ଉତ୍ତରାଧିକାରୀର ଔଦ୍ଧତ୍ୟ

ଡ. ସୁବାସ ଚନ୍ଦ୍ର ପାତ୍ର
ନିଜର ପୂର୍ବଜ, ପୂର୍ବାଧିକାରୀ ବା ପୂର୍ବସୂରୀଙ୍କୁ ଉପହାସ କରିବା, ସେମାନଙ୍କ ଅବଦାନକୁ ଅସ୍ବୀକାର କରିବା, ସେମାନଙ୍କୁ ଲୋକଲୋଚନରେ ଗୌଣ କରି ତୋଳିବା ମଣିଷର ଏକ ସହଜାତ ଗୁଣ। ସାଂପ୍ରତିକ ସ୍ଥିତିରେ ଏହା ଅତି ଉତ୍କଟ, ଦୃଶ୍ୟମାନ ଓ ଚର୍ଚ୍ଚିତ ହେଲାଣି। ଏ ପ୍ରକାର ଏକ ଅଭାବନୀୟ ପରମ୍ପରା ପାରିବାରିକ, ସାମାଜିକ, ସାରସ୍ବତ କ୍ଷେତ୍ରରେ ଦେଖାଯାଏ। ତେବେ ସବୁଠୁ ଦୁଃଖ ଦିଏ ପ୍ରଶାସନିକ ଓ ରାଜନୈତିକ ମହଲରେ ଏହାର ପ୍ରତିଫଳନ।
ପ୍ରଖ୍ୟାତ କବି ଆଲେକ୍‌ଜାଣ୍ଡର ପୋପ୍‌ ପାରିବାରିକ ତଥା ସାମାଜିକ ସ୍ତରରେ ଏ ପ୍ରକାର ମନୋଭାବକୁ ବ୍ୟଙ୍ଗ କରିବାକୁ ଯାଇ ଯେଉଁ ପଂକ୍ତିଯୁଗଳ ରଚନା କରିଥିଲେ ତା’ର ସାରମର୍ମ ହେଲା, ”ଆମେ ଏଡ଼େ ବିଜ୍ଞ ଯେ ଆମ ବାପାଙ୍କୁ ନିର୍ବୋଧ ଭାବୁଁ; ଏହା ନିଃସନ୍ଦେହ ଯେ ଆମର ବିଜ୍ଞତମ ପିଲାମାନେ ଆମକୁ ସେଇଆ ହିଁ ଭାବିବେ।“ (ୱି ଥିଙ୍କ୍‌ ଆୱାର ଫାଦର୍ସ ଫୁଲ ସୋ ୱାଇଜ୍‌ ୱି ଗ୍ରୋ; ଆୱାର ୱାଇଜେଷ୍ଟ ସନସ୍‌ ୱିଲ୍‌ ନୋ ଡାଉଟ୍‌ ଥିଙ୍କ୍‌ ଅସ୍‌ ସୋ)। ପୂର୍ବଜଙ୍କୁ ଉପହାସ କଲାବେଳେ ମଣିଷ ଭୁଲିଯାଏ ସେ ତାଙ୍କ ସମୟ ତଥା ପରିସ୍ଥିତିର ସୃଷ୍ଟି। ତେଣୁ ଶିକ୍ଷା, ଦୀକ୍ଷା, ପାରଦର୍ଶିତା କ୍ଷେତ୍ରରେ ତାଙ୍କର ସୀମିତତା ଥିବ। ଫକୀରମୋହନଙ୍କ ‘ଡାକମୁନ୍‌ସୀ’ ଗଳ୍ପରେ ପୁଅ ଗୋପାଳ ସିଂହର ବାପା ହରି ସିଂହଙ୍କ ପ୍ରତି ଦୁର୍ବ୍ୟବହାରର ମୂଳ ଉତ୍ସ ଥିଲା ମନସ୍ତାତ୍ତ୍ୱିକ- ଅପାଠୁଆ ବାପାଙ୍କୁ ନିର୍ବୋଧ ଭାବି ହେୟଜ୍ଞାନ କରିବା। ତେବେ ଶିକ୍ଷା ସହ ମାନବିକ ଗୁଣାତ୍ମକତାର କି ସଂପର୍କ? ଉଚ୍ଚଶିକ୍ଷିତ ଗୋପାଳ ସିଂହମାନେ କହିପାରିବେ କି ଅଳ୍ପ ଶିକ୍ଷିତ ବା ଅଶିକ୍ଷିତ ହରି ସିଂହମାନଙ୍କଠୁ ସେମାନେ ଉଚ୍ଚତର, ମହତ୍ତର ମଣିଷ? ପାରିବାରିକ ପୂର୍ବଜମାନଙ୍କ ପ୍ରତି ଅବଜ୍ଞା ସାମାଜିକ ସ୍ତରକୁ ସଂକ୍ରମିତ ହୁଏ ଏବଂ ସାଧାରଣ ଭାବରେ ନବଶିକ୍ଷିତ ଯୁବତୀଯୁବକମାନଙ୍କର ବୟସ୍କ ଅଭିଭାବକମାନଙ୍କ ପ୍ରତି ହତାଦର ସବୁଠୁ ଯନ୍ତ୍ରଣାଦାୟକ ଲାଗେ ଯେତେବେଳେ ସେମାନେ ବରିଷ୍ଠମାନଙ୍କର ସଂସ୍କାର, ସମାଜ ନିର୍ମାଣ ପାଇଁ ତ୍ୟାଗ, ବଦାନ୍ୟତାକୁ ତଥାକଥିତ ଶିକ୍ଷାର ମାପକାଠିରେ ତଉଲି ସେମାନେ ସମ୍ମାନାସ୍ପଦ ନୁହନ୍ତି ବୋଲି ଭାବି ନିଅନ୍ତି।
ଅନୁରୂପ ଦୃଶ୍ୟ ଦେଖିବାକୁ ମିଳେ କୌଣସି ଅନୁଷ୍ଠାନ ବା ଗୁରୁତ୍ୱପୂର୍ଣ୍ଣ ପଦବୀରେ ଯୋଗ ଦେଇଥିବା ଅଧିକାରୀମାନଙ୍କର ପୂର୍ବାଧିକାରୀମାନଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ। କାର୍ଯ୍ୟରେ ଯୋଗ ଦେଉ ନ ଦେଉଣୁ ଆଗେ ଆରମ୍ଭ ହୁଏ ପୂର୍ବାଧିକାରୀମାନଙ୍କ ସମୟରେ କ’ଣ ହୋଇ ନାହଁି, କ’ଣ ସବୁ ସେ ଛାଡ଼ି ଯାଇ ନାହାନ୍ତି। ସେମାନଙ୍କ ଅବଦାନକୁ ନ ଦେଖିବାର ବା ସ୍ବୀକାର ନ କରିବାର ଅଭିନୟ କରି ସେମାନେ ନିଜର ଗୁରୁତ୍ୱ ବଢ଼େଇବାକୁ ଚେଷ୍ଟା କରନ୍ତି ଏବଂ ନିଜେ କେଡ଼େ କାର୍ଯ୍ୟଦକ୍ଷ, ବିଜ୍ଞ ଓ ପାରଙ୍ଗମ ଏବଂ କି ପ୍ରକାର ସ୍ବର୍ଣ୍ଣିମ ଯୁଗ କର୍ମଚାରୀମାନଙ୍କୁ ଅପେକ୍ଷା କରିଛି ତା’ର ସଂକେତ ଦେବା ସହିତ ସେମାନେ ବୋଧହୁଏ ଧରି ନିଅନ୍ତି ଅନ୍ୟର ବଦନାମ ନିଜର ସୁନାମ ବୃଦ୍ଧିର ଏକମାତ୍ର ମାର୍ଗ।
ଦୁର୍ଭାଗ୍ୟର କଥା କଳା ଓ ସାହିତ୍ୟ ଜଗତରେ ସମଧର୍ମା ପୂର୍ବଜଙ୍କୁ ଚାପୁଡ଼ା ମାରି ନିଜର ବୈଶିଷ୍ଟ୍ୟ ପ୍ରଦାନ କରିବାକୁ ଚେଷ୍ଟା କରାଯାଏ। ଏ ପ୍ରକାର ମନୋଭାବରୁ ବଡ଼ ବଡ଼ ଲେଖକ ଓ କଳାକାର ବାଦ୍‌ ପଡ଼ନ୍ତି ନାହିଁ। ପ୍ରଖ୍ୟାତ ରୁଷୀୟ ଲେଖକ ଟଲ୍‌ଷ୍ଟୟଙ୍କ ଉକ୍ତି ଉପରେ ନଜର ପକାଇଲେ ସମସ୍ୟାଟି କେଡ଼େ ଦୁର୍ବିଷହ ଜଣାପଡ଼ିବ। ଏକଦା ଟଲ୍‌ଷ୍ଟୟ ତାଙ୍କର ସମସାମୟିକ ବିଖ୍ୟାତ ଲେଖକ ଆଣ୍ଟନ୍‌ ଚେକୋଭଙ୍କୁ କହିଥିଲେ, ”ମୁଁ ଭାବୁଥିଲି ତୁମେ ଜଣେ ବଡ଼ ଲେଖକ ହେବ। କିନ୍ତୁ ଦେଖୁଛି ତୁମେ ସେକ୍ସପିୟରଙ୍କଠୁ ଆହୁରି ଖରାପ ଲେଖୁଛ।“ ଅର୍ଥାତ୍‌ ବିଶ୍ୱର ସର୍ବଶ୍ରେଷ୍ଠ କବି ଓ ନାଟ୍ୟକାର ସେକ୍ସପିୟର ଜଣେ ଖରାପ ଲେଖକ ଏବଂ ଚେକୋଭ ତାଙ୍କଠୁ ହୀନ! ଅନ୍ୟ ଜଣେ ଲେଖକ ବିଷୟରେ ତାଙ୍କର ମତ ଥିଲା, ”ସେ ଆତ୍ମହତ୍ୟା ନ କରି କାହିଁକି ଲେଖୁଛନ୍ତି?“ ଦୁଃଖର କଥା ପରବର୍ତ୍ତୀ ସମୟରେ ଆବିର୍ଭୂତ ଲେଖକମାନେ ସେମାନଙ୍କ ପୂର୍ବଜ ଲେଖକମାନଙ୍କର ସମୟ ତଥା ସମାଜକୃତ ସୀମିତତାର ଅନୁଧ୍ୟାନ କରନ୍ତି ନାହିଁ। ଅହଂକାରର ଅନ୍ଧକାରରେ ସେମାନେ ନିଜ ଛଡ଼ା ଆଉ କାହାକୁ ଦେଖି ପାରନ୍ତି ନାହିଁ। ସେଇଥିପାଇଁ ସାରସ୍ବତ ଗୁଣବତ୍ତା ସହିତ ଐତିହାସିକ ଦାୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ୍‌ କିଛି ନ ଥାଇ କିଛି ଗୋଟିଏ ସୃଷ୍ଟି କରିବା, ବହୁତ ଥାଇ କ’ଣ ଗୋଟିଏ ସୃଷ୍ଟି କରିବାଠୁ ଗୌଣ ନୁହେଁ।
ଫକୀରମୋହନଙ୍କ ପ୍ରସଙ୍ଗରେ ମନୋଜ ଦାସ କହନ୍ତି, ”ଫକୀରମୋହନଙ୍କ ପରେ ଅନେକ ଲେଖକ ଆସିଛନ୍ତି ବା ଆସିବେ ଯେଉଁମାନେ ତାଙ୍କଠ୍‌ୁ ଅଧିକ ଭଲ ଗଳ୍ପ ବା ଉପନ୍ୟାସ ଲେଖିଛନ୍ତି ବା ଲେଖିବେ, ତେବେ ଫକୀରମୋହନ ଏଇଥିପାଇଁ ଅନତିକ୍ରମଣୀୟ ଯେ ତାଙ୍କ ଆଗରେ ଉଦାହରଣ ନ ଥିଲା।“ ତାଙ୍କ ଆଗରେ ଓଡ଼ିଆ କଥାସାହିତ୍ୟର ପୁଞ୍ଜି ବା ମୂଳଦୁଆ ନ ଥିଲା। ସେ ହିଁ ସେ ପୁଞ୍ଜିର ମଞ୍ଜି, ସେ ହିଁ ମୂଳଦୁଆ। ପରବର୍ତ୍ତୀ କଥାସାହିତ୍ୟ ଭିନ୍ନଭଙ୍ଗୀରେ ଫକୀରମୋହନ କଥାସାହିତ୍ୟର ଏକ ବିକଶିତ ରୂପ।
ରାଜନୈତିକ କ୍ଷେତ୍ରରେ ପୂର୍ବସୂରୀମାନଙ୍କୁ ଅହରହ ‘ହତ୍ୟା’ କରାଯାଏ। ଏବେ ନେହେରୁ-ହନନର ଯୁଗ। ଏବେ କିିଛିଲୋକ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ରାତିଦିନ ଖିନ୍‌ଭିନ୍‌ କରୁଛନ୍ତି। ନେହେରୁଙ୍କ ମୃତ୍ୟୁକୁ ହେଲାଣି ୫୫ବର୍ଷ। ପାଞ୍ଚ ଦଶନ୍ଧି ପୂର୍ବରୁ ଇହଧାମ ତ୍ୟାଗ କରିଥିବା ଜଣେ ପ୍ରଧାନମନ୍ତ୍ରୀ କ’ଣ କରିଥିଲେ, କ’ଣ କରିପାରି ନ ଥିଲେ ତାକୁ ନେଇ ମାଳା ଜପିବା ପରିବର୍ତ୍ତେ ବରଂ ଆମେ ଏବେ କ’ଣ କରିପାରିବା ତାକୁ ନେଇ ଚିନ୍ତା କରିବା ଉଚିତ। ଯଦି ୫୦/୬୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ଜଣେ ପ୍ରଧାନମନ୍ତ୍ରୀଙ୍କ ଶବକୁ ଟାଣିଓଟାରି ଆମେ ଆମର ଗୁରୁତ୍ୱ ପ୍ରତିପାଦନ କରିବାକୁ ଚାହୁଁ, ତା’ହେଲେ ଦିନ ଆସିବ କୌଣସି ଶାସନମୁଖ୍ୟ ଅଶୋକ ବା ଆକବରଙ୍କ ବିଫଳତାକୁ ନିଜର ମନ୍ଥର ପ୍ରଗତିର କାରଣ ହିସାବରେ ଉପସ୍ଥାପନ କରିବେ। ପୂର୍ବସୂରୀମାନଙ୍କୁ ପ୍ରହାର ଆଳରେ ଏମିତି ଚିତ୍ର ପ୍ରଦାନ କରାଯାଏ ଯେମିତି ଆମ ଦେଶରେ ରାସ୍ତାଘାଟ, ରେଳଲାଇନ, ନଦୀବନ୍ଧ, ବେତାରକେନ୍ଦ୍ର, ଟେଲି ଯୋଗାଯୋଗ, ଉପଗ୍ରହ ପ୍ରକଳ୍ପ, ଯୁଦ୍ଧ ବିମାନ, ଉଚ୍ଚତର ଶିକ୍ଷାନୁଷ୍ଠାନ, ବିମାନବନ୍ଦର, ବନ୍ଦର ଇତ୍ୟାଦି କିଛି ନ ଥିଲା। ଉତ୍ତରାଧିକାର ସୂତ୍ରରେ ଆମେ କେବଳ ମରୁଭୂମିଟିଏ ପାଇଥିଲୁ, ଯାହାକୁ ବିକଶିତ କରି ଆମେ ଏହି ରୂପକୁ ଆଣିଛୁ। ବାଛି ବାଛି ନିଜର କଳ୍ପିତ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଛାଇକୁ ହତ୍ୟା କରିବା ପରିବର୍ତ୍ତେ ରାଜନୈତିକ ଆଦର୍ଶ ନିର୍ବିଶେଷରେ ଯଦି ଆମର ସମସ୍ତ ପୂର୍ବସୂରୀଙ୍କର କିଛି କିଛି ଅବଦାନ ଓ ଭଲଗୁଣକୁ ସ୍ବୀକାର ତଥା ସ୍ମରଣ କରି ନିଜର କାର୍ଯ୍ୟଶୈଳୀକୁ ପରିବର୍ଦ୍ଧିତ କରିପାରନ୍ତେ, ରାଷ୍ଟ୍ରର ମଙ୍ଗଳ ହୁଅନ୍ତା। ପୂର୍ବଜ ବା ପୂର୍ବସୂରୀ ଆମର ପ୍ରତିବନ୍ଧକ ନୁହନ୍ତି। ସେମାନଙ୍କର ସଫଳତା ଆମ ପାଇଁ ପ୍ରେରଣା, ସେମାନଙ୍କର ବିଫଳତା ଆମ ପାଇଁ ଶିକ୍ଷା ସଦୃଶ। କିନ୍ତୁ ସେମାନଙ୍କୁ ଅପମାନିତ କରି, ପ୍ରହାର କରି ଆମେ ଆମର ଅହଂକାର ଜାହିର କରୁ ସିିନା, ଏହାଦ୍ୱାରା ସମାଜ ବା ରାଷ୍ଟ୍ରର କିଛିି ମଙ୍ଗଳ ହୁଏ ନାହିଁ। କେବଳ ଉତ୍ତରାଧିକାରୀର ଔଦ୍ଧତ୍ୟ ହିଁ ସାବ୍ୟସ୍ତ ହୁଏ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର, ମୋ-୯୪୩୭୩ ୭୬୨୧୯, subashbls56@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri