ଚାତୁର୍ମାସ୍ୟା ବ୍ରତ

ବ୍ରହ୍ମାନନ୍ଦ ପଣ୍ଡା
ଆଷାଢ଼ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥ ଶୟନ କରୁଥିବାରୁ ଏ ସମୟରେ ତାଙ୍କ ଉଦ୍ଦେଶ୍ୟରେ ହେଉଥିବା ବ୍ରତକୁ ଚାତୁର୍ମାସ୍ୟା ବ୍ରତ କୁହାଯାଏ। ଦାନବୀର ବଳି ବିଶ୍ୱଜିତ୍‌ ଯଜ୍ଞରେ ବାମନରୂପୀ ତ୍ରିବିକ୍ରମ ନାରାୟଣଙ୍କୁ ତ୍ରିପାଦ ଭୂମି ଦାନ ଦେବାକୁ ସତ୍ୟକରି ସତ୍ୟ ରକ୍ଷା ପାଇଁ ଶେଷରେ ମଥାନତ କରି ଆତ୍ମସମର୍ପଣ କରିଥିଲେ। ଏଥିରେ ପ୍ରୀତ ହୋଇ ବାମନରୂପୀ ନାରାୟଣ ବଳିକୁ ବର ଯାଚନ୍ତେ ହରିଭକ୍ତ ବଳି ଭଗବାନଙ୍କୁ ସଦା ନିଜ ରାଜ୍ୟ ପାତାଳପୁରରେ ରହିବାକୁ ପ୍ରାର୍ଥନା କଲେ। ଶ୍ରୀହରି ତଥାସ୍ତୁ କହି ପାତାଳପୁରରେ ରହିଲେ। ସ୍ବର୍ଗରେ ଭାଳେଣି ପଡ଼ିଲା। ପରେ ମହାଲକ୍ଷ୍ମୀ ରକ୍ଷାସୂତ୍ର (ରାଖୀ) ଦ୍ୱାରା ବଳି ସହ ଭ୍ରାତୃ ସମ୍ପର୍କ ସୃଷ୍ଟି କରି ବର୍ଷରେ ମାତ୍ର ଚାରି ମାସ ପାତାଳପୁରରେ ରହିବାକୁ ବଳିଙ୍କ ସମ୍ମତିରେ ନାରାୟଣଙ୍କୁ ବଚନ ମୁକ୍ତ କରିଥିଲେ। ପାତାଳପୁରରେ ଚାରି ମାସର ରହଣିକୁ ପୃଥିବୀର ଲୋକମାନେ ଶ୍ରୀହରି ଶୟନ ଆଖ୍ୟା ଦେଇ ତାଙ୍କ ପ୍ରୀତି ପାଇଁ ଚାତୁର୍ମାସ୍ୟା ବ୍ରତ ପାଳନ କରନ୍ତି।
ଭକ୍ତି ଓ ନିଷ୍ଠାର ସହ କର୍ତ୍ତବ୍ୟ ପାଳନକୁ ବ୍ରତ କୁହାଯାଏ। ଶୁଦ୍ଧପୂତ ମନ, ଶରୀର କର୍ମଯୁକ୍ତ ହୋଇ ଆମିଷ, କ୍ଷୌର, ମଧୁ, ମୈଥୁନ ବର୍ଜନ କରି ସୂର୍ଯ୍ୟାସ୍ତ ପୂର୍ବରୁ ଏକବାର ହବିଷ ଗ୍ରହଣ କରାଯାଏ। ଐଶ୍ୱର୍ଯ୍ୟ, ବୀର୍ଯ୍ୟ, ଯଶ, ଶ୍ରୀ, ଜ୍ଞାନ ଓ ବୈରାଗ୍ୟ -ଏହି ଷଡ଼ ଐଶ୍ୱର୍ଯ୍ୟର ଅଧିକାରୀ ଭଗବାନ ସବୁର ବୀଜ ବା କାରଣ। ସେ ହିଁ ସବୁର ସୃଷ୍ଟି, ସ୍ଥିତି ଓ ପ୍ରଳୟକାରକ। ସୂତାରେ ଫୁଲ ଗୁନ୍ଥା ହୋଇ ହାର ହେବା ପରି ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ତାଙ୍କଠାରେ ଗ୍ରଥିତ। ସର୍ବ ଧର୍ମ, ସର୍ବ ଶ୍ରୁତି ଓ ସ୍ମୃତି ଶାସ୍ତ୍ରର ସାର ଗ୍ରନ୍ଥ, ସବୁ ଉପନିଷଦର ସାର ଭଗବତ୍‌ ଗୀତା ଭଗବାନଙ୍କର ମହିମା ବର୍ଣ୍ଣନା କରେ। ସେହି ପରମପୁରୁଷଙ୍କୁ ବାଦ ଦେଇ ଜୀବର ସ୍ଥିତି, ଗତି, ସୁଖଦୁଃଖ ଭୋଗ, ପୁରୁଷାର୍ଥିକ ଓ ପାରମାର୍ଥିକ ଜୀବନର ଲକ୍ଷ୍ୟ ପୂରଣ ଅସମ୍ଭବ। ଏହା ହିଁ ଚାତୁର୍ମାସ୍ୟା ବ୍ରତର ମାହାତ୍ମ୍ୟ। ଚାତୁର୍ମାସ୍ୟା ବ୍ରତ ସମୟରେ ସବୁ ପ୍ରକାର ମାଙ୍ଗଳିକ ଅଭ୍ୟୁଦାୟିକ କର୍ମ ସ୍ଥଗିତ ରଖାଯାଇଥାଏ।
ବିଜ୍ଞାନ ମତରେ ଜୁନ୍‌ ୨୧ ପରେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଆରମ୍ଭ ହୁଏ। ଆମେ ରହୁଥିବା ଉତ୍ତର ଗୋଲାର୍ଦ୍ଧରେ ଦିବା କ୍ରମଶଃ କ୍ଷୁଦ୍ର, ରାତ୍ର କ୍ରମଶଃ ବଡ଼ ହୁଏ। ସେପ୍ଟେମ୍ବର ୨୩ରେ ଦିବାରାତ୍ର ସମାନ ହୁଏ। ତା’ ପରେ ଦିବସ କ୍ରମଶଃ ଅତି କ୍ଷୁଦ୍ର ଏବଂ ରାତ୍ରି କ୍ରମଶଃ ଅତି ବଡ଼ ଆଡକୁ (ଡିସେମ୍ବର ୨୨) ଗତି କରେ। ଜୁନ୍‌ ୨୧ ପରଠାରୁ ବର୍ଷାଋତୁ ଆରମ୍ଭ ହୋଇ ମୌସୁମୀ ବାୟୁ ପ୍ରଭାବରେ ଭାରତରେ ପ୍ରଚୁର ବୃଷ୍ଟି ହୋଇଥାଏ। ପ୍ରଚଣ୍ଡ ରୌଦ୍ରତାପ ସହ ପ୍ରବଳ ଜଳ ବର୍ଷଣ ପ୍ରଭାବରେ ଋତୁ ପରିବର୍ତ୍ତନ ଜନିତ ବ୍ୟାଧି, ଶ୍ଳେଷ୍ମାଦୋଷ, ପେଟଦୋଷ, ପାଚନକ୍ରିୟା ସହ ଅନ୍ୟାନ୍ୟ ଶାରୀରିକ କ୍ରିୟାରେ ମାନ୍ଦାଭାବ ଦେଖାଯାଏ। ମାନ୍ଦା ସ୍ବାସ୍ଥ୍ୟ ବାତାବରଣରେ ଅସ୍ବସ୍ତି, ରୋଗବାହକ କୃମି, କୀଟ, ସରୀସୃପ ଆଦି ଜୀବମାନଙ୍କର ବଂଶବୃଦ୍ଧି, ବାୟୁ, ଜଳ ଓ ତାପଜନିତ ବ୍ୟାଧି ସୃଷ୍ଟି ହୁଏ। ଏପରିକି ସ୍ବୟଂ ଜଗନ୍ନାଥ ମଧ୍ୟ ବ୍ୟାଧିଗ୍ରସ୍ତ ହୋଇପଡ଼ନ୍ତି। ଅଣସର ଗୃହରେ ରହି ଔଷଧ ସେବନ କରି ଆରୋଗ୍ୟ ହୁଅନ୍ତି। ତା’ ପରେ ଏକାଦଶୀ (ହରିଶୟନ) ଦିନଠାରୁ ଚାରି ମାସ ଦୀର୍ଘ ବିଶ୍ରାମରୂପକ ଶୟନ କରନ୍ତି। ଏସବୁ ସମସ୍ୟାରୁ ମୁକ୍ତି ପାଇଁ ଶୃଙ୍ଖଳିତ ପ୍ରାଣବାୟୁ, ମନ ଶମନ ଓ ଇନ୍ଦ୍ରିୟ ଦମନ ସହ ସଂଯତ ଜୀବନ, ଆହାର ବିହାର ଓ ପାନୀୟ ଆବଶ୍ୟକ ହୋଇପଡ଼େ। ଚାତୁର୍ମାସ୍ୟା ବ୍ରତରେ ସାତ୍ତ୍ୱିକ ଦିନଚର୍ଯ୍ୟାର ପ୍ରେରଣା ମିଳେ। ଏହାଛଡ଼ା ଭଗବାନଙ୍କଠାରୁ ଦୂରେଇଯାଇ କର୍ମଫଳ ହେତୁ ଜନ୍ମମୃତ୍ୟୁ ଚକ୍ରରେ ଅଳୀକ ସୁଖ ଓ ଦୁଃଖ ଭୋଗୁଥିବା ଜୀବକୁ ତତ୍ତ୍ୱଜ୍ଞାନ ଦେଇ ଶାଶ୍ୱତ ସୁଖ, ଶାନ୍ତି, ଜୀବନ ଓ ମୋକ୍ଷ ପଥରେ ପ୍ରେରିତ କରିବା ଏ ବ୍ରତର ମୁଖ୍ୟ ଲକ୍ଷ୍ୟ।
ଜଗତର ନାଥ ପତିତଙ୍କ ପାବନ ଓ କଲ୍ୟାଣ ପାଇଁ ସ୍ନାନ ଓ ଗୁଣ୍ଡିଚା ଯାତ୍ରା କରିବା ପରେ ଓ ଶଙ୍ଖାସୁର ବଧକରି ବେଦ ଉଦ୍ଧାରଣ ପରେ ଚାରି ମାସ ବିଶ୍ରାମ ନେଉଥିବାରୁ ଚାତୁର୍ମାସ୍ୟା ବ୍ରତରେ ପ୍ରାୟ ବସ୍ତୁ ତ୍ୟାଗ ଓ ସ୍ନାନ ଏବଂ ଯାତ୍ରାର ମହତ୍ତ୍ୱ ଅଧିକ। ସାଧାରଣ ଭାବରେ ତୀର୍ଥସ୍ଥଳକୁ ଯାତ୍ରାକରି ସେଠାରେ ସ୍ନାନ କରିବା ଓ ବିଶେଷ ଭାବରେ ଅଯୋଧ୍ୟା, ମଥୁରା, ହରିଦ୍ୱାର, କାଶୀ, କାଞ୍ଚି, ଅବନ୍ତୀ, ଦ୍ୱାରକା ଓ ପୁରୀ ଆଦି ପୁଣ୍ୟ କ୍ଷେତ୍ରରେ ସ୍ନାନ ଓ ଯାତ୍ରା ବିଶେଷ ପୁଣ୍ୟପ୍ରଦ। ଶାସ୍ତ୍ରରେ ଅଷ୍ଟବିଧ ସ୍ନାନ ବ୍ୟବସ୍ଥା ମଧ୍ୟରେ ତୀର୍ଥ ସ୍ନାନ, ମନ୍ତ୍ର ସ୍ନାନ ଓ ବାରୁଣୀ ସ୍ନାନର ମହତ୍ତ୍ୱ ଅଧିକ। ସ୍ନାନ ଦ୍ୱାରା ସତ୍ୟ ଓ ଧର୍ମ ସାଧନ ଏବଂ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ। ସ୍ନାନ ପରେ ଦେବତା ଓ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ଚ୍ଚନ ଓ ତର୍ପଣ କର୍ତ୍ତବ୍ୟ। ଭଗବାନ ସର୍ବତ୍ର ବିଦ୍ୟମାନ। ସେ ପତିତପାବନ। ଦରିଦ୍ର ନାରାୟଣଙ୍କୁ, ଅକ୍ଷମ, ଅବହେଳିତ ବୃଦ୍ଧାବୃଦ୍ଧଙ୍କୁ ଅନ୍ନ ଓ ଜଳ ଦାନ ଦେବା ଚାତୁର୍ମାସ୍ୟା ବ୍ରତରେ ବିଧି ଅଛି।
ଚାତୁର୍ମାସ୍ୟା ବ୍ରତରେ ବର୍ଷଣମୁଖର ଶ୍ରାବଣ ମାସରେ ସୋମବାର ଦିନ ଶିବଙ୍କର ଜଳ ଅଭିଷେକ ବହୁଳ ଭାବରେ କରାଯାଏ। ଭକ୍ତମାନେ ସ୍ବାସ୍ଥ୍ୟବର୍ଦ୍ଧକ ଅଁଳା, ତିଳ, ବିଲ୍ବପତ୍ର ମିଶ୍ରିତ ଜଳରେ ସ୍ନାନ କରି ବିଷ୍ଣୁଙ୍କ ପାଦନିଃସୃତ ପାବନୀ ଗଙ୍ଗା ଜଳରେ ନିଷ୍ଠାର ସହ ଜଳ ଅଭିଷେକ କରି ସିଦ୍ଧି ଓ ଋଦ୍ଧି କାମନା କରିଥାନ୍ତି। ଭାଦ୍ରବ ମାସରେ ଶ୍ରୀହରି ଶୟନ ଅବସ୍ଥାରେ ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି। ଭାଦ୍ରବ ମାସରେ ବ୍ୟାପକ ଭାବରେ ଭାଗବତ ଜନ୍ମ ବେଦ-ଭାଗବତର ପ୍ରଚାର, ପ୍ରସାର, ହୋମଯଜ୍ଞ, ପୁରାଣ ପାଠ ଓ ପ୍ରବଚନ ସହ ଆଶ୍ରମ ଜୀବନଚର୍ଯ୍ୟା ପାଳନ କରାଯାଏ। ଚାତୁର୍ମାସ୍ୟା ତଥା ସୂର୍ଯ୍ୟଙ୍କର ଦକ୍ଷିଣାୟନ ସମୟ ପିତୃଲୋକରେ ଦିବସ (ଦେବଲୋକରେ ରାତ୍ର) ହୋଇଥିବାରୁ ବିଶେଷକରି ଆଶ୍ୱିନ ଓ କାର୍ତ୍ତିକ କୃଷ୍ଣପକ୍ଷରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତର୍ପଣ କରାଯାଏ। ଚାତୁର୍ମାସ୍ୟା ବ୍ରତର ଶେଷ ମାସ କାର୍ତ୍ତିକରେ ଶ୍ରଦ୍ଧା ଓ ଭକ୍ତି ସହ ପୂଜାପାଠ, ଜପ, ମନ୍ତ୍ର, ହବନ, ସେବା ଓ ଧର୍ମ ପାଳନ କରି ବ୍ରତ ଶେଷ କରାଯାଏ।
ଏସ୍‌.ଆର୍‌. ରେସିଡେନ୍‌ସି, ୩ବି/୩୦୨, ଓରକଳ, ହାଇଟେକ ଛକ, ଭୁବନେଶ୍ୱର, ମୋ-୮୨୪୨୬୯୭୯୪୪


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri