ଢୋକେ ପିଇ, ଦଣ୍ଡେ ଜିଇ

ସୌମ୍ୟା ପରିଡ଼ା

ସରକାର ଯଦି ମାଗଣା ଚାଉଳ, ଡାଲି, ରାଶନ ଦେଉଛନ୍ତି ତା’ହେଲେ ଆମେ କାଇଁ ନେବୁନାହିଁ! ଆମ ବାଡ଼ିପଟ ଘରେ ପଚାଶ ବସ୍ତା ଚାଉଳ ଥାଉ ପଛେ। ମାସେ ପାଇଁ ସିନା ମୁଁ ମୋ ଘରେ ସଉଦାପତ୍ର ସାଇତି ରଖିଛି। ହେଲେ ଏମିତି ଯଦି ଆଉ ଦି’ମାସ ଲାଗିରହିଲା! ତେଣୁ ବଜାରରୁ ମୁଁ ଏକା ସାଙ୍ଗେ ଆଉ ଚାରି ମାସର ରାଶନ କିଆଁ କିଣି ଘରେ ନ ସାଇତିବି! ଅତି ଦରକାର ନ ହେଲେ ସରକାର କହିଛନ୍ତି ଘରୁ ବାହାରକୁ ବାହାରିବନି। ହେଲେ ଘରୁ ଯଦି ସବୁଦିନ ସକାଳୁ ଘେରାଏ ବାହାରକୁ ନ ଯିବି ତା’ହେଲେ ତଟକା ପରିବା ପାଇବି କେମିତି! କିହୋ ଏ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯେଉଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏତେ ନାଟ ସେଗୁଡ଼ାକ କ’ଣ ପାଇଁ। ସବୁଜାଗାରେ ପୋଲିସ ବାଲା, ବିଏମ୍‌ସି ବାଲା, ସିକ୍ୟୁରିଟି ଗାର୍ଡ, ଜରୁରିକାଳୀନ ସେବା ଯୋଗାଉଥିବା କର୍ମଚାରୀ, ଘଡ଼ିକିଘଡ଼ି ଖବର ଦେଉଥିବା ଏ ସାମ୍ବାଦିକମାନେ କ’ଣ ପାଇଁ। ସରକାର କହୁଛନ୍ତି କ’ଣ! ଥଣ୍ଡା-କାଶ-ଜର ହେଲେ ସଙ୍ଗେ ସଙ୍ଗେ ଜଣାଅ। ନିକଟରେ କୌଣସି ଜାଗାରୁ ଯାତ୍ରାକରି ଫେରିଥିବା ଘର ସଦସ୍ୟଙ୍କ ଖବର ଦିଅ। ଘରେ ରୁହ, ପରିବାର ସହ ରୁହ। ଅତି ଜରୁରୀ ନ ହେଲେ ପଦାକୁ ଗୋଡ଼ କାଢ଼ନି। କାରଣ ଏହା ହିଁ ହେଉଛି କରୋନାଠୁ ମୁକ୍ତିପାଇବାର ଏକମାତ୍ର ରାସ୍ତା।
ସରକାରଙ୍କ ହେଲ୍‌ପଲାଇନ୍‌କୁ ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲଙ୍ଗାନା, ଗୁଜରାଟ, କର୍ନାଟକ ଆଦି ପରି ରାଜ୍ୟରୁ ବେଶି କଲ୍‌ ଆସୁଛି। ଏଇସବୁ ରାଜ୍ୟରେ ଆମ ରାଜ୍ୟର ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ପରି ଜିଲାର ବହୁ ଓଡ଼ିଆ ରହୁଛନ୍ତି। ସମସ୍ତେ ଯେ ଅସୁବିଧାରେ ଓ ଦିନମଜୁରିଆ ଶ୍ରେଣୀର ତାହା ନୁହେଁ, ହେଲେ ଏ କରୋନା ପରିସ୍ଥିତିରେ ସମସ୍ତେ ନିଜ ଭିଟାମାଟିକୁ ଫେରିବା ପାଇଁ ବ୍ୟଗ୍ର ଆଉ ଯାହା ସ୍ବାଭାବିକ ବି। ସେମିତି ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାମ ପାଇଁ ଯାଇଥିବା ଲୋକେ, ତୀର୍ଥଯାତ୍ରୀ, ଛାତ୍ରୀଛାତ୍ର, କ୍ୟାନ୍‌ସର ରୋଗୀ ଓ ସମ୍ପର୍କୀୟ ଫସି ରହିଛନ୍ତି। ଏଇଟି ବନ୍ୟା କି ବାତ୍ୟା ପରିସ୍ଥିତି ନୁହେଁ ବରଂ ଏହା ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ପାଖକୁ ଯିବା ମନା, କାହାକୁ ଛୁଇଁବା ମନା। ଲୋକଙ୍କଠୁ ଦୂରେଇ ରହିବାକୁ ପରାମର୍ଶ। କର୍ମସଂସ୍ଥାନ ବନ୍ଦ, ରାସ୍ତାଘାଟ ବନ୍ଦ, ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ବାକି ଦୋକାନ ବଜାର ବନ୍ଦ। ଏଥିରେ ଆଗକୁ ବହୁ ଲୋକେ ପ୍ରଭାବିତ ହେବେ। ହେଲେ ଏଇକ୍ଷଣି ଦିନମଜୁରିଆ, ରାସ୍ତାକଡ଼ରେ ଆଶ୍ରୟ ନେଉଥିବା ଲୋକେ ଯାହାଙ୍କୁ ଅନ୍ତତଃ ମୁଠାଏ ଖାଇବାକୁ ମିଳିଯାଉଥିଲା ଓ ଆମ ବଳକା ଖାଇବା ଖାଇ ବଞ୍ଚୁଥିବା ପଶୁପକ୍ଷୀ ପ୍ରଭାବିତ ହେଉଛନ୍ତି।
ଏବେ ସମୟ ଆସିଛି ମାନବିକତାର। ଯାହା ପାଖେ ଖାଇବାକୁ ନାହିଁ ତାକୁ ବେଳାଏ ପେଟପୂରା ଖାଇବାକୁ ଦେବାର ବେଳ। ଆଉ ତା’ଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଣ୍ଡ ଉପରେ ଛାତ ଆଉ ଖାଇବାକୁ ଚୁଡ଼ା, ଚାଉଳ ଥିଲାବାଲା ଲୋକେ ନ ଥିଲାବାଲାଙ୍କ ଉପରେ ଭାଗ ନ ବସାଇବାର ବେଳ। କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ଅନେକ ଯୋଜନା ଗରିବଙ୍କ ପାଇଁ କରୁଛନ୍ତି। ହେଲେ ତୃଣମୂଳ ସ୍ତରର ଦୁର୍ନୀତି ଯୋଗୁ ଏସବୁ ଠିକ୍‌ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ। ଗାଁ-ଗାଁରେ ବୟୋଜ୍ୟେଷ୍ଠ ଓ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଗାଁକମିଟି ରହିବା ନିହାତି ଜରୁରୀ, ଯାହାଦ୍ୱାରା ନ ଥିଲାବାଲାର ହକ୍‌ ପାଇଁ ସେମାନେ ସ୍ବର ଉଠେଇପାରିବେ। ଯେଉଁଠି ଥିଲାବାଲାଟିଏ ତା’ର ହକ୍‌ ଉପରେ ନଜର ପକାଇବ, ସେତେବେଳେ ସେମାନେ ତାକୁ ତାଗିଦ୍‌ କରିପାରିବେ। ଆମ ଘର, ଆମ ଗାଁରୁ ଏସବୁ ଆରମ୍ଭ ହେଲେ ହିଁ ଆମ ଜିଲା, ଆମ ରାଜ୍ୟ, ଆମ ଦେଶର ଚିତ୍ର ଧୀରେ ଧୀରେ ବଦଳିପାରିବ। ଆମ ରାଜ୍ୟ କି କେନ୍ଦ୍ର ସରକାରଙ୍କର କ’ଣ ସବୁ ବହୁମୁଖୀ ଯୋଜନା ରହିଛି ସେ କଥା ଜାଣିବା ଅପେକ୍ଷା, କ’ଣ ନାହିଁ ଆମେ ବେଶି ତର୍ଜ୍ଜମା କରୁ। ଗରିବ କି ଅପାଠୁଆ ଲୋକଙ୍କ ପାଖେ ସେସବୁ କେମିତି ପହଞ୍ଚିବ ସେ କଥା ପ୍ରତି ଆମର ନଜର ନ ଥାଏ। କାରଣ ପ୍ରତିଟି କଥାରେ ସରକାର ଅଛନ୍ତି ଯେ! ଆମର ସବୁ ସୁଖସୁବିଧାର ଦାୟିତ୍ୱ ତାଙ୍କର। ଆଉ ଆମ କାମ ହେଲା ତୁ ସାନ-ମୁଁ ବଡ଼, ତୁ ମୂର୍ଖ-ମୁଁ ପଣ୍ଡିତ ଏସବୁ ସୋସିଆଲ୍‌ ମେଡ଼ିଆରେ କେବଳ ଚର୍ଚ୍ଚା କରିବା। ଆଉ ବାକି ଯାହା କାମ ହେଲାନି ସେଥିପାଇଁ ବି ସେଇ ସରକାର ହିଁ ଦାୟୀ। କେବଳ ରାଜ୍ୟ କି ଦେଶ ମୁଖିଆଙ୍କ ମୁଣ୍ଡରେ ଦୋଷ ଲଦିଦେଇ ବସିରହିଲେ ଆମର କିଛି ଉନ୍ନତି ହେବାର ନାହିଁ। ବରଂ ତା’ ପାଇଁ ଆମ ସମସ୍ତଙ୍କୁ ନିଜ କ୍ଷମତା ଅନୁସାରେ ଗୁଣ୍ଡୁଚି ମୂଷାଟିଏ ହେବାକୁ ପଡ଼ିବ।
”ସରକାର ଲୋକଙ୍କୁ ମାଗଣା ଖୁଏଇ ଖୁଏଇ କୁଢ଼ିଆା କରିଦେଲା। ଆଉ କ’ଣ ଗାଁକୁ ଗଲେ କାମେକା ସହଜରେ ମିଳୁଛନ୍ତି କି! ବିଲବାଡ଼ି ସବୁ ପଡ଼ିଆ ପଡ଼ିଲାଣି ପରା। ସବୁ ମେଟ୍ରୋ ସହରରେ କେତେ କ’ଣ ସୁବିଧା ହେଲାଣି। ହେଲେ ଆମେ ଯୋଉଠି ଥିଲୁ ସେଇଠି। ସେଥିପାଇଁ ପରା ପିଲାଏ ରାଜି ହେଉନାହାନ୍ତି ବେଶିଦିନ ଗାଁରେ ରହିବାକୁ।“ ଖାଲି କ’ଣ ଏତିକି, ଏମିତି କେତେ ମୁହଁରେ କେତେ କଥା। ଓଡ଼ିଶା ବାହାରେ ବହୁବର୍ଷ ହେଲା ରହଣି ଭିତରେ ଓଡ଼ିଶା ଗରିବ, ଓଡ଼ିଶା ଗରିବ ଏମିତି କେତେ ଶୁଣିଛି। ସତକଥା ହେଲା ଏମିତି ଶୁଣିଲେ ମନଟା ପିତା ହୋଇଯାଏ। ସମସ୍ତେ ନୁହେଁ ହେଲେ ଅନେକ ଓଡ଼ିଆ ଏମିତି ବି ଅଛନ୍ତି, ଯେଉଁମାନେ ନିଜର ଓଡ଼ିଆ ହେବାର ପରିଚୟଟାକୁ ଲୁଚାଇ ଆନନ୍ଦ ପାଆନ୍ତି। ନା ଘରେ ନା ବାହାରେ ଓଡ଼ିଆ ଭାଷାରେ କଥା ହୁଅନ୍ତି ନା ଓଡ଼ିଆ ଲୋକଙ୍କ ସହ ସେମିତି ମିଳାମିଶା କରିବାକୁ ଭଲପାଆନ୍ତି। ଆଉ କେଉଁଠି ଓଡ଼ିଶା ଗରିବ କଥା ଉଠିଲେ, ତା’ର ଐତିହ୍ୟ, ପରମ୍ପରା, ସଂସ୍କୃତି, ଏବର ଭିନ୍ନ ଚିତ୍ର କି ପରିସ୍ଥିତି କଥା ନ କହି ବରଂ ଓଡ଼ିଶାଠୁ ଆମେ ବହୁବର୍ଷ ହେବ ବାହାରେ ରହିଲୁଣି, ଆଉ କ’ଣ ସେମିତି ସମ୍ପର୍କ ଅଛି କଥା କହି ମୂଳ ପ୍ରସଙ୍ଗରୁ ହଟିଯାଆନ୍ତି।
ଅଧିକାଂଶ ସମୟରେ ଓଡ଼ିଶାର ନାଁ ଜାତୀୟ ଗଣମାଧ୍ୟମରେ ଆସେନାହିଁ। ଆମ ରାଜ୍ୟରେ ଆଦିବାସୀ, ଅନାହାର, ଗରିବ ଏମିତି କିଛି ଖବରରେ ନ ଥିଲେ ନିଅନ୍ତି ନାହିଁ। ତେଣୁ ଏସବୁ ଭିତରେ ଓଡ଼ିଶା କଥା ପଚାରେ ବା କିଏ। କିନ୍ତୁ ଆମ ରାଜ୍ୟ ସତରେ ଅନ୍ୟ ରାଜ୍ୟଗୁଡ଼ିକଠାରୁ ଭିନ୍ନ । କାରଣ ପ୍ରତିବର୍ଷ ଆମ ରାଜ୍ୟରେ କିଛି ନା କିଛି ବଡ଼ ଧରଣର ବନ୍ୟା, ବାତ୍ୟା ହୁଏ । ପ୍ରତିବର୍ଷ ଏହାର ମୁକାବିଲା ପାଇଁ ସରକାର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଆମପରି ସାଧାରଣ ଲୋକଙ୍କୁ ଅଣ୍ଟା ଭିଡ଼ିବାକୁ ପଡ଼େ । ଏ ସବୁର ମୁକାବିଲା ପାଇଁ ସରକାରଙ୍କ ଆଗୁଆ ପ୍ରସ୍ତୁତି ଅନେକ ଲୋକଙ୍କ ଧନଜୀବନ ବଞ୍ଚାଏ । କେନ୍ଦ୍ର ସରକାର ହୁଅନ୍ତୁ କି ବିଭିନ୍ନ ରାଜ୍ୟ ସରକାର ସମସ୍ତେ ଯେମିତି ଗୋଟେ ଅଲଗା ଯୁଦ୍ଧ ଲଢୁଛନ୍ତି ଏବର କରୋନାକୁ ନେଇ । ହେଲେ ସେମିତି ଯଦି ଦେଖିବା ତା’ହେଲେ ଅନ୍ୟମାନଙ୍କ ତୁଳନାରେ ଆମ ରାଜ୍ୟରେ ସମୟ ଥାଉ ଥାଉ ଅନେକ ପଦକ୍ଷେପ ହାତକୁ ନିଆଯାଇଛି । ତେଣୁ ଏବେ ବି କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପକୁ ନେଇ ସାରାଦେଶରେ ଆମ ରାଜ୍ୟର ଚର୍ଚ୍ଚା ହେଉଛି ।
ହେଲେ ଆମ ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ । ସରକାରଙ୍କ କଥା ଶୁଣିବାକୁ ପଡ଼ିବ। ତା’ହେଲେ ଯାଇ ଆମେ ବିଗତ ଦିନଗୁଡ଼ିକର ବାତ୍ୟା ଓ ବନ୍ୟା ପରିସ୍ଥିତି ପରି ଏଇ କରୋନାର ବି ମୁକାବିଲା କରିପାରିବା ।
ମୁମ୍ବାଇ
ମୋ-୯୩୩୮୫୬୬୫୮୭
Email: saumya.consultant@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri