କରୋନା ଆତଙ୍କ : ବଢ଼ିଲା ଖୁଚୁରା ସାମଗ୍ରୀ ଦର

ଖୋର୍ଦ୍ଧା ଅଫିସ,୨୪ା୩ : କରୋନା ଆତଙ୍କ ଯୋଗୁ ଖୋର୍ଦ୍ଧା ସହରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ପୂର୍ବଦର ଅପେକ୍ଷା, ଦ୍ୱିଗୁଣ ଦରରେ ବିକ୍ରି ହେଉଥିବା ମଙ୍ଗଳବାର ନଜରକୁ ଆସିଛି। କରୋନା ଆତଙ୍କକୁ ନେଇ କେତେଜଣ ଅସାଧୁ ବ୍ୟବସାୟୀ ଚଢାଦରରେ ଜିନିଷପତ୍ର ବିକ୍ରି କରୁଥିବାରୁ ଏହାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ପରିବା ଦର ଗତ ୪ଦିନ ତଳେ ଯାହା ଥିଲା ସେଥିରେ ବୃଦ୍ଧି ପାଇଛି ବାଇଗଣ ୪୦ରୁ ୫୦, ଟମାଟୋ ୫୦ରୁ ୬୦, କଲରା ୪୦ରୁ ୫୦, ଝୁଡଙ୍ଗ ୫୦, ଭେଣ୍ଡି ୪୦, କୋବି ଗୋଟିଏ ୩୦ରୁ ୪୦ ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ପାଉଁରୁଟି ୧୦ଟଙ୍କା ଜାଗାରେ ୨୦ ଟଙ୍କା ବିକ୍ରି କରାଯାଉଛି। ସେହିପରି ଆଳୁ ଓ ପିଆଜ ଦର ୨୫ରୁ ୩୦ ଟଙ୍କା ବିକ୍ରି ହେଉଛି। ଏ ନେଇ ଭୁବନେଶ୍ୱର ପାତ୍ରପଡାସ୍ଥିତ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କୁହନ୍ତି, ଦୈନିକ ୩୫୦ଟନ ଆଳୁ ଓ ୨୫୦ ଟନ ପିଆଜ ଆସିଥାଏ। ବର୍ତ୍ତମାନ ସୁଦ୍ଧା ୫୦୦ ଟନ ଆଳୁ ଆମଦାନୀ କରାଯାଇଛି। ଏହା ସତ୍ତ୍ୱେ ଖୁଚୁରା ବଜାରରେ ଆଳୁ ଓ ପିଆଜ ଦର ବୃଦ୍ଧି ଘଟୁଥିବା ଅଭିଯୋଗ ଆସିଛି। ଖୁଚୁରା ଦର ନିୟନ୍ତ୍ରଣ ଉପରେ ପ୍ରଶାସନିକ ଅବହେଳା ଦାୟୀ ଏ ନେଇ ଜିଲାପାଳ ସିତାଂଶୁ ରାଉତଙ୍କୁ ପଚାରିବାରେ ଏ ନେଇ ପ୍ରଶାସନ ପାଖରେ ଖବର ପହଂଚିଛି ଧାର୍ଯ୍ୟ ଦରଠାରୁ କେହି ବ୍ୟବସାୟୀ ଚଡା ଦରରେ କୌଣସି ଜିନିଷ ବିକ୍ରି କଲେ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବଜାର ଦର ଉପରେ ନିୟନ୍ତ୍ରଣ ଲାଗି ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବଜାରରେ ସମସ୍ତ ବିକ୍ରି ସାମଗ୍ରୀର ଦର ଲଗାଯିବା ନେଇ ବ୍ୟବସ୍ଥା କରାଯିବ।