Posted inଫୁରସତ

ଓଳଗ ଗାଁର ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲେଇ ଗାଁକୁ ଆସେ ପାର୍ବଣ। ଗାଁର ଆବାଳ ବୃଦ୍ଧ ବନିତା ମସ୍‌ଗୁଲ ହୋଇଯାନ୍ତି ଏଥିରେ। ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ସମସ୍ତେ ନିଜକୁ ଆଧ୍ୟାତ୍ମିକତାରେ ହଜେଇ ଦିଅନ୍ତି। ପାର୍ବଣର ଏହି ପରମ୍ପରାକୁ ପୁରୁଷ ପୁରୁଷ ଧରି ବଜାୟ ରଖି ଆସୁଥିବା ଏ ଗାଁ ହେଉଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ ଗାଁ। ଏଠାରେ ଯେଉଁ ପାରମ୍ପରିକ ନିଆରା ଦୁର୍ଗାପୂଜା ସଂଗଠିତ ହୁଏ ତାହା ସାରା ଓଡ଼ିଶାରେ ବିରଳ ।

ପାର୍ବଣର ପରମ୍ପରା: ଓଳଗ ଗାଁରେ ବାସ କରୁଥିବା କ୍ଷତ୍ରିୟ ବଂଶର ୨ ଗୋଷ୍ଠୀ ବଡ଼ଓଳଗ ଓ ସାନଓଳଗ ଭାବେ ପରିଚିତ। ପ୍ରତିବର୍ଷ ଏହି ଦୁଇ ଗୋଷ୍ଠୀ ତରଫରୁ ସ୍ବତନ୍ତ୍ର ଶୈଳୀରେ ଦୁର୍ଗାପୂଜା ପାଳିତ ହୋଇଥାଏ। ବଡ଼ଓଳଗ/ବଡ଼ଭାଇ ଗୋଷ୍ଠୀର ମହାପାତ୍ର ବଂଶଜମାନେ ଏକ ପିତଳ କଳସରେ ସ୍ବର୍ଣ୍ଣ/ରୌପ୍ୟର ଚକ୍ଷୁ, ନାସିକା, କର୍ଣ୍ଣ, ଅଧର ଆଦି ରୋପଣ କରିବା ପରେ ତାକୁ ମଣ୍ଡପରେ ସ୍ଥାପନ କରି ମା’ଙ୍କୁ ଆରାଧନା କରିଥାନ୍ତି। ସେହିପରି ସାନଓଳଗ/ସାନଭାଇ ଗୋଷ୍ଠୀର ସୁନ୍ଦରରାୟ ବଂଶଜମାନେ ମହଣ ପତ୍ରକୁ ଦେବୀଦୁର୍ଗା ଭାବେ ପୂଜା କରିଥାନ୍ତି। ପୂର୍ବେ ଏହି ପତ୍ରରେ ସେମାନେ ସ୍ବର୍ଣ୍ଣ/ରୌପ୍ୟରେ ନିର୍ମିତ ଚକ୍ଷୁ, ଅଧର, ନାସିକା କର୍ଣ୍ଣ ଆଦି ରୋପଣ କରି ପୂଜାର୍ଚ୍ଚନା କରୁଥିଲେ ା ହେଲେ ଗତ ୩ ବର୍ଷ ହେବ ସେମାନେ ମା’ଙ୍କର ମୁଖମଣ୍ଡଳ ସହ ଶରୀରର ଏକ ଖୋଳପାକୁ ମହଣ ପତ୍ର ଉପରେ ରଖି ପୂଜା କରୁଛନ୍ତି।

ବିଧିପୂର୍ବକ ପୂଜାର୍ଚ୍ଚନା: ପବିତ୍ର ଷଷ୍ଠୀ ତିଥିଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀରେ ମା’ ଦୁର୍ଗାଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ। ୨ ଗୋଷ୍ଠୀର ଜଣେ ଜଣେ ବ୍ୟକ୍ତି ପ୍ରଥମେ ପୁଣ୍ୟତୋୟା ବୈତରଣୀରେ ଘଟ ଉତ୍ତୋଳନ କରିଥାନ୍ତି। ତା’ପରେ ଢୋଲ, ମହୁରି, ଅନ୍ୟାନ୍ୟ ବାଦ୍ୟଯନ୍ତ୍ରର ତାଳେ ତାଳେ ପୂଜା ମଣ୍ଡପରେ ପବିତ୍ର ଘଟକୁ ସ୍ଥାପନ କରି ମା’ଙ୍କ ପୂଜା କର୍ମ ଆରମ୍ଭ ହୁଏ। ଏହି ସମୟରେ ବିଧିପୂର୍ବକ କ୍ଷତ୍ରିୟ ବଂଶର ଦାୟାଦମାନେ ନିଜ ନିଜ ଘରେ ଥିବା ବାଡ଼ି, ଖଣ୍ଡା, ଧନୁ, ଶର, ତେଣ୍ଟା ଆଦି ହାତହତିଆରକୁ ପୂଜା ମଣ୍ଡପରେ ଅବସ୍ଥାପନ କରିଥାନ୍ତି।
ମହାଷ୍ଟମୀ, ନବମୀରେ ମା’ଙ୍କର ନିଆରା ପୂଜା: ପବିତ୍ର ମହାଷ୍ଟମୀରେ ପୂଜା ମଣ୍ଡପରେ ସକାଳଠାରୁ ରାତ୍ରିର ଅନ୍ତିମ ପ୍ରହର ଯାଏ ଚଣ୍ଡୀପାଠ ସହ ଘୃତାହୁତି ପ୍ରଦାନ କରାଯାଏ। ଗ୍ରାମର ସମସ୍ତ ପରିବାରର ସଦସ୍ୟ ଉପବାସ କରିଥାନ୍ତି। ନିଜ ଗାଁ ବ୍ୟତୀତ ଆଖପାଖ ଗାଁରୁ ଆସିଥିବା ଭୋଗ ସାମଗ୍ରୀକୁ ମା’ଙ୍କୁ ଅର୍ପଣ କରାଯାଏ। ଏହିଦିନ ବଳି ସ୍ବରୂପ ମା’ଙ୍କୁ କୁଷ୍ମାଣ୍ଡ ବି ଅର୍ପଣ କରାଯାଏ। ପୂଜା ଶେଷରେ ପରିବାରର ସମସ୍ତ ବ୍ୟକ୍ତି ମା’ଙ୍କ ଚରଣାମୃତ ପାନ କରି ବ୍ରତ ଭାଙ୍ଗିଥାନ୍ତି। ସେହିପରି ମହାନବମୀରେ ଦିବାରାତ୍ର ଚଣ୍ଡୀପାଠ ସହ ପୂଜା ମଣ୍ଡପରେ ହୋମଯଜ୍ଞର ଆୟୋଜନ କରାଯାଇଥାଏ ା

ଦଶହରାରେ ମା’ଙ୍କୁ ବିଦାୟ: ଦଶହରା ଦିନ ଏକ ବିରାଟ ପଟୁଆରରେ ମା’ ଦୁର୍ଗତିନାଶିନୀଙ୍କୁ ଶୋଭାଯାତ୍ରାରେ ନିଆଯାଏ। ଉଭୟ ଗାଁର ପିଲାଠୁ ବୃଦ୍ଧ ସମସ୍ତେ ଢୋଲମହୁରିର ତାଳେ ତାଳେ ଖଣ୍ଡା ଓ ବାଡି ଖେଳରେ ମସଗୁଲ ହୋଇଯାନ୍ତି। ଏହି ପାରମ୍ପରିକ ଖଣ୍ଡା ଓ ବାଡି ଖେଳକୁ ଦେଖିବା ପାଇଁ ଆଖପାଖ ଗାଁର ଲୋକମାନେ ରୁଣ୍ଡ ହୁଅନ୍ତି। ଏହାପରେ ପ୍ରତି ଘରେ ଘରେ ଭୋଜିଭାତର ଆୟୋଜନ ହୁଏ। ସାତ ତିଅଣ ନ’ ଭଜାରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଏ ା

ଲାଖବିନ୍ଧା ପରମ୍ପରା: ମା’ଙ୍କୁ ବିଦାୟ ଦେଲାପରେ ସାନଓଳଗ ସୁନ୍ଦରରାୟ ବଂଶର ଜଣେ ବ୍ୟକ୍ତି ପାଲିଙ୍କିରେ ବିଦ୍ୟମାନ ହୋଇ ବିଭିନ୍ନ ବାଦ୍ୟର ତାଳେ ତାଳେ ବଡ଼ଓଳଗର ମହାପାତ୍ର ବଂଶଜଙ୍କ ନିକଟକୁ ଆଗମନ କରିଥାନ୍ତି ଓ ଦଶହରା ପଡିଆରେ ଉପନୀତ ହେବାପାଇଁ ନିମନ୍ତ୍ରଣ କରି ଫେରିଆସନ୍ତି। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥାଏ। ଏହାପରେ ଉଭୟ ଗୋଷ୍ଠୀର ଶତାଧିକ ବ୍ୟକ୍ତି ବୀର ବେଶରେ ସଜ୍ଜିତ ହୋଇ ହାତରେ ଧନୁଶର ଧରି ଗାଁଠୁ କିଛି ଦୂରରେ ଥିବା ଦଶହରା ପଡିଆକୁ ଯାତ୍ରା କରନ୍ତି। ସେଠାରେ ବନ୍ଧୁତ୍ୱପୂର୍ଣ୍ଣ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୁଏ। ନିୟମାନୁସାରେ, ୧୦୦ ମିଟର ବ୍ୟବଧାନରେ ପୋତାଯାଇଥିବା ଏକ କଦଳୀ ଗଛକୁ ଲକ୍ଷ୍ୟ କରି ଉଭୟ ଗୋଷ୍ଠୀର ବୀରମାନେ ତୀର ମାରନ୍ତି। ଯେଉଁ ଗୋଷ୍ଠୀର ବ୍ୟକ୍ତି କଦଳୀ ବୃକ୍ଷରେ ପ୍ରଥମେ ତୀର ବଜାନ୍ତି, ସେହି ଗୋଷ୍ଠୀର ବ୍ୟକ୍ତିମାନେ ମା’ଦୁର୍ଗାଙ୍କ ସମ୍ପତ୍ତି ଉପରେ ୧ ବର୍ଷ ପର୍ଯ୍ୟନ୍ତ ମାଲିକାନା ଜାହିର କରିଥାନ୍ତି। ଏହି ବିରଳ ଦୃଶ୍ୟକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ଦଶହରା ପଡିଆରେ ରୁଣ୍ଡ ହୋଇଥାନ୍ତି ା
ରାବଣ ପୋଡ଼ି: ଲାଖବିନ୍ଧା ପର୍ବର ପରିସମାପ୍ତି ପରେ ସନ୍ଧ୍ୟାରେ ଗାଁ ନିକଟସ୍ଥ ମଠଡିହଠାରେ ରାବଣ ପୋଡିର ଆୟୋଜନ ହୋଇଥାଏ। ନିୟମାନୁଯାୟୀ, ସ୍ଥାନୀୟ ସରପଞ୍ଚ ରାବଣ ଦେହରେ ଅଗ୍ନି ସଂଯୋଗ କରିଥାନ୍ତି। ଆତସବାଜିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଯାଏ। ରାବଣ ପୋଡିକୁ ଦେଖିବା ପାଇଁ ଆଖପାଖ ୧୦ଟି ପଞ୍ଚାୟତ ଓ ପଡୋଶୀ ଯାଜପୁର ଜିଲାର ୨ଟି ପଞ୍ଚାୟତର ଲୋକେ ରୁଣ୍ଡ ହୋଇଥାନ୍ତି ା

ଭାଇଚାରା ରଖିବାକୁ ଉଦ୍ୟମ: ଷଷ୍ଠୀଠାରୁ ନବମୀ ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀ ତରଫରୁ ଭାଇଚାରା ରଖିବାକୁ ଉଦ୍ୟମ କରାଯାଏ। ଯେଉଁଥିପାଇଁ ଗ୍ରାମରେ ଥିବା କ୍ଷତ୍ରିୟଙ୍କ ବ୍ୟତୀତ ଅନ୍ୟ ସଂପ୍ରଦାୟର ଲୋକେ ବି ଆଖପାଖ ଗାଁର ବ୍ୟକ୍ତିଙ୍କୁ ସନ୍ଧ୍ୟାରେ ନିଜ ନିଜ ଘରକୁ ଆମନ୍ତ୍ରିତ କରିଥାନ୍ତି। ଏହି ୪ ଦିନ ଘରେ ଘରେ ହୁଏ ପିଠାପଣାର ସମ୍ଭାର। ପୁରି, ଖିରି, ଘିଅପିଠା, ରସାବଳୀ, ପାନତୁଆ, ଲେଡିକିନ, ଜିଲାପି ଆଦି ମିଠା ସହ ବିଭିନ୍ନ ଫଳମୂଳ ଆମନ୍ତ୍ରିତ ଅତିଥିଙ୍କୁ ପରସା ଯାଇଥାଏ। ଏହା ଭାଇଚାରା ରକ୍ଷା କରିବାର ଶ୍ରେଷ୍ଠ ମାଧ୍ୟମ ବୋଲି ସାଧାରଣରେ ଚର୍ଚ୍ଚା ହୁଏ ା
-ଦିପ୍ତୀ ରଞ୍ଜନ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri