ଡାକ୍ତରଙ୍କ ସୁରକ୍ଷା

କରୋନା ଭୂତାଣୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ଅନବରତ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ କେତୋଟି ବର୍ଗର ସେବାକାରୀଙ୍କୁ କରୋନା ଯୋଦ୍ଧା ବୋଲି ଆଖ୍ୟା ଦିଆଯାଇଛି ସେଥିମଧ୍ୟରେ ଡାକ୍ତରମାନେ ଆଗରେ ଅଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁଯାୟୀ ଦେଶବାସୀ ସେମାନଙ୍କୁ ସମ୍ମାନ ଜଣାଇ ତାଳି ଓ ଥାଳି ବାଡ଼େଇଥିଲେ। ସଂକ୍ରମିତଙ୍କ ସେବା କରି ଅନେକ ଡାକ୍ତର ମଧ୍ୟ କୋଭିଡ୍‌-୧୯ର ଶିକାର ହୋଇଛନ୍ତି ଓ ସ୍ଥଳବିଶେଷରେ କେତେକଙ୍କ ମୃତ୍ୟୁ ଘଟିସାରିଲାଣି। ୧୯ ଏପ୍ରିଲରେ ଚେନ୍ନାଇର ଆନ୍ନା ନଗର ଅଞ୍ଚଳରେ କରୋନା ଭୂତାଣୁରେ ଆକ୍ରାନ୍ତ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। ପରିବାରବର୍ଗ ଓ ତାଙ୍କ ଡାକ୍ତର ବନ୍ଧୁମାନେ ମରଶରୀରକୁ ସମ୍ପୃକ୍ତ ଅଞ୍ଚଳରେ ଥିବା ଶ୍ମାଶନକୁ ନେବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଏପରି କି ମରଶରୀର ବୋହି ଆଣିଥିବା ଆମ୍ବୁଲାନ୍ସ ଉପରେ ଟେକାପଥର ମାଡ଼ କରାଯିବା ସହ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରାଯାଇଥିଲା। ପୋଲିସ ସୁରକ୍ଷା ଯୋଗାଇବା ପରେ କେତେ ଜଣ ଡାକ୍ତରଙ୍କ ସହଯୋଗରେ ତାଙ୍କୁ ସମାଧି ଦିଆଯାଇଥିଲା। ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହା ଏକ ଦୁସ୍ଥ ମାନସିକତାର ପରିଚୟ ଦେଉଛି। କାରଣ କାର୍ଯ୍ୟ କ୍ଷେତ୍ରରେ ସେବା ଯୋଗାଉଥିବା ବେଳେ ଡାକ୍ତରଙ୍କ ମୃତ୍ୟୁକୁ ଅନ୍ୟଥା ଭାବିବା ଠିକ୍‌ ନୁହେଁ।
ବର୍ତ୍ତମାନ ସ୍ଥିତିରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମୀଙ୍କ ସେବା ପାଇଁ କେବଳ ତାଳି ମାରି ପ୍ରଶଂସା କରାଯିବା ଯଥେଷ୍ଟ ନୁହେଁ। ସେମାନଙ୍କୁ ସମାଜର ସବୁ ସ୍ତରରୁ ସମର୍ଥନ ମିଳିବା ଦରକାର। କରୋନା ଭୂତାଣୁ ସହ ଯୁଦ୍ଧ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ନିଶ୍ଚିତ ବିପଦ ରହୁଛି। ଏହାକୁ ଦୃଷ୍ଟିରେ ରଖି କିଛିଦିନ ତଳେ କେନ୍ଦ୍ର ସରକାର ସେମାନଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା କରିଥିଲେ। ହେଲେ ୨୧ ଏପ୍ରିଲରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥେଷ୍ଟ ଆଗକୁ ଯାଇ ଘୋଷଣା କରିଛନ୍ତି ଯେ କୋଭିଡ୍‌-୧୯ ଲଢ଼େଇ ବେଳେ ଯଦି କୌଣସି ଡାକ୍ତର, ନର୍ସ କିମ୍ବା ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିବ, ସେମାନଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ। କେବଳ ସେତିକି ନୁହେଁ, ସେମାନଙ୍କୁ ଶହୀଦ ଘୋଷଣା କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ। ଏଥିସହ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ, ଡାକ୍ତରଙ୍କ ସମେତ ସ୍ବାସ୍ଥ୍ୟ କର୍ମୀଙ୍କୁ ସେମାନଙ୍କ ନିଃସ୍ବାର୍ଥପର ସେବା ଲାଗି ସମସ୍ତେ କୃତଜ୍ଞତା ଜ୍ଞାପନ କରିବା ଦରକାର। ଯେଉଁମାନେ ଏହି ବର୍ଗଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ନିଶ୍ଚିତ ଭାବେ ଏହା ଓଡ଼ିଶା ସରକାରଙ୍କ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସମ୍ଭବତଃ ସମଗ୍ର ଦେଶରେ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ଭଳି ଏତେବଡ଼ ଆଶ୍ୱାସନା କେଉଁଠାରେ ଦିଆଯାଇ ନାହିଁ।
ତେବେ ଏଠାରେ ଅନ୍ୟ ଏକ ଦିଗ ଗୁରୁତ୍ୱ ବହନ କରୁଛି। ଅଧିକାଂଶ ଡାକ୍ତର ରୋଗୀଙ୍କ ପ୍ରତି ଠିକ୍‌ ବ୍ୟବହାର କରୁ ନ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ସେମାନଙ୍କ ପାଇଁ ଅର୍ଥ ମୂଲଚାଲ ବଡ଼ ହୋଇଯାଇଥାଏ। ପଡ଼ୋଶୀ ହୋଇ ରହୁଥିବା ଡାକ୍ତର ମଧ୍ୟ କାହାର ବିପଦ ବେଳେ ଛିଡ଼ା ହେବା କ୍ୱଚିତ ଦେଖାଯାଏ। ଯେଉଁ ଡାକ୍ତର ରୋଗୀଙ୍କୁ ବୃତ୍ତିଗତ ଭାବେ ଭଲ ପାଇ ସେବା ଯୋଗାନ୍ତି ସେମାନଙ୍କୁ ଲୋକେ ଭଗବାନ ଭଳି ମାନନ୍ତି। କିନ୍ତୁ କର୍ପୋରେଟ ଡାକ୍ତର ବ୍ୟବସ୍ଥାରେ ରୋଗୀଙ୍କୁ ଡାକ୍ତରମାନେ ଆନ୍ତରିକତା ଦେଖାଉ ନ ଥିବାରୁ ଉଭୟ ମଧ୍ୟରେ ଏକ ବ୍ୟବଧାନ ସୃଷ୍ଟି ହୋଇଯାଉଛି। ଫଳରେ ଅର୍ଥଖୋର ଡାକ୍ତରଙ୍କୁ ଲୋକେ ଶ୍ରଦ୍ଧା କରିପାରୁ ନାହାନ୍ତି।
ଏଠାରେ ପୋଲିସ ଚରିତ୍ରକୁ ମଧ୍ୟ ସମାନ ଭାବେ ଦେଖାଯାଇପାରେ। ଏକ ଶିକ୍ଷିତ ସମାଜର ମୂଳଦୁଆ ଉତ୍ତମ ଆଇନ ଶୃଙ୍ଖଳା ଉପରେ ପର୍ଯ୍ୟବସିତ ହୋଇଥାଏ। ମାତ୍ର ଏବେ ଭାରତବର୍ଷରେ ପୋଲିସର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଜନବିରୋଧୀ ଏବଂ ସାମ୍ରାଜ୍ୟବାଦୀ ଆଦବକାଇଦା ପୋଷଣ କରୁଥିବା ଦେଖିବାକୁ ମିଳୁଛି। ଏକ ଗଣତାନ୍ତ୍ରିକ ଦେଶରେ ସରକାର ହୋଇଯାଏ ଅଧିକ ଗୁରୁତ୍ୱପୂର୍ଣ୍ଣ, ଯାହାଫଳରେ ପୋଲିସକୁ ଏକ ଅନ୍ୟାୟ ସପକ୍ଷବାଦୀ ବଳ ଭାବେ ବିବେଚନା କରାଯାଏ। ଯେତେବେଳେ ଜଣେ ପୀଡ଼ିତ ଥାନାକୁ ଯାଏ ତାହାକୁ ପୋଲିସ ପ୍ରଥମେ ସନ୍ଦେହ ଦୃଷ୍ଟିରେ ଦେଖେ। ‘ତୁ ନିଜେ କିଛି କରିଥିବୁ, ଯେଉଁଥିପାଇଁ ଏଭଳି ଦଶା ଭୋଗୁଛୁ’ କହିବା ହୋଇଯାଇଛି ଭାରତୀୟ ପୋଲିସର ପ୍ରାରମ୍ଭିକ ନୀତି। ସେଥିପାଇଁ ପୋଲିସକୁ ସାଧାରଣ ଲୋକ ମନଖୋଲି ସହଯୋଗ କରିବାକୁ ଆଗେଇ ଆସିପାରୁ ନାହିଁ। ସେମିତି ନୂତନ କର୍ପୋରେଟ ବ୍ୟବସ୍ଥାରେ ଥିବା ଡାକ୍ତରଙ୍କୁ ରୋଗୀ ସହଜରେ ବିଶ୍ୱାସ କରିପାରୁ ନାହିଁ। ସବୁ ଡାକ୍ତର ଯେ ପଇସାଖୋର, ତାହା କୁହାଯାଇପାରିବ ନାହିଁ। କିନ୍ତୁ ଅଧିକାଂଶ ଯେଉଁ ଚିତ୍ର ଆଙ୍କିବେ ତାହା ସମସ୍ତଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହେଲା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri