କୋଟିଆ ଆମର

ଜୟନ୍ତ ପଟ୍ଟନାୟକ

କୋଟିଆ ଆମର, ଆମର କୋଟିଆ। ଏଇ କଥାଟା ଶୁଣି ଶୁଣି ବିରକ୍ତ ଲାଗିଲାଣି। କୋଟିଆ ଯଦି ଆମର, ତା’ହେଲେ ଏତେଥର କହିବା ଦରକାର କ’ଣ, କୋଟିଆ ଆମର, କୋଟିଆ ଆମର। ୨୦୨୧ରୁ ଏକଥା ବାରମ୍ବାର ଶୁଣାଯାଉଛି ସବୁଠାରେ। ସିଏ ମୁଦ୍ରିତ ହେଉ ବା ବୈଦ୍ୟୁତିକ କିମ୍ବା ସାମାଜିକ ଗଣମାଧ୍ୟମଗୁଡିକରେ ମଧ୍ୟ ଏହା ପ୍ରକାଶ ପାଉଛି। ୨୦୨୧ ମସିହା ପୂର୍ବରୁ କ’ଣ କୋଟିଆ ସେଠାରେ ନ ଥିଲା, କଥାହେଲା କୋଟିଆ ଯୋଉଠି ଥିଲା ସେଇଠି ଅଛି।
୨୦୨୧ ଅକ୍ଟୋବରରେ ସବୁ ଦଳର ନେତାମାନେ କୋଟିଆରେ ଏକତ୍ର ହୋଇଥିଲେ ଆନ୍ଧ୍ରର ବିସ୍ତାରବାଦୀ ଚିନ୍ତାଧାରାରୁ ଓଡ଼ିଶାର ସୀମାବର୍ତ୍ତୀ ଏହି ମୂଲ୍ୟବାନ ଖଣି- ଖାଦାନଭରା ବିସ୍ତୃତ ଅଞ୍ଚଳକୁ ତା’ର ଲୋଲୁପଦୃଷ୍ଟିରୁ ବଞ୍ଚାଇବା ସକାଶେ। ସେଇ ଆରମ୍ଭ ଓ ସେଇ ଶେଷ, ଆଉ କାହାର ସେଇଠି ସାମୂହିକ ଭାବେ ଦେଖାନାହିଁ, କାଁ ଭାଁ କେମିତି ନେତାଙ୍କର ପାଦପଡେ ଏଇଠି। ଏ ଉପାନ୍ତ ଅଞ୍ଚଳକୁ କିଏ ଆସିବ କାହିଁକି, ରାଜଧାନୀର ଚକାଚକ ପରିବେଶ ଛାଡି,ଏମିତି କି ସ୍ଥାନୀୟ ନେତାଙ୍କର ଦର୍ଶନ ମଧ୍ୟ ଦୁଷ୍ପ୍ରାପ୍ୟ!
ସତେଯେମିତି ଫତୁଆ ଜାରି ହୋଇଛି ନେତା/ଅଫିସରମାନଙ୍କୁ କୋଟିଆ ନ ଯିବା ପାଇଁ। ଏ ପରିପ୍ରେକ୍ଷୀରେ ସମ୍ଭବତଃ ସରକାର ମନେକରୁଛନ୍ତି -ନଉଛି ତ ନେଇଯାଉ ଆନ୍ଧ୍ର। ଏମିତିରେ ପୁରା‘ଆରାକୁ ଉପତ୍ୟକା’ତ ଚାଲିଯାଇଛି କାହାର ନା କାହାର ଅହେଳାରେ ଆନ୍ଧ୍ର ହାତକୁ;ଏଇଟା ନବ, ନେଇଯାଉ, ଆମେ ସେଠାରେ କ’ଣ କରୁଛୁ କି!
୧୯୬୨ରେ ଭାରତର ଏକ ବିସ୍ତୃତ ଅଞ୍ଚଳ ଚାଇନା ଜବରଦସ୍ତ ଦଖଲ କରିନେଲା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ, ସେଠାରେ ଦୁବ କଅଁଳେ ନାହିଁ। କିନ୍ତୁ ଆଜିର ଦିନରେ ସେ ସ୍ଥାନରେ ଚାଇନାର ଭିତ୍ତିଭୂମି ଉନ୍ନୟନ ଅବିଶ୍ୱସନୀୟ! ଆରାକୁରେ ଆନ୍ଧ୍ର ସରକାର ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି। ଅବଶ୍ୟ ଆରାକୁରେ ଢେର ଭିତ୍ତିଭୂମି ଉନ୍ନୟନ କରିଛନ୍ତି ଆନ୍ଧ୍ର ସରକାର। ଆମେ ତ ଆମ ନିଜର ବର୍ତ୍ତମାନ ଯେତିକି ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଅଛି ତା’ର ଉନ୍ନୟନ କରୁନେ। ଆଉ ସେଇ ଖଣିଖାଦାନ କଥା, ଓଡ଼ିଶା ନ ହେଲେ ଆନ୍ଧ୍ରର ହେବ,ଭାରତବର୍ଷର ଜିନିଷ ଭାରତବର୍ଷରେ ରହିବ! ନିଜର ସମ୍ପତ୍ତି ବା ଝାଳବୁହା ଧନ ହୋଇଥିଲେ କଥା ଅଲଗା। ଏ ପରିପ୍ରେକ୍ଷୀରେ କୋରାପୁଟର ପୂର୍ବତନ ଜିଲାପାଳ ଗଦାଧର ପରିଡ଼ାଙ୍କ ‘କୋଟିଆ ବଞ୍ଚାଅ’ ଆନ୍ଦୋଳନ ନିତାନ୍ତ ଧନ୍ୟବାଦାର୍ହ। ସରକାର ବୋଧେ ଚାହୁନାହାନ୍ତି ଆନ୍ଧ୍ର ସରକାର ସହିତ ସମ୍ପର୍କ ଖରାପ କରିବାକୁ। ଏଇ ଟୁକୁଡାଏ ଜମି ପାଇଁ କାହିଁକି ସମ୍ପର୍କଟା ଖରାପ ହେବ। ସବୁ ଦଳର ମଧ୍ୟ ସେଇ ଏକା ମନୋଭାବ। ନଚେତ୍‌ ଚାହିଁଲେ କ’ଣ ଏଇ ଛୋଟିଆ କଥାଟାର ସମାଧାନ ହୋଇପାରନ୍ତାନି।
ଆମ ଜାଗାରେ କ’ଣ ସବୁବେଳେ ଆନ୍ଧ୍ର ଲୋକ ଆସି ଦାଦାଗିରି କରିବେ। କୋଉଦିନ କୋଟିଆରେ ତେଲୁଗୁ ସ୍କୁଲ ଖୋଲିଲେଣି ତ କୋଉଦିନ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିଲେଣି, କୋଉଦିନ କୋଟିଆରେ ଜୋରଜବରଦସ୍ତି ସରପଞ୍ଚ ନିର୍ବାଚନ କରି ତେଲୁଗୁ ସରପଞ୍ଚ ନିର୍ବାଚିତ କରିଆଣିଲେଣି। ତା’ମାନେ ସେମାନେ ନିଜ ପାଇଁ ରାସ୍ତା ସଫା କରିଦେଲେ। କାଲି ଯଦି କିଛି ବିଚାର ହୁଏ ଉପର ସ୍ତରରେ ସେଇ ତେଲୁଗୁ ସରପଞ୍ଚମାନେ କ’ଣ ଓଡ଼ିଶା ସପକ୍ଷରେ ଓକିଲାତି କରିବେ? କେମିତି ଗୋଟିଏ ସରକାର ଅନ୍ୟ ରାଜ୍ୟ ଭିତରେ ପଶି ସ୍ଥାନୀୟ ନିର୍ବାଚନ (ଫେବୃଆରୀ ୨୦୨୧), ତା’ପୁଣି ନିଜ ସପକ୍ଷରେ କରାଇ ପାରିଲେ,ଏହା ତ ଏକ ସପ୍ତାଶ୍ଚର୍ଯ୍ୟଭଳି କଥା। ସେତିକି ନୁହେଁ ତାଙ୍କ ପାଇଁ ଓକିଲାତି କିମ୍ବା ଜନଜାଗରଣ କରିବା ପାଇଁ ଆନ୍ଧ୍ର ସରକାର ସେଇ କୋଟିଆରୁ ଓଡ଼ିଆ ଲୋକଙ୍କୁ ମାସିକ ୧୦ହଜାର ଦେଇ ନିଜର ଏଜେଣ୍ଟ ନିଯୁକ୍ତି କରିଛନ୍ତି। ଏହା ବ୍ୟତୀତ ଓଡ଼ିଶା ଭିତରେ ଥିବା ନଦୀ ଉପରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଛନ୍ତି ଆନ୍ଧ୍ର ସରକାର ୨୦୨୨ ପ୍ରାରମ୍ଭରୁ। ଏସବୁ ୧/୨ ଦିନର କଥା ନୁହେଁ, ଏଥିପାଇଁ ମାସ ମାସ,ବର୍ଷ ବର୍ଷ ସମୟ ଆବଶ୍ୟକ। ତା’ପୁଣି ଆମ ସରକାରୀ କର୍ମଚାରୀମାନଙ୍କ ନାକ ତଳେ। ଏଇଥିରୁ ଅନୁମେୟ ଆମ ସରକାର କିପରି ଜାଗତିଆର ଅଛନ୍ତି ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କ ସ୍ବାର୍ଥ ଜଗିବା ଦିଗରେ। ଏବେ ପୁଣି ଆନ୍ଧ୍ର ସରକାରଙ୍କ ଏକ ଆଧାର କେନ୍ଦ୍ର କାମକରୁଛି କୋଟିଆ ଅଞ୍ଚଳରେ,ତଳ ସେମ୍ବି ଗ୍ରାମରେ, ସିଏ କ’ଣ କେବେ ଓଡ଼ିଆଙ୍କ ସ୍ବାର୍ଥ ପାଇଁ କାମ କରିବ? ସଂଶୋଧନ ଆଳରେ ବରଂ ଓଡ଼ିଆ ଆଧାର କାର୍ଡଗୁଡିକୁ ତେଲୁଗୁରେ ପରିବର୍ତ୍ତନ କରିଦେବେ!
ପ୍ରଣିଧାନର ବିଷୟ, ଓଡ଼ିଶାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମାସିକ ୫୦୦ଟଙ୍କା ବେଳେ ଆନ୍ଧ୍ରରେ ଏହା ୨,୫୦୦। ପୁଣି ଆମ୍ମାବାଡି ଯୋଜନାରେ ଯୋଉ ପିଲା ତେଲୁଗୁ ସ୍କୁଲରେ ପଢ଼ିବେ ତାଙ୍କୁ ସବୁପ୍ରକାର ଶିକ୍ଷୋପକରଣ ମାଗଣା ମିଳିବା ସହିତ ମା’ମାନଙ୍କୁ ବାର୍ଷିକ ୧୫,୦୦୦ ଟଙ୍କା ମିଳିବ। ଏଥିରେ ପିଲା କୋଉ ଲାଭରେ ଓଡ଼ିଆରେ ପାଠ ପଢିବେ ବା ଆନ୍ଧ୍ରର ଲୋଭନୀୟ ଯୋଜନା ପ୍ରତି ଆଗ୍ରହୀ ନ ହେବେ? ସେମିତି ଅନ୍ୟ କେତେକ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି (ଗଜପତି ଜିଲା ଗଙ୍ଗାବାଡ ପଞ୍ଚାୟତର ଖୁଦୁଗୁଡି ୧୩ା୧୦ା୨୧) ଆମେ ଓଡ଼ିଶା ଯୋଜନାର ଲାଭାର୍ଥୀ ହେବାକୁ ଚାହୁଁନାହୁଁ, ବରଂ ଆମେ ଆନ୍ଧ୍ର ଯୋଜନାର ହିତାଧିକାରୀ ହେବାକୁ ଆଗ୍ରହୀ। ସେତିକିରେ କଥା ଅଟକିନାହିଁ, ଆମ ସରକାରଙ୍କ ଢିଲାପଣ ଦେଖି ଆନ୍ଧ୍ର କୋଟିଆ ସହିତ ଗଞ୍ଜାମ ଓ ଗଜପତି ଜିଲାର ସୀମାନ୍ତ ଗ୍ରାମଗୁଡିକ ଉପରେ ମଧ୍ୟ ନଜର ପକାଇଲାଣି। ସେଠାର ଅଧିବାସୀଙ୍କୁ ହାତକରି ପିଲାଙ୍କୁ ନିକଟବର୍ତ୍ତୀ ତେଲୁଗୁ ସ୍କୁଲକୁ ନିଆଯାଉଥିବା ଜଣାପଡ଼ିଛି। ମୂଳଦୁଆ ଟାଣକଲେ ଗଲା, ଏଥିପାଇଁ ଆନ୍ଧ୍ର ସରକାର ସ୍ବତନ୍ତ୍ର ରଣନୀତି କରିଛନ୍ତି। ଏଇ ଉଦ୍ଦେଶ୍ୟରେ ଓଡ଼ିଶା ସୀମାବର୍ତ୍ତୀ ଶ୍ରୀକାକୁଲମ ଜିଲାକୁ ‘ପାର୍ବତୀପୁରମ ମାନ୍ୟମ’ ଜିଲା କରି ସାଲୁର ବିଧାୟକ ପି.ରାଜନ ଦୋରାଙ୍କୁ ଉପମୁଖ୍ୟମନ୍ତ୍ରୀ(ଆନ୍ଧ୍ରର ମୋଟ ୫ଜଣ ଉପ ମୁଖ୍ୟମନ୍ତ୍ରୀ) କରାଯାଇଛି,ଯେମିତି ସ୍ଥାନୀୟ ଅଧିବାସୀ ସରକାରଙ୍କ ଗୁରୁତ୍ୱକୁ ହୃଦୟଙ୍ଗମ କରି ଉତ୍ସାହିତ ହେବେ!
ଥରେ ନେଡ଼ିଗୁଡ଼ କହୁଣୀକୁ ଗଡ଼ିଗଲେ କଥା ସରିଲା। ପୁନଶ୍ଚ ଆନ୍ଧ୍ର ସରକାର ଓଡ଼ିଶାର ସର୍ବୋଚ୍ଚ ପର୍ବତ ଦେଓମାଳି ଉପରେ ନଜର ପକାଇଲେଣି, ଆନ୍ଧ୍ର ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ବିଜୟନଗରମ୍‌ ଜିଲାପାଳଙ୍କ ସହିତ ଦେଓମାଳି ଆସି ପିକ୍‌ନିକ କରି ଫେରିଗଲେ। ଦୁର୍ମୂଲ୍ୟ ଖଣିଜ ପଦାର୍ଥଭରା ଦେଓମାଳିକୁ ଆନ୍ଧ୍ର ଦଳ କେବଳ ପିକ୍‌ନିକ କରିବାକୁ ଆସିଥିଲେ ବୋଲି ଆମ ସ୍ଥାନୀୟ ଅଧିକାରୀଙ୍କ ଉତ୍ତର ଖାପଛଡା ଲାଗୁଛି । କଥା ଏତେବାଟ ଗଲାଣି, କୁମ୍ଭୀର ମଝି ନଈରେ ପହଞ୍ଚିଲାଣି, ମାତ୍ର ଆମ ନେତାମାନଙ୍କର କୋଟିଆରେ ଦେଖାନାହିଁ। କେବେ ଆଉ ନିଦ ଭାଙ୍ଗିବ ଆମ ଏମାନଙ୍କର।
ଏସବୁର ସମାଧାନ ନିମନ୍ତେ ଆନ୍ତରିକତା ଓ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଜରୁରୀ। ଭାଷଣରେ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, କୋଟିଆ ଆମର କହିଲେ ଚଳିବ ନାହିଁ। ଅବଶ୍ୟ ସେଇଟା ଦିବାସୂର୍ଯ୍ୟ ପରି ସତ୍ୟ ଯେ, କୋଟିଆ ଯୋଉଠି ଅଛି ସେଇଠି ରହିବ ସବୁଦିନ, ଖାଲି ଓଡ଼ିଆ ଫଳକଟା ତେଲୁଗୁ ହୋଇଯାଇଥିବ ଯାହା!
ମୋ: ୯୦୯୦୧ ୯୦୦୬୯


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri