କେବଳ ସାନମାନଙ୍କ ପାଇ

ଗଛ ଫଳ ଦିଏ। ଫଳ ତା’ ପାଖରେ ଥାଏ। ନଦୀ ଜଳ ଦିଏ। ଜଳ ତା’ ପାଖରେ ଥାଏ। ଗାଈ କ୍ଷୀର ଦିଏ। କ୍ଷୀର ତା’ ପାଖରେ ଥାଏ। ସଂସାରରେ କେବଳ ମଣିଷ ଏମିତି ପ୍ରାଣୀ, ଯାହା ତା’ ପାଖରେ ନ ଥାଏ ତାହା ମଧ୍ୟ ସେ ଦାନ କରିପାରେ।
ମା’ଟିଏ ତା’ର ଛୋଟପୁଅକୁ ନେଇ ଗାନ୍ଧିଜୀଙ୍କ ପାଖକୁ ଗଲା। କହିଲା- ଇଏ ବହୁତ ଚିନି ଖାଉଛି। କାହାର କଥା ମାନୁନାହିଁ। ଆପଣ ଥରେ କହିଦିଅନ୍ତୁ ସେ ମାନିଯିବ। ଗାନ୍ଧିଜୀ କେତେଦିନ ପରେ ତାକୁ ଆସିବାକୁ କହିଲେ। ସେଇ ସମୟ ଭିତରେ ସେ ନିଜର ଚିନି ଖାଇବା ରୁଚିକୁ ଛାଡିଲେ ଏବଂ ତା’ପରେ ପିଲାଟିକୁ ଚିନି କମ୍‌ ଖାଇବାକୁ ଉପଦେଶ ଦେଲେ। ଆମେ କିନ୍ତୁ ଏବେ ଗାନ୍ଧିଜୀଙ୍କଠାରୁ ବଡ଼ ମହାତ୍ମା ହୋଇଯାଇଛୁ। ପ୍ରତିଦିନ କେତେ କେତେ ଉପଦେଶ ପିଲାମାନଙ୍କୁ ଶୁଣାଇ ଦେଉଛୁ।
ଉପଦେଶ ଦେବା ବଡ଼ ସହଜ କାମ, ଯାହା ବଡ଼ମାନେ କରନ୍ତି। ଯେଉଁଠି ଯେତେବେଳେ ସୁଯୋଗ ମିଳେ ସାନମାନଙ୍କୁ ଗୁଡ଼ାଏ ଉପଦେଶ ଶୁଣାଇ ଦିଅନ୍ତି। ସାନମାନେ ଯେହେତୁ ସାନ ସେଥିପାଇଁ ନୀରବରେ ସବୁକଥା ଶୁଣନ୍ତି ଏବଂ ଭାବନ୍ତି, ମୁଁ କେବେ ବଡ଼ ହେବି, ଏଇ ଉପଦେଶଗୁଡିକୁ ସାନମାନଙ୍କୁ ଶୁଣାଇବି।
ଏମିତି କେତେ ଉପଦେଶ ଯାହା ଆଗରୁ ନ ଥିଲା। ଏବେ ସମାଜରେ ସେଗୁଡ଼ିିକ ବହୁଳ ପ୍ରଚଳିତ। ଉପରୁ ଦେଖିଲେ ତାହା ଭାରି ସୁନ୍ଦର ଲାଗେ, କିନ୍ତୁ ବାସ୍ତବରେ ତାହାର କୌଣସି ମୂଲ୍ୟ ନ ଥାଏ। ଯେମିତି ଏବେ ସବୁଠି ସମସ୍ତେ ପରିବେଶ ସୁରକ୍ଷା ଚିନ୍ତାରେ ଚିନ୍ତିତ ହୋଇପଡିଛନ୍ତି। ବିଚରା ପିଲାମାନେ, ପରିବେଶ ନଷ୍ଟ ହେବାରେ ଯେଉଁମାନଙ୍କର କୌଣସି ହାତ ନାହିଁ ସେମାନଙ୍କୁ ପରିବେଶ ରକ୍ଷା କରିବାକୁ ଅନର୍ଗଳ ଉପଦେଶ ଦେଉଛନ୍ତି। କହୁଛନ୍ତି-ଗଛ ଲଗାଅ। ଗଛ ଲଗାଅ, ପରିବେଶ ବଞ୍ଚାଅ।
ସତରେ କ’ଣ ଗଛ ଲଗାଇଲେ ପରିବେଶ ବଞ୍ଚିବ? ଆମେ ଏଠାରେ ଗୋଟିଏ ଚାରା ପୋତିବା ବେଳକୁ ତୁମେ ତ ସେଠାରେ ଶହେ ମହାଦ୍ରୁମକୁ କାଟି ପକାଉଛ।
ତୁମେ ଯଦି ଗଛ ନ କାଟିବ ଦଶରୁ କୋଡିଏ ବର୍ଷ ଭିତରେ ଏ ପୃଥିବୀ ଅରଣ୍ୟମୟ ହୋଇଯିବ।
କେତେ ଗୁଳ୍ମ ଲତା ମାଟିରେ ମନକୁମନ ଉଠନ୍ତି। ଗଛଟିଏ ଏକୁଟିଆ ତା’ର ବଂଶବିସ୍ତାର କରିପାରେ। ପୁଣି ବୀଜବପନ ପାଇଁ ପ୍ରକୃତି ନିଜର ଅସଂଖ୍ୟ ସେନାନୀ ନିଯୁକ୍ତ କରିଛି। ପକ୍ଷୀ ସେନାନୀ। ସେମାନଙ୍କର ଗଛ ଲଗାଇବାର ଶକ୍ତି ଏତେ ପ୍ରବଳ ଯେ, ଆମ ଘରର କଂକ୍ରିଟ ଛାତରେ ବି ବରଗଛ ଲଗାଇଦେବେ।
ତେଣୁ ପରିବେଶ ସୁରକ୍ଷା ପାଇଁ ଠିକ୍‌ ଉପଦେଶଟି ହେଉଛି ଗଛ କାଟ ନାହିଁ। କିନ୍ତୁ ଯେହେତୁ ଏହା ବଡ଼ମାନଙ୍କ ପାଇଁ ଉଦ୍ଦିଷ୍ଟ ସେଥିପାଇଁ ତା’ ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି।
ସବୁ ବଡ଼ ଲୋକଙ୍କର ଗୋଟିଏ ଅଭିଯୋଗ, ଆମେ ଏତେ ଉପଦେଶ ଦେଉଛୁ ଅଥଚ ଏ ପିଲାମାନେ କିଛି ମାନୁନାହାନ୍ତି। କାହିଁକି ମାନୁନାହାନ୍ତି ସେ କଥା କେହି ଚିନ୍ତା କରୁନାହାନ୍ତି। ଭୋକିଲା ଭିକାରିଟିଏ ରାସ୍ତାରେ ଭିକ ମାଗୁଛି। ତାକୁ ଘରକୁ ଡାକି କେବଳ କଥାରେ ଭାତ ନେ, ଡାଲି ନେ, ତରକାରି ନେ କହିଲେ ତା’ର ପେଟ ପୂରିଯିବ ନାହିଁ। ଯାହା ତୁମ ପାଖରେ ନାହିଁ ତାହା ତୁମେ ଅନ୍ୟକୁ ଦାନ କରିପାରିବ ନାହିଁ। ଅଥଚ ଆମେ ସେମିତି କରୁଛୁ। ପୁଅକୁ ‘ମିଛ କହିବା ପାପ’ ଶିଖାଉଥିବା ବାପା କହୁଛନ୍ତି-ରାମବାବୁ ବାକିଟଙ୍କା ମାଗିବାକୁ ଆସିଛନ୍ତି, ତାଙ୍କୁ କୁହ ବାପା ଘରେ ନାହାନ୍ତି। ବାଡ଼ରେ ହାତଗଳାଇ ପରବାଡିରୁ ବାଇଗଣ ତୋଳୁଥିବା ମା’ ଝିଅକୁ ଚୋରି କରିବାକୁ ମନା କରୁଛନ୍ତି। ସବୁଦିନ ସ୍କୁଲକୁ ଡେରିରେ ଆସୁଥିବା ଶିକ୍ଷକ ପିଲାମାନଙ୍କୁ ସମୟାନୁବର୍ତ୍ତୀ ହେବାର ପାଠ ବୁଝାଉଛନ୍ତି।
ବଡ଼ କହିଲେ କେବଳ ବୟସରେ ବଡ଼ମାନଙ୍କୁ ବୁଝାଏ ନାହିଁ। ଧନ, ଧର୍ମ ଓ ପଦପଦବୀରେ ଯେଉଁମାନେ ଉଚ୍ଚ ଆସନରେ ବସିଛନ୍ତି ସେମାନେ ନିଜକୁ ବଡ଼ ଏବଂ ଅନ୍ୟମାନଙ୍କୁ ସାନ ବୋଲି ଭାବନ୍ତି। ସେହି ବଡ଼ମାନଙ୍କ ନିକଟରେ ମଧ୍ୟ ଏଇ ବିଲକ୍ଷଣ ଦେଖାଯାଏ। ଆଜି ଯେଉଁମାନେ ଧନିକ, ଧର୍ମଗୁରୁ, ଅଧିକାରୀ, ନେତା, ମନ୍ତ୍ରୀ ଭାବରେ ଦେଶରେ ପୂଜା ପାଉଛନ୍ତି, ସେମାନେ କାଲି ଜେଲ ଭିତରକୁ ଧାଡ଼ି ବାନ୍ଧୁଛନ୍ତି।
ସମାଜରେ ଯେତେସବୁ ଦୁର୍ନୀତି, ଦୁରାଚାର ବଡ଼ମାନେ ହିଁ କରନ୍ତି। ପ୍ରାକୃତିକ ଓ ସାମାଜିକ ଉଭୟ ପରିବେଶକୁ ନଷ୍ଟ କରନ୍ତି। ବଡ଼ରୁ ବଡ଼ ହେବାର ମୋହରେ ସେମାନେ ଯେଉଁ ଅପକର୍ମ କରିଛନ୍ତି ଓ କରୁଛନ୍ତି ସେଥିପାଇଁ ସାନମାନଙ୍କ ଆଗରେ ଆଜି ଗୋଟେ ଭୀଷଣ ବିଶ୍ୱ କଦର୍ଯ୍ୟ ରୂପ ଧରି ଠିଆ ହୋଇଛି; ଯେଉଁଠି ପିଇବାକୁ ପାଣି ନାହିଁ, ଶ୍ୱାସ ନେବାକୁ ବାୟୁ ନାହିଁ, ପ୍ରଚଣ୍ଡ ଉତ୍ତାପ, ମହାମାରୀ ରୋଗର ଭୂତାଣୁ ସବୁ ହାଉଜାଉ ହେଉଛନ୍ତି। ଏସବୁର ପ୍ରତିକାର ସେଇ ବଡ଼ମାନଙ୍କ ନିକଟରେ ଅଛି। ସେମାନଙ୍କୁ ବୁଝିବାକୁ ହେବ। ସୁଧୁରିବାକୁ ହେବ। କଥାରେ ନୁହେଁ କାମରେ କିଛି କରି ଦେଖାଇବାକୁ ହେବ। ଅଥଚ କି ବିଡମ୍ବନା! ସେମାନେ ନିଜେ ନ ସୁଧୁରି ଏବେ କେବଳ ସାନମାନଙ୍କୁ ସୁଧାରିବାରେ ଲାଗିଛନ୍ତି।

ଅଞ୍ଜନ ଚାନ୍ଦ

ଅଙ୍ଗାରଗଡ଼ିଆ, ବାଲେଶ୍ୱର, ମୋ-୯୪୩୭୨୯୬୮୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri