ଆୟୋଜକଙ୍କ ଭାଗ୍ୟ

ରୁଦ୍ର ପ୍ରସନ୍ନ ରଥ

ଆମ ଆଖପାଖର ସମାଜରେ ପ୍ରତିଦିନ ଅନେକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଏଥିରୁ କିଛି ବଡ଼ ବଡ଼ ଷ୍ଟାର ହୋଟେଲ୍‌ରେ ଅନୁଷ୍ଠିତ ହୁଏ ତ ଆଉ କିଛି ସହରର କେଉଁ ଗୋଟିଏ ସଭାଘରେ, ତ ଆଉ କିଛି ନିପଟ ମଫସଲ ଗାଁ ପଡିଆରେ। ସଭା ଛୋଟ ହେଉ ବା ବଡ଼, ଯେଉଁଠି ବି ଅନୁଷ୍ଠିତ ହେଉ, ଯେଉଁ ଧରଣର ହେଉ, ପୁରସ୍କାର ଯିଏ ବି ପାଉ, ଏ ସବୁ ପଛରେ କିନ୍ତୁ କେହି ନା କେହି ଆୟୋଜକ ନିଶ୍ଚୟ ଥାଆନ୍ତି। ଗାଁ ହେଉ ବା ସହର, ସାହିତ୍ୟ ସଭା ହେଉ ବା ଶୋକ ସଭା, ଚିନ୍ତା କରିବାଠୁ ଆୟୋଜନ କରିବା ଯାଏ ସବୁ କରିବାର ମାନସିକତା ରଖୁଥିବା ଏହି ଅୟୋଜକମାନଙ୍କର ଭାଗ୍ୟ ସ୍ଥଳବିଶେଷରେ ସମାନ କହିଲେ ଭୁଲ୍‌ ହେବ ନାହିଁ।
ଅନୁଷ୍ଠାନର ବ୍ୟାନରରେ ଏହି ସଭା ସବୁ ଆୟୋଜନ ହେବା କଥା କୁହାଯାଉଥିଲେ ବି ପ୍ରକୃତରେ ହାତଗଣତି ଆୟୋଜକଙ୍କ ଉପରେ ହିଁ ଅଧିକାଂଶ କାର୍ଯ୍ୟଭାର ନ୍ୟସ୍ତ ଥାଏ। ଏହି କତିପୟ କରିତ୍‌କର୍ମାମାନେ ଆୟୋଜନର କର୍ମଧାର ସାଜିଥାନ୍ତି। କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଏମାନଙ୍କୁ ପ୍ରସ୍ତୁତି ବୈଠକ ଡାକିବାକୁ ପଡିଥାଏ। ଗଳାଫଟାଇ କଥା କହିବାରେ ଧୂରୀଣ ଥିବା ଅନେକ ଲୋକ ଏହି ବୈଠକ ସବୁରେ ମତାମତ ସବୁ ଆୟୋଜକଙ୍କ ଉପରେ ଥୋପି ଦେବାକୁ ଭୁଲନ୍ତି ନାହିଁ। ଯେତେ ମୁହଁ ସେତେ ମତ। କେହି ଦେଖନ୍ତି ନାହିଁ ଯେ ଆୟୋଜକ ଜଣଙ୍କ ଏତିକି ସମ୍ବଳରେ ଏ ସବୁ ମତକୁ ଗ୍ରହଣ କରି ତାକୁ କାମରେ ଲଗାଇବାକୁ ସକ୍ଷମ ନୁହନ୍ତି ବୋଲି। କଥା କହିଲେ ଦାୟିତ୍ୱ ସରିଯାଏ। ଭଦ୍ର ବ୍ୟକ୍ତି ଉଠି ଯାଆନ୍ତି ଆଉ ଆୟୋଜକ ମତାମତକୁ ନେଇ ମୁହଁମାଡି ପଡେ।
କାର୍ଯ୍ୟକ୍ରମ ଦିନ ପାଖେଇ ଆସିଲା ବେଳକୁ ଆୟୋଜକର ମୁଣ୍ଡ ଉପରେ କାମ ସବୁ ଭୂତହୋଇ ନାଚୁଥାଆନ୍ତି। ବୈଠକସ୍ଥାନ ନିରୂପଣ କରିବା, ଅତିଥିଙ୍କୁ ନିମନ୍ତ୍ରଣ ପତ୍ର ପଠାଇବା, ବାଜା, ମାଇକ୍‌ ଟେଣ୍ଟ ଆଦି ଭଡାରେ ଯୋଗାଡ କରିବା ଭିତରେ ତା’ର ସୀମିତ ସମ୍ବଳ ଶେଷ ହୋଇଯାଉଥିବା ବେଳେ କାର୍ଯ୍ୟକ୍ରମକୁ ଆଉ ଟିକେ ଭଲ କରି କରିବାର ମୋହ ତଥାପି ତାକୁ ଆଚ୍ଛନ୍ନ କରି ରଖିଥାଏ। ଅନେକ ସମୟରେ ଆୟୋଜକମାନେ ନିଜ ଅନୁଷ୍ଠାନରୁ ହିଁ ବିରୋଧର ସମ୍ମୁଖୀନ ହୁଅନ୍ତି। ପ୍ରତିଟି ମୁହୂର୍ତ୍ତ ତାକୁ ବଡ଼ କଷ୍ଟରେ କାଟିବାକୁ ପଡୁଥାଏ। ବଡ କରି ହେଉ ବା ଭଲ କରି ହେଉ କିଛି ଗୋଟିଏ କରିବା ଚକ୍କରରେ ସେ ନିଜ ଅଜାଣତରେ ଶତ୍ରୁ ତିଆରି କରି ଚାଲିଥାଏ।
ଶେଷରେ ସେଇ ବହୁ ପ୍ରତୀକ୍ଷିତ ସମୟ ଆସି ପହଞ୍ଚେ। କାହିଁ କେଉଁ କାଳରୁ କ୍ୟାଲେଣ୍ଡରରେ ଗୋଲ ବୁଲା ହୋଇଥିବା ତାରିଖ ଘରକୁ ହଠାତ୍‌ କୁଣିଆ ଆସିଲା ପରି ପହଞ୍ଚତ୍ ଯାଇଥାଏ। କାର୍ଯ୍ୟକ୍ରମ ଦିନ ବିଚରା ଆୟୋଜକ ଜଣକ ଆଖିକୁ ନିଦ ନ ଥାଏ। ସକାଳୁ ଉଠି ଫୁଲ ଦେଲାବାଲା, ଖାଇବାକୁ ଦେଲାବାଲା, ପାଣି ଦେଲାବାଲା, ବ୍ୟାନର୍‌ ଛପା ଦୋକାନ ଆଡୁ ଘେରାଏ ବୁଲି ନ ଆସିଲେ ତା’ ମନ ବୁଝେନାହିଁ। ପାଞ୍ଚ କପ୍‌ ଚା’ ଆଉ ବିନା ଜଳଖିଆରେ ତା’ର ସକାଳ ସମୟଟା କଟିଯାଏ। କାର୍ଯ୍ୟକ୍ରମ ସମୟ ପାଖେଇ ଆସିଲା ବେଳକୁ ତା’ର କେଶ ବିପର୍ଯ୍ୟସ୍ତ ହୋଇପଡିଥାଏ। ଶାର୍ଟରେ ଭାଙ୍ଗ ଲୋଚାକୋଚା ହୋଇ ସାରିଥାଏ, ବିଭିନ୍ନ ଲୋକଙ୍କ ସହ କଥା ହୋଇ ହୋଇ ମୋବାଇଲର ବ୍ୟାଟେରି ସରିଯାଇ ମୋବାଇଲ୍‌ ବନ୍ଦ ପଡିଥାଏ। ଏ ବିପର୍ଯ୍ୟସ୍ତ ବ୍ୟବସ୍ଥାରୁ ବାହାରି ନିଜକୁ ସଭା ଉପଯୋଗୀ କଲା ବେଳକୁ ଠିକ୍‌ ସଭା ଆରମ୍ଭ ହେଉଥାଏ।
ସଭା ଚାଲେ। ସଭାରେ କେହି କେହି ଆୟୋଜକଙ୍କୁ ଧନ୍ୟବାଦ ଦିଅନ୍ତି,ଆଉ କିଏ ଆୟୋଜକଙ୍କୁ ପରାମର୍ଶ ମଧ୍ୟ ଦେବାକୁ ଭୁଲନ୍ତି ନାହିଁ। ଏହି ପରାମର୍ଶ ଆଉ ଧନ୍ୟବାଦ ଭିତରେ ଆୟୋଜକ ଜଣକ କିନ୍ତୁ ଆସନ୍ତାକାଲି କଥା ଚିନ୍ତା କରୁଥାଏ। ଶୁଖିଲା ଧନ୍ୟବାଦରେ ନିଜେ ଆପ୍ଳୁତ ହେଉଥିବା ବେଳେ ଆଗାମୀ ପରିସ୍ଥିତିକୁ କିପରି ସାମ୍ନା କରିବାକୁ ହେବ ସେ ବାଟ ବାହାର କରୁଥାଏ। ଖାଲି ହୋଇଯାଇଥିବା ପକେଟରେ ହାତ ପୂରାଇଲାବେଳକୁ ମୁହଁ ଆଗରେ ବାକି ଦେଇଥିବା ଲୋକର ମୁହଁ ଦେଖାଯାଉଥାଏ।
ସଭା ସରିଲା ପରେ ଯିଏ ଯେମିତି ବାଟ ଭାଙ୍ଗନ୍ତି। କିଛିଦିନ ତଳେ ସଭ୍ୟ ଚାନ୍ଦା ଦେଇ ନ ଥିବା ଅଥଚ ସଭାରେ ସବୁଠାରୁ ଆଗଧାଡ଼ିରେ ବସୁଥିବା ଲୋକମାନେ ପୁଣି ଆୟୋଜକଙ୍କୁ ଭୁଲି ଯାଆନ୍ତି ଆଉ ଗୋଟିଏ ବର୍ଷ ପାଇଁ। ଅଥଚ ସେହିମାନେ ହିଁ ଏମିତି ହେଲେ ଭଲ ହୋଇଥାଆନ୍ତା, ଏମିତି ହେବାର ନ ଥିଲା ଆଦି କଟୁବାକ୍ୟ କହି ବିଚରା ଆୟୋଜକଙ୍କୁ ବାରମ୍ବାର ଅତିଷ୍ଠ ଆଉ କ୍ଷତାକ୍ତ କରୁଥାନ୍ତି।
ତୁମେ ପାରିବ କାରଣ ତୁମେ ଆଗରୁ ପାରିଛ ନ୍ୟାୟରେ ବାକି ଶୁଝିବା ଆଉ କାର୍ଯ୍ୟକ୍ରମକୁ ବଜେଟର ସୀମା ଭିତରେ ରଖିବାର ଦୋଛକିରେ ଆୟୋଜକ ଜଣଙ୍କ ଛିଡ଼ା ହୋଇଥାଏ। ଆଉ ଏମିତି ଆୟୋଜନରେ ମୁଣ୍ଡ ପୂରାଇବ ନାହିଁ ବୋଲି ନିଜ ପାଖରେ ରାଣ ଖାଉଥାଏ।
ଚାହୁଁ ଚାହୁଁ ଏ ଭିତରେ ବର୍ଷେ ବତିଯାଇଥାଏ। ଆଉ କେଉଁଥିରେ ମୁଣ୍ଡ ନ ପୂରାଇବାର ରାଣ ଖାଇଥିବା ଆୟୋଜକ ଜଣକ ପୁଣି ଥରେ କାର୍ଯ୍ୟକ୍ରମଟିକୁ ନୂଆ କରି କରିବାରେ ସ୍ବପ୍ନ ଦେଖେ। ଗତ ଥରର ଯନ୍ତ୍ରଣା ଅପେକ୍ଷା ଏଥରର ଆହ୍ବାନ ତାକୁ ଅଧିକ ରୋମାଞ୍ଚକର ମନେହୁଏ। ତାକୁ କରାଯାଇଥିବା ଭର୍ତ୍ସନା ଅପେକ୍ଷା ନୂଆ କିଛି କରିବାର ଆକାଂକ୍ଷା ତାକୁ ଏ ଦିଗରେ ପ୍ରୋତ୍ସାହିତ କରେ।
ଏ ଧରଣର ଆୟୋଜକମାନେ ହିଁ ଏମିତି। ନିିଜେ କଷ୍ଟ ସହିଲେ ବି ଆମ ପାଇଁ ଥିବା କର୍ତ୍ତବ୍ୟରୁ ସେମାନେ କେବେ ଓହରି ଯାଆନ୍ତି ନାହିଁ। ଖାସ୍‌ ଏମାନଙ୍କ ପାଇଁ ହିଁ ସଭାଗୃହ ପୂର୍ଣ୍ଣ ହୁଏ, ତାଳିମାଡ ପଡେ, କାର୍ଯ୍ୟକ୍ରମ ସଫଳତାର ସହ ସଂପୂର୍ଣ୍ଣ ହୁଏ। ଆଉ ଯେତେଦିନ ଯାଏ ଏମାନେ ଥିବେ ସେତେଦିନ ଯାଏ ସହର ହେଉ କିମ୍ବା ଗାଁରେ କାର୍ଯ୍ୟକ୍ରମମାନ ଆୟୋଜନ ହୋଇ ଚାଲିଥିବ।
ଧବଳଗିରି, ଯାଜପୁର ରୋଡ
ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri