ତାଲାବନ୍ଦ ସମସ୍ତଙ୍କ ପାଇଁ ସମାନ ନୁହେଁ

ଡ. ସନ୍ତୋଷ କୁମାର ମହାପାତ୍ର

ଦିନକୁ ଦିନ କରୋନା ସମ୍ପର୍କିତ ଖବର ଶୁଣିଲା ବେଳକୁ ମନରେ ଆଶଙ୍କା ସୃଷ୍ଟି ହେଉଛି। ବିଶ୍ୱରେ ବିଭିନ୍ନ ଦେଶରେ ତାଲାବନ୍ଦ ବା ଲକ୍‌ଡାଉନ, ବିଭିନ୍ନ ପ୍ରକାର ଅଙ୍କୁଶ ସତ୍ତ୍ୱେ କରୋନାକୁ ନିୟନ୍ତ୍ରଣ କରାଯାଇପାରିନାହିଁ।
କରୋନା ସଂକ୍ରମଣ ଦ୍ୱାରା ବ୍ୟବସାୟ କାରବାର, ଯୋଗାଯୋଗ ବନ୍ଦ ହୋଇ ଅର୍ଥନୀତି ଯେତିକି ବିପର୍ଯ୍ୟସ୍ତ ହୋଇନି, ବେଶି ବଜାର ଅର୍ଥନୀତି ବା ପୁଞ୍ଜି ବଜାରରୁ ନିବେଶକ ତାଙ୍କ ପୁଞ୍ଜି ପ୍ରତ୍ୟାହାର କରିବା ଯୋଗୁ ବେଶି କ୍ଷତି ହୋଇଛି। ଏଣୁ ସଙ୍କଟର କାରଣ ବଜାର ଅର୍ଥନୀତି ଏବଂ ନିୟନ୍ତ୍ରଣବିହୀନ ପୁଞ୍ଜିବଜାର।
ସମଗ୍ର ବିଶ୍ୱ ତଥା ଭାରତର ଅର୍ଥନୀତି, ଜନଜୀବନ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ ଆଉ କେତେ ଅଧିକ ପ୍ରଭାବିତ ହେବ, କରୋନା ସଂକ୍ରମଣ କେତେଦିନ ରହିବ ତାହା ଉପରେ ନିର୍ଭର କରେ।
ତାଲାବନ୍ଦ ଉଠିଲା ପରେ ପରିସ୍ଥିତି କ’ଣ ହେବ ତାହା କହିହେବ ନାହିଁ। ଏଣୁ ବିଶ୍ୱ ଆଜି ସବୁଠାରୁ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କେହି କେହି କହୁଛନ୍ତି ଯେ, ବିଶ୍ୱ ଅର୍ଥନୀତିରେ ୨୦୦୮-୦୯ ଠାରୁ ଭୟଙ୍କର ମାନ୍ଦା ଅବସ୍ଥା ଦେଖାଦେବ। ଆଉ କିଏ କିଏ କହୁଛନ୍ତି ୧୯୩୦ ଦଶକର ଗ୍ରେଟ ଡିପ୍ରେସନ ପରିସ୍ଥିତି ଉପୁଜିପାରେ। ଭାରତର ଅଭିବୃଦ୍ଧି ମଧ୍ୟ ବିଯୁକ୍ତାମତ୍କ ହେବାର ଆଶଙ୍କା ଦେଖାଦେଇଛି। କିନ୍ତୁ ଏସବୁରୁ ସାଧାରଣ ଜନତାର କିଛି ଯାଏ ଆସେ ନାହିଁ ା ପ୍ରଶ୍ନ ହେଉଛି ସେମାନଙ୍କର ବଞ୍ଚତ୍ବାର ଉତ୍ସ, ଜୀବିକାର ସୁରକ୍ଷା। ଏଣୁ ଏହି କରୋନା ସଂକ୍ରମଣର ଯେଉଁ କୁପ୍ରଭାବ ପଡିଛି ଯଦି ଜୀବିକା ନଷ୍ଟ ହେବ ବା ନିଯୁକ୍ତି ହରାଇବା କଥା ବିଚାରକୁ ନିଆଯାଏ ତେବେ ଏହା ନିଶ୍ଚୟ ସର୍ବାଧିକ ହେବ ।ଆମ ଆର୍ଥିକ ବ୍ୟବସ୍ଥା ଏପରି ଯେ, ଯେତେବେଳେ ଆର୍ଥିକ ଅଭିବୃଦ୍ଧି ଅଧିକ ହୁଏ ତାହାର ସୁଫଳ ବେଶି ଧନିକ ଶ୍ରେଣୀଙ୍କୁ ଯାଏ, ଯାହା ଫଳରେ ଆଜି ଭୟଙ୍କର ବୈଷମ୍ୟ ଭାରତ ସମେତ ବିଶ୍ୱବ୍ୟାପୀ ଅନୁଭୂତ ହେଉଛି। କିନ୍ତୁ ଯେତେବେଳେ କିଛି ଆର୍ଥିକ ସଙ୍କଟ ଦେଖାଦିଏ, ତାହାର କୁପ୍ରଭାବ ବେଶି ଗରିବ ଅବହେଳିତ ଜନତାଙ୍କ ଉପରେ ପଡିଥାଏ। ଯଦିଓ ଧନିକ ଶ୍ରେଣୀଙ୍କ ସମ୍ପଦ କିଛି ହ୍ରାସ ପାଏ, ତାଙ୍କର କିଛି ଅସୁବିଧା ସୃଷ୍ଟି କରେନି ଏବଂ ପରେ ସେମାନେ ପୁନଃ ତାକୁ ଅର୍ଜନ କରନ୍ତି।
କିନ୍ତୁ ଗରିବ ଶ୍ରେଣୀ ସାଧାରଣ ଜନତାଙ୍କ ଯେଉଁ କ୍ଷତି ହୁଏ ତାହା ଅବର୍ଣ୍ଣନୀୟ। ଅନୁଭବ କରୁଥିବା ବ୍ୟକ୍ତି ହିଁ କହିପାରିବ। ଆମେ କହିପାରିବା ନାହିଁ।
ତାଲାବନ୍ଦର ପ୍ରଭାବ ସବୁ ଶ୍ରେଣୀଙ୍କ ଉପରେ ସମାନ ହୋଇନାହିଁ। ଯେଉଁମାନଙ୍କ ପାଖରେ ଅର୍ଥ, ସମ୍ପଦ ରହିଛି ସେମାନେ ଘରେ ରହିଲେ ମଧ୍ୟ ରାମାୟଣ, ମହାଭାରତ ଦେଖିବା, ପଢାପଢି କରିବା, ଅନ୍ୟାନ୍ୟ ଟିଭି ପ୍ରୋଗ୍ରାମ ଦେଖିବା ବା ପରିବାର ସହିତ ସମୟ କାଟୁଛନ୍ତି।
କିନ୍ତୁ ଯେଉଁମାନେ ଭୋକିଲା, ବାସହୀନ, ଅସଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି ବା ସ୍ଥାନାନ୍ତର, ଦେଶାନ୍ତର ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି, କ୍ଷୁଦ୍ର ବ୍ୟବସାୟୀ, ଦିନ ମଜୁରିଆ, କୃଷି ଶ୍ରମିକ, ଚାଷୀ, ଛୋଟ ଦୋକାନୀ, ଘରୋଇ ସଂସ୍ଥାରେ କାର୍ଯ୍ୟରତ ସେମାନଙ୍କ ଜୀବନ ଆଜି ଦୁର୍ବିଷହ ହୋଇଛି। ଉଲ୍ଲେଖଯୋଗ୍ୟ, ପୃଥିବୀରେ ୮୨ କୋଟି ଲୋକ କ୍ଷୁଧାରେ ପୀଡିତ ହୋଇଥିଲା ବେଳେ ଭାରତରେ ଏମାନଙ୍କ ସଂଖ୍ୟା ୧୯.୪୪ କୋଟି।
ପୃଥିବୀରେ ପ୍ରାୟ ୨୦୦ କୋଟି ଶ୍ରମିକ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରିଲା ବେଳେ ଭାରତରେ ମୋଟ ଶ୍ରମିକଙ୍କର ୯୦% ବା ପାଖାପାଖି ୪୦ କୋଟି ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେହିପରି ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ୧୭ ଲକ୍ଷ ଲୋକ (ସହରରେ ୯ ଲକ୍ଷ ୩୮ ହଜାର) ବାସହୀନ।
ଏହି ତାଲାବନ୍ଦ ସମୟରେ ଏମାନଙ୍କ ଅବସ୍ଥା କ’ଣ ହୋଇଥିବ ତାହା ସହଜରେ କଳନା କରାଯାଇପାରିବ ନାହିଁ। ଏତେ ଲୋକ ବିଶ୍ୱରେ ତଥା ଭାରତରେ କ୍ଷୁଧାରେ ରହିବା କ’ଣ ସରକାରଙ୍କ ବିଫଳତା ନୁହେଁ।
ଆଜି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯେପରି ବିଭିନ୍ନ ରାଷ୍ଟ୍ରର ସରକାର ଆର୍ଥିକ ଅଭିବୃଦ୍ଧି, ପ୍ରଗତି ସବୁକୁ ବଳି ଦେଇଛନ୍ତି, ଯଦି ସେହିପରି କ୍ଷୁଧା, ଦାରିଦ୍ର୍ୟ ବିରୋଧରେ ଲଢେଇ କରିଥାନ୍ତେ, ସ୍ବାସ୍ଥ୍ୟକ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିଥାନ୍ତେ ତେବେ ତାଲାବନ୍ଦର ପ୍ରଭାବ କମ୍‌ ଅନୁଭୂତ ହୋଇଥାନ୍ତା।
ଭାରତ ସରକାର ସର୍ବଦା ନିଜ ଦୋଷ ଘୋଡାଇବା ପାଇଁ ତାଙ୍କଠାରୁ କିଏ ଖରାପ ଭାବେ କାର୍ଯ୍ୟ କରୁଛି ବା ସ୍ଥିତିରେ ଅଛି ସେହି ଦେଶ ସହିତ ତୁଳନା କରିଥାନ୍ତି ା କିନ୍ତୁ ଯିଏ ଆମଠାରୁ ଉନ୍ନତ ତାଙ୍କୁ ଅନୁସରଣ କରନ୍ତି ନାହିଁ। ଯାହାଫଳରେ ଆମ ଦେଶରେ ସ୍ବାସ୍ଥ୍ୟକ୍ଷେତ୍ରରେ ବ୍ୟୟ ଜିଡିପି ଅନୁସାରେ ବିଶ୍ୱରେ ସର୍ବନିମ୍ନ ଏବଂ ସର୍ବାଧିକ ଘରୋଇ କ୍ଷେତ୍ର ଦ୍ୱାରା ନିୟନ୍ତ୍ରିତ। ଏକଦା ଗାନ୍ଧିଜୀ କହିଥିଲେ, ସରକାରଙ୍କ କାର୍ଯ୍ୟକଳାପ, ସିଦ୍ଧାନ୍ତ କିପରି ସମାଜର ନିମ୍ନ ସ୍ତରରେ ଥିବା ଲୋକଙ୍କ ଉପରେ ସୁପ୍ରଭାବ ପକାଇବ ତାହା ମୂଳମନ୍ତ୍ର ହେବା ଉଚିତ। ସରକାରଙ୍କ ତରଫରୁ ଏବଂ ଅନେକ ସେଲିବ୍ରିଟିଙ୍କ ଦ୍ୱାରା ପ୍ରଚାର କରାଯାଉଛି ଯେ, ଘରେ ରୁହ, ନିରାପଦ ରୁହ।
କିନ୍ତୁ ଏହା କ’ଣ ସମସ୍ତଙ୍କ ପାଇଁ ସମ୍ଭବ। ଏପଟେ ତାଲାବନ୍ଦ ନ କଲେ ଏହା ଅଧିକ ବ୍ୟାପକ ହେବ।
ସେପଟେ କିନ୍ତୁ ଅନେକଙ୍କ ଜୀବିକା ଚାଲିଯାଉଛି ଏବଂ ଜୀବନ ମଧ୍ୟ ଯାଉଛି। ଏଣୁ ସରକାର ଅନେକ ପ୍ୟାକେଜ ଘୋଷଣା କରିବା ଉଚିତ। ନିକଟରେ ସରକାର ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଜିଡିପିର ମାତ୍ର ୦.୮ %।
କିନ୍ତୁ ବିଶ୍ୱରେ ହାରାହାରି ୫%। କିଛି ଦେଶରେ ଏହା ଦୁଇ ଅଙ୍କ ବିଶିଷ୍ଟ।  ଏପରି କି ପାକିସ୍ତାନରେ ୨.୩%, ମାଲେସିଆରେ ୧୭%, ସିଙ୍ଗାପୁରରେ ୧୧%। ପୁନଶ୍ଚ ଭାରତ ସରକାରଙ୍କ ଏହି ପ୍ୟାକେଜରେ ମଧ୍ୟ ରହିଛି ପୂର୍ବରୁ ଚାଲି ଆସୁଥିବା ଯୋଜନାରେ ଆଉ ଅଧିକ ବ୍ୟୟବରାଦ କରିବା।  ଯଦି ତାହାକୁ ବାଦ ଦିଆଯାଏ ତେବେ ଏହାମାତ୍ର ୦ .୫% ହେବ।
ନିକଟରେ ରିଜର୍ଭ ବ୍ୟାଙ୍କ କିଛି ସିଦ୍ଧାନ୍ତ ନେଇଛି।
ତାକୁ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ବୋଲି କୁହାଯାଉଛି, ଯାହା ସମ୍ପୂର୍ଣ୍ଣ ଭୁଲ୍‌। ରିଜର୍ଭ ବ୍ୟାଙ୍କ କୌଣସି ଅର୍ଥ ସହାୟତା ଦେଇନି କି ଦେଇପାରିବ ନାହିଁ। କେବଳ ଏହା ନୀତିରେ ପରିବର୍ତ୍ତନ ଆଣିଥାଏ।
ଏହା ବଜାରରେ ଅଧିକ ନଗଦ ମୁଦ୍ରା ପ୍ରାପ୍ତ ହେବା ପାଇଁ ବ୍ୟାଙ୍କମାନେ ଅଧିକ ଋଣ ଦେବା ଲାଗି କିଛି ସିଦ୍ଧାନ୍ତ ନେଇଛନ୍ତି। ସେଥିରେ ଥିଲା ମାର୍ଚ୍ଚ ୨୭ରେ ନଗଦ ଜମା ଅନୁପାତ(ସିଆରଆର), ରେପୋରେଟ୍‌, ରିଭର୍ସ ରେପୋରେଟ ହ୍ରାସ କରିବା ଏବଂ ଟାର୍ଗେଟେଡ୍‌ ଲଙ୍ଗ୍‌ ଟର୍ମ ରେପୋ ଅପରେସନ ମାଧ୍ୟମରେ ଅଧିକ ନଗଦ ମୁଦ୍ରା ପ୍ରଦାନ କରିବା। ନିକଟରେ ପୁଣି ରିଭର୍ସ ରେପୋରେଟ ହ୍ରାସ କରିଛି। ବାସ୍ତବରେ ବର୍ତ୍ତମାନ ଅର୍ଥନୈତିକ କାର୍ଯ୍ୟକଳାପ ହ୍ରାସ ଯୋଗୁଁ ଋଣ ନେବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି।
ବ୍ୟାଙ୍କମାନଙ୍କ ହାତରେ ଅଧିକ ନଗଦ ମୁଦ୍ରା ଉପଲବ୍ଧ ହେଲେ ମଧ୍ୟ ସେମାନେ ଋଣ ଅଧିକ ଦେଇପାରିବେନି, ଯଦି ଋଣର ଚାହିଦା ବୃଦ୍ଧି ନ ପାଏ। ଅପରପକ୍ଷରେ ସେମାନେ କମ୍‌ ସୁଧହାରରେ (ରିଭର୍ସ ରେପୋରେଟ ହ୍ରାସ) ରିଜର୍ଭ ବ୍ୟାଙ୍କରେ ରଖିବା ଯୋଗୁ ବ୍ୟାଙ୍କମାନଙ୍କ ଲାଭ ହ୍ରାସ ପାଇବ। ଏଣୁ ସରକାର ଅଧିକ ବିତ୍ତୀୟ ପ୍ୟାକେଜ ଘୋଷଣ କରି ଆର୍ଥିକ କାର୍ଯ୍ୟକଳାପ କିପରି ବୃଦ୍ଧି ପାଇବ, ନିଯୁକ୍ତି ସଂକୋଚନ ରୋକାଯାଇପାରିବ, ଜୀବନ ଜୀବିକାର ଉତ୍ସକୁ ସୁରକ୍ଷା ଦିଆଯାଇପାରିବ, ସେହିପରି ପଦକ୍ଷେପ ନେବା ଆବଶ୍ୟକ ।  ଶସ୍ତା ପ୍ରଚାର, ସ୍ଲେ୍‌ାଗାନ, ଭାଷଣବାଜିରୁ ବିରତ ରୁହନ୍ତୁ। ଗଣମାଧ୍ୟମଗୁଡ଼ିକ ସେଲିବ୍ରିଟିଙ୍କ କାର୍ଯ୍ୟକଳାପକୁ ନ ଦେଖାଇ ଗରିବ ଅବହେଳିତ ଜନତାଙ୍କ ସମସ୍ୟା ଦେଖାନ୍ତୁ।

ଡିଭାଇନ୍‌ନଗର, ଚାଉଳିଆଗଞ୍ଜ, କଟକ
ମୋ-୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri