ନୂଆଦିଲ୍ଲୀ,୨୬।୧୧: ମଛଲିଶହରରୁ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜ ଏବଂ ଲୋକପ୍ରିୟ କ୍ରିକେଟର୍ ରିଙ୍କୁ ସିଂହ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେମାନଙ୍କ ବିବାହ ତାରିଖ ମଧ୍ୟ ଚୂଡାନ୍ତ ହୋଇଛି। ଚଳିତ ବର୍ଷ ଡିସେମ୍ବର ୪ ତାରିଖରେ ଲକ୍ଷ୍ନୌରେ ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କ ବିବାହ ଅନୁଷ୍ଠିତ ହେବ। ଲକ୍ଷ୍ନୌର ହୋଟେଲ ରାମାଡାରେ ଏହି ବିବାହ ଉତ୍ସବ ଭବ୍ୟ ଆୟୋଜନରେ ହେବ। ଡିସେମ୍ବର ୩ ତାରିଖରୁ ମେହେନ୍ଦୀ ଓ ପୂଜା ଆଦି ରୀତିନୀତି ଆରମ୍ଭ ହେବ।
ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କ ବିବାହ ଉତ୍ସବରେ ସାମିଲ ହେବା ପାଇଁ ପ୍ରାୟ ୨ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ସମେତ ଶତାଧିକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ପ୍ରିୟା ଓ ରିଙ୍କୁଙ୍କୁ ଆଶୀର୍ବାଦ ଦେବେ।

