ଇଲେକ୍ଟୋରାଲ ବଣ୍ଡ୍‌ : ବେନାମୀ ପ୍ରହସନ

ନୀତୀନ ସେଠୀ
ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଇଲେକ୍ଟୋରାଲ ବଣ୍ଡ୍‌ କିଣୁଥିବା ଦାତା ତଥା ତା’ର ଗ୍ରହୀତା ରାଜନୈତିକ ଦଳଗୁଡ଼ିକର ଏକ ଗୁପ୍ତ ସଂଖ୍ୟାଭିତ୍ତିକ ରେକର୍ଡ ରଖିଥାଏ। କିନ୍ତୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଚାହିଁଲେ ଏହି ରେକର୍ଡକୁ ମାଗି ଦେଖିପାରିବେ। ସୁତରାଂ ଏହାକୁ ବେନାମୀ ବୋଲି ଯାହା କୁହାଯାଉଛି ତାହା ଏକ ପ୍ରହସନ ଛଡ଼ା ଆଉ କିଛି ନୁହେଁ।
୨୦୧୭ ଫେବୃୟାରୀରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ରାଜ୍ୟ ସଭାରେ ବେନାମୀ କର୍ପୋରେଟ୍‌ ଦାନକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଥିଲେ। ନିୟମ ଅନୁସାରେ ଦାତାମାନେ ନିଜ ନାମ ଗୋପନ ରଖି ଇଲେକ୍ଟୋରାଲ ବଣ୍ଡ୍‌ କିଣିପାରିବେ ଏବଂ ନିଜ ପସନ୍ଦର ରାଜନୈତିକ ଦଳକୁ ଦାନ କରିପାରିବେ। ଦାତା କୌଣସି ରାଜନୈତିକ ଦଳକୁ କେତେ ଦାନ କଲେ ତାହା କେବଳ ସେ ହିଁ ଜାଣିବେ ବୋଲି ଜେଟ୍‌ଲୀ ଏକ ବ୍ଲଗ୍‌ ପୋଷ୍ଟରେ ଦାବି କରିଥିଲେ। ଏପ୍ରିଲ ୨୦୧୮ରେ ଏପରି କୋଡ୍‌ ନମ୍ବର ବିଶିଷ୍ଟ ଜଣେ ଦାତା ଦୁଇଟି ୧୦୦୦ ଟଙ୍କିଆ ବଣ୍ଡ୍‌ କିଣିଥିଲେ। ସେ ଯେତେବେଳେ କହିଲେ ଯେ ତାଙ୍କ କୋଡ୍‌ ନମ୍ବରଟି ଅତିବାଇଗଣୀ ଆଲୋକରେ ଦେଖାଯାଉଥିଲା, ସେତେବେଳେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍‌ ରିଲିଜ ଜାରି କରାଗଲା। ଏଥିରେ କୁହାଗଲା ଯେ ଏସ୍‌ବିଆଇ ଏହି ନମ୍ବରକୁ ଦାତା ବା ଗ୍ରହୀତା ରାଜନୈତିକ ଦଳ ସହ ସମ୍ବନ୍ଧିତ କୌଣସି ଦଲିଲରେ ଉଲ୍ଲେଖ କରେ ନାହିଁ। ତେଣୁ ଦାତା ବା ଗ୍ରହୀତାଙ୍କୁ ଟ୍ରାକ୍‌ କରିବା ପାଇଁ ଏହି ନମ୍ବରକୁ ବ୍ୟବହାର କରାଯାଇପାରିବ ନାହିଁ। ଏସ୍‌ବିଆଇ ଛଡ଼ା ଅନ୍ୟ କୌଣସି ବ୍ୟାଙ୍କକୁ ଏହି ବଣ୍ଡ୍‌ ବିକ୍ରି ପାଇଁ କ୍ଷମତା ଦିଆଯାଇ ନାହିଁ।
ବର୍ତ୍ତମାନ ସ୍ବଚ୍ଛତା କର୍ମୀ କମୋଡୋର ଲୋକେଶ ବାତ୍ରା ଆର୍‌ଟିଆଇ ଆବେଦନ ମାଧ୍ୟମରେ ପାଇଥିବା ଏବଂ ହଫ୍‌ପୋଷ୍ଟ ସମୀକ୍ଷା କରିଥିବା ଅପ୍ରକାଶିତ ଦଲିଲ ଅନୁସାରେ ସରକାର ଯାହା କହିଛନ୍ତି ତାହା ଭୁଲ୍‌। କାରଣ ଏସ୍‌ବିଆଇ ଉକ୍ତ କୋଡ୍‌ ନମ୍ବରକୁ ବ୍ୟବହାର କରି କିଏ କେତେ ବଣ୍ଡ୍‌ କିଣିଲା ଓ କାହାକୁ ଦେଲା ତାକୁ ଟ୍ରାକ୍‌ କରୁଛି। ଅର୍ଥ ମନ୍ତ୍ରଣାଳୟ ଏଥିପାଇଁ ଅନୁମତି ଦେଇଥିବା ପ୍ରାପ୍ତ ଦଲିଲରୁ ଜଣାପଡ଼ିଛି। ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ନିୟମାବଳୀରେ ରହିଛି ଯେ ଯଦି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଚାହିଁବେ ତେବେ ଏସ୍‌ବିଆଇ ଉକ୍ତ ତଥ୍ୟ ସେମାନଙ୍କୁ ପ୍ରଦାନ କରିବ। କେତେକ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଯଥା ସିବିଆଇ ଓ ଇଡି ତାଙ୍କ ରାଜନୈତିକ ମୁନିବମାନଙ୍କ ଇସାରାରେ କାମ କରୁଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଆସୁଛି। ତେଣୁ ଏହି ଇଲେକ୍ଟୋରାଲ ବଣ୍ଡ୍‌ ବର୍ତ୍ତମାନର ସରକାରଙ୍କ ପାଇଁ ବେନାମୀ ନୁହେଁ। କାରଣ ସରକାର ସିବିଆଇ ବା ଇଡିକୁ ଲଗାଇ ଏସ୍‌ବିଆଇଠାରୁ ସେହି ତଥ୍ୟ ହାସଲ କରିପାରିବେ। କେବଳ ବିରୋଧୀ ଦଳ ଏବଂ ସାଧାରଣ ଜନତା ଏ ବାବଦରେ ଅନ୍ଧାରରେ ରହିବେ। ତଥାପି ପାର୍ଲାମେଣ୍ଟରେ ବିତର୍କରେ ଜେଟ୍‌ଲୀ ଦାବି କରିଥିଲେ ଯେ ଦାତାମାନଙ୍କର ନାମ ପ୍ରକାଶ ନ କରିବାର ଉଦ୍ଦେଶ୍ୟ ହେଉଛି ତାହାଦ୍ୱାରା ବିରୋଧୀ ଦଳଗୁଡ଼ିକ ମଧ୍ୟ ରାଜନୈତିକ ଦାନ ଗ୍ରହଣ କରିବାରେ କୌଣସି ସମସ୍ୟା ରହିବ ନାହିଁ। ଯଦି ସରକାର ବିରୋଧୀ ଦଳଗୁଡ଼ିକୁ ମଧ୍ୟ ସାହାଯ୍ୟ କରିବା ପାଇଁ କୌଣସି ଆଇନ କରୁଛନ୍ତି, ତେବେ ଏହାଦ୍ୱାରା ସରକାରଙ୍କର ମହାନୁଭବତା ପ୍ରକାଶ ପାଉଛି ବୋଲି ଜେଟ୍‌ଲୀ କହିଥିଲେ। କିନ୍ତୁ ଜେଟ୍‌ଲୀଙ୍କର ଏହି ଦାବି ଯେ ନିରାଧାର ଓ ମିଥ୍ୟା ତାହା ହଫ୍‌ପୋଷ୍ଟ ସମୀକ୍ଷା କରିଥିବା ଦଲିଲରୁ ଜଣାପଡ଼ିଛି।
ଫେବୃୟାରୀ ୧, ୨୦୧୭ରେ ଜେଟ୍‌ଲୀ ଯେତେବେଳେ ତାଙ୍କ ବଜେଟ ଭାଷଣରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ବିଷୟରେ ଘୋଷଣା କଲେ, ସେତେବେଳେ ପ୍ରକୃତରେ ଏ ବଣ୍ଡ୍‌ କେମିତି କାମ କରିବ ସେ ବିଷୟରେ ସରକାରଙ୍କର କିଛି ଧାରଣା ନ ଥିଲା। ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ନିର୍ବାଚନ କମିଶନ (ଇସି) ଏବଂ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା କରିଥିଲେ ମଧ୍ୟ ସେମାନଙ୍କ ପରାମର୍ଶକୁ ଗ୍ରହଣ କରି ନ ଥିଲେ। ବର୍ଷକ ପରେ ଜାନୁୟାରୀ ୨୦୧୮ରେ ଅର୍ଥ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ଫାଇଲ ଲିଖନରୁ ଜଣାପଡ଼ିଛି ଯେ, ଏହା ପ୍ରଥମେ ଏକ ମୌଳିକ ଧାରଣାଗତ ଫ୍ରେମ୍‌ଓ୍ବାର୍କ ପ୍ରସ୍ତୁତ କଲା ଏବଂ ତା’ପରେ ଯୋଜନା କେମିତି ଚାଲିବ ସେ ନେଇ ଏସ୍‌ବିଆଇ ଅଧିକାରୀମାନଙ୍କ ସହ ଆଲୋଚନା କଲା। ଜାନୁୟାରୀ ୧୬, ୨୦୧୮ରେ ଏକ ବୈଠକରେ ଏସ୍‌ବିଆଇ ବୁଝାଇଦେଲା ଯେ କ୍ରେତା ଓ ଗ୍ରହୀତାମାନଙ୍କୁ ଚିହ୍ନଟ କରିବା ପାଇଁ ଏକ କ୍ରମିକ ସଂଖ୍ୟା (ସିରିୟଲ ନମ୍ବର) ରଖାଯିବା ଦରକାର। ଇଲେକ୍ଟୋରାଲ ବଣ୍ଡ୍‌ରେ କ୍ରେତା ବା ଦାତାଙ୍କ ନାମ ଉଲ୍ଲେଖ ରହିବ ନାହିଁ, କିନ୍ତୁ ସେଥିରେ ଗୋଟିଏ କ୍ରମିକ ସଂଖ୍ୟା ରହିବ। କ୍ରମିକ ସଂଖ୍ୟା ନ ରହିଲେ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଓ ମିଳାମିଳି ବା ଅଡିଟ୍‌ କରିବା ସମ୍ଭବ ହେବ ନାହିଁ। ଯଦି କୋର୍ଟ ବା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ବଣ୍ଡ୍‌ର କ୍ରେତାମାନଙ୍କ ବିଷୟରେ କିଛି ପଚାରିବେ, ତାଙ୍କୁ କିଛି ଉତ୍ତର ଦିଆଯାଇପାରିବ ନାହିଁ। ଏକକ ଚିହ୍ନଟକାରୀ ବ୍ୟବସ୍ଥା ବ୍ୟତିରେକେ ବଣ୍ଡ୍‌ଗୁଡ଼ିକ ନକଲି କରାଯାଇପାରେ ଏବଂ ତା’ର ହିସାବକିତାବ ରଖିବା ଅସମ୍ଭବ ହୋଇପଡ଼ିବ। ତେବେ ଉକ୍ତ କ୍ରମିକ ସଂଖ୍ୟାର ଉଦ୍ଦେଶ୍ୟ ହେଉଛି ଇଲେକ୍ଟୋରାଲ ବଣ୍ଡ୍‌ଗୁଡ଼ିକର ସତତା ଓ ପ୍ରମାଣିକତାକୁ ସୁନିଶ୍ଚିତ କରିବା। ସର୍ବସାଧାରଣଙ୍କ ପାଇଁ ଦାତାମାନଙ୍କ ନାମ ଗୋପନ ରହିବ କିନ୍ତୁ ଏସ୍‌ବିଆଇ ପାଖରେ ତାହା ଗୋପନ ରହିବ ନାହିଁ। ଅର୍ଥ ମନ୍ତ୍ରଣାଳୟ ଏସ୍‌ବିଆଇର ଏହି ପ୍ରସ୍ତାବରେ ରାଜି ହୋଇଥିବା ପ୍ରାପ୍ତ ଦଲିଲରୁ ଜଣାପଡ଼ିଛି।
ତେବେ ବ୍ୟାଙ୍କକୁ ଏହି ତଥ୍ୟ ଗୋପନ ରଖିବା ଓ କୌଣସି ପରିସ୍ଥିତିରେ ବି ଲିକ୍‌ ନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା କୌଣସି ଆପରାଧିକ ମାମଲା ତଦନ୍ତ ପରିପ୍ରେକ୍ଷୀରେ ତଥ୍ୟ ମାଗିଲେ ଏସ୍‌ବିଆଇ ତାଙ୍କୁ ତାହା ପ୍ରଦାନ କରିବା ପାଇଁ ଇଲେକ୍ଟୋରାଲ ବଣ୍ଡ୍‌ ନିୟମରେ ରହିଛି। କିଭଳି ଆପରାଧିକ ମାମଲା ବିଷୟରେ ଏଠାରେ କୁହାଯାଇଛି, ସେ ବିଷୟରେ ନିୟମରେ ପୂର୍ଣ୍ଣାଙ୍ଗ ବିବରଣୀ ନାହିଁ। କେଉଁ ପରିସ୍ଥିତିରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ତଥ୍ୟ ମାଗିପାରିବେ, ସେ ବିଷୟରେ କିଛି ଉଲ୍ଲେଖ ନାହିଁ।
ସିବିଆଇକୁ ସରକାରଙ୍କ ପୋଷା ଶୁଆ ବୋଲି ସୁପ୍ରିମ୍‌କୋର୍ଟ ଏକଦା ଅଭିହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ସିବିଆଇ ମାଧ୍ୟମରେ ସରକାର ଇଲେକ୍ଟୋରାଲ ବଣ୍ଡ୍‌ଗୁଡ଼ିକର କ୍ରେତା ଓ ଗ୍ରହୀତାମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ହାତେଇବା କିଛି ଅସମ୍ଭବ ନୁହେଁ। ପୁନଶ୍ଚ ଏସ୍‌ବିଆଇ ମଧ୍ୟ ସରକାରଙ୍କ ଆଦେଶ ଓ ନିର୍ଦ୍ଦେଶକୁ ଅନେକ ସମୟରେ ଅବମାନନା କରିଥିବାର ନଜୀର ରହିଛି। ତେଣୁ ସ୍ବୟଂ ଏସ୍‌ବିଆଇ ତଥ୍ୟ ଲିକ୍‌ କରିବା ବି ଅସମ୍ଭବ ନୁହେଁ। ତେଣୁ ଇଲେକ୍ଟୋରାଲ ବଣ୍ଡ୍‌କୁ ବେନାମୀ ବୋଲି ଯାହା କୁହାଯାଉଛି ତାହା ଏକ ପ୍ରହସନ କହିଲେ ଭୁଲ୍‌ ହେବ ନାହିଁ। (ସୌଜନ୍ୟ: ହଫିଙ୍ଗ୍‌ଟନ୍‌ପୋଷ୍ଟ)
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri