ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ରିଟିଶ ଶାସନ କାଳରେ ପ୍ରତିଷ୍ଠିତ କଲିକତା, ବମ୍ବେ ଓ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟଗୁଡ଼ିକ ଯେଉଁ ଉଦ୍ଦେଶ୍ୟ ଓ ଶୈକ୍ଷିକ ନିଷ୍ଠା ନେଇ କାର୍ଯ୍ୟ ଆରମ୍ଭ କରିଥିଲେ, ଆଜିର ଅନେକ ଅନୁଷ୍ଠାନ ସେହି ଆଦର୍ଶରୁ ବିଚ୍ୟୁତ ହେଉଥିବା ପରି ମନେହୁଏ। ସେତେବେଳେ ସୀମିତ ସମ୍ବଳ ମଧ୍ୟରେ ମଧ୍ୟ ଗବେଷଣା ପାଇଁ ଯେଉଁ ମୌଳିକତା ଏବଂ ଆଗ୍ରହ ଥିଲା, ତାହା ଆଜିର ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଯୁଗରେ କେଉଁଠି ନା କେଉଁଠି ହଜିଯାଉଛି। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଅଧିକ ମାତ୍ରାରେ ଡିଗ୍ରୀ ସର୍ବସ୍ବ ଓ ପରୀକ୍ଷା କୈନ୍ଦ୍ରିକ ହୋଇପଡ଼ିଥିବାରୁ, ଜ୍ଞାନର ପ୍ରକୃତ ଅନ୍ବେଷଣ ବା ‘ସତ୍ୟର ଅନ୍ବେଷଣ’ ଗୌଣ ହୋଇଯାଇଛି। ଗବେଷଣା କ୍ଷେତ୍ରରେ ଦେଖାଯାଉଥିବା ଏହି ଅବକ୍ଷୟର ଅନ୍ୟତମ କାରଣ ହେଉଛି କେବଳ ସଂଖ୍ୟାତ୍ମକ ସଫଳତା ପଛରେ ଧାବମାନ ହେବା। ଅନେକ କ୍ଷେତ୍ରରେ ଗବେଷଣା କେବଳ ଏକ ଆନୁଷ୍ଠାନିକ ପ୍ରକ୍ରିୟାରେ ସୀମିତ ରହିଯାଉଛି, ଯେଉଁଥିରେ ନୂତନତା ବା ସାମାଜିକ ଉପଯୋଗିତାର ଅଭାବ ପରିଲକ୍ଷିତ ହେଉଛି। ଏହି ସ୍ଥିତି ସମ୍ପର୍କରେ ଓଡ଼ିଆ ଗବେଷଣାର ମୁଖପତ୍ର ‘ଏଷଣା’ର ୧୯୮୦ ଜୁନ୍‌ ସଂଖ୍ୟାରେ ପ୍ରତିଭାବାନ ସମ୍ପାଦକ କୃଷ୍ଣ ଚରଣ ବେହେରା ‘ବିଶ୍ୱବିଦ୍ୟାଳୟ ଭାବ-ମୂର୍ତ୍ତି’ ଶୀର୍ଷକରେ ଅତ୍ୟନ୍ତ କ୍ଷୋଭର ସହ ଲେଖିଥିଲେ- ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଏବେ ମୁଖ୍ୟତଃ ଗୋଟିଏ ଗୋଟିଏ ପରୀକ୍ଷା ପରିଚାଳନା ସଂସ୍ଥା ହୋଇ ରହିଛନ୍ତି ବୋଇଲେ ଚଳେ। ପରୀକ୍ଷା ପରିଚାଳନା ବିଶ୍ୱବିଦ୍ୟାଳୟର ଗୋଟିଏ କାର୍ଯ୍ୟ ତାହା କେହି ଅସ୍ବୀକାର କରୁନାହିଁ; କିନ୍ତୁ ତାହା ଯେ ବିଶ୍ୱବିଦ୍ୟାଳୟର ଏକ ଗୌଣ ଓ ତୁଚ୍ଛ କାର୍ଯ୍ୟ – ଏକଥା ଅନେକେ ହୃଦୟଙ୍ଗମ କରନ୍ତି ନାହିଁ। ବର୍ଷକୁ ବର୍ଷ ଗୋଟାକ ପରେ ଗୋଟିଏ ପରୀକ୍ଷା ପରିଚାଳନା ପୂର୍ବକ ଦଳକୁ ଦଳ ଛାତ୍ରୀଛାତ୍ରଙ୍କୁ ପାଶ୍‌ କରାଇ ଡିଗ୍ରୀ-ଡିପ୍ଲୋମା ବାଣ୍ଟିବା ଯଦି ଗୋଟିଏ ବିଶ୍ୱବିଦ୍ୟାଳୟର ପ୍ରଧାନ କାର୍ଯ୍ୟ ହୁଏ, ତାହାହେଲେ ସେଭଳି ବିଶ୍ୱବିଦ୍ୟାଳୟ ଆମର ସଚେତନ ସଂସ୍କୃତିପ୍ରେମୀ ବ୍ୟକ୍ତିମାନେ ପସନ୍ଦ କରିବେ କି? କାହିଁ ଗଲା ଫଳପ୍ରଦ ଗବେଷଣା! କାହିଁ ଉଚ୍ଚକୋଟୀର ମୂଲ୍ୟବାନ ଗ୍ରନ୍ଥ ପ୍ରଣୟନ ଓ ପ୍ରକାଶ! କାହିଁ ବା ‘ପେପର’ ଓ ‘ଜର୍ନାଲ’! କୁଆଡେ ରହିଲା ଜନଜୀବନ ପ୍ରତି ଅଙ୍ଗୀକାର ଏବଂ ସମାଜ ପାଇଁ ପ୍ରାସଙ୍ଗିକତା! କେବଳ ସ୍ବାର୍ଥସାଧିକା ପରୀକ୍ଷା, ପରୀକ୍ଷା, ପରୀକ୍ଷା!!!
ଓଡ଼ିଆ ଭାଷା ଓ ସାହିତ୍ୟର ଗବେଷଣାତ୍ମକ ପ୍ରବାହ ଏକ ଦୀର୍ଘ ତଥା ଗୌରବମୟ ଇତିହାସକୁ ପାଥେୟ କରି ଗତିଶୀଳ। ଏହି ବୌଦ୍ଧିକ ଯାତ୍ରାର ଶୁଭାରମ୍ଭ ହୁଏ ୧୯୪୩ ମସିହାରେ, ଯେତେବେଳେ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା ଲାଭ କରେ। ଏହାର ପ୍ରାୟ ପାଞ୍ଚ ବର୍ଷ ପରେ, ଅର୍ଥାତ୍‌ ୧୯୪୮ ମସିହାରେ କରୁଣାକର କରଙ୍କ ଗବେଷଣା ନିବନ୍ଧ ‘ଆଶ୍ଚର୍ଯ୍ୟ ଚର୍ଯ୍ୟଚୟ’ ଲୋକାଭିମୁଖୀ ହୋଇ ଓଡ଼ିଆ ଗବେଷଣା ସାହିତ୍ୟର ସୁଦୃଢ଼ ଭିତ୍ତି ସ୍ଥାପନ କଲା। ଏହି ଧାରାକୁ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରଜ୍ଞାବାନ ସାରସ୍ବତ ସାଧକମାନେ ନୂତନ ଦିଗନ୍ତ ପ୍ରଦାନ କରିଥିଲେ। ୧୯୫୩ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ କୁଞ୍ଜବିହାରୀ ତ୍ରିପାଠୀଙ୍କ ‘Linguistics Study of Oriya Inscription’ ଏବଂ ୧୯୫୪ରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ କୁଞ୍ଜବିହାରୀ ଦାଶଙ୍କ ‘ଓଡ଼ିଆ ଲୋକଗୀତ ଓ କାହାଣୀ’ ସମ୍ପର୍କିତ ଗବେଷଣା ଓଡ଼ିଆ ଭାଷାତତ୍ତ୍ୱ ଓ ଲୋକସଂସ୍କୃତିର ମୌଳିକତାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିପାରିଥିଲା। ଏହି କ୍ରମରେ ୧୯୬୫ ମସିହାରେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ କୃଷ୍ଣ ଚରଣ ସାହୁଙ୍କ ‘ଓଡ଼ିଆ ରାମ ସାହିତ୍ୟ’ ସମ୍ବନ୍ଧୀୟ ଗବେଷଣା ନିବନ୍ଧ ସର୍ବତ୍ର ପ୍ରଶଂସିତ ହୋଇଥିଲା।
ସାମ୍ପ୍ରତିକ କାଳଖଣ୍ଡରେ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ନୂତନ ତଥ୍ୟର ଅନ୍ବେଷଣ କରିବା ପାଇଁ ଗବେଷକଙ୍କ ମନରେ ସେହି ପୂର୍ବତନ ଶ୍ରଦ୍ଧା ବା ନିଷ୍ଠାପୂର୍ଣ୍ଣ ଅଭିଳାଷ ଆଉ ପରିଲକ୍ଷିତ ହେଉନାହିଁ। ଗବେଷଣା ଆଜି ଜ୍ଞାନର ସାଧନା ପରିବର୍ତ୍ତେ କେବଳ ଏକ ଆନୁଷ୍ଠାନିକ ବାଧ୍ୟବାଧକତାରେ ପରିଣତ ହୋଇଛି। ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ କୌଣସି ପ୍ରାନ୍ତୀୟ ବା ଅନ୍ତର୍ଜାତୀୟ ଭାଷାରେ ଦକ୍ଷତା ନ ଥିବାରୁ ଆମର ଗବେଷକମାନେ ତୁଳନାତ୍ମକ ସାହିତ୍ୟ ଭଳି ଏକ ବ୍ୟାପକ କ୍ଷେତ୍ରରୁ ନିଜକୁ ଦୂରେଇ ରଖୁଛନ୍ତି। ଫଳସ୍ବରୂପ, ସେମାନେ କେବଳ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଲେଖକଙ୍କ ଉପରେ ସନ୍ଦର୍ଭ ପ୍ରସ୍ତୁତ କରୁଛନ୍ତି, ଯାହା ଏକ ତାତ୍ତ୍ୱିକ ଗବେଷଣା ଅପେକ୍ଷା ଜୀବନୀ ସାହିତ୍ୟ ପରି ମନେହେଉଛି। ଏଥିରେ ବିଶ୍ଳେଷଣର ଗଭୀରତା ଅପେକ୍ଷା ପ୍ରଶସ୍ତିଗାନର ମାତ୍ରା ହିଁ ଅଧିକ ରହୁଛି। ଗବେଷଣାର ମୂଳ ନୀତି ହେଉଛି ମୌଳିକତା, ମାତ୍ର ଦୁର୍ଭାଗ୍ୟବଶତଃ ପୂର୍ବରୁ ପ୍ରକାଶିତ ଗବେଷଣା ପ୍ରସଙ୍ଗଗୁଡ଼ିକୁ ଅବିକଳ ନକଲ କରିବା କିମ୍ବା ଯେଣୁତେଣୁ ତଥ୍ୟ ସଂଗ୍ରହ କରି ସନ୍ଧର୍ଭ ପ୍ରସ୍ତୁତ କରିଦେବା ଆଜିର ଏକ ସାଧାରଣ ପ୍ରକ୍ରିୟା ହୋଇଛି। ଏପରି ‘କଟ୍‌-କପି-ପେଷ୍ଟ’ ସଂସ୍କୃତି ଯୋଗୁ ଓଡ଼ିଆ ସାହିତ୍ୟରେ ଏବେ କୌଣସି କାଳଜୟୀ ଗବେଷଣା ନିବନ୍ଧ ସୃଷ୍ଟି ହୋଇପାରୁ ନାହିଁ। ବିଶ୍ୱବିଦ୍ୟାଳୟ ସ୍ତରରେ ଗବେଷଣା ପରିଚାଳନା କ୍ଷେତ୍ରରେ କିଛି ସାଂଘାତିକ ଅନୈତିକତା ମଧ୍ୟ ଦେଖିବାକୁ ମିଳୁଛି। କେତେକ ମାର୍ଗଦର୍ଶକ ନିଜ ସ୍କଲାରମାନଙ୍କ ପାଇଁ ନିବନ୍ଧ ରଚନା କରିବାଠାରୁ ଆରମ୍ଭ କରି ପରୀକ୍ଷକମାନଙ୍କୁ ନିଜ ଆୟତ୍ତରେ ରଖିବା ପର୍ଯ୍ୟନ୍ତ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଶୁଣାଯାଉଛି। ଏହିପରି ଅସାଧୁ ପ୍ରୟାସକୁ ଆପଣେଇ ଗବେଷକମାନେ ବିଶ୍ୱବିଦ୍ୟାଳୟରୁ କେବଳ ଡିଗ୍ରୀ ହାସଲ କରିନେଉଛନ୍ତି, ଯାହାଦ୍ୱାରା ଓଡ଼ିଆ ଭାଷା ସାହିତ୍ୟର ଗବେଷଣା ରସାତଳକୁ ଗତି କରୁଛି। ଏହି ବୌଦ୍ଧିକ ଅଧୋପତନକୁ ଲକ୍ଷ୍ୟ କରି ପ୍ରଖ୍ୟାତ ଶିକ୍ଷାବିତ୍‌ ଡ. ମାୟାଧର ମାନସିଂହ ନିଜ ଆତ୍ମଜୀବନୀରେ ଅତ୍ୟନ୍ତ କ୍ଷୋଭର ସହ ଉଲ୍ଲେଖ କରିଥିଲେ ଯେ ବିଶ୍ୱବିଦ୍ୟାଳୟ ହେଲା ଦେଶର ତରୁଣ ସମାଜକୁ ଜ୍ଞାନଦୀପ୍ତ କରି ଗଢି, ବାହାର ଜଗତକୁ ଛାଡ଼ିଦେବାର ସାଧନାପୀଠ; କିନ୍ତୁ କେବଳ ଅଭିଶପ୍ତ ଭାରତବର୍ଷରେ ହିଁ କଲେଜ ବା ବିଶ୍ୱବିଦ୍ୟାଳୟକୁ ଯେ କୌଣସି ମତେ ଖଣ୍ଡିଏ ଖଣ୍ଡିଏ ଡିପ୍ଲୋମା ମାରିନେବାର ଏକରକମ ‘ସିଭିଲ ସପ୍ଲାଏ ଅଫିସ’ ବୋଲି ଧରାଯାଏ। ଠିକ୍‌ ସେହି କାରଣରୁ ଏବଂ ସେହି ପରିଣାମରେ ହିଁ ଏ ଜାତି ଅପାରଗ ଓ ଦୋଷଦୃଷ୍ଟ ହୋଇ ରହିଛି ଏବଂ ଆଗକୁ ମଧ୍ୟ ରହିବ। ମାନସିଂହଙ୍କର ଏହି କଟୁ ସତ୍ୟ ଆଜି ଆମ ସମାଜରେ ଅଧିକ ପ୍ରାସଙ୍ଗିକ ହୋଇ ରହିଛି, ଯେଉଁଠି ମୌଳିକ ଅନ୍ବେଷଣ ଅପେକ୍ଷା କେବଳ ଡିଗ୍ରୀ ହାସଲ କରିବାର ଲାଳସା ଜ୍ଞାନର ଗରିମାକୁ କ୍ଷୁଣ୍ଣ କରୁଛି।
ଶେଷରେ କୁହାଯାଇ ପାରେ ଯେ ଆଜିର ଗବେଷଣା କେବଳ ଡିଗ୍ରୀ ହାସଲର ଏକ ସୋପାନ ସାଜିଛି। ମୌଳିକ ଚିନ୍ତନ ଓ ସୃଜନଶୀଳ ଅନ୍ବେଷଣ ବଦଳରେ ନକଲ ଓ ପୁନରାବୃତ୍ତିର ବାତାବରଣ ଗବେଷଣାର ଗରିମାକୁ ନଷ୍ଟ କରୁଛି। ଗବେଷଣାଗାର ବା ପାଠାଗାର ଭିତରେ ସୀମିତ ରହୁଥିବା ଜ୍ଞାନ ଜନଜୀବନର ସମସ୍ୟା ସହ ଯୋଡ଼ି ହୋଇପାରୁ ନାହିଁ। ବିଶ୍ୱବିଦ୍ୟାଳୟଗୁଡ଼ିକ ସମାଜର ବୌଦ୍ଧିକ ମାର୍ଗଦର୍ଶକ ହେବା ପରିବର୍ତ୍ତେ କେବଳ ସାର୍ଟିଫିକେଟ ପ୍ରଦାନକାରୀ କାରଖାନାରେ ରୂପାନ୍ତରିତ ହୋଇଛନ୍ତି। ବିଶେଷକରି ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଯେଉଁ ଉଚ୍ଚକୋଟୀର ସମୀକ୍ଷା ଓ ଶାସ୍ତ୍ରୀୟ ଗବେଷଣାର ଆବଶ୍ୟକତା ଥିଲା, ତାହା ପ୍ରାୟତଃ ମ୍ରିୟମାଣ। ସଂକ୍ଷେପରେ କହିବାକୁ ଗଲେ, ବିଶ୍ୱବିଦ୍ୟାଳୟଗୁଡ଼ିକ ଯଦି ନିଜର ‘ପରୀକ୍ଷା କେନ୍ଦ୍ରୀୟ’ମାନସିକତାରୁ ମୁକ୍ତ ହୋଇ ଜ୍ଞାନର ନୂତନ ଦିଗନ୍ତ ଉନ୍ମୋଚନ ନ କରନ୍ତି, ତେବେ ଆଗାମୀ ପିଢ଼ି ପାଇଁ ଏକ ବୌଦ୍ଧିକ ଅଭିଶାପ ହୋଇ ରହିଯିବ।

ନିଶିକାନ୍ତ ବଳ
ମୋ:୬୩୭୧୯୫୯୩୩୬


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri