ଜୀବନର ନକ୍ସା

ମନ-ମାନଚିତ୍ର/ଡ. ନରହରି ବେହେରା
ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ଆବଶ୍ୟକତାଠାରୁ ଶୀତଳ ଓ ଉଷ୍ମତାର ମାତ୍ରା କମ୍‌ ବା ବେଶି ହେଲେ ଆମ ଶରୀରକୁ ସୁଖ ବା ଦୁଃଖ ଦେଇଥାଏ, ସେମିତି ଏ ସଂସାରରେ ପ୍ରିୟର ବିଚ୍ଛେଦ ଏବଂ ଅପ୍ରିୟର ମିଳନ ଆମକୁ କଷ୍ଟଦିଏ। ଭଗବାନ ବୁଦ୍ଧ କହିଛନ୍ତି- କାମନାର ବିନାଶରେ ଦୁଃଖର ବିନାଶ। କିନ୍ତୁ ଆମେ ସମସ୍ତେ କାମନାର ବିନାଶ କରିପାରିବା ନାହିଁ କି ସଂସାର ଛାଡ଼ି ସନ୍ନ୍ୟାସୀ ହୋଇପାରିବା ନାହିଁ। ଏହି ସଂସାରରେ ରହି ନିରନ୍ତର ସାଧନାଦ୍ୱାରା କାମନାକୁ ଅବଦମିତ କରି ଜୀବନକୁ ସୁଖମୟ ଏବଂ ଶାନ୍ତିମୟ କରିପାରିବା। ଏଥିପାଇଁ ଆମ ଜୀବନର ନକ୍‌ସାଟିଏ ପ୍ରସ୍ତୁତ କରିବାକୁ ହେବ।
ଆମେ ସାଧାରଣ ଦୃଷ୍ଟିରେ ଏ ବିଶାଳ ଭୂପୃଷ୍ଠକୁ ଦେଖି ନ ପାରି ନିର୍ଦ୍ଦିଷ୍ଟ ରେଖାଦ୍ୱାରା ଖଣ୍ଡିତ କରି ଭୂଖଣ୍ଡର ଯେଉଁ ନୂତନ ପରିଚୟ ସୃଷ୍ଟି କରିଥାଉ ତାହା ହିଁ ନକ୍‌ସା। ତାହା ଆମର କ୍ଷୁଦ୍ର ଘର ହୋଇପାରେ, ଦେଶ କିମ୍ବା ମହାଦେଶ ହୋଇପାରେ। ଜୀବନ କ୍ଷେତ୍ରରେ ଏହି କଥା ମଧ୍ୟ ପ୍ରଯୁଜ୍ୟ। ଆମ ଜୀବନର ଗତି ସର୍ବଦା ଅଦୃଶ୍ୟ। ମାତ୍ର ପ୍ରତ୍ୟେକ ଦିନ ଆମେ ଜୀବନକୁ ଯେତିକି ଦେଖୁଛୁ, ଅନୁଭବ କରୁଛୁ ତାକୁ ନେଇ ଜୀବନର ନକ୍‌ସା ପ୍ରସ୍ତୁତ କରିପାରିବା। ଜଣେ ବୁଢ଼ୀ ସନ୍ଧ୍ୟାବେଳେ ରାସ୍ତା କଡ଼ରେ ଲଣ୍ଠନଟିଏ ଜାଳି ବସିଥାଏ। ଜଣେ ବାଟୋଇ ଏମିତି ବସିବାର କାରଣ ପଚାରିବାରୁ ବୃଢ଼ୀଟି କହିଲା- ମୋତେ ଅନ୍ଧାରରେ ବଣଟାକୁ ପାରି ହେବାକୁ ପଡ଼ିବ। ଏ ଲଣ୍ଠନ ଆଲୁଅରେ ତ ମାତ୍ର ଦଶ ହାତ ବାଟ ଦିଶୁଛି। ତେଣୁ ଏ ଲଣ୍ଠନ ଆଲୁଅରେ ମୁଁ କିମିତି ଏଡ଼େ ବଡ଼ ବଣଟାକୁ ପାରିହେବି ବୋଲି ଭାବୁଛି। ବାଟୋଇ ହସିଦେଇ କହିଲେ- ଯେତିକି ବାଟ ଦିଶୁଛି ଆଗ ସେତିକି ବାଟ ଚାଲ। ବୁଢ଼ୀଟି ବାଟୋଇ କଥାରେ ଚାଲି ବଣଟାକୁ ପାରି ହୋଇଗଲା। ସେହି ବଣ ପରି ଆମର ଜୀବନ ସର୍ବଦା ଅଦୃଶ୍ୟ ଏବଂ ଅନ୍ଧକାରମୟ। ତେଣୁ ଆମେ ଜୀବନକୁ ପ୍ରତ୍ୟେକ ଦିନ ଅନୁଶୀଳନ କରି ଧୀରେ ଧୀରେ ଆଗକୁ ବଢ଼ିପାରିଲେ ହିଁ ସୁନ୍ଦର ଜୀବନଟିଏ ଗଢ଼ିପାରିବା। ଜୀବନ ନକ୍‌ସାର ଏହା ଏକ ମୂଳତତ୍ତ୍ୱ।
ମାନ, ଅଭିମାନ, ଭୟ, କ୍ରୋଧ, ଲୋଭ, ମଦ, ମାତ୍ସର୍ଯ୍ୟ, ଦମ୍ଭ, ଧୃତି, ଆଶା, ନିରାଶା ପ୍ରଭୃତି ବହୁ ଉପାଦାନକୁ ନେଇ ଆମ ଜୀବନ। ଏଇମାନଙ୍କୁ ନେଇ ଆମ ଜୀବନର ନକ୍‌ସା ପ୍ରସ୍ତୁତ କରିବାକୁ ହୋଇଥାଏ। ସଫଳ ନକ୍‌ସା ହିଁ ସୁଖ ଏବଂ ଶାନ୍ତିପୂର୍ଣ୍ଣ ଜୀବନର ମୂଳ ଭିତ୍ତି। ନକ୍‌ସା ପାଇଁ ପ୍ରତିଟି ମୁହୂର୍ତ୍ତକୁ ଅନୁଶୀଳନ କରିବା ଦରକାର। ରାଜା ଜନକ ଏହାର ଶ୍ରେଷ୍ଠ ଦୃଷ୍ଟାନ୍ତ, ଯିଏ ସକଳ ଐଶ୍ୱର୍ଯ୍ୟ ସତ୍ତ୍ୱେ ନିସ୍ପୃହ ରହିପାରୁଥିଲେ। ଆମକୁ ସବୁବେଳେ ଦୁଇଟି କଥା ସ୍ମରଣ କରିବାକୁ ପଡ଼ିବ। ଯାହା ଆମ କର୍ତ୍ତୃତ୍ୱରେ ନାହିଁ ତାହା କଷ୍ଟ ହେଉ କି ଇଷ୍ଟ ଆମକୁ ସହିବାକୁ ହେବ, ଯାହା ଆମ କ୍ଷମତା ପରିସରଭୁକ୍ତ ତାକୁ ନିରନ୍ତର ଅନୁଶୀଳନ କରି ପ୍ରୟୋଗ କରିବାକୁ ହେବ। ଏହା ଆମର ଅନେକ ସମସ୍ୟାକୁ ସମାଧାନ କରିଦେବ। ଆମ ଜୀବନକୁ ଲୋଭ କଣ୍ଠରୋଧ କରୁଛି। ଏଣୁ ଆବଶ୍ୟକ ଅନାବଶ୍ୟକର ବିଚାର ନ କରି କେବଳ ଭୌତିକ ବସ୍ତୁ ଗୋଟେଇ ଚାଲିଛୁ। କେବଳ ଧନସମ୍ପତ୍ତି, ପଦପଦବୀର ବୋଝକୁ ମୁଣ୍ଡାଇବାକୁ ବ୍ୟାକୁଳ ହେଉଛୁ।
ଥରେ ଜଣେ ସନ୍ନ୍ୟାସୀ ଦେଖିଲେ ବୁଢ଼ା ମଣିଷଟିଏ ବଡ଼ ଗଣ୍ଠଲିଟିକୁ ମୁଣ୍ଡାଇ ଅତିକଷ୍ଟରେ ଯାଉଛି। କିଛି ବାଟ ଯିବାପରେ ସେ ଚାଲି ପାରିଲେ ନାହିଁ। ସନ୍ନ୍ୟାସୀ ତା’ଙ୍କ ମୁଣ୍ଡରୁ ଗଣ୍ଠିଲିକୁ ଓହ୍ଲାଇଦେଇ ବସିବାକୁ କହିଲେ। ସନ୍ନ୍ୟାସୀ ଜାଣିବାକୁ ପାଇଲେ- ବୁଢ଼ାଟି ଜଣକ ଘରେ କାମ କରୁଥିଲା। ବୟସ ହେବାରୁ ଏବେ ଘରକୁ ଫେରୁଛି। ଆସିବାବେଳେ ତା’ ପାଖରେ ଥିବା ଆସବାବପତ୍ର ନେଇ ଫେରୁଛି। ସନ୍ନ୍ୟାସୀ ତାଙ୍କୁ ପରାମର୍ଶ ଦେଇ କହିଲେ- ତୁମେ ଲୋଭବଶତଃ ଏଣୁତେଣୁ ଗୁଡ଼ାଏ ଜିନିଷ ନେଇ ଆସିଛ। ଯେଉଁଗୁଡ଼ିକ ତୁମେ ନିହାତି ଅନାବଶ୍ୟକ ମନେକରୁଛ ସେଗୁଡ଼ିକ ଫିଙ୍ଗିଦିଅ, ଗଣ୍ଠିଲି ହାଲୁକା ହୋଇଯିବ। ତୁମେ ସହଜରେ ଘରେ ପହଞ୍ଚତ୍ ପାରିବ। ଆମ ଜୀବନର ଯାତ୍ରା ଏହି ବୁଢ଼ାର ଗଣ୍ଠିଲି ବୋଝ ବୋହିବା ପରି। ସୁଖପାଇବା ଆଶାରେ ଆମେ ଅନେକ ବିଷୟବସ୍ତୁରେ ଛନ୍ଦିହୋଇ ଯାଉ, ଯେଉଁଥିପାଇଁ ଜଞ୍ଜାଳ ବୃଦ୍ଧିପାଏ। ବସ୍ତୁରେ ଭାବ ବଢ଼ିଲେ ଲୋଭ ଏବଂ ବ୍ୟସ୍ତତା ବଢ଼ିଯାଏ। କାଳକ୍ରମେ ଆମେ ସମାଜଠାରୁ ଏକୁଟିଆ ହୋଇଯାଉ। ସୁଖ ପାଇଁ ସବୁବେଳେ ସର୍ବନିମ୍ନ ଆବଶ୍ୟକତାରେ ସନ୍ତୁଷ୍ଟ ରହିବା ଉଚିତ। ଅନ୍ୟର ସୁଖ, ସମ୍ପତ୍ତି ସହିତ ନିଜକୁ ତୁଳନା କଲେ ଆମର ଅଭାବ କେବେ ବି ସରିବ ନାହିଁ। ଲୋଭ ଏବଂ ଦୁଃଖ ବଢ଼ି ଚାଲିବ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏ ସମାଜ ଆମକୁ ଅନେକ କିଛି ଦେଇଛି। ତେଣୁ ଆମେ ସମାଜର ହିତପାଇଁ କାର୍ଯ୍ୟ କରିବାକୁ ହେବ। ଉପନିଷଦ ଆମକୁ ଶିଖାଇଛି- ‘ତେନ ତ୍ୟକ୍ତେନ ଭୁଞ୍ଜିଥାଃ।’ ବାସ୍ତବରେ ତ୍ୟାଗ ମନୋବୃତ୍ତିରେ ଭୋଗ ହିଁ ସବୁ ସୁଖର କାରଣ। ଦୀର୍ଘସୂତ୍ରତା ଆମ ଦୁଃଖର ଅନ୍ୟ ଏକ କାରଣ। ବଶିଷ୍ଠ ଦଶରଥଙ୍କୁ ପରାମର୍ଶ ଦେଲେ- ରାମଚନ୍ଦ୍ର ହିଁ ସ୍ବୟଂ ଭଗବାନ। କୌଣସି ଶୁଭାଶୁଭ ବିଚାର ନ କରି ଆଜି ହିଁ ତାଙ୍କୁ ରାଜା କରି ଦିଅନ୍ତୁ। ଦଶରଥ ଆସନ୍ତାକାଲି ଏହା କରିବାକୁ ଘୋଷଣା କଲେ। ଦଶରଥଙ୍କର ଏହି ଦୀର୍ଘସୂତ୍ରୀ ମନୋଭାବ ଯୋଗୁ ଗୋଟିଏ ରାତି ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା। ସୁଖ ଏବଂ ପ୍ରଗତି ପାଇଁ ଏହି ଦୀର୍ଘସୂତ୍ରତା ସର୍ବଦା ପରିହାର୍ଯ୍ୟ। ଏହିପରି ଅନେକ ଉପାଦାନକୁ ନେଇ ସୁଖମୟ ଜୀବନର ଗୋଟିଏ ନକ୍‌ସା ପ୍ରସ୍ତୁତ କରିବା ସହଜ ନ ହେଲେ ବି ସାଧାରଣ ଭାବରେ କେତୋଟି ଦିଗକୁ ଗୁରୁତ୍ୱ ଦେବା ଦରକାର। ଏ ସମାଜ ପ୍ରତି ମୁଁ ପ୍ରତିବଦ୍ଧ ମଣିଷ। ଏହା ପ୍ରତି ମୋର ଦାୟିତ୍ୱ ଅଛି। ମୁଁ କେବଳ ମୋପାଇଁ ନୁହେଁ ଏ ସମାଜ ପାଇଁ ବଞ୍ଚତ୍ଛି। ତେଣୁ ମୋତେ ଯାହା ମିଳିଛି ସେତିକିରେ ସନ୍ତୁଷ୍ଟ ରହିବି। ଯାହା ଅଛି ସେସବୁକୁ ମୁଁ ଏକା ଭୋଗ କରିବି ନାହିଁ, ଅନ୍ୟମାନଙ୍କୁ ସାମିଲ କରିବି। ଲୋଭ, ମାୟା, କ୍ରୋଧଠାରୁ ସର୍ବଦା ମୁକ୍ତ ହେବାକୁ ଚେଷ୍ଟା କରିବି। ଦୀର୍ଘସୂତ୍ରତାକୁ ପରିହାର କରି ନିରନ୍ତର ଆମତ୍ାନୁଶୀଳନ ପୂର୍ବକ ଜୀବନକୁ ସୁଖମୟ କରିବି- ଏହା ହିଁ ଆମ ଜୀବନର କ୍ଷୁଦ୍ର ନକ୍‌ସା।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ୍‌, ଭଦ୍ରକ, ମୋ- ୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri