଧ କୁଶଳୀ ଓ କୁଶଳୀ କାରିଗରଙ୍କ ମଧ୍ୟରେ ବି ଆଶା ସଞ୍ଚାର କରିଥିଲା। ଅସହାୟ ହୋଇ ଫେରିଥିବା ଲୋକେ ଭାବୁଥିଲେ ଏଥର ବୋଧେ ସରକାର ସେମାନଙ୍କର ଦୁଃଖକୁ ବୁଝିଛନ୍ତି। ନିଜ ଗାଁ ମାଟିରେ ରୋଜଗାରର ଅବକାଶ ହେଲେ ସେମାନଙ୍କୁ ଆଉ ଦୂର ବାଟକୁ ଯାଇ ହୀନସ୍ତା ହେବାକୁ ପଡିବ ନାହିଁ।
ହେଲେ ଆସିବାର ଚାରିମାସ ଭିତରେ ସେମିତି କିଛି ହେଲା ନାହିଁ। କଳକାରଖାନାରେ କାମ କରୁଥିବା ଯୁବକଙ୍କ ମାଟିକାମରେ ଆଗ୍ରହ ରହିଲା ନାହିଁ। ବସି ଖାଇଲେ ନଈ ବାଲି ସରେ ଭଳି ଧୀରେ ଧୀରେ ଜମା ପାଣ୍ଠି ସରିବାକୁ ବସିଲା। ଅନେକେ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ ମହାଜନଠୁ କରଜ ମଧ୍ୟ ଆଣିଲେ। ଏବେ ଏ କରଜ ଶୁଝିବେ କେମିତି, ନିତ୍ୟ ନୈମିତ୍ୟ ସର୍ବନିମ୍ନ ଖର୍ଚ୍ଚର ଭରଣା ହେବ କେଉଁଠୁ? ଗାଁମାଟିର ମୋହ ପାଇଁ ଆଉ ଭୋକ ଉପାସରେ କେତେଦିନ ରହି ହେବ? ଅଭାବୀ ମଣିଷର ଅସହାୟତାକୁ ଚାଲାଖ ବେପାରି ସବୁଦିନେ ସୁଯୋଗ ଭାବେ ନେଇ ଆସିଛି। ସମ୍ବଳ ଓ ଶ୍ରମର ଶୋଷଣରେ ତ ଧନିକଙ୍କ ଅମାର ଭରିଛି। ତାଲାବନ୍ଦର ଦୁଃସ୍ଥିତିରେ ଆହା ପଦଟେ କହି ନ ଥିବା ସାହୁକାର ଏବେ ଦଲାଲ ମାଧ୍ୟମରେ ପୁଣିଥରେ ଶ୍ରମିକ ଯୋଗଡ ଆରମ୍ଭ କରିଛି। ଆଉ ଅସହାୟ ମଣିଷ ପେଟ ବିକଳରେ ସ୍ବାଭିମାନକୁ ପଛରେ ପକେଇ ସାହୁକାର ପଠେଇଥିବା ବସରେ କର୍ମକୁ ଆଦରି ଦୀର୍ଘ ନିଃଶ୍ୱାସ ଛାଡି ସିଟ୍‌ ଆବୋରୁଛି।
ଜୀବନଜୀବିକାର ଅନ୍ବେଷଣରେ ସ୍ଥାନାନ୍ତର ହେବା ନୂଆ କଥା ନୁହେଁ। ବରଂ ଏହା ପ୍ରତ୍ୟେକ ମଣିଷର ସାମ୍ବିଧାନିକ ଅଧିକାର। ହେଲେ ଏହାକୁ ସୁଗମ କରାଯାଇ ପାରିଲେ ବିପଦସଙ୍କୁଳତାକୁ ଦୂରେଇ ହେବ। କୁହାଯାଏ ବିପର୍ଯ୍ୟୟରୁ ମଣିଷ ଶିଖେ। କରୋନା ମହାମାରୀ ଶ୍ରମ ବଜାରର ଅନେକ ଅକୁହା କଥାକୁ ପଦାରେ ପକେଇଛି। ଦେଶ ଗଠନରେ ଲୁହ ଲହୁ ଢାଳୁଥିବା ଶ୍ରମିକଙ୍କ ପ୍ରତି ସମ୍ବେଦନଶୀଳତା ଓ ସହାୟତା ପାଇଁ ପ୍ରସ୍ତୁତି କେତେ ଥିଲା ତାହା ସମସ୍ତେ ଦେଖିଲେ! ଆନ୍ତଃ ରାଜ୍ୟ ଦେଶାନ୍ତରୀ ଶ୍ରମିକଙ୍କ ପାଇଁ ଆଇନରେ ଚିହ୍ନଟ ଓ ପଞ୍ଜୀକରଣର ବ୍ୟବସ୍ଥା ରହିଛି। ଏହା କେବେ ବି ସୁଚାରୁରୂପେ ହୋଇ ପାରୁ ନ ଥିବାରୁ ସେ ସମୟରେ କେତେ ଲୋକ ଫେରିବେ, କାହା ପାଖରେ ତା’ର ହିସାବ ନ ଥିଲା। ଅନେକ ସମାଲୋଚନାର ସରବ୍ୟ ହୋଇଥିବା ପ୍ରଶାସନ ଏହି ଅବହେଳାରୁ କିଛି ଶିଖିବେ ବୋଲି ଆଶା କରାଯାଉଥିଲା। ହେଲେ ଏବେ ତ ପୁଣି ବାହାର ରାଜ୍ୟର ବସ୍‌ ଆସି ଦିନ ଦୁଇପହରେ ଗାଁ ଗାଁରୁ ଶ୍ରମିକ ଉଠେଇ ନଉଛି ଓ ପ୍ରଶାସନ ହାତବାନ୍ଧି ବସୁଛି।
୨୦୧୪ ମସିହାରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ୧୧ଟି ଜିଲାର ଜିଲାପାଳଙ୍କୁ ଦେଶାନ୍ତର ହେଉଥିବା ଶ୍ରମିକଙ୍କ ଚିହ୍ନଟ ଓ ପଞ୍ଜୀକରଣ ପାଇଁ ପତ୍ର ଲେଖିଛନ୍ତି। ବଲାଙ୍ଗୀର, ବରଗଡ, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା, ଗଜପତି, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଖୋର୍ଦ୍ଧା ଭଳି ଦାଦନ ପ୍ରବଣ ଜିଲାରୁ ଆନ୍ତଃରାଜ୍ୟ ଦେଶାନ୍ତର ହେଉଥିବା ଶ୍ରମିକଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ରାଜ୍ୟ ସରକାର ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତିି। ଏହି ଖସଡା ଅନୁଯାୟୀ ପଞ୍ଚାୟତ ସ୍ତରରେ ବାହାରକୁ ଯାଉଥିବା ପ୍ରତ୍ୟେକ ଲୋକଙ୍କ ଚିହ୍ନଟ ଓ ପଞ୍ଜୀକରଣ କରିବାର ଦାୟିତ୍ୱ ପଞ୍ଚାୟତ ସ୍ତରୀୟ କର୍ମଚାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଥିପାଇଁ ମାସିକ ୨୫୦୦ ଟଙ୍କାର ଅତିରିକ୍ତ ପାଉଣା ବ୍ୟବସ୍ଥା ମଧ୍ୟ ରହିଛି। ପଞ୍ଜୀକୃତ ଲୋକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ ଏଥିରେ କରାଯାଇଛି। କେବଳ ସେତିକି ନୁହେଁ ପ୍ରତ୍ୟେକ ତିନି ବର୍ଷରେ ଥରେ ଶ୍ରମ ବିଭାଗ ତରଫରୁ ଦେଶାନ୍ତରୀ ଶ୍ରମିକଙ୍କ ସଂଖ୍ୟାକୁ ଠଉରେଇବା ପାଇଁ ଏହି ସବୁ ଜିଲାରେ ସର୍ଭେ କରାଯିବା କଥା କୁହାଯାଇଛି। ପଞ୍ଜୀକୃତ କରୁଥିବା ଅଧିକାରୀ ଲୋକଙ୍କୁ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେବେ ଓ ସଂଯୋଗ କରିବେ। ନିଜ ଅଞ୍ଚଳରେ ଅଣସ୍ବୀକୃତି ପ୍ରାପ୍ତ ଦଲାଲ୍‌ଙ୍କ ଦ୍ୱାରା ଶ୍ରମିକ ଚାଲାଣ ହେଉଥିଲେ ବା ଶ୍ରମିକଙ୍କ କିଛି ଅସୁବିଧା ଥିଲେ ସିଧାସଳଖ ଜିଲାପାଳଙ୍କୁ ଅବଗତ କରେଇବେ। ପ୍ରତି ପଞ୍ଚାୟତରେ ସଂଗୃହୀତ ପଞ୍ଜୀକୃତ ଶ୍ରମିକଙ୍କ ତଥ୍ୟ ବ୍ଲକ ସ୍ତରରେ କମ୍ପ୍ୟୁଟରୀକୃତ ହେବ। ଏଥିପାଇଁ ମଧ୍ୟ ପ୍ରତି ମାସରେ ପ୍ରତ୍ୟେକ ବ୍ଲକ ତିନି ହଜାର ପର୍ଯ୍ୟନ୍ତ ଅତିରିକ୍ତ ବ୍ୟୟ କରିପାରିବେ। ଏହି ତଥ୍ୟକୁ ଜିଲାସ୍ତରରେ ଗଠିତ ଶ୍ରମିକ ତଦାରଖ ସେଲ, ଶ୍ରମ ଓ ଅନ୍ୟାନ୍ୟ ବିଭାଗକୁ ପଠାଯାଇ ଯୋଗ୍ୟତା ଭିତ୍ତିରେ ଶ୍ରମିକଙ୍କୁ ସାମାଜିକ ଓ ଅର୍ଥନୈତିକ ସହଯୋଗ ପ୍ରଦାନ କରାଯିବ। ଅଗ୍ରୀମର ପ୍ରଲୋଭନ ଦେଖାଇ ଶ୍ରମିକ ଚାଲାଣ କରୁଥିବା ଅଣସ୍ବୀକୃତ ଦଲାଲଙ୍କୁ ଧରିବା ପାଇଁ ଭ୍ରାମ୍ୟମାଣ ସ୍କ୍ବାଡ ଗଠନ କରାଯିବ। ସେପ୍ଟେମ୍ବରରୁ ମାର୍ଚ୍ଚରେ ଅଧିକ ମାତ୍ରାରେ ଦାଦନ ଯାଆନ୍ତି। ଏହି ସମୟରେ ବିଶେଷ ସତର୍କ ରହିବାକୁ ସମସ୍ତ ବ୍ୟବସ୍ଥା କରିବା ପାଇଁ ଏହି ୧୧ଟି ଜିଲାକୁ ଶ୍ରମ ବିଭାଗ ତରଫରୁ ଅତିରିକ୍ତ ଆର୍ଥିକ ସହାୟତା ଦିଆଯିବାର ପ୍ରାବଧାନ ରହିଛି। ଏହା ବ୍ୟତୀତ ମାସକୁ ତିନିହଜାର ଟଙ୍କାରେ ପ୍ରତ୍ୟେକ ପଞ୍ଚାୟତରେ ଜଣେ ବା ଦୁଇ ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ ନିଯୁକ୍ତ ହେବେ। ସେମାନେ ପଞ୍ଚାୟତ ସ୍ତରରେ ଶ୍ରମିକ ଚାଲାଣର ଗତିବିଧି ଉପରେ ନଜର ରଖିବେ ଓ ସୂଚନା ପ୍ରଦାନ କରିବେ।
ଆଇନ, କାର୍ଯ୍ୟ ଖସଡା, ବିଭାଗୀୟ ନିର୍ଦ୍ଦେଶନାମା ଓ ବ୍ୟୟ ବରାଦ ଥାଇ ମଧ୍ୟ ଜିଲାମାନଙ୍କରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ଆଶ୍ଚର୍ଯ୍ୟର କଥା ସୁବର୍ଣ୍ଣପୁର ଜିଲାରେ ୨୦୧୭ ଓ ୨୦୧୯ରେ ଦୁଇଥର ଜିଲାପାଳମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏହାର କାର୍ଯ୍ୟାନ୍ବୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ଜଣେ କେହି ଖାତିରି କରି ନାହାନ୍ତି! ବୋଧହୁଏ ମଳିମୁଣ୍ଡିଆ ଶ୍ରମିକଙ୍କ ସମସ୍ୟା ଏମାନଙ୍କ ପାଇଁ କୌଣସି ଗୁରୁତ୍ୱ ବହନ କରେ ନାହିଁ। ପ୍ରଶାସନିକ ଅବହେଳା ପାଇଁ ଶ୍ରମିକମାନେ ଅଧିକାରରୁ ବଞ୍ଚିତ ହେଲେ ଏହା ସେମାନଙ୍କ ପ୍ରତି ବିଶ୍ୱାସଘାତକତା ହେବ।
ସୁବର୍ଣ୍ଣପୁର, ମୋ-୯୪୩୮୩୪୧୭୯୪
ghasirampanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri