ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌। ଏହି ଆସକ୍ତିର ଭୟାବହତା ଏତିକି ଯେ, ଆମେ ଶାରୀରିକ ଭାବରେ ଘରର ଚାରିକାନ୍ଥ ଭିତରେ ଥାଇ ମଧ୍ୟ ପରିବାର ସହ ସମ୍ପର୍କ କ୍ଷେତ୍ରରେ ଧୀରେ ଧୀରେ ଦୂରେଇଯାଉଛୁ। ପୂର୍ବରୁ ଘରେ ଲାଗି ରହିଥିବା ଆଲୋଚନା, ହସ ଓ ଆନନ୍ଦର ପରିବେଶ ଏବେ ନୀରବତା ଦ୍ୱାରା ଆଚ୍ଛାଦିତ। ଏହା କେବଳ ଆଧୁନିକ ଜୀବନର ଏକ ସାମାନ୍ୟ ଦୁର୍ବଳତା ନୁହେଁ, ଏହା ସମାଜରେ ବୃଦ୍ଧି ପାଉଥିବା ଏକ ଗଭୀର ମାନସିକ ତଥା ସାମାଜିକ ସମସ୍ୟା।
ସ୍କ୍ରିନ୍‌ ଆସକ୍ତିର ପ୍ରଥମ ଶିକାର ଆମ ଘରର ପିଲାମାନେ। କାର୍ଯ୍ୟବ୍ୟସ୍ତତା କିମ୍ବା ପିଲାଙ୍କୁ ଶାନ୍ତ ରଖିବା ନାମରେ ମୋବାଇଲ ଧରାଇଦେବା ଆଜି ସାଧାରଣ ଅଭ୍ୟାସ ହୋଇଛି। ଖାଇବା, ପଢ଼ିବା ଓ ଶୋଇବା ସବୁଠାରେ ସ୍କ୍ରିନ୍‌। କିନ୍ତୁ ଏହା ସ୍ନେହର ବିକଳ୍ପ ନୁହେଁ, ଏକ ଧୀର ମାନସିକ ବିଷ। ସ୍କ୍ରିନ୍‌ ପିଲାଙ୍କର ଧ୍ୟାନଶକ୍ତି କମାଉଛି, କ୍ରୋଧ ବଢ଼ାଉଛି, ପଢ଼ାର ଆଗ୍ରହ ହ୍ରାସ କରୁଛି ଏବଂ ସମୂହ ଖେଳାଧୂଳାକୁ ଅଲୋଡ଼ା କରୁଛି। ଘରେ ଥିଲେ ମଧ୍ୟ ପିଲାମାନେ ଆମ ସହିତ ନୁହେଁ, ସେମାନେ ସ୍କ୍ରିନ୍‌ ଭିତର ଭର୍ଚୁଆଲ ଜଗତରେ ବନ୍ଦୀ।
ଦ୍ୱିତୀୟ ସ୍ଥାନରେ ସବୁଠାରୁ ବେଶି ପ୍ରଭାବିତ ହେଉଛି ପତ୍ନୀ-ପତିଙ୍କ ସମ୍ପର୍କ। ପୂର୍ବରୁ ଯେଉଁ ଦମ୍ପତିମାନେ ଦିନଶେଷରେ ଏକାଠି ବସି କଥା ହେଉଥିଲେ, ଆଜି ସେମାନେ ପାଖାପାଖି ବସିଥିଲେ ମଧ୍ୟ ପ୍ରକୃତ ସାଥୀ ହେଉଛି ମୋବାଇଲ। ସ୍ବାମୀ ନ୍ୟୁଜ୍‌ କିମ୍ବା କ୍ରିକେଟ୍‌ରେ ବ୍ୟସ୍ତ, ପତ୍ନୀ ସିରିଏଲ କିମ୍ବା ଭିଡିଓରେ ମଜ୍ଜିଥା’ନ୍ତି। ଫଳରେ ଦାମ୍ପତ୍ୟ ନିକଟତା ଶାରୀରିକରେ ସୀମିତ ହୋଇ ମାନସିକ ଓ ଆବେଗିକ ସମ୍ପର୍କରେ ସରୁଛି। ଆଜି ମୋବାଇଲ ପତ୍ନୀ-ପତିଙ୍କ ମଧ୍ୟରେ ଏକ ନୀରବ ଦିୱାର ଭାବେ ଠିଆ ହୋଇଛି।
ତୃତୀୟ ଏବଂ ସବୁଠାରୁ ଅବହେଳିତ ହେଉଛନ୍ତି ଆମ ଘରର ବୟସ୍କ ସଦସ୍ୟ ବୃଦ୍ଧ ମାତାପିତା। ପରିବାରରେ ସମସ୍ତେ ଥିଲେ ମଧ୍ୟ ସେମାନଙ୍କ ପାଇଁ ଦଶ ମିନିଟ୍‌ ସମୟ ନାହିଁ। ନିଜ ଦୁଃଖସୁଖ କିମ୍ବା ଅନୁଭୂତି କହିବାକୁ ସେମାନେ ସୁଯୋଗ ଖୋଜୁଥିବା ବେଳେ ଯୁବ ସଦସ୍ୟମାନେ ସ୍କ୍ରିନ୍‌ରେ ମଜ୍ଜି ରହୁଛନ୍ତି। ଫଳରେ ମୋବାଇଲ ଏକ ଆବେଗିକ ଦୂରତା ସୃଷ୍ଟି କରିଛି, ଯେଉଁଠି ବୃଦ୍ଧମାନେ ନିଜ ଘରେ ଥାଇ ମଧ୍ୟ ଅନ୍ୟ ଘରର ଅଲଗା ଲୋକ ଭାବେ ଅନୁଭବ କରୁଛନ୍ତି। ଏହି ଅବହେଳା ପାରିବାରିକ ଏକତାକୁ ଭାଙ୍ଗି ଦେଇ ବୃଦ୍ଧମାନଙ୍କ ମଧ୍ୟରେ ଏକାକୀପଣ ଓ ଅସୁରକ୍ଷା ଭାବନା ବଢ଼ାଇ ଦେଉଛି।
ସ୍କ୍ରିନ୍‌ ଆସକ୍ତି କେବଳ ପାରିବାରିକ ସମ୍ପର୍କକୁ ନୁହେଁ, ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଭୟଙ୍କର ଭାବରେ ପ୍ରଭାବ ପକାଉଛି। ଦୀର୍ଘ ସମୟ ଧରି ସ୍କ୍ରିନ ଦେଖିବା ଦ୍ୱାରା ଆଖିର ଶକ୍ତି କମିଯାଉଛି, ବେକ ଓ ପିଠିରେ ଯନ୍ତ୍ରଣା ବୃଦ୍ଧି ପାଉଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ନିଦ କମିଯାଉଛି। ଏହି ଅଭ୍ୟାସ କାରଣରୁ ଯୁବପିଢ଼ି ଓ ପିଲାମାନଙ୍କ ମଧ୍ୟରେ (ଚିନ୍ତା), ‘ ଅବସାଦ, ମନର ବାରମ୍ବାର ପରିବର୍ତ୍ତନ ଏବଂ ବିରକ୍ତିଭାବ ଭଳି ମାନସିକ ସମସ୍ୟା ବଢ଼ିବାରେ ଲାଗିଛି। ପିଲାମାନେ ସେମାନଙ୍କ ସମସ୍ୟାକୁ ବୁଝିପାରୁନାହାନ୍ତି, ବୟସ୍କମାନେ ଏହି ଅଭ୍ୟାସକୁ ଛାଡ଼ିପାରୁନାହାନ୍ତି ଏବଂ ବୃଦ୍ଧମାନେ ଅବହେଳାର ଯନ୍ତ୍ରଣାକୁ ନୀରବରେ ସହିଯାଉଛନ୍ତି। ଏହିଭଳି ସ୍ବାସ୍ଥ୍ୟଗତ ସମସ୍ୟା ଶେଷରେ ଏକ ଦୁର୍ବଳ ଓ ରୋଗଗ୍ରସ୍ତ ସମାଜର ମୂଳଦୁଆ ପକାଉଛି।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିଣାମ ହେଉଛି ଘରର ପାରମ୍ପରିକ ରୀତିନୀତି, ଆଧ୍ୟାତ୍ମିକତା, ଏକାଠି ଖାଇବାର ଆନନ୍ଦ, ସାମାଜିକ ସମାବେଶ ଆଦି ଧୀରେ ଧୀରେ ଅଲୋଡ଼ା ହେବାରେ ଲାଗିଛି। ଘରେ ଅନେକ ଲାଇଟ୍‌ ବା ଦୀପ ଜଳୁଛି, କିନ୍ତୁ ‘ଘର’ର ପ୍ରକୃତ ଆଲୋକ ପରସ୍ପର କଥାବାର୍ତ୍ତା ସେଇଟା ଧୀରେ ଧୀରେ ନିର୍ବାପିତ ହେବାକୁ ବସିଛି। ଆମେ ଜୀବନର ଛୋଟ ଛୋଟ ମୁହୂର୍ତ୍ତଗୁଡ଼ିକୁ ମୋବାଇଲ କ୍ୟାମେରାରେ କଏଦ କରିବାରେ ବ୍ୟସ୍ତ, କିନ୍ତୁ ସେହି ମୁହୂର୍ତ୍ତଗୁଡ଼ିକୁ ପ୍ରକୃତରେ ଅନୁଭବ କରିବାକୁ ଭୁଲିଯାଉଛୁ। ମୋବାଇଲ ଆମକୁ ଅନ୍‌ଲାଇନ ରଖୁଛି, କିନ୍ତୁ ‘ଇନଲାଇନ’ (ସମ୍ପର୍କରେ) ରଖିପାରୁ ନାହିଁ।
ଏହି ସମସ୍ତ ବିଷୟକୁ ବିଚାରକୁ ନେଲେ, ଏଠାରେ ଏକ ମୂଳ ପ୍ରଶ୍ନ ଜନ୍ମ ନେଉଛି ଆମେ ପ୍ରକୃତରେ କାହା ପାଇଁ ଏଭଳି ବଞ୍ଚୁଛୁ? ଆମ ଘର ପାଇଁ, ନା ମୋବାଇଲ ସ୍କ୍ରିନ ପାଇଁ? ସମାଜରେ ଅନେକ ପ୍ରକାରର ଦୃଶ୍ୟମାନ ସମସ୍ୟା ରହିଛି, କିନ୍ତୁ ମୋବାଇଲ ସ୍କ୍ରିନ ଆସକ୍ତି ଏମିତି ଏକ ସମସ୍ୟା ଯାହା ନା ଦେଖାଯାଏ, ନା ଶୁଣାଯାଏ, କିନ୍ତୁ ଅତି ଚତୁରତାର ସହିତ ଏହା ଆମ ପାରିବାରିକ ସମ୍ପର୍କର ମୂଳଦୁଆକୁ ଖାଇଦେବାରେ ଲାଗିଛି। ଏହାର ଫଳାଫଳ ଭବିଷ୍ୟତରେ ଆମ ସାମାଜିକ ବ୍ୟବସ୍ଥାକୁ ବିପଦରେ ପକାଇପାରେ।
ମୁଖ୍ୟ ସମାଧାନ କ’ଣ? ଏଥିପାଇଁ କୌଣସି ବାହ୍ୟ ଅଭିନୟର ଆବଶ୍ୟକତା ନାହିଁ, ବରଂ ନିଜର ଦୈନନ୍ଦିନ ଅଭ୍ୟାସରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ପରିବାରରେ କିଛି ନିର୍ଦ୍ଦିଷ୍ଟ ପାରିବାରିକ ନୀତି ତିଆରି କରାଯିବା ଉଚିତ୍‌, ଖାଇବା ବେଳେ ସମସ୍ତଙ୍କର ମୋବାଇଲ ବନ୍ଦ ରଖିବା ଏବଂ ଏହି ସମୟକୁ ଆଲୋଚନା ଓ ହସଖୁସି ପାଇଁ ଉତ୍ସର୍ଗ କରିବା। ପିଲାମାନଙ୍କ ପାଇଁ ସ୍କ୍ରିନ୍‌ ସମୟ ସୀମିତ କରିବା ଏବଂ ସେମାନଙ୍କୁ ବାହାରର ଖେଳାଧୂଳା ଓ ପଢ଼ାପଢ଼ି ପାଇଁ ଉତ୍ସାହିତ କରିବା। ପତ୍ନୀ-ପତି ମଧ୍ୟରେ ଶୋଇବା ପୂର୍ବରୁ ଅତିକମ୍‌ରେ ୨୦ ମିନିଟ କେବଳ ପରସ୍ପର ବିଷୟରେ କଥାବାର୍ତ୍ତା ପାଇଁ ସମୟ ଦେବା। ବୃଦ୍ଧ ମାତାପିତାଙ୍କ ସହ ଦୈନିକ ଅତିକମ୍‌ରେ ୧୫ରୁ ୩୦ ମିନିଟ ସମୟ ବିତାଇବା।
ସ୍ମାର୍ଟଫୋନ୍‌ ଆମ ଜୀବନକୁ ସୁବିଧା ଓ ସହଜ କରିବା ପାଇଁ ଆସିଛି, ନୁହେଁ ଆମ ପରିବାର ଓ ସମ୍ପର୍କକୁ ଛିନ୍ନ କରିବା ପାଇଁ। ଆମକୁ ଏହି ଯନ୍ତ୍ରର ମାଲିକ ହେବାକୁ ପଡ଼ିବ, ଏହାର ଦାସ ନୁହେଁ। ଆଜିଠାରୁ ଗୋଟିଏ ସ୍କ୍ରିନ ଅଫ୍‌ କରିବା ଏବଂ ବଦଳରେ ପରିବାରରେ ଆନନ୍ଦର ଆଲୋକ ଆଣିବା।

ସୌମ୍ୟ ରଞ୍ଜନ ଦାଶ
ଅଧ୍ୟାପକ, ବିରଜା ଆଇନ
ମହାବିଦ୍ୟାଳୟ, ଯାଜପୁର
ମୋ: ୮୮୯୫୯୫୨୩୧୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?