କୋଭିଡ୍‌-୧୯ ନିୟମ ଉଲ୍ଲଂଘନ: ୨ ଦୋକାନ ସିଲ

ଖୋର୍ଦ୍ଧା ଅଫିସ,୧୧ା୬ : ସାମାଜିକ ଦୂରତ୍ୱ ଏବଂ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବାରୁ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସହରର ଦୁଇ ଶାଢୀ ଦୋକାନକୁ ସାମୟିକ ଭାବେ ସିଲ୍‌ କରାଯାଇଛି ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି। ସୂଚନା ଅନୁଯାୟୀ, ସହରର ସମସ୍ତ ଦୋକାନ ଆଗରେ ସାମାଜିକ ଦୂରତ୍ବ ବଜାୟ ରଖି ବ୍ୟବସାୟ କରିବା ଲାଗି ବାରମ୍ବାର ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଗୁରୁବାର ରଜ ଲାଗି ବଜାରରେ ଭିଡ ଜମିଥିଲା। କେତେକ ଦୋକାନୀ ଏହି ନିୟମଙ୍କୁ ଉଳ୍ଲଂଘନ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଏ ନେଇ ଚଢ଼ାଉ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଦୁଇଟି ଦୋକାନକୁ ସିଲ୍‌ କରାଯାଇଛି। ଅନ୍ୟ କେତେକ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶତପଥୀ କହିଛନ୍ତି।