ଆପେକ୍ଷିକ ସତ୍ୟର ଅସ୍ବୀକାରରେ ପରାହତ ସତ୍ୟ

ଦିଲୀପ କୁମାର ଦାଶ

୧୯୫୦ରେ ଅକିରା କୁରୋସାବାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ରଶୋମନ ଏକ ଗୂଢ଼ ଦାର୍ଶନିକ ପ୍ରଶ୍ନ ଉଠାଇଥିଲା। ତାହା ଥିଲା, ସତ୍ୟର ପ୍ରତିଷ୍ଠାକୁ ନେଇ। ସେଥିରେ ଗୋଟିଏ ହତ୍ୟାର ବିଚାର ହେଉଥିଲା। ବିଚାରପତି ଅପରାଧ ସ୍ଥଳରେ ଉପସ୍ଥିତ ପ୍ରତ୍ୟେକ ଚରିତ୍ରଠାରୁ ଘଟଣାର ବିବରଣୀ ଶୁଣିଲେ। ଏପରି କି ଜଣେ ଆଧାର ଜରିଆରେ ଆତ୍ମାକୁ ଆବାହନ କରି ମୃତକର ବିବରଣୀ ଶୁଣାଗଲା। ମୃତକ, ତାଙ୍କ ପତ୍ନୀ ଏବଂ ହତ୍ୟାକାରୀ- ପ୍ରତ୍ୟେକଙ୍କ ବିବରଣୀ ଅନ୍ୟଠାରୁ ଭିନ୍ନ ଥିଲା। ନିର୍ଦ୍ଦେଶକ କୁରୋସାବା ଉକ୍ତ ଚଳଚ୍ଚିତ୍ରରେ ସତ୍ୟକୁ ଜାଣିବାର କୌଣସି ନିର୍ଦ୍ଦିଷ୍ଟ ଉପାୟ ଦେଇ ନାହାନ୍ତି। ଦର୍ଶକ ପାଇଁ ସମସ୍ୟା ହେଉଛି କିଏ ବିଶ୍ୱାସଯୋଗ୍ୟ। ଏଠାରେ ସତ୍ୟ ଓ ବିଶ୍ୱାସର ପ୍ରାକୃତିକ ନୀବିଡ଼ତା ଅନୁପସ୍ଥିତ। ଏ ବିଭାଜନ ଉଲ୍ଲେଖଯୋଗ୍ୟ। କାରଣ ଏଠାରେ ବିଶ୍ୱାସ ଦ୍ୱାରା ହିଁ ସତ୍ୟ ପ୍ରତିଷ୍ଠିତ ହେବ, ଅନ୍ୟଥା ଅସମ୍ଭବ। ଏଥିରେ ସତ୍ୟର ସ୍ବାତନ୍ତ୍ର୍ୟ ଅପେକ୍ଷା ସତ୍ୟ ନିମିତ୍ତ ବିଶ୍ୱାସର ଆବଶ୍ୟକତା ଅନୁଭୂତ ହେଉଛି। ଫଳତଃ, ସତ୍ୟ ନିମିତ୍ତ ଜଣେ ବିଶ୍ୱସନୀୟ ନୁହେଁ, ବରଂ ଜଣେ ବିଶ୍ୱସନୀୟ ତେଣୁ ସତ୍ୟବାଦୀ ଭଳି ପ୍ରତୀୟମାନ ହେଉଛି। ଏହି ଯୁକ୍ତିରେ ସତ୍ୟ ଅପେକ୍ଷା ବିଶ୍ୱାସ ଗୁରୁତ୍ତ୍ୱପୂର୍ଣ୍ଣ ଏବଂ ସତ୍ୟ ବିଶ୍ୱାସର ଆଧାର ଉପରେ ନିର୍ଭରଶୀଳ। ତେବେ ପ୍ରଶ୍ନ ଉଠେ ସତ୍ୟର ସ୍ବାତନ୍ତ୍ର୍ୟ ନ ରହିବା ଏବଂ ବିଶ୍ୱସନୀୟତା ଦ୍ୱାରା ନିର୍ଦ୍ଧାରିତ ହେବା ଅସତ୍ୟର ଚାବିକାଠି ନୁହେଁ ତ?
ସତ୍ୟ ଓ ବିଶ୍ୱାସର ଆଲୋଚନାରୁ ଆଉ କିଛି ପ୍ରଶ୍ନ ଆସେ। ସତ୍ୟ ଅପହଞ୍ଚ କାହିଁକି? ସତ୍ୟ ଅପେକ୍ଷା ବିଶ୍ୱାସର ଗୁରୁତ୍ୱ ଅଧିକ କେମିତି ହେଲା? ବିଶ୍ୱାସର ଆଧାର ସତ୍ୟ ନ ହୋଇ, ସତ୍ୟର ଆଧାର ବିଶ୍ୱାସ କେମିତି ହେଲା? ପୁରାଣବିତ୍‌ ଦେବଦତ୍ତ ପଟ୍ଟନାୟକ ପୁରାଣର ସତ୍ୟତା ସମ୍ବନ୍ଧରେ ଆଲୋଚନା କରିବାକୁ ଯାଇ ସତ୍ୟର ପ୍ରକାରଭେଦ ସମ୍ବନ୍ଧରେ ଆଲୋଚନା କରିଛନ୍ତି। କିଛି ସତ୍ୟ ସମସ୍ତଙ୍କ ପାଇଁ ସତ୍ୟ ଏବଂ ଆଉ କିଛି କେତେ ଲୋକଙ୍କ ପାଇଁ ସତ୍ୟ। ଦ୍ୱିତୀୟଟି ଅସତ୍ୟ ନୁହେଁ ବରଂ ଆପେକ୍ଷିକ ସତ୍ୟ। ଆପେକ୍ଷିକ ସତ୍ୟ ସ୍ଥାନ, କାଳ ଏବଂ ପାତ୍ର ଉପରେ ନିର୍ଭରଶୀଳ। ଏହା ଦିବା-ରାତ୍ରି ବିଭାଜନ ଭଳି ସର୍ବଜନ ଗୃହୀତ ସତ୍ୟ ନ ହୋଇପାରେ, କିନ୍ତୁ ଏକ ଆପେକ୍ଷିକ ଅବସ୍ଥାର ପ୍ରତିଫଳନ। ସେ ଅବସ୍ଥା ଏକ ସମୟ ହୋଇପାରେ, ସଂସ୍କୃତି ହୋଇପାରେ; ବା ସ୍ନେହ, ପ୍ରେମ କିମ୍ବା କ୍ରୋଧ ଭଳି ବ୍ୟକ୍ତିଗତ ଭାବ ହୋଇପାରେ ଯାହା ଗବେଷଣାଗାରର ବିଭିନ୍ନ ପ୍ରକ୍ରିୟା ଦ୍ୱାରା ପରୀକ୍ଷିତ ହୋଇପାରିବ ନାହିଁ। ସୁଖ ଆଉ ଦୁଃଖର ପରିମାପ କାହାକୁ ଜଣା? ଏହା କେବଳ ବୈଚାରିକ ସମବେଦନା ଦ୍ୱାରା ଅନୁଭବ କରିହେବ। ଅନୁଭବ ସାର୍ବଜନୀନ ହେବା ଜରୁରୀ ନୁହେଁ। ବ୍ୟକ୍ତିଗତ ବା କୌଣସି ଏକ ଗୋଷ୍ଠୀଗତ ଅନୁଭବ ମଧ୍ୟ ସେ ବ୍ୟକ୍ତି ବା ଗୋଷ୍ଠୀର ସତ୍ୟ। ଆପେକ୍ଷିକ ସତ୍ୟକୁ ଅସ୍ବୀକାର କରି ସର୍ବଦା ଏକ ସାର୍ବଜନୀନ ସତ୍ୟର ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା ସତ୍ୟର ପ୍ରାଧାନ୍ୟକୁ ଦୁର୍ବଳ କରିଛି। ସାର୍ବଜନୀନତାର ନିଷ୍ଫଳ ପ୍ରଚେଷ୍ଟା ସତ୍ୟକୁ ହିଁ ଅପହଞ୍ଚ କରିଛି।
ଅନୁଭବର ବାହାରେ ସତ୍ୟ ଏକ ଅପହଞ୍ଚ ପ୍ରହେଳିକା, ଯାହା ପାଇଁ ଏକ ଆଧାର ଆବଶ୍ୟକ। ବିଶ୍ୱାସ ହେଉଛି ସେହି ଆଧାର। କାରଣ ବିଶ୍ବାସର ମୂଳଦୁଆ ଉପରେ ସମାଜ ପ୍ରତିଷ୍ଠିତ ଏବଂ ମଣିଷ ସତ୍ୟ ପ୍ରତିଷ୍ଠାର ଜଟିଳ ପ୍ରକ୍ରିୟା ପରିବର୍ତ୍ତେ ତା’ ସାମାଜିକତାର ପ୍ରାଥମିକ ଆଧାର ବିଶ୍ୱାସକୁ ପ୍ରାଧାନ୍ୟ ଦେଇଛି। ବିଶ୍ୱାସ ତା’ ଜୀବନର ସାହାରା ଓ ତା’ ସତ୍ୟର ମାପକାଠି ହୋଇଛି। ସ୍ବଭାବତଃ, ଆତ୍ମୀୟତାର ଭାବରେ, ଭାବପ୍ରବଣତାରେ, କାହାର ବା କାହାର ସୁନ୍ଦର ସ୍ବପ୍ନ ଅଥବା କୋକୁଆ ଭୟରେ ସତ୍ୟ ଏବେ ପର୍ଯ୍ୟବସିତ। ଯିଏ ଯେତେ ବିଶ୍ୱସନୀୟ ସେ ସେତେ ସତ୍ୟ। ବିଶ୍ୱାସ ଏକ ବିନିଯୋଗ। ଅର୍ଥାତ ବିଶ୍ୱାସ ଜିଣିବା ହିଁ ଚାବିକାଠି। ତେଣୁ ଜାତି, ଧର୍ମ ତଥା ଆଞ୍ଚଳିକତା ଭଳି ମୌଳିକ ପରିଚୟରେ, ଅଥବା ସମସାମୟିକତା ବା ସମାସ୍କନ୍ଧ ହେବାର ଦ୍ବାହିରେ କିମ୍ବା ସାମାଜିକ ଗଣମାଧ୍ୟମ ଭଳି ଯାନ୍ତ୍ରିକ ସୂତ୍ରକୁ ଅନ୍ଧ ଭାବରେ ବିଶ୍ୱାସ କରିବା ଅସମ୍ଭବ ନୁହେଁ। ଫଳତଃ, ଅସତ୍ୟର ପ୍ରଚାର ଏବଂ ପ୍ରସାର ହେବା ଆଶ୍ଚର୍ଯ୍ୟଜନକ ନୁହେଁ। ଏପରି କି ବିଶ୍ୱାସର ଭାବମୟତା ଆଗରେ କୌଣସି ପ୍ରମାଣ ମଧ୍ୟ ଉପଯୁକ୍ତ ଉପଚାର ଭଳି ପ୍ରତୀୟମାନ ହେଉନାହିଁ। ଉତ୍ତର-ସତ୍ୟ ଆଜିର ସାମାଜିକ ତଥା ରାଜନୈତିକ ଜୀବନରେ ସତ୍ୟର ଅନୁପସ୍ଥିତିକୁ ବୁଝାଏ। ଏହା ଆପେକ୍ଷିକତାର ଅସ୍ବୀକାରରେ ଅସତ୍ୟ କେମିତି ମାତିଛି ସେଥିପ୍ରତି ଇଙ୍ଗିତ କରୁଛି।
ଭାରତୀୟ ଦର୍ଶନରେ ସତ୍ୟର ଅନେକ ରୂପରେଖ ରହିଛି। ବୈଦିକ ଆଲୋଚନାରେ ସତ୍ୟ ଏକ ପ୍ରମୁଖ ବିଷୟ ହୋଇଥିବା ବେଳେ ଉପନିଷଦରେ ଏହାକୁ ଏକ ଉତ୍ତରିତ ଗୁଣ ଭାବେ ଗ୍ରହଣ କରାଯାଇଛି।
ଅଧୁନା, ଆପେକ୍ଷିକତାର ଅସ୍ବୀକାର କେବଳ ଅସତ୍ୟର ପ୍ରସାର କରିନି, ତା’ସହ ଅନେକ ସାର୍ବଜନୀନ ମୂଲ୍ୟବୋଧକୁ ମଧ୍ୟ ବିପର୍ଯ୍ୟସ୍ତ କରିଛି। ବୈଜ୍ଞାନିକ ଚେତନା, ଧର୍ମନିରପେକ୍ଷତା, ସମାଜବାଦ, ଗଣତନ୍ତ୍ର ଇତ୍ୟାଦି ଆମର ବିଭିନ୍ନ ରାଷ୍ଟ୍ରୀୟ ତଥା ସାମ୍ବିଧାନିକ ମୂଲ୍ୟବୋଧ ମାତିଥିବା ଅସତ୍ୟର ମାୟାଜାଲରେ ବିପର୍ଯ୍ୟସ୍ତ ହେବାକୁ ବସିଛି। ପାରମ୍ପରିକ ଜ୍ଞାନ ପ୍ରତି ହତାଦର ଆଜି ସର୍ବସାଧାରଣରେ ବୈଜ୍ଞାନିକ ଚେତନାକୁ ସୀମିତ କରି ଅଣବୈଜ୍ଞାନିକ ଅସତ୍ୟର ପ୍ରସାରକୁ ସହଜ କରିଛି। ଅଜବ ଗୁଜବର ବିଶ୍ୱାସ କରିବା ଏବେ ପ୍ରାୟତଃ ଏକ ସାଧାରଣ ପ୍ରକ୍ରିୟା ହୋଇଯାଇଛି। ପୁଣି, ଭାରତୀୟ ଜନଜୀବନରେ ଧର୍ମର ରୂପରେଖ ତଥା ଭୂମିକା ପ୍ରତି ସମବେଦନ ନ ହୋଇ, ଇଉରୋପୀୟ ଢାଞ୍ଚାରେ ସର୍ବସାଧାରଣରୁ ଧର୍ମକୁ ପୃଥକ୍‌ କରିବାର ପ୍ରଚେଷ୍ଟା ଧର୍ମନିରପେକ୍ଷତାକୁ ମୂଲ୍ୟହୀନ କରି କଳୁଷିତ ମୌଳବାଦ ତଥା ସାମ୍ପ୍ରଦାୟିକତା ଇତ୍ୟାଦି ଅଧର୍ମର ଅଭିବୃଦ୍ଧି ଘଟାଇଛି ଏବଂ ଧର୍ମଧାରଣର ମାଧ୍ୟମ ନ ହୋଇ ଘୃଣାର କାରଣ ହୋଇଛି। ଏହାଛଡା, ଶୋଷଣର ସ୍ଥାନୀୟ ତଥା ପରିସ୍ଥିତି ସାପେକ୍ଷ ଚରିତ୍ର ବିଶ୍ଳେଷଣ ନ କରି, ବିଭିନ୍ନ ସିଦ୍ଧାନ୍ତର ଚିନ୍ତାହୀନ ସାର୍ବଜନୀନ ପ୍ରୟୋଗ ଦ୍ୱାରା ସମାଜବାଦ ଦିନକୁ ଦିନ ଅନାଦୃତ ହୋଇଚାଲିଛି ଏବଂ ତା’ ସ୍ଥାନରେ ପ୍ରତିକ୍ରିୟାଶୀଳ ମୌଳିକ ପରିଚୟ ଭିତ୍ତିକ ଚେତନାର ଉଦ୍ରେକ ହେଉଛି। ଶେଷରେ, ଗଣତାନ୍ତ୍ରିକ ପ୍ରକ୍ରିୟା କେବଳ ଭୋଟଦାନ ଭଳି ଏକ ଦୃଶ୍ୟମାନ ସାର୍ବଜନୀନ ପ୍ରକ୍ରିୟାରେ ରୂପାନ୍ତରିତ ହୋଇଥିବାରୁ ଏବଂ ବାସ୍ତବ ନୀତି ନିର୍ଦ୍ଧାରଣରେ ବିଭିନ୍ନ ଗଣର ଭୂମିକା ନଗଣ୍ୟ ବା ଔପଚାରିକ ହୋଇଥିବାରୁ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଗମ୍ଭୀର ନିଷ୍ଠାର ଦୃଶ୍ୟମାନ ପତନ ଚିନ୍ତାଜନକ। କ୍ଷମତାର ବିକେନ୍ଦ୍ରୀକରଣ ବଦଳରେ ଏବେ କେନ୍ଦ୍ରୀକରଣର ବିଭିନ୍ନ ପ୍ରକ୍ରିୟା ପ୍ରତି ଆଦର ଅଗୋଚର ନୁହେଁ। ଆଜି, କେବଳ ବିଭିନ୍ନ ମୂଲ୍ୟବୋଧର ଅନାଦର ହେଉନି, ତା’ ସହିତ ସେଗୁଡିକର ସ୍ତାବକମାନେ ମଧ୍ୟ ବିରୋଧର ସମ୍ମୁଖୀନ।
ଚରମ ସତ୍ୟର ଉଦ୍‌ଘାଟନ ଏକ ଦାର୍ଶନିକ ପ୍ରୟାସ ହୋଇପାରେ, କିନ୍ତୁ ତାହା ଆପେକ୍ଷିକତାକୁ ବଳିଚଢାଇ ନୁହେଁ। ନୈତିକତା ଏବଂ ମୂଲ୍ୟବୋଧରେ ବିଶ୍ୱାସ ପୁନର୍ସ୍ଥାପିତ କରାଇବା ପାଇଁ ପରିସ୍ଥିତିର ଜଟିଳତାକୁ ଆଲୋଚନାର କେନ୍ଦ୍ର କରିବାକୁ ପଡିବ। ଅନ୍ୟଥା ଉଭୟ ସତ୍ୟ ଏବଂ ତା’ ସହ ଜଡିତ ବିଭିନ୍ନ ମୂଲ୍ୟବୋଧ ଦୀର୍ଘକାଳୀନ ଭାବେ ସେମାନଙ୍କର ଗୁରୁତ୍ୱ ହରାଇବସିବା ସାର ହେବ।
ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମୋ- ୯୮୬୬୫୬୬୮୨୩


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri