କଳା ଶୁଣାଇଥାଏ ଜୀବନର ଗାଥା

ବନ୍ତ,୧୨।୧୨(ଡି.ଏନ.ଏ.)- ଜୀବନ ପାଇଁ କଳା ଅପରିହାର୍ଯ୍ୟ। କଳା ସଂସ୍କୃତିରେ ମଣିଷ ଜୀବନର ଅନୁଭବ ହସକାନ୍ଦ ଫେଣ୍ଟି ହୋଇ ରହିଥାଏ। କଳା ପାଇଁ ସାଧନାର ପଥ ବାଛି ନେଉଥିବା ଗ୍ରାମୀଣ କଳାକାରଙ୍କୁ ଆଜି ବି କିଭଳି ସଂଘର୍ଷମୟ ଜୀବନ ବିତାଇବାକୁ ପଡୁଛି ଭଦ୍ରକ ଜିଲା ନିଳୋକ ପଞ୍ଚାୟତ ଘରପଦା(ରାଣୀପୁର) ଗ୍ରାମର ଭାସ୍କର ଜେନା ତାହାର ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ ା
ଯୁବାବସ୍ଥାରୁ ଭାସ୍କର ଯାତ୍ରା ପାର୍ଟିରେ ଯୋଗଦେଇ ଦୀର୍ଘ ୪୫ ବର୍ଷ ଧରି କଳାକାର ଜୀବନ ବିତାଇଛନ୍ତି। ବୟସାଧିକ କାରଣରୁ ବର୍ତ୍ତମାନ ଆଉ କୌଣସି ଅପେରାରେ କାର୍ଯ୍ୟ କରୁ ନ ଥିଲେ ବି ଆଖପାଖ ଅଞ୍ଚଳରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖୁଛନ୍ତି। ପରିଣତ ବୟସରେ ଅତୀତର ସ୍ମୃତିକୁ ମନେ ପକାଇ ସେ ବାଛି ନେଇଛନ୍ତି ଜିଇବାର ବାଟ। ନିଜର ସ୍ବଳ୍ପ ଚାଷ ଜମି ଓ ପୁଅମାନଙ୍କ ରୋଜଗାରରେ ବହୁ କଷ୍ଟରେ ସେ ପରିବାର ଚଳାଉଛନ୍ତି।
ଅପେରାରେ ବାଦ୍ୟଯନ୍ତ୍ର ବାଦନ କରିବା ସହ ସେ ପ୍ରଥମେ ପ୍ରାରମ୍ଭିକ ସଙ୍ଗୀତ ଗାଉଥିଲେ। ପରେ କ୍ଲାରିଓନେଟ, ସକ୍ସଫୋନ, ସାହାନାଇ, ବଂଶୀ ଆଦି ବାଦ୍ୟଯନ୍ତ୍ର ଶିକ୍ଷା କରି ବିଭିନ୍ନ ଅପେରାରେ କାର୍ଯ୍ୟ କରି ବହୁ ପ୍ରଶଂସା ସାଉଣ୍ଟିଥିଲେ। ଭାସ୍କର କହନ୍ତି, ୭ମ ଶ୍ରେଣୀ ଯାଏ ପାଠ ପଢ଼ି ସେ ଆଉ ଆଗକୁ ପଢ଼ି ପାରି ନ ଥିଲେ। ପରିବାରର ଦୁରବସ୍ଥା ଯୋଗୁ ପେଟ ପୋଷିବା ପାଇଁ ସେ ବନ୍ତସ୍ଥିତ ଓଡ଼ିଶା ଅପେରାରେ ଯୋଗ ଦେଇଥିଲେ। ପ୍ରଥମେ ବିନା ବେତନରେ ତାଙ୍କୁ କାମ କରିବାକୁ ପଡ଼ିଥିଲା। ପରେ କ୍ଲାରିଓନେଟ୍‌ ବାଦକ ଧାମନଗର ବ୍ଲକ ଜୟନଗର ଅଞ୍ଚଳର ଉଦୟନାଥ ସ୍ବାଇଁଙ୍କ ପ୍ରେରଣାରେ ସେ କ୍ଲାରିଓନେଟ ବାଦନ ଶିକ୍ଷା କରି ଯନ୍ତ୍ର ସଙ୍ଗୀତର କଳାକାର ବନି ଯାଇଥିଲେ। ୨୬ ବର୍ଷ ବୟସରେ ସେ ସେକ୍ସଫୋନ ବାଦକ ଭାବେ ମାସିକ ୬୦ ଟଙ୍କା ବେତନରେ କାର୍ଯ୍ୟ କରିଥିଲେ। ସେହିପରି ଉତ୍ତର ଓଡ଼ିଶାରେ ଥିବା ଅନ୍ୟ ଅପେରାରେ ଦୀର୍ଘ ୧୫ବର୍ଷ ଧରି କାର୍ଯ୍ୟ କରିଥିଲେ। ଆଗରୁ କଳାକାରଙ୍କ ଜୀବନ ଥିଲା ଅଧିକ ସଂଘର୍ଷମୟ। ଏବେକାର ସ୍ଥିତିରେ ପରିବର୍ତ୍ତନ ଆସିଛି। ତାଙ୍କ ପିଲାଦିନେ ପେଟ୍ରୋମାକ୍ସ ଲାଇଟ ଓ ମଶାଲ ଜାଳି ଯାତ୍ରା କରାଯାଉଥିଲା। ବର୍ତ୍ତମାନ ସମୟରେ କମ୍ପ୍ୟୁଟର, ଡିଜିଟାଲ ଲାଇଟ ସାଙ୍ଗକୁ ଉନ୍ନତ ଜ୍ଞାନକୌଶଳର ସାଜସଜ୍ଜା ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିପାରୁଛି। ସମାଜ ଜୀବନରେ ସରସତା ଭରି ଦେଉଥିବା ଗ୍ରାମୀଣ କଳାକାରଙ୍କୁ ସ୍ବୀକୃତି ସାଙ୍ଗକୁ ଭତ୍ତା ଭଳି ସୁବିଧା ସହଜରେ ମିଳୁ ନ ଥିବାରୁ ସେମାନଙ୍କୁ ଦୁର୍ବିସହ ଜୀବନ ବିତାଇବାକୁ ପଡୁଥିବା ଭାସ୍କର କହିଛନ୍ତି।