ଆମ ସମ୍ବିଧାନର ମହତ୍ତ୍ୱ

ବିପିନ ବିହାରୀ ମିଶ୍ର
ଆମ ସମ୍ବିଧାନ ପ୍ରସ୍ତୁତ ହେଲା ୨୬ ନଭେମ୍ବର ୧୯୪୯ରେ ଏବଂ କାର୍ଯ୍ୟକାରୀ ହେଲା ୨୬ ଜାନୁୟାରୀ ୧୯୫୦ରେ। ସମ୍ବିଧାନରେ ଲେଖାଯାଇଛି ଯେ ସମସ୍ତ ନାଗରିକ ଏହାକୁ ପ୍ରସ୍ତୁତ କରି ନିଜକୁ ସମର୍ପି ଦେଲେ। ଆରମ୍ଭ ହେବା ସମୟରେ ୩୯୫ ଧାରା ଥିଲା, ବର୍ତ୍ତମାନ ଏହା ୪୪୮ରେ ପହଞ୍ଚିଲାଣି। କାରଣ ଅନେକ ଥର ସମ୍ବିଧାନର ସଂଶୋଧନ କରାହୋଇଛି। ୧୯୪୫ ମସିହାରେ ଇଂରେଜ ସରକାର ସମ୍ବିଧାନ ଗଠନ କରିବା ପାଇଁ ଏକ ସଭା କରିବା ଲାଗି ରାଜି ହେଲେ। ଦଶ ଲକ୍ଷ ଲୋକଙ୍କ ପାଇଁ ଜଣେ ସଦସ୍ୟ ରହିବେ ଓ କେତେକ ଗୋଷ୍ଠୀ ସଦସ୍ୟଙ୍କୁ ମଧ୍ୟ ବିଚାରକୁ ନିଆଯିବାର ଥିଲା। ୩୮୯ ସଦସ୍ୟ ରହିବାର ଥିଲା, କିନ୍ତୁ ୨୯୬ ସଦସ୍ୟ ରଖାଗଲା। କାରଣ ମୁସଲିମ ଲିଗ୍‌ ଏହାକୁ ବର୍ଜନ କଲା। ଆମ ଦେଶରେ ଏବେ ସମ୍ବିଧାନ ପ୍ରସ୍ତୁତ ହେଉ, ଯାହାଦ୍ୱାରା ଦେଶ ସ୍ବାଧୀନ ହେଲେ ତୁରନ୍ତ କାର୍ଯ୍ୟକାରୀ କରାଯାଇପାରିବ ବୋଲି ମହାତ୍ମା ଗାନ୍ଧୀ ୧୯୨୨ ମସିହାରୁ ଦାବିକରି ଆସୁଥିଲେ। ୧୮୯୫ରେ ଲୋକମାନ୍ୟ ବାଲ୍‌ ଗଙ୍ଗାଧର ତିଲକଙ୍କ ପ୍ରରୋଚନାରେ ସ୍ବରାଜ୍ୟ ବିଲ୍‌ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କର ଦାବିକୁ ଇଂରେଜ ସରକାର ଗ୍ରହଣ ନ କରିବାରୁ କଂଗ୍ରେସ ଦଳ ମୋତିଲାଲ ନେହେରୁ କମିଟି ବସେଇଲା ଏବଂ ଉକ୍ତ କମିଟି ବେଶି ଜୋର ଦେଲା ମୌଳିକ ଓ ମାନବିକ ଅଧିକାର ଉପରେ। ଆମର ଯେଉଁ ମୌଳିକ ଅଧିକାର ସମ୍ବିଧାନରେ ଅଛି, ସେଥିରୁ ଦଶଟି ହେଉଛି ମୋତିଲାଲଙ୍କ ପ୍ରସ୍ତାବର ସାମାନ୍ୟ ପରିବର୍ତ୍ତନ କରାଯାଇ ଗୃହୀତ ହୋଇଥିବା ଧାରା। ଭାରତୀୟମାନେ ନିଜର ଏକ ସମ୍ବିଧାନ କରିବା ପାଇଁ ଅକ୍ଷମ ବୋଲି ଜଣେ ଇଂରେଜ ପ୍ରଶାସକଙ୍କର ତାଚ୍ଛଲ୍ୟ ଭୁଲ୍‌ ପ୍ରମାଣିତ ହେଲା।
ଇତିମଧ୍ୟରେ ୧୯୩୫ ମସିହାରେ ଇଂରେଜ ସରକାର ଭାରତୀୟମାନଙ୍କୁ ପ୍ରଶାସନର କିଛି ଅଂଶ ଗ୍ରହଣ କରିବା ପାଇଁ ଏକ ନିୟମ ପ୍ରଣୟନ କଲେ, ଯାହା ୧୯୩୫ ମସିହା ଆଇନ ବୋଲି କୁହାଯାଏ। ସମ୍ବିଧାନ-ସଭା ଏହାଦ୍ୱାରା ଅନେକାଂଶରେ ପ୍ରଭାବିତ ହୋଇଛି। ତା’ ବ୍ୟତୀତ ଆମର ଶାସ୍ତ୍ର, ପରମ୍ପରା, ଅତୀତର ବହୁ ଆଇନ ବିଶେଷଜ୍ଞ ଯଥା-ମନୁ, ଶୁକ୍ରାଚାର୍ଯ୍ୟ, ଚାଣକ୍ୟଙ୍କ ମତ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଏହି ସଭାର କାର୍ଯ୍ୟ ଆରମ୍ଭ ହେଲା ୧୯୪୬ ମସିହାରେ। ଦୁଇବର୍ଷ ଏଗାର ମାସ ୧୮ ଦିନ ପର୍ଯ୍ୟନ୍ତ ଆଲୋଚନା ଚାଲିଲା ଓ ଆଲୋଚନା ସମୟରେ ୭୬୫୩ ସଂଶୋଧନ ପ୍ରସ୍ତାବ ଆସିଲା। ସେଥିମଧ୍ୟରୁ ୨୪୭୩ ପ୍ରସ୍ତାବ ଉପରେ ବିଶଦ ଆଲୋଚନା କରାଗଲା। ସମ୍ବିଧାନ ସଭାରେ ଥିଲେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ, ମୌଲାନା ଆବୁଲ କାଲାମ୍‌ ଆଜାଦ୍‌, ଡକ୍ଟର କେ. ମୁନ୍‌ସୀ, ଡ. ଆମ୍ବେଡକର ଓ ଆଲାଡି କ୍ରିଷ୍ଣା ସ୍ବାମୀ ଆୟାର ପ୍ରମୁଖ ବହୁ ସୁନାମଧନ୍ୟ ପ୍ରତିନିଧି।
ଭାରତ ଏକ ବିଶାଳ ଦେଶ। ବହୁ ଭାଷା, ବହୁ ଗୋଷ୍ଠୀ, ଅନେକ ଜନଜାତିଙ୍କର ଥିଲା ଭିନ୍ନ ଭିନ୍ନ ଆଶା ଓ ଦାବି। ସେଥିପାଇଁ ଏଭଳି ସମ୍ବିଧାନ କରାଗଲା, ଯାହାକି ସମଗ୍ର ଦେଶବାସୀଙ୍କୁ ସନ୍ତୁଷ୍ଟ କରିବ ଓ ସମସ୍ତେ ଏହାକୁ ଆମ ସମ୍ବିଧାନ ବୋଲି କହିବେ। ବାସ୍ତବରେ ସମ୍ବିଧାନର ପ୍ରଥମ ଧାଡି ଉଇ ଦି ପିପୁଲ ଅଫ୍‌ ଇଣ୍ଡିଆ (ଆମେ ଭାରତୀୟ ନାଗରିକମାନେ) ଆରମ୍ଭ ହୋଇ ଶେଷ ହୋଇଛି ଗିଭ୍‌ ଆଓ୍ବାରସେଲ୍ଫ ଦି କନ୍‌ଷ୍ଟିଚ୍ୟୁଶନ (ଆମେ ନିଜକୁ ସମ୍ବିଧାନ ଅର୍ପଣ କରୁଛୁ)। ୧୨% ନାଗରିକ ପ୍ରତିନିଧିଙ୍କ ଦ୍ୱାରା ହୋଇଥିଲେ ମଧ୍ୟ ଏହା ସମଗ୍ର ଦେଶର ନାଗରିକମାନଙ୍କର ଇଚ୍ଛାକୁ ପ୍ରତିଫଳନ କରୁଥିଲା। ତେଣୁ ନିଃସଙ୍କୋଚରେ କୁହାଯାଇପାରିବ ଯେ ଆମ ସମ୍ବିଧାନ ନାଗରିକଙ୍କର, ନାଗରିକଙ୍କ ପାଇଁ ଓ ନାଗରିକଙ୍କ ଦ୍ୱାରା। କେହି କେହି ଆକ୍ଷେପ କରିଛନ୍ତି ଏହା ଏଭଳି ଜଟିଳ, ଏତେ ବିଶାଳ ଯେ ସମ୍ବିଧାନ ଆଇନଜୀବୀଙ୍କ ଦ୍ୱାରା ଓ ଆଇନଜୀବୀଙ୍କ ପାଇଁ ଏକ ସ୍ବର୍ଗ। ଯେଉଁମାନେ ଏଭଳି ଆକ୍ଷେପ କରିଛନ୍ତି ସେମାନେ ଅବଗତ ଥିବେ ଯେ ସେହି ତଥାକଥିତ ଆଇନଜୀବୀମାନେ ହେଲେ ପଣ୍ଡିତ ନେହେରୁ (ଯିଏ ଅଳ୍ପ କେତେଦିନ ବିଚାରାଳୟକୁ ଯାଇ କଳା କୋର୍ଟ ଓହ୍ଲାଇ ଦେଇ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ), ତାଙ୍କ ପରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ୟ ଏକ ବାରିଷ୍ଟର କଳାକୋର୍ଟ ଛାଡି ଆନ୍ଦୋଳନ କରିଥିଲେ। ଡ. ଆମ୍ବେଡକର ଉଚ୍ଚଶିକ୍ଷିତ ଓ ଆଇନଜ୍ଞ ହେଲେ ମଧ୍ୟ ସେ ଦଳିତମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ ଓ ସମ୍ବିଧାନ କାର୍ଯ୍ୟକାରୀ କମିଟିର ସଭାପତି ହେଲେ। କେ. ମୁନ୍‌ସୀ ଓକିଲାତି ଛାଡି ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଯେଉଁସବୁ ଆଇନଜୀବୀମାନେ ଯୋଗ ଦେଇଥିଲେ ସେମାନେ ଅତ୍ୟନ୍ତ ପ୍ରତିଷ୍ଠିତ, ବିଜ୍ଞ, ଜ୍ଞାନୀ ଓ ସାମାଜିକ କର୍ମୀ ଥିଲେ। ତେଣୁ ସମ୍ବିଧାନକୁ ଆଇନଜୀବୀଙ୍କ ଦ୍ୱାରା ପ୍ରଣୀତ ବୋଲି କୁହାଯିବ ନାହିଁ ବରଂ ଏହା ଜ୍ଞାନୀ ଓ ଦେଶ ସେବକଙ୍କ ଦ୍ୱାରା ପ୍ରସ୍ତୁତ ବୋଲି କୁହାଯିବ। ସେମାନେ ବିଶାଳ ସମ୍ବିଧାନ କଲେ ଦେଶବାସୀଙ୍କ ପାଇଁ। ବିଭିନ୍ନ ମତର ତର୍ଜମା କରି ସେମାନେ ଏକ ଗ୍ରହଣୀୟ ମତ ସୃଷ୍ଟି କଲେ।
ସମ୍ବିଧାନ ଗଠନ ଆରମ୍ଭରେ ପଣ୍ଡିତ ନେହେରୁ ସମ୍ବିଧାନର ଲକ୍ଷ୍ୟ କ’ଣ ସେ ବିଷୟରେ ଏକ ଚିଠା ପ୍ରସ୍ତୁତ କଲେ ଯାହାକି ପରେ ସମ୍ବିଧାନର ମୁଖଶାଳା ହେଲା। କିନ୍ତୁ ସର୍ଦ୍ଦାର ପଟେଲଙ୍କ ଅବଦାନ ଅଧିକ ଅବିସ୍ମରଣୀୟ। ବିଭିନ୍ନ ପ୍ରସ୍ତାବ, ବାଦବିବାଦ, ସଂଶୋଧନ ପ୍ରସ୍ତାବ ଓ ତା’ର ପ୍ରତିବାଦକୁ ଧୈର୍ଯ୍ୟର ସହିତ ଶୁଣି ସର୍ଦ୍ଦାର ପଟେଲ୍‌ ସଭାରେ କିଛି କହନ୍ତି ନାହିଁ ଏବଂ ଦୁଇ ପକ୍ଷକୁ ପରଦା ପଛକୁ ଡାକି ଆଲୋଚନାକରି ସମାଧାନ କରିଦେଉଥିଲେ। ଏଡେ ବିରାଟ ସମ୍ବିଧାନ ହେଲା, ପ୍ରାୟ ତିନିବର୍ଷ ପର୍ଯ୍ୟନ୍ତ ଆଲୋଚନା ଚାଲିଲା, ଅଥଚ ସଭାଗୃହ ବର୍ଜନ, ସଭାପତି (ରାଜେନ୍ଦ୍ର ପ୍ରସାଦ)ଙ୍କ ଟେବୁଲକୁ ଚଢ଼ିଯିବା, କାଗଜ ଫୋପାଡିବା, ନାରାବାଜି କରିବା ଇତ୍ୟାଦି ଆଚରଣ ଛାଡନ୍ତୁ, କୌଣସି ପ୍ରସ୍ତାବ ଏବଂ ଧାରା ଉପରେ ଭୋଟ ଦାବି ହୋଇନାହିଁ। ଏହା ଆମ ସମ୍ବିଧାନର ଏକ ବିଶେଷତ୍ୱ ଏବଂ ଏହା ପ୍ରମାଣିତ କରେ ଯେ, ସେ ଯୁଗରେ ବହୁ ବିରାଟ ବ୍ୟକ୍ତିତ୍ୱ ଥିଲେ। ସେମାନେ ଦେଶର ପ୍ରତିନିଧି ଏବଂ ତାଙ୍କ ଆଚରଣରୁ ପ୍ରମାଣିତ ହୁଏ ଆମ ଦେଶର ସଂସ୍କୃତି କେଉଁ ସ୍ତରରେ ଥିଲା ଏବଂ ବର୍ତ୍ତମାନ କେଉଁ ସ୍ତରରେ ଅଛି।
ସମ୍ବିଧାନର ଚିଠା ପ୍ରସ୍ତୁତିରେ କେତେକ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିଲା। ଦେଶରେ ସଂସଦୀୟ ଶାସନ ହେବ କି ରାଷ୍ଟ୍ରପତି ଶାସନ ହେବ, ଏକତ୍ୱ ଶାସନ କିମ୍ବା ସଂଘ ଶାସନ, ରାଷ୍ଟ୍ରଭାଷା କ’ଣ ହେବ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କିପରି କ୍ଷମତା ବଣ୍ଟନ ହେବ, ଦଳିତ ଜାତିଙ୍କ ପାଇଁ କିପ୍ରକାର ଏବଂ କେତେ ପର୍ଯ୍ୟନ୍ତ ସ୍ବତନ୍ତ୍ର ସୁବିଧା ଦିଆଯିବ ଇତ୍ୟାଦି ଆଲୋଚନା ହେଲା। ପୁରୁଷୋତ୍ତମ ଦାସ ଟଣ୍ଡନ ଏବଂ ତାଙ୍କ ଗୋଷ୍ଠୀ ଦାବି କଲେ ଯେ, ହିନ୍ଦୀ ରାଷ୍ଟ୍ରଭାଷା ହେଉ, ଯାହାକୁ ଅନେକେ ବିରୋଧ କଲେ। ଜଣେ ସଦସ୍ୟ କହିଲେ ଯେ ଯେଉଁମାନେ ହିନ୍ଦୀ ନ ଜାଣିଛନ୍ତି ସେମାନେ ଦେଶ ଛାଡି ପଳେଇ ଯାଆନ୍ତୁ। ତାଙ୍କୁ ପଣ୍ଡିତ ନେହେରୁ ଏଇଟା ଝାନ୍‌ସୀର ଲୋକମାନଙ୍କ ସଭା ନୁହେଁ, ଏହା ହେଉଛି ଏକ ପବିତ୍ର ଅନୁଷ୍ଠାନର ସଭା କହିି ବସେଇ ଦେଲେ। ଏ ସମସ୍ତ ପ୍ରଶ୍ନର ଉତ୍ତର ଦେଲା ସମ୍ବିଧାନ ସଭା। ଯେତେବେଳେ ଚିଠା ପ୍ରସ୍ତୁତ ହେଲା ସେତେବେଳେ ଦୁଇଜଣଙ୍କର ଅବଦାନ ଆମେ ଭୁଲିବା ଉଚିତ ନୁହେଁ। ସମ୍ବିଧାନ ସଭାରେ ଏନ୍‌. ବେନ୍‌ଗୁଲ ରାଓଙ୍କୁ ଉପଦେଷ୍ଟା ଭାବେ ନିଆଯାଇଥିଲା ଏବଂ ତାଙ୍କର ସହାୟକ ଥିଲେ ଏସ୍‌.ଏନ୍‌. ମୁଖାର୍ଜୀ। ବେନ୍‌ଗୁଲ ରାଓ ଅତି ଉଚ୍ଚଶିକ୍ଷିତ ଆଇସିଏସ୍‌ ଅଫିସର ଓ ହାଇକୋର୍ଟର ଜଜ୍‌ ଥିଲେ। ସେ ଚିଠା ପ୍ରସ୍ତୁତ କରିବାରେ ଡ. ଆମ୍ବେଡକରଙ୍କୁ ବହୁତ ସାହାଯ୍ୟ କରିଛନ୍ତି ଏବଂ ସମ୍ବିଧାନର ଭାଷାକୁ ସରଳ କରିବାରେ ତାଙ୍କର ସହାୟକ ଏସ୍‌.ଏନ୍‌. ମୁଖାର୍ଜୀଙ୍କ ଇତିହାସ ମନେରଖିବା ଉଚିତ। ସେହିପରି ଆଲାଡି କ୍ରିଷ୍ଣା ସ୍ବାମୀ ଆୟାର। ସେ ମାଡ୍ରାସରେ ୧୫ ବର୍ଷ ପର୍ଯ୍ୟନ୍ତ ଆଡଭୋକେଟ୍‌ ଜେନେରାଲ ଓ ଦେଶର ଜଣେ ତୁଙ୍ଗ ଆଇନଜ୍ଞ ବୋଲି ଗଣାଯାଉଥିଲେ। ଡ. ଆମ୍ବେଡକର ନିଜେ ସ୍ବୀକାର କରିଛନ୍ତି ଯେ ଆଇନ ଜ୍ଞାନରେ ଆଲାଡି ତାଙ୍କଠାରୁ ବହୁତ ଆଗରେ। ସଭାରେ ଯେଉଁ ଆଲୋଚନା ହେଲା ତାହା ସମସ୍ତ ଲିଖିତ ହୋଇଛି। ୧୨ ଖଣ୍ଡ ଏବଂ ପ୍ରତ୍ୟେକ ହଜାରେ ପୃଷ୍ଠା ପାଖାପାଖି। ତାକୁ ପଠନ କଲେ ଜଣାଯିବ ଯେ ଆଲୋଚନା କେତେ ଉଚ୍ଚସ୍ତରର ଥିଲା। ଏଇ ଚିଠାକୁ ଧରି ସାର୍‌ ବେନ୍‌ଗୁଲ ରାଓ ଇଂଲଣ୍ଡ, ଆୟର୍ଲାଣ୍ଡ, ଆମେରିକା, କାନାଡାକୁ ଯାଇ ସେଠାର ଆଇନଜୀବୀ, ଜଜ୍‌ ପ୍ରମୁଖଙ୍କ ସହିତ ଆଲୋଚନା କରି ସଂଶୋଧନ ମଧ୍ୟ କଲେ। ଶେଷକୁ ସମ୍ବିଧାନ ପ୍ରସ୍ତୁତ ହେଲା ଏବଂ ୨୬ ଜାନୁୟାରୀରେ ଦେଶକୁ ମିଳିଲା ଏକ ଭେଟି, ଯାହାକି ଚିର ଜୀବନ୍ତ ହୋଇ ଆବଶ୍ୟକତା ଦୃଷ୍ଟିରୁ ସଂଶୋଧିତ ହେଉଛି, କିନ୍ତୁ ପରିବର୍ତ୍ତିତ ହେଉନାହିଁ। ଏହା ହିଁ ଆମ ସମ୍ବିଧାନର ମହତ୍ତ୍ୱ।
ମୋ-୯୦୪୦୪୧୨୩୭୮


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri