ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ସମୁଦ୍ର କୂଳ ପରିଦର୍ଶନ କରିଛନ୍ତି। ଦିନକୁ ଦିନ ସମୁଦ୍ର ଅତି ତୀବ୍ର ବେଗରେ ଜନବସତି ଆଡ଼କୁ ଅତିକ୍ରମ କରୁଥିବା ବେଳେ କୂଳବର୍ତ୍ତୀ ଗ୍ରାମବାସୀଙ୍କ ନିଦ ହଜି ଯାଇଛି। କୌଣସି ମୁହୂର୍ତ୍ତରେ ଜନବସତି ସମୁଦ୍ର ଆଁରେ ଲୀନ ହୋଇଯିବ, ସେହି ଭୟରେ ବର୍ତ୍ତମାନ ଆର୍ଯ୍ୟପଲ୍ଲୀ ଅଞ୍ଚଳର ଗ୍ରାମବାସୀ ଦିନ କାଟୁଛନ୍ତି। ଏନେଇ ତୁରନ୍ତ ପଥର ବନ୍ଧ ନିର୍ମାଣ କରିବା ପାଇଁ ଗୋପାଳପୁର ବନ୍ଦରକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଜଳସେଚନ ବିଭାଗ ପକ୍ଷରୁ ଏକ ଡିପିଆର ପ୍ରସ୍ତୁତ କରାଯାଇ ପଠାଯାଇଛି। ଏହାକୁ ଅନୁମୋଦନ ମିଳିଲେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଦିନେ ଗାଁଠାରୁ ସମୁଦ୍ର ୩ କିମି ଦୂରରେ ରହିଥିବା ବେଳେ ଏବେ ଆଉ ମାତ୍ର ୨୦ ମିଟର ଦୂରରେ ରହିଛି। ଏପରିକି ରାସ୍ତା, ଶ୍ମଶାନ, ମତ୍ସ୍ୟଜୀବୀମାନଙ୍କ ବିଶ୍ରାମସ୍ଥାନ ସମୁଦ୍ରରେ ଲୀନ ହୋଇଗଲାଣି।
ସମୁଦ୍ର କୂଳ ସ୍ଥିତି ଅନୁଧ୍ୟାନ କରିବା ସମୟରେ ଜିଲାପାଳଙ୍କ ସମେତ ଗଞ୍ଜାମ ଜିଲା ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

