ଗାନ୍ଧିଜୀଙ୍କ ଦୃଷ୍ଟିରେ ସ୍ବଚ୍ଛତା

ଜଗଦାନନ୍ଦ ଜେନା
୨୦୧୯ ଅକ୍ଟୋବର ୨ ତାରିଖରେ ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବାକୁ ଯାଉଛୁ। ଆମ ଜାତିକୁ କର୍ତ୍ତବ୍ୟପରାୟଣ, ସତ୍ୟନିଷ୍ଠ ଓ ସଂସ୍କାରୀ କରିବାକୁ ସେ ଅହରହ ସଂଗ୍ରାମ କରିଥିଲେ। ପରିଷ୍କାର ପରିଚ୍ଛନ୍ନତା ଉପରେ ସେ ଗୁରୁତ୍ୱ ଆରୋପ କରୁଥିଲେ। ଏପରି କି ସେ ଯେଉଁଠି ଅପରିଚ୍ଛନ୍ନତା ଦେଖୁଥିଲେ ଅନ୍ୟକୁ ଅପେକ୍ଷା ନ କରି ନିଜେ ସଫାକରି ଦେଉଥିଲେ। ସେ ଅପରିଚ୍ଛନ୍ନତାକୁ କେତେ ଘୃଣା କରୁଥିଲେ ଓ ସ୍ବଚ୍ଛତାକୁ କେତେ ଭଲ ପାଉଥିଲେ ତାହା ତାଙ୍କ ଜୀବନର ଗୋଟିଏ ଘଟଣାରୁ ସହଜରେ ଉପଲବ୍ଧି କରିପାରିବା।
୧୯୦୧ ମସିହା କଥା। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥାନ୍ତି। କଲିକତାରେ କଂଗ୍ରେସ ଅଧିବେଶନ ବସିବାକୁ ଯାଉଥାଏ। ଗାନ୍ଧିଜୀ ସେହି ଅଧିବେଶନରେ ଯୋଗ ଦେବାକୁ ନିମନ୍ତ୍ରଣ ପାଇଥାନ୍ତି। ଉକ୍ତ କଂଗ୍ରେସ ସଭାରେ ଯୋଗଦେବା ତାହା ଥିଲା ତାଙ୍କର ପ୍ରଥମ ଅଭିଜ୍ଞତା। ଗାନ୍ଧିଜୀ ଅଧିବେଶନରେ ଯୋଗ ଦେବାକୁ ଟ୍ରେନ୍‌ରେ ବମ୍ବେରୁ କଲିକତା ବାହାରିଲେ। ସେହି ଟ୍ରେନ୍‌ରେ ଫିରୋଜ ସାହା ଓ କଂଗ୍ରେସ ଅଧିବେଶନର ସଭାପତି ଦୀନଶା ଓ୍ବାଚ୍ଛା ବି ଯାଉଥିଲେ। ଟ୍ରେନ୍‌ ଭିତରେ ଗାନ୍ଧିଜୀ ଓ ଫିରୋଜ ଦେଶର ଦୁର୍ଦ୍ଦଶା, ଜାତିଆଣ ଭାବ, ଦାରିଦ୍ର୍ୟ ଆଦି ବିଭିନ୍ନ ବିଷୟରେ ଆଲୋଚନା କଲେ। ଫିରୋଜ କହିଲେ ମୋର ବିଶ୍ୱାସ ଯେ ପର୍ଯ୍ୟନ୍ତ ଇଂରେଜମାନେ ଏ ଦେଶ ଛାଡ଼ି ଯାଇନାହାନ୍ତି ଆମର ଅବସ୍ଥା କଦାପି ସୁଧୁରିବ ନାହିଁ। ସେତେବେଳେ ଟ୍ରେନ୍‌ କଲିକତାରେ ଲାଗିଲା। ଅଭ୍ୟର୍ଥନା ସମିତି ସଭ୍ୟମାନେ ଭାରି ଆଡ଼ମ୍ବରରେ ସଭାପତି ଦୀନଶାଙ୍କୁ ପାଛୋଟି ନେଲେ। ଗାନ୍ଧୀ ଓ ଅନ୍ୟ ପ୍ରତିନିଧିମାନଙ୍କୁ କେହି ପଚାରିଲେ ନାହିଁ। ଗାନ୍ଧିଜୀ ସେଇଠି ଅନୁଭବ କଲେ ଆନ୍ଦୋଳନ ପାଇଁ ଏକଜୁଟ ହୋଇଥିବା ଲୋକମାନଙ୍କ ଭିତରେ ଆନ୍ଦୋଳନ ଲାଗି ଯେତେ ଭୋକ ନାହିଁ, ଭୋକ ଅଛି କିପରି ବଡ଼ବଡ଼ିଆଙ୍କ ସାନ୍ନିଧ୍ୟ ଲାଭ କରିବା। ଜଣେ ସ୍ବେଚ୍ଛାସେବକକୁ ଗାନ୍ଧିଜୀ ପଚାରିଲେ, କେଉଁଠି ଆମ ରହିବା ବ୍ୟବସ୍ଥା ହୋଇଛି। ସ୍ବେଚ୍ଛାସେବକ ରିପନ କଲେଜ ଯିବା ପାଇଁ କହିଲେ। ସେଠାରେ ଲୋକମାନ୍ୟ ତିଲକ ରହୁଥିବା ଖବର ପାଇ ଗାନ୍ଧିଜୀଙ୍କ ମନ ବହୁତ ଖୁସି ହୋଇଗଲା। ସେତେବେଳେ ତିଲକ ଜଣେ ପ୍ରତିଷ୍ଠିତ ଓ ବିଶ୍ୱ ଦରବାରରେ ପରିଚିତ ବ୍ୟକ୍ତିତ୍ୱ ଥିଲେ। ସେଠି ରହିବା ଅବସରରେ ତାଙ୍କ ସହିତ ସାକ୍ଷାତ ହୋଇଯିବ ଓ ସେ କଂଗ୍ରେସ ସମ୍ପର୍କରେ ଅନେକ କଥା ଜାଣିପାରିବେ। କଲେଜରେ ପହଞ୍ଚିଲା ପରେ ଗାନ୍ଧିଜୀ ଦେଖିଲେ ଚାରୋଟି ହଲ୍‌ରେ ପ୍ରତିନିଧିମାନଙ୍କ ରହିବା ପାଇଁ ଜାଗା ଠିକ୍‌ କରାଯାଇଛି। ତଳେ ଦରି ପଡିଥିଲା। ନିଜ ନିଜ ବ୍ୟାଗ ରଖି ଯିଏ ଯେଝା ସ୍ଥାନ ଅଧିକାର କରିନେଲେ। ଗୋଟିଏ କୋଠରି ସ୍ବେଚ୍ଛାସେବକମାନେ ରହିବା ପାଇଁ ଉଦ୍ଦିଷ୍ଟ ଥିଲା। ସ୍ବେଚ୍ଛାସେବକମାନେ ଧଳା ହାଫ୍‌ ପ୍ୟାଣ୍ଟ, କୁରୁତା, ମୁଣ୍ଡରେ ପଟି ଓ ଛାତିରେ ବ୍ୟାଜ୍‌ ଲଗାଇଥିଲେ, ଯେଉଁଥିରୁ ସେମାନଙ୍କୁ ସ୍ବେଚ୍ଛାସେବକ ବୋଲି ଜାଣିହେବ। ସେମାନଙ୍କ ଉପରେ ପ୍ରତିନିଧିମାନଙ୍କ ସୁବିଧା ଅସୁବିଧା ବୁଝିବା ଦାୟିତ୍ୱ ନ୍ୟସ୍ତ ଥିଲା। ଅଧଘଣ୍ଟା ଭିତରେ ଗାନ୍ଧିଜୀ ଯାହା ଦେଖିଲେ, ସେ ନିଜକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ। ସ୍ବେଚ୍ଛାସେବକମାନେ ଆପଣା ଭିତରେ ଥେଣ୍ଟାଥେଣ୍ଟି ହେଉଥିଲେ। ଜଣକୁ କିଛି କାମ ବରାଦ କଲେ ସେ ଅନ୍ୟ ଜଣଙ୍କ ଉପରେ ପକାଇ ଦେଉଥିଲା। ସେ ଜଣକ ତୃତୀୟ ଜଣକ ଉପରେ ପକାଇଦେଇ ନିଜେ ମୁକ୍ତ ହୋଇଯାଉଥିଲା। କଥାଟା ଏହିପରି ଗଡି ଚାଲୁଥିଲା ଅଥଚ କାମ ହେଉ ନ ଥିଲା। ଏପରି ସ୍ଥଳେ ପ୍ରତିନିଧିମାନଙ୍କୁ ପଚାରେ କିଏ? ଗାନ୍ଧିଜୀ ଦେଖିଲେ ଯେଉଁ ପ୍ରତିନିଧିମାନେ ସେଠାକୁ ଆସିଥିଲେ ସେମାନେ ନିଜକୁ ସ୍ବତନ୍ତ୍ର ଓ ସମ୍ମାନାସ୍ପଦ ବୋଲି ବିବେଚନା କରୁଥିଲେ। ନିଜ ହାତରେ କିଛି କରୁ ନ ଥିଲେ, ଖାଲି ୟାକୁ ତାକୁ ହୁକୁମ ଦେଉଥିଲେ। ଏଠାରେ ଅସ୍ପୃଶ୍ୟତା ଦେଶର ସାଧାରଣ ନାଗରିକମାନଙ୍କ ଅପେକ୍ଷା ବେଶି ଥିଲା। ଦ୍ରାବିଡ଼ ଲୋକଙ୍କ ରୋଷେଇ ଅଲଗା ହେଉଥିଲା। ସେମାନେ ଅନ୍ୟମାନଙ୍କ ସହ ଖିଆପିଆ କରୁ ନ ଥିଲେ। ଗାନ୍ଧିଜୀ ଅନୁଭବ କଲେ ଯଦି ମହାସଭାକୁ ଆସିଥିବା କଂଗ୍ରେସ ଲୋକ ଏତେ ଛୁଆଁ ଅଛୁଆଁ ବାଛୁଛନ୍ତି ତା’ ହେଲେ ଅନ୍ୟ ଲୋକ କେତେ ବାଛୁ ନ ଥିବେ।
ଗାନ୍ଧିଜୀଙ୍କୁ ସବୁଠାରୁ ଦୁଃଖ ଦେଉଥିଲା ଅପରିଷ୍କାର ଅପରିଚ୍ଛନ୍ନତା। ଚାରିଆଡ଼େ ମନ୍ଦା ମନ୍ଦା ପାଣି ଜମା ହୋଇଥିଲା। ସାମାନ୍ୟ କେତୋଟି ପାଇଖାନା, ସେଗୁଡିକର ଗନ୍ଧ କଥା କହିଲେ ନ ସରେ। ପାଇଖାନା ଗାତଗୁଡିକ ମଇଳାରେ ପୋତି ହୋଇଯାଇଥିଲା। ଗୋଡ଼ ଥୋଇବା ଜାଗାରେ ବି ଲୋକ ଝାଡ଼ା ଫେରି ଦେଇଥିଲେ। ଏସବୁ ଦେଖି ଗାନ୍ଧିଜୀ ସ୍ବେଚ୍ଛାସେବକମାନଙ୍କୁ ଦେଖାକରି କହିଲେ- ସେମାନେ ସଫା ସଫା କହିଦେଲେ ଏହା ମେହେନ୍ତରଙ୍କ କାମ, ଆମ କାମ ନୁହେଁ। ଗାନ୍ଧିଜୀ କେତେଜଣ ପ୍ରତିନିଧି ବନ୍ଧୁଙ୍କୁ ପାଇଖାନା ସଫା କରିବା ପାଇଁ ପ୍ରସ୍ତାବ ଦେଲେ। ସେମାନେ ଗାନ୍ଧିଜୀଙ୍କ କଥାରେ ମୁହଁ ମୋଡି ବାଟ ଆଡେଇ ଚାଲିଗଲେ। ଗାନ୍ଧିଜୀ ଅନୁଭବ କଲେ କେବଳ କ୍ଷମତା, ଅର୍ଥ ଓ ନାମ କମାଇବା ପାଇଁ ଏମାନେ ଆସିଛନ୍ତି। ସେବା ଚିନ୍ତାଧାରା କାହାର ନାହିଁ। ଗାନ୍ଧିଜୀ ହାତରେ ଝାଡୁ ଓ ବାଲ୍‌ଟି ଧରି ପାଇଖାନା ସଫା କରିବା ଆରମ୍ଭ କରିଦେଲେ। ସେଗୁଡିକ ଏତେ ଅପରିଷ୍କାର ହୋଇଥିଲା ଯେ, ଗୋଟିଏ ଗୋଟିଏ ପାଇଖାନା ସଫା କରିବାକୁ ଘଣ୍ଟାକରୁ ଊର୍ଦ୍ଧ୍ୱ ସମୟ ଲାଗିଗଲା। ସବୁ ପାଇଖାନା ସଫା କରିବା ତାଙ୍କ ପକ୍ଷରେ ସମ୍ଭବ ନ ଥିଲା। ଯେଉଁ ପାଞ୍ଚଟି ପାଇଖାନା ଅତି ସୁନ୍ଦର ଭାବରେ ସେ ସଫା କରିଦେଇଥିଲେ, ସେଥିରେ ପାଇଖାନା ଯିବାକୁ ପ୍ରତିନିଧିମାନଙ୍କ ଲମ୍ବାଧାଡି ଲାଗିଯାଇଥିଲା। ଅଥଚ ଅନ୍ୟ ପାଇଖାନାଗୁଡିକ ସଫା କରିବା ପାଇଁ କେହି ମନ ଦେଇ ନ ଥିଲେ। ପାଇଖାନା ଅପରିଷ୍କାର ଯେତିକି ଗାନ୍ଧିଜୀଙ୍କୁ ମର୍ମାହତ କରି ନ ଥିଲା, ତା’ଠୁ ଅଧିକ ମର୍ମାହତ କରିଥିଲା ଅନେକ ପ୍ରତିନିଧିଙ୍କ ଆଚରଣ। ଅନେକ ପ୍ରତିନିଧି ରାତିରେ ନିଜ ନିଜ ରହିବା ଘରର ବାରଣ୍ଡାରେ ମଧ୍ୟ ଝାଡା ଫେରିବାକୁ ସଂକୋଚ କରୁ ନ ଥିଲେ। ସେ ସ୍ଥାନ ଏତେ ଦୁର୍ଗନ୍ଧରେ ପରିପୂର୍ଣ୍ଣ ହୋଇଯାଇଥିଲା ଯେ, ଘରେ ରହିବା ସମ୍ଭବ ହେଉ ନ ଥିଲା। ଗାନ୍ଧିଜୀ ସ୍ବେଚ୍ଛାସେବକମାନଙ୍କୁ ଏହା ଦେଖାଇଲେ ଓ ତାଙ୍କ ସହ ମିଶି ସଫା କରିବାକୁ କହିଲେ, କିନ୍ତୁ କେହି ଜଣେ ହେଲେ ବି ବାହାରିଲେ ନାହିଁ। ଶେଷକୁ ଗାନ୍ଧିଜୀ ନିଜେ ହିଁ ସେ ସବୁକୁ ସଫା କଲେ। ଗାନ୍ଧିଜୀଙ୍କର ମନେହେଲା ଏ ଅଧିବେଶନ ଯଦି ତିନିଦିନ ପାଇଁ ନ ହୋଇ ବେଶି ଦିନ ବସିଥାନ୍ତା ତେବେ ସେଠାରେ ମହାମାରୀ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଯାଇଥାନ୍ତା।
ଏହି ପ୍ରଥମ ଅଧିବେଶନ ହିଁ ଗାନ୍ଧିଜୀଙ୍କ ଚିନ୍ତା ଓ ଚରିତ୍ରରେ ଘୋର ପରିବର୍ତ୍ତନ ଆଣିଥିଲା। ସେ ଦକ୍ଷିଣ ଆଫ୍ରିକା ଆଉ ନ ଫେରିବାକୁ ଶପଥ କଲେ। ଭାରତରେ ରହି ପ୍ରଥମେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଛୁଆଁ ଅଛୁଆଁ, ଉଚ୍ଚନୀଚ, ଅନ୍ୟ ଉପରେ ନିର୍ଭର ମନୋଭାବ ଦୂର କରିବା ପାଇଁ ଦୃଢ଼ ସଂକଳ୍ପ ନେଲେ। କାରଣ ସେ ଜାଣିଥିଲେ ଭାରତକୁ ସ୍ବାଧୀନ କରିବାକୁ ହେଲେ ଉଚ୍ଚନୀଚ ଭେଦଭାବ ଦୂରୀକରଣ, ସ୍ବାବଲମ୍ବନଶୀଳତା, କର୍ତ୍ତବ୍ୟପରାୟଣତା ସହିତ ସତ୍ୟ, ଅହିଂସା ଓ ଆଧ୍ୟାତ୍ମିକ ଚେତନା ଦରକାର। ଆଜି ୧୫୦ତମ ଜୟନ୍ତୀ ଅବସରରେ ସେହି ମହାନ୍‌ ଜାତିରପିତା ଗାନ୍ଧିଜୀଙ୍କ କାର୍ଯ୍ୟକଳାପ ମନେପକାଇବାର ସମୟ ଆସିଛି। ଆଧୁନିକ ଯନ୍ତ୍ର-ସଭ୍ୟତାର ବଶବର୍ତ୍ତୀ ହୋଇ ଆମେ ପର ଉପରେ ଘରେ, ବାହାରେ ଯେପରି ସବୁବେଳେ ନିର୍ଭରଶୀଳ ହୋଇଚାଲିଛନ୍ତି ତାହା ଶୁଭ ଲକ୍ଷଣ ନୁହେଁ। ଏହା ପରିତ୍ୟାଗ ନ କଲେ ଆମର ଉନ୍ନତି ହୋଇପାରିବ ନାହିଁ। ଘର ଓଳାଇବା, ପାଇଖାନା ସଫା କରିବା, ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ ରଖିବା, କୌଣସି କାର୍ଯ୍ୟକୁ ସଂକୋଚ ନ କରି ଆଗଭର ହୋଇ କରିବା, କଠିନ ପରିଶ୍ରମ କରି ନିଜ ଉତ୍ପାଦନରେ ବଞ୍ଚିବା ଓ ସରଳ ଜୀବନଯାପନ କରିବା ମନୋଭାବ ସୃଷ୍ଟି ହେଲେ ଆମ ଦେଶରୁ ଦୁର୍ନୀତି, ରୋଗ ଓ ଶୋକକୁ ଦୂର କରିପାରିବା।
(ଗାନ୍ଧୀ ଜୟନ୍ତୀ ଉପଲକ୍ଷେ)
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସିମିଳିପଡ଼ା, ଅନୁଗୋଳ, ମୋ-୯୯୩୭୫୯୬୧୩୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri