କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ

ଡ. ତ୍ରିନାଥ ପଟ୍ଟନାୟକ
ଜ୍ଞାନ, ଗରିମା ଓ ଚରିତ୍ରରୁ ତେଜସ୍ବିତା ପ୍ରକାଶ ପାଇଥାଏ। ତା’ ପାଇଁ କେହି ଶରୀରକୁ ସଜାଇ ଅହଂପୂର୍ଣ୍ଣ ବାର୍ତ୍ତା ବାଣ୍ଟି ତେଜସ୍ବୀ ହୋଇଯାଏ ନାହିଁ। କାର୍ଯ୍ୟସିଦ୍ଧି ଇଚ୍ଛା କରୁଥିବା ମନସ୍ବୀ ପୁରୁଷ କେତେବେଳେ ଭୂମି ଉପରେ ଶୟନ କରେ ତ କେତେବେଳେ ପଲଙ୍କ ଉପରେ, କେତେବେଳେ ଶାଗପତ୍ର ଖାଏ ତ କେତେବେଳେ ମଠାପାଟ ମଧ୍ୟ ପରିଧାନ କରେ। ସେଥିପାଇଁ ସେ ନିଜକୁ ଅନ୍ୟ ନିକଟରେ ଉତ୍ତମ ରୂପେ ଉପସ୍ଥାପନ କରିବା ନିମନ୍ତେ ପ୍ରସ୍ତୁତ କରାଇ ନ ଥାଏ।
ଯେଉଁମାନେ ପ୍ରତିଭାବାନ ସେମାନେ ନିଜକୁ କାହିଁକି ସଜେଇବେ? କାହିଁକି ନା ସେମାନଙ୍କ ହୃଦୟକୁ ସୁନ୍ଦରୀମାନଙ୍କ କଟାକ୍ଷ ବାଣ ବିଦୀର୍ଣ୍ଣ କରିପାରେ ନାହିଁ। କ୍ରୋଧରୂପୀ ଅଗ୍ନିତାପ ଜ୍ୱାଳା ଦେଇପାରେ ନାହିଁ। ବିଷୟ ବାସନା ଲୋଭପାଶ ଦ୍ୱାରା ଟାଣିପାରେ ନାହିଁ। ସେହି ତ ସମସ୍ତ ହୃଦୟକୁ ଜିଣିପାରେ। ନିଜ ଶରୀର ସୌନ୍ଦର୍ଯ୍ୟ ପ୍ରତି ସେ କାହିଁକି ଗୁରୁତ୍ୱ ଦେବ?
ଜଣେ ଅଭିନେତା ଅଭିନୟ ମାଧ୍ୟମରେ ନିଜକୁ ସଜାଇପାରେ। କିଶୋର ବୟସରେ ଯୁବତୀଯୁବକମାନେ ନିଜ ତନୁ ତନିମାକୁ ଆକର୍ଷିତ କରାଇଥାନ୍ତି। ତାହା ବୟସର ଦାବି। ମାତ୍ର ଜଣେ ସମାଜସେବୀ, ନେତା ବୋଲାଉଥିବା ବ୍ୟକ୍ତି, ଜଣେ ସଂସାରବିରାଗୀ, ସାଧୁ ସନ୍ନ୍ୟାସୀ ବୋଲି ନିଜକୁ ଚିହ୍ନାଉଥିବା ବ୍ୟକ୍ତି ପ୍ରତିଦିନ ପ୍ରସାଧନର ପ୍ରଲେପ ନେଇ ସଜାଇବାର କିଛି ମାନେ ନାହିଁ। ତା’ ଦ୍ୱାରା ନିଜର ବ୍ୟକ୍ତିତ୍ୱ ଓ ତେଜସ୍ବିତାର ପରିପ୍ରକାଶ ଆଦୌ ଘଟିବ ନାହିଁ, ବରଂ ସେ ସମାଜରେ ସମାଲୋଚିତ ହେବେ।
ଜଣେ ନେତାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଲା। ସେ ବିଭିନ୍ନ ପ୍ରସାଧନ ଓ ଆକର୍ଷକ ପୋଷାକରେ ସଜାଇ ବାହାରକୁ ବାହାରିଲେ। ମୁଁ ବ୍ୟସ୍ତ ହେଉଥାଏ, ଆଉ ମନେ ମନେ ଭାବୁଥାଏ ଗାନ୍ଧୀ, ଗୋପବନ୍ଧୁ ଯଦି ନିଜ ଶରୀର ପ୍ରତି ଏମିତି ଯତ୍ନ ନେଉଥାନ୍ତେ, ତେବେ ସେମାନେ ଦେଶସେବା କେତେବେଳେ କରିଥାନ୍ତେ। ଆଉ ଥରେ ଜଣେ ସାଧୁ ଯାତ୍ରାପାର୍ଟି କଳାକାର ଭଳି ମୁହଁରେ ତୀବ୍ର ପ୍ରସାଧନ ନେଇ ମଞ୍ଚ ଉପରକୁ ଆସିଲେ। ଓଠର ସୌନ୍ଦର୍ଯ୍ୟ ବଢ଼ାଇବା ନିମନ୍ତେ ଆରକ୍ତ ରଞ୍ଜିତ କରିଥାନ୍ତି। ସେମାନେ ବୁଝନ୍ତି ନାହିଁ ସାଧୁର ସୌନ୍ଦର୍ଯ୍ୟ ପ୍ରତି ସମାଜ ଆକର୍ଷିତ ହୁଏ ନାହିଁ। ସେଥିପାଇଁ ତ ସେମାନେ ମୁଣ୍ଡନ ହୁଅନ୍ତି କି ଅଯତ୍ନ ଭାବେ ଦାଢ଼ି ନିଶ ବାଳ ବଢ଼ାଇ ଦିଅନ୍ତି। ଦେହରେ ପାଉଁଶ ବୋଳନ୍ତି। ବଚନ ଓ ଆଚରଣ ଦ୍ୱାରା ସାଧାରଣ ଜନତା ପ୍ରଭାବିତ ହୁଅନ୍ତି, ଚେହେରାକୁ ଚାହିଁ ନୁହେଁ। ସାଧୁମାନେ ଏସବୁ କଥା ବୁଝିଥିଲେ। ଯଦି ବିଚାରପୂର୍ବକ ଦେଖାଯାଏ ତେବେ ଜଣାପଡ଼େ ସଂସାରରେ ଜୀବନ ନିର୍ବାହ ଓ ଶରୀର ରକ୍ଷା ନିମନ୍ତେ ରୁଚିକର ଅନ୍ନ, ଡାଲି, ତରକାରି, ଥଣ୍ଡା ପାଣିର ଆବଶ୍ୟକତା ଅଛି। ଶୀତୋଷ୍ଣରୁ ରକ୍ଷା ପାଇବା ନିମନ୍ତେ ଦୁଇ ଚାରିଖଣ୍ଡ ବସ୍ତ୍ର ହେଲେ ଚଳିଲା। ଏହା ବ୍ୟତୀତ ଯିଏ ଅଧିକ ଚାହେଁ ତାକୁ ଆମେ ବାହ୍ୟ ଆଡମ୍ବର ବା ଫେଶନ ବୋଲି କହିବା।
ଆଜିକାଲି ବିଦେଶୀ ସଂସ୍କୃତିକୁ ଆଖିଆଗରେ ରଖି ଆମେ କପଡ଼ାକୁ କାଟି ଅତି ଛୋଟ ଖଣ୍ଡ କରି ପୁଣି ଯୋଡି ଦେହ ଦେଖାଯିବା ଭଳି ପୋଷାକ ପ୍ରସ୍ତୁତ କରୁଛୁ। ତାହାକୁ ପିନ୍ଧୁଛୁ। କେବଳ ଫେଶନ ନିମନ୍ତେ ଯେତିକି କପଡା ନଷ୍ଟ ହେଉଛି ଆମ ଦେଶର ଅର୍ଦ୍ଧନଗ୍ନ ରହୁଥିବା ବହୁ ଲୋକଙ୍କର ଶରୀର ତହିଁରେ ଢଙ୍କା ଯାଇପାରନ୍ତା। ବିଳାସପ୍ରିୟତା ଆମମାନଙ୍କୁ ଅହଂଭାବର ନିର୍ଜୀବ କାଠକଣ୍ଢେଇ ସଜାଇ ଦେଲାଣି। ସେଥିପାଇଁ ଆମେ ଆମ ନିଜ ଦେଶ, ଭାଷା, ଜାତି, ଧର୍ମ ଓ ଐତିହ୍ୟ ଗୌରବର ସ୍ବାଭିମାନକୁ ଭୁଲିଗଲୁଣି। ପଞ୍ଚ ଭୌତିକ ଶରୀରରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ସଦ୍‌ଗୁଣ ଓ ସାତ୍ତ୍ୱିକ ବିଚାର ଭରି ରହିଥାଏ। ମାତ୍ର ତାକୁ ଆମେ ଉନ୍ମୋଚନ ନ କରି ବାହ୍ୟାଡମ୍ବରରେ ମାତିଥାଉ। ଆଉ ଗୋଟିଏ କଥା ମନେରଖିବା ଉଚିତ, ଆମେ ଏଇ ସଂସାରକୁ ଲଙ୍ଗଳା ହୋଇ ଆସିଥିଲେ। ଆଉ ଦିନେ ନିଶ୍ଚିତ ଭାବେ ଆମେ ସମସ୍ତ ବ୍ୟସନବାସନାକୁ ଏଇଠି ଛାଡ଼ିଦେଇ ଚାଲିଯିବା। ଏତେ ଭଲରେ ଥିବା, ସଜେଇ ରଖିଥିବା, ସୁଗନ୍ଧ ଲେପନ କରିଥିବା ଶରୀର ଖଣ୍ଡିକ ଅଗ୍ନିରେ ଭଷ୍ମ ହେବ କି ମାଟିରେ ମାଟି ହୋଇ ମିଶିଯିବ। ଆମର ମୂଲ୍ୟବାନ ପରିଧାନ, ସ୍ବର୍ଣ୍ଣ ଅଳଙ୍କାର ସବୁକୁ ପରିବାର ଲୋକେ ଛଡେଇ ରଖିବେ। କିଛି ହେଲେ ଆମ ସାଥିରେ ନେବା ପାଇଁ ଦେବେ ନାହିଁ।
ଏବେ କୁହ ତ ଆମର ବିଳାସବ୍ୟସନ, ଅନ୍ୟକୁ ଆକର୍ଷିତ କରିବାର ପ୍ରଚେଷ୍ଟାର ପରିଣତି କ’ଣ ହେଲା? ଶରୀରସର୍ବସ୍ବ ହୋଇ, ନିଜକୁ ଶ୍ରେଷ୍ଠ ମଣି କ’ଣ ପାଇଲେ? ଆମ ପାଇଁ ସ୍ବତନ୍ତ୍ର ମାଟି କିମ୍ବା ସ୍ବତନ୍ତ୍ର ଅଗ୍ନିର ବ୍ୟବସ୍ଥା ହେଲା କି? ନିଆଁ ସମସ୍ତଙ୍କ ପାଇଁ ଏକମାତ୍ର ନିଆଁ, ମାଟି ମଧ୍ୟ ଧନୀ ଗରିବ ଜ୍ଞାନୀ ମାନୀ ସମସ୍ତଙ୍କ ପାଇଁ ସେଇ ଏକମାତ୍ର ମାଟି।
ଆମେ ସର୍ବଦା ବୁଝି ବିଚାରି କାମ କରିବା ଉଚିତ। ନିଜକୁ ନିଜେ ଚିହ୍ନିବା ପ୍ରୟୋଜନ। ଆତ୍ମଜ୍ଞାନ ଲୋଡ଼ା। ମନ ସ୍ଥିର କରି ପ୍ରକୃତି ଓ ପରିବେଶକୁ ଲକ୍ଷ୍ୟ କର। ସେଇଠି ଅଛନ୍ତି ଈଶ୍ୱର। ଯେଉଁ ଈଶ୍ୱର ସମସ୍ତଙ୍କ ପାଇଁ ଏକ। ସେଥିପାଇଁ ପ୍ରକୃତି ସ୍ବରୂପ ହିଁ ଆନନ୍ଦ ବ୍ରହ୍ମ। ଜ୍ଞାନୀ ହୁଅ, ପ୍ରକୃତିକୁ ଭଲ ପାଅ, ପ୍ରାଣୀ ପ୍ରତି ପ୍ରେମ କର, ଜୀବହିଂସା କରନାହିଁ। ତେବେ ତୁମେ ହୋଇଯିବ ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌।
ନିଆଳି, କଟକ, ମୋ-୯୯୩୭୮୪୦୩୮୭


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?