Posted inଫୁରସତ

ଏମିତି ନାଁରେ ସ୍କୁଲ୍‌: ମଜାଳିଆ ନାଁ ପଛରେ ରହିଛି କିଛି କଥା ଓ କାହାଣୀ; ଯେମିତି ଗାଲୁଆ,ମାଇଛେଳି..

ଓଡ଼ିଶାରେ ଏମିତି କେତେକ ଶିକ୍ଷାନୁଷ୍ଠାନ ରହିଛି, ଯାହାର ନାଁ ଶୁଣିବାକୁ ମଜାଳିଆ ଲାଗିଥାଏ। ହେଲେ ଏପରି ନାମକରଣ ପଛରେ ରହିଥାଏ କିଛି କଥା ଓ କାହାଣୀ। ସେମିତି କିଛି ଶିକ୍ଷାନୁଷ୍ଠାନ ସମ୍ପର୍କରେ ଏଥରର ପ୍ରଚ୍ଛଦ…

ବିଦ୍ୟାଳୟର ଶୈକ୍ଷିକ ପରିବେଶରେ-ଛାତ୍ରୀଛାତ୍ରଙ୍କ ବୌଦ୍ଧିିକ, ଚାରିତ୍ରିକ ତଥା ଉତ୍ତମ ଜ୍ଞାନର ବିକାଶ ହୋଇଥାଏ। ଏପରିକି ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ବନ୍ଧୁତ୍ୱର ପରିଚୟ ସୃଷ୍ଟି କରିଥାଏ। ଏହା କେବଳ ଶ୍ରେଣୀଗୃହର ଚାରିକାନ୍ଥ ମଧ୍ୟରେ ସୀମିତ ନ ଥାଏ। ଏହାର ସୁପ୍ରଭାବ ସମଗ୍ର ସମାଜ ଉପରେ ପଡ଼ିଥାଏ। ତେବେ ଓଡ଼ିଶାରେ ଏମିତି କେତେକ ଶିକ୍ଷାନୁଷ୍ଠାନ ରହିଛି, ଯାହାର ନାଁ ଶୁଣିବାକୁ ମଜାଳିଆ ଲାଗୁଥିଲା ବେଳେ ସାଧାରଣରେ ହାସ୍ୟରୋଳ ବି ସୃଷ୍ଟି କରିଥାଏ। ହେଲେ ଏପରି ନାମକରଣ ପଛରେ ରହିଛି କିଛି କଥା ଓ କାହାଣୀ। ସେମିତି କିଛି ଶିକ୍ଷାନୁଷ୍ଠାନ ସମ୍ପର୍କରେ ଏଥରର ପ୍ରଚ୍ଛଦ…

 

ଗାଲୁଆ:
କୌଣସି କାର୍ଯ୍ୟକୁ ନେଇ କଥୋପକଥନରେ ଯଦି କେହି ଜାଣିଶୁଣି ମାନେନାହିଁ, ତେବେ ପ୍ରସଙ୍ଗଭିତ୍ତିରେ ପଦେ ଶବ୍ଦ ଶୁଣିବାକୁ ମିଳେ ଗାଲୁଆ। ଏପରି ଶବ୍ଦ ଶୁଣିଲେ କେହି ବି କିଛି ଭାବିପାରେ। ମାତ୍ର ଗାଲୁଆ ଏକ ଗାଁର ନାଁ ବି ରହିଛି। ଏହା ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗାଲୁଆ ଗ୍ରାମପଞ୍ଚାୟତ ଅଧୀନ। ଏଠାରେ ରହିଛି ଗାଲୁଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। ୨୦୧୮-୧୯ ମସିହାରେ ଏହା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗାଲୁଆ ହୋଇଛି। ଏହି ବିଦ୍ୟାଳୟ ୨୦୦୮ରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ୧ମରୁ ୫ମ ଶ୍ରେଣୀରେ ୩୩ ଛାତ୍ରୀଛାତ୍ର ପଢୁଛନ୍ତି। ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ନାୟକ କୁହନ୍ତି, ପୂର୍ବାହ୍ନ ୧୦ଟାରୁ ସ୍କୁଲ ଖୋଲାଯାଏ। ଶିକ୍ଷାଦାନ ପୂର୍ବରୁ ପ୍ରାର୍ଥନା ହୁଏ। ପାଠ୍ୟଖସଡ଼ା ଅନୁସାରେ ପିଲାଙ୍କୁ ଶିକ୍ଷାଦାନ କରାଯାଇଥାଏ। ଏତଦ୍‌ ବ୍ୟତୀତ ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ନିମନ୍ତେ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ କରାଯାଇଥାଏ। ପାନୀୟଜଳର ସୁବିଧା ରହିଛି, ମାତ୍ର ଅଧିକ ଶୌଚାଳୟର ବ୍ୟବସ୍ଥା ନାହିଁ। ପରିବେଶ ସୁରକ୍ଷା ଓ ସ୍ବଚ୍ଛତା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କ ସହଯୋଗ ରହିଛି। ଏହି ଗାଁର ନାଁ ସମ୍ପର୍କରେ ଗ୍ରାମବାସୀ ମାଟିଆ ବାରିକ କୁହନ୍ତି, ପୂର୍ବେ ଏହି ଗାଁକୁ ଲୋକେ ବକ୍ସି ପାଟଣା କହୁଥିଲେ । ଆମ ବାପ ଗୋସିବାପ ଅମଳରୁ ଶୁଣିଥିଲୁ ଏହି ଗାଁର ଜଣେ କବିରାଜ ଥିଲେ। ଥରେ ରାଣୀଙ୍କ ଦେହ ଅସୁସ୍ଥ ହେବାରୁ ଚିକିତ୍ସା କରି ତାଙ୍କୁ ଆରୋଗ୍ୟ କରିଥିଲେ। ସେଥିପାଇଁ ରାଜା ଏହି କବିରାଜଙ୍କ ଗୃହ ଦେଖିବା ନିମନ୍ତେ ଏକ ପ୍ରସ୍ତାବ ଦେଇଥିଲେ ଏବଂ ଯୋଜନା ଅନୁଯାୟୀ ଦିନେ ରାଜା କବିରାଜଙ୍କ ଗାଁକୁ ଆସିଲେ। ମାତ୍ର କବିରାଜଙ୍କ ମନରେ ଗୃହ ପ୍ରତି କୌଣସି ବିପଦ ଆଶଙ୍କା କରି ସେ ରାଜାଙ୍କୁ ବାରିପଟ ରାସ୍ତାରେ କୁଆଡ଼େ ବାଟ ଭୁଲାଇ ଆଣିଥିଲେ। ଏଥିପାଇଁ ରାଜା ସେତେବେଳେ ଏହି କବିରାଜଙ୍କୁ ଗାଲୁଆ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ଏହି ଗାଁର ନାଁ ଗାଲୁଆ ଭାବେ ଲୋକଙ୍କ ମୁଖରେ ପ୍ରଚାର ହୋଇଥିଲା। ଗାଁର ନାମାନୁସାରେ ସ୍କୁଲର ନାମକରଣ ହୋଇଛି।

ମାଈଛେଳି:

ବିଭିନ୍ନ ଗୃହପାଳିତ ପଶୁମାନଙ୍କ ମଧ୍ୟରେ ମାଈଛେଳିର ନାଁ ରହିଛି। ଏହି ମାଈଛେଳି ନାଁଟି ଶୁଣିବାକୁ ମଜା ଲାଗୁଛି ନା! ହଁ, ମାଈଛେଳି ନାଁରେ ଗୋଟିଏ ଗାଁ ରହିଛି। ନୟାଗଡ଼ ଜିଲା ସଦର ମହକୁମାଠାରୁ ୫୭ ନଂ. ଜାତୀୟ ରାଜପଥରେ ପ୍ରାୟ ୧୫ କିମି ଦୂରରେ ପଡ଼େ ନୂଆଗାଁ ବ୍ଲକ ଅଧୀନ ଏହି ଗାଁ। ଏଠାରେ ୧୯୫୪ ମସିହାରୁ ଗାଁ ନାମାନୁସାରେ ମାଈଛେଳି ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଛିି। ୩୫ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୫ ଛାତ୍ରୀ, ୨୦ଜଣ ଛାତ୍ର। ୧ମରୁ ୫ମ ଶ୍ରେଣୀରେ ୩ଜଣ ଶିକ୍ଷକ ଶିକ୍ଷାଦାନ କରିଥାନ୍ତି। ପ୍ରଧାନ ଶିକ୍ଷକ ନାରାୟଣ ମୁଦୁଲି କୁହନ୍ତି, ସ୍କୁଲରେ ଶୌଚାଳୟ, ପାନୀୟଜଳ, ବିଦ୍ୟୁତ୍‌ ଅଛି। ନିକଟରେ ରହିଛି ମାଈଛେଳି ଜଙ୍ଗଲ। ତେବେ ଏହି ଗାଁର କିଛି ବ୍ୟକ୍ତି କୁହନ୍ତି, ଗାଁଟି ଜଙ୍ଗଲାଞ୍ଚଳରେ ରହିଛି। ବହୁଦିନ ପୂର୍ବେ ଅଧିକାଂଶ ସମୟ ଗାଁ ଭିତରକୁ ହିଂସ୍ତ୍ର ଜୀବଜନ୍ତୁମାନେ ପ୍ରବେଶ କରୁଥିବାରୁଏଠାରଲୋକେ ଭୟଭୀତ ହୋଇପଡ଼ୁଥିଲେ। ଅନେକ ସମୟରେ ଏହି ଗାଁକୁ ବାଘ ପଶି ଆସି ଲୋକଙ୍କୁ ଖାଇଯାଉଥିଲା। ଗ୍ରାମଟି ପୁରୁଷଶୂନ୍ୟ ହୋଇଯାଉଥିଲା। ମାତ୍ର ମହିଳାମାନେ ସେମାନଙ୍କ ପିଲାଙ୍କ ସୁରକ୍ଷା ପାଇଁ ଭାଡ଼ିରେ ଲୁଚି ରହୁଥିଲେ। ପିଲାମାନଙ୍କୁ ବଞ୍ଚାଇ ରଖୁଥିବାରୁ ଗାଁର ନାଁ ମାଈଛେଳି ହୋଇଛି। କେହି ବି କୁହନ୍ତି ଏହି ଗାଁରେ ଏକ ବଡ଼ ପଥରକୁ ଜଣେ ମହିଳା ଉଠାଇ ପାରିଥିଲା, ଯାହାକୁ ପୁରୁଷମାନେ ଉଠାଇ ପାରୁନଥିଲେ। ସେଥିପାଇଁ ହାସ୍ୟରୋଳରେ ଗାଁର ନାଁ ଏପରି ହୋଇଛି। ଗାଁର ନାଁ ଅନୁସାରେ ସ୍କୁଲ ନାଁ ମାଇଛେଳି ରହିଛି।

ମହିଷାସୁୁର:

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ମହିଷାସୁର ଗ୍ରାମ ପଞ୍ଚାୟତ। ଏହି ଗାଁରେ ୧୯୪୯ ମସିହାରେ ସ୍ଥାପିତ ହୋଇଛି ମହିଷାସୁର ପ୍ରାଥମିକ ବିଦ୍ୟାଳୟ। ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁପ୍ରଭା ମହାପାତ୍ର କ୍‌ୁହନ୍ତି, ଏଠାରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୮୦ଜଣ ଛାତ୍ରୀଛାତ୍ରଙ୍କୁ ୩ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରିଥାନ୍ତି। ଶୌଚାଳୟ, ପାନୀୟଜଳ, ବିଦୁଃତ୍‌ ବ୍ୟବସ୍ଥାର ସୁବିଧା ରହିଛି। ଶିକ୍ଷକ ସୁଶାନ୍ତ ସାହୁ କୁହନ୍ତି, ଏହି ସ୍କୁଲର କ୍ୟାମ୍ପସ୍‌ ଭିତରେ ଆଉ ଏକ ସ୍କୁଲ ‘ମା’ ପାଟକୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଗାଁର ନାମକରଣକୁ ନେଇ ଗ୍ରାମବାସୀ ସୁବାସ ଚନ୍ଦ୍ର ଜେନା କୁହନ୍ତି, ରାଜନଗରଠାରୁ ବହୁ ଦୂରରେ ରହିଥିବା ରତ୍ନଗିରି ପାହାଡ଼ ଗୁମ୍ପାରେ ମହିଷାସୁର ରହି ନିକଟସ୍ଥ ଅରଣ୍ୟ ପରିଭ୍ରମଣ କରିବା ସମୟରେ ମା’ ଦୁର୍ଗାଙ୍କ ଦ୍ୱାରା ଏହି ସ୍ଥାନରେ ମହିଷାସୁର ନିଧନ ହୋଇଥିଲା ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ସେବେଠାରୁ ବଳବତ୍ତର ରହିଛି। ମା’ ଦୁୁର୍ଗାଦେବୀଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ସେଥିପାଇଁ ଏହି ସ୍ଥାନର ନାମ ମହିଷାସୁର ରହିଛି। ଅନ୍ୟପକ୍ଷେ କନିକା ରାଜା ଭୁଜବଳ ଭଞ୍ଜଦେଓ ଏଠିକାର ଅନ୍ୟ ଜଣେ ରାଜା ମହିଷା ଦାସଙ୍କୁ ପରାଜିତ କରିଥିବାରୁ ସମୟକ୍ରମେ ମହିଷା ଓ ମହିଷାସୁରଙ୍କ ନାମରେ ପରିଚିତ ହୋଇଛି। ଏହି ଗାଁର ନାଁ ଶୁଣିଲେ ମନରେ ପ୍ରଶ୍ନ ଆସେ ସତରେ କ’ଣ ଏହି ଗାଁକୁ ମହିଷାସୁର ଆସିଥିଲେ।

ପିଟାପିଟି:

କେନ୍ଦୁଝର ଜିଲା ସଦର ମହକୁମାଠାରୁ ପ୍ରାୟ ୪୫ କି.ମି.ଦୂର ନରଣପୁର-ବ୍ରାହ୍ମଣୀପାଳ ରାସ୍ତାରେ ହରିଚନ୍ଦନପୁର ପୂର୍ବରୁ ଏକ ଗ୍ରାମ ପଡେ, ଯାହାର ନାମ ପିଟାପିଟି। ଏହି ଗ୍ରାମରେ ୩୯୮ ପରିବାର ଥିବାବେଳେ ଲୋକସଂଖ୍ୟା ପାଖାପାଖି ୧୫୩୭ ହେବ। ଏହି ଗ୍ରାମର ନାମକରଣକୁ ନେଇ କେହିକେହି ଥଟ୍ଟାମଜା କରିଥାନ୍ତି, ମାତ୍ର ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାମଫଳକ ପାଖରେ ସେଲ୍‌ଫି ନେଇଥାନ୍ତି। କାହିଁ କେଉଁ କାଳରୁ ଗାଁ ଲୋକଙ୍କ ଏକତା ହିଁ ଏହି ଗାଁକୁ ମହନୀୟତାର ପରିଚୟ ଦେଇଛି। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗ୍ରାମଟି ୨୫୦ ବର୍ଷ ପୂର୍ବେ ସ୍ଥାପିତ ହୋଇଛି। ଏହି ଅରଣ୍ୟ ମଧ୍ୟରେ ପ୍ରଥମେ ପିଟା କମାର ସମ୍ପ୍ରଦାୟର ପ୍ରାୟ ୬ରୁ ୮ ପରିବାର ଆସି ବସତି ସ୍ଥାପନ କରିଥିଲେ। କୌଣସି କାରଣରୁ ନିଜ ନିଜ ମଧ୍ୟରେ ବାଦବିବାଦ ଲାଗି ରହିବାରୁ ମାରପିଟ ହୋଇ ଗାଁ ଛାଡି ଚାଲିଯାଇଥିଲେ। ବୋଧହୁଏ ପିଟାକମାର ସମ୍ପ୍ରଦାୟର ନାମାନୁସାରେ ଏହି ଗଁା ହୋଇଛି ପିଟାପିଟି । ପରେଶ ଚନ୍ଦ୍ର ସେଠୀ କୁହନ୍ତି- ବର୍ତ୍ତମାନ ମୁଣ୍ଡା, ନାଏକ, କିଷାନ, ମହାନ୍ତ, ପାତ୍ର, ନାହାକ, ବ୍ରାହ୍ମଣ, କମାର, ଚଷା, ଧୋବା, ବାରିକ ଆଦି ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏହି ଗାଁରେ ୧୯୫୪ ମସିହାରେ ଏକ ବିଦ୍ୟାଳୟ ସ୍ଥାପିତ ହୋଇଛି, ଯାହାର ନାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପିଟାପିଟି। ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜେନା କୁହନ୍ତି, ୧ମରୁ ୫ମଯାଏ ପ୍ରାୟ ୫ ଶ୍ରେଣୀରେ ୬୩ ଛାତ୍ରୀଛାତ୍ରଙ୍କୁ ୪ଜଣ ଶିକ୍ଷକ ଶିକ୍ଷାଦାନ କରିଥାଆନ୍ତି। ଶୌଚାଳୟ, ପାନୀୟ ଜଳର ସମସ୍ୟା ରହିଛି। ପାଚେରି ଓ ବିଦ୍ୟୁତ୍‌ ବ୍ୟବସ୍ଥା ହୋଇପାରି ନାହିଁ। ଗ୍ରାମର ଚତୁଃପାର୍ଶ୍ୱ ପାହାଡ଼ ଓ ଜଙ୍ଗଲରେ ପରିପୂର୍ଣ୍ଣ। ଲୋକମାନେ ବଣଜଙ୍ଗଲ ତଥା ଚାଷ ଉପରେ ଜୀବିକା ନିର୍ବାହ କରିଥାନ୍ତି।

ଅଳସୁଆ:

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ରହିଛି ଏକ ଗାଁ। ମାତ୍ର ଏଠାରେ ଏବେ ଲୋକଙ୍କ ବାସଗୃହ ନାହିଁ କି ବାସିନ୍ଦାଙ୍କ ଗାଁ ନାହିଁ। କିନ୍ତୁ ଏକ ବିଦ୍ୟାଳୟ ରହିଛି, ଯାହାର ନା ପ୍ରାଥମିକ ବିଦ୍ୟାଳୟ ଅଳସୁଆ। ଶିଖରଚଣ୍ଡୀରୁ ଦାରୁଠେଙ୍ଗ ରାସ୍ତାରେ ଚନ୍ଦକା ଆଡ଼କୁ ଆସିଲାବେଳେ ପ୍ରାୟ ନଜର ପଡ଼ିବ ଏହି ସ୍କୁଲ ଉପରେ । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ଦାଶ କୁହନ୍ତି, ଦାରୁଠେଙ୍ଗ ଗ୍ରାମପଞ୍ଚାୟତ ଅଧୀନ ଅଳସୁଆ ଗାଁରେ ୧୯୮୬ମସିହାରେ ଏହି ସ୍କୁଲ ସ୍ଥାପିତ ହୋଇଛି । ୧ମରୁ ୫ମଶ୍ରେଣୀରେ ୨ଜଣ ଶିକ୍ଷୟିତ୍ରୀ ୫୩ଜଣ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିଥାନ୍ତି। ଏହି ସ୍କୁଲଟି ରାସ୍ତାକଡ଼ରେ ଥିତ୍ଲେ ମଧ୍ୟ ବିଦ୍ୟାଳୟର ସୁରକ୍ଷା ନିମନ୍ତେ ଆବଶ୍ୟକ ପାଚେରିଟିଏ ନାହିଁ। ମାତ୍ର ଗାଁର ନାମ ଅନୁସାରେ ସ୍କୁଲର ନାମକରଣ ହୋଇଥିବା ସାଧାରଣରେ ଶୁଣିବାକୁ ମିଳେ ।

ହଇରାଣପୁର:

କଟକ ଜିଲା ନରସିଂହପୁର ବ୍ଳକର କୋକଳବା ଗ୍ରା.ପ.ରେ ୨୦୦୪ମସିହାରେ ସ୍ଥାପିତ ହୋଇଛି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ହଇରାଣପୁର। ପ୍ରଧାନଶିକ୍ଷକ ଅନୁପ କୁମାର ବିଶ୍ୱାଳ କୁହନ୍ତି, ୧ମରୁ ୫ମଶ୍ରେଣୀରେ ୨୫ଜଣ ଛାତ୍ରୀଛାତ୍ରଙ୍କୁ ଦୁଇଜଣ ଶିକ୍ଷକ ପଢାଉଛନ୍ତି। ରୋଷେଇ ଘରର ଅଭାବ ରହିଛି। ପାନୀୟଜଳର ସମସ୍ୟା ରହିଛି। ବିଦ୍ୟାଳୟ ପାଠ୍ୟଖସଡ଼ା ଅନୁଯାୟୀ ଶିକ୍ଷାଦାନ ହୋଇଥାଏ। ଏହି ଗାଁଟି ମହାନଦୀ କୂଳରେ ଏକ ଆମ୍ବ ତୋଟାରେ ରହିଥିବାବେଳେ ବର୍ଷାଦିନେ ଅନେକ ସମୟରେ ମହାନଦୀର ବନ୍ୟାଜଳ ଗାଁରେ ପଶିଯିବାରୁ ଏହି ଗାଁର ଲୋକମାନେ ବାରମ୍ବାର ହଇରାଣ ହେଉଥିବାରୁ ଗାଁର ନଁା ଏପରି ହୋଇଛି। ତେବେ ଗାଁର ନାଁ ଅନୁସାରେ ସ୍କୁଲ ନାଁ ହଇରାଣପୁର ପ୍ରାଥମିକ ବିଦ୍ୟାଳୟ ରହିଛି।

କାଦୁଆ:

ପୁରୀ ଜିଲା ସତ୍ୟବାଦୀ ବ୍ଲକର କାଦୁଆ ଗ୍ରାମପଞ୍ଚାୟତରେ ୧୯୩୧ମସିହା ସ୍ଥାପିତ ହୋଇଛି କାଦୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଭୁବନେଶ୍ୱର-ପୁରୀ ୩୧୬ନଂ ଜାତୀୟ ରାଜପଥକୁ ଲାଗି ରହିଛି ଏହି ସ୍କୁଲଟି ।
ଦେଶ ପରାଧୀନ ବେଳେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ ବା କାଦୁଆ ଆଶ୍ରମରେ ଏହି ବିଦ୍ୟାଳୟଟି ଆରମ୍ଭ କରାଯାଇଥିଲା। ବିଦ୍ୟାଳୟ ପାଇଁ କାଦୁଆ ଆଶ୍ରମ ଯୋଗାଇଦେଇଥିବା ଜମିରେ ସରକାରୀ ଅନୁଦାନ କ୍ରମେ ବିଦ୍ୟାଳୟର ଗୃହ ନିର୍ମାଣ କରାଯାଇ ଅଛି। ପ୍ରଧାନ ଶିକ୍ଷୟିତ୍ରୀ ଆଶାଲତା ଦେବୀ କୁହନ୍ତି, ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ୧୯ଜଣ ବାଳକ ଓ ୧୪ଜଣ ବାଳିକା ପାଠ ପଢ଼ୁଛନ୍ତି। ଜଣେ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ କରାଯାଉଛି। ଦୁଇଟି ଶ୍ରେଣୀ କକ୍ଷ, କାର୍ଯ୍ୟାଳୟ ଓ ଗୋଦାମ ଗୃହକୁ ନେଇ ବିଦ୍ୟାଳୟର କଳେବର। ପ୍ରାଚୀର, ଶୌଚାଳୟ, ପିଇବାପାଣି, ଆବଶ୍ୟକ ଶ୍ରେଣୀ କକ୍ଷ, ଖେଳ ପଡିଆ ଅଭାବ ରହିଥିବା ବେଳେ ସୁରଭି କାର୍ଯ୍ୟକ୍ରମରେ ପିଲାମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ, ବିଜ୍ଞାନମେଳା, ବିଭିନ୍ନ ଜାତୀୟ ଓ ସଚେତନତା ଦିବସ ପାଳନ ସହିତ କାଦୁଆ ଆଶ୍ରମରେ ଅନୁଷ୍ଠିତ ସମସ୍ତ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ପିଲାମାନେ ଅଂଶ ଗ୍ରହଣ କରିଥାନ୍ତି । ସହକାରୀ ଶିକ୍ଷକ ଦୀପ୍ତି ରଞ୍ଜନ ସାହୁ କୁହନ୍ତି। କାଦୁଆ ଗ୍ରାମର ନାମାନୁସାରେ ବିଦ୍ୟାଳୟର ନାମକରଣ କରାଯାଇଛି। କାଦୁଆ ଗ୍ରାମଟି ରତ୍ନଚିରା ନଦୀ କୂଳରେ ଅବସ୍ଥିତ । ପୂର୍ବେ ନଦୀପଥରେ ଲୋକେ ଗମନାଗମନ କରୁଥିଲେ। ରତ୍ନଚିରା ନଦୀର ଆର ପାର୍ଶ୍ୱରେ ଏହି ଗ୍ରାମକୁ ଲାଗିରହିଛି ଗଜପତି ମହାରାଜାଙ୍କ ପ୍ରତିଷ୍ଠିତ ଆଦ୍ୟ ଶାସନ ବୀରାମଚନ୍ଦ୍ରପୁର। ଜଗନ୍ନାଥ ସଡକକୁ ଶାସନ ଗ୍ରାମର ଲୋକେ ଆସିବା ବେଳେ ନଦୀ ପାର ହୋଇ ଏହି ଗ୍ରାମର ପଙ୍କକାଦୁଅ ରାସ୍ତାରେ ଯାତାୟାତ କରୁଥିବାରୁ କ୍ରମେ ଲୋକକଥା ଅନୁସାରେ ଗ୍ରାମଟିର ନାମ କାଦୁଅ ହୋଇଥିବା ଅନୁମାନ କରାଯାଏ, ତେବେ କଣ୍ଟାବାଡ଼, କଦଳିବାଡ଼ି, ମନଇଚ୍ଛାପୁର ସମେତ ଆହୁରି ଅନେକ ଗାଁର ନାଁରେ ସ୍କୁଲର ନାମ ଥିବା ଦେଖିବାକୁ ମିଳେ।

ସହରଯାଏ ସବୁଠି ରହିଛି ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ। ବିଦ୍ୟାଳୟକୁ ସାଧାରଣତଃ ଅନେକ କୁହନ୍ତି ମଣିଷ ତିଆରି କାରଖାନା। ତେବେ ବିଦ୍ୟାଳୟର ପରିଚୟକୁ ନେଇ ଛାତ୍ରୀଛାତ୍ରଙ୍କ ମନରେ ନିଆରା ପ୍ରଭାବ ପଡ଼ିଥାଏ।
-ବନବିହାରୀ ବେହେରା
ତଥ୍ୟ ସହାୟତା-: ରଞ୍ଜନ ପ୍ରଧାନ,
ଭାସ୍କର ରାଉତରାୟ, ପ୍ରମୋଦ ରାଉତ, କିଶୋର ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri