ଆଦିବାସୀ ସଂସ୍କୃତି ଓ ଜଗନ୍ନାଥ

ଉମାଶଙ୍କର ପ୍ରସାଦ
ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାଯାଏ ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି। ଏହି ଆଦିମ ଜାତିକୁ ଅନେକେ ଅଷ୍ଟ୍ରିକ ବୋଲି କହିଛନ୍ତି। ଅଭିଲେଖଗୁଡ଼ିକରେ ସେମାନଙ୍କୁ ଆଟବିକ ବୋଲି କୁହାଯାଇଛି। ଆମେ କହୁଛୁ ଆଦିବାସୀ। ଆମର ଧର୍ମ, କର୍ମ, ଶ୍ର୍ରାଦ୍ଧ, ବିବାହ, ସନ୍ତାନ ଜନ୍ମ, ମୃତ୍ୟୁ ପ୍ରଭୃତିରେ ଆଦିବାସୀ ପ୍ରଭାବ ବ୍ୟାପକ ଭାବେ ରହିଅଛି। ଆମେ ସେମାନଙ୍କଠାରୁ ଜନ୍ମାନ୍ତରବାଦ, ପରଲୋକ ଧାରଣା, ପ୍ରେତତତ୍ତ୍ୱ, ପିତୃ ତର୍ପଣ, ପିଣ୍ଡଦାନ ଓ ବହୁ ଓଷାବ୍ରତ ପ୍ରଭୃତି ଗ୍ରହଣ କରିଛୁ। ଗ୍ରାମଦେବତା ପୂଜା, ଲିଙ୍ଗ ପୂଜା, ନାଗ ପୂଜା, ଇନ୍ଦ୍ର ପୂଜା ମୂଳତଃ ସେଇମାନଙ୍କର। ଯଦି ଆମେ ଶବ୍ଦଭଣ୍ଡାରକୁ ଦେଖିବା ତେବେ ଆମ ତୋଷାଳି, କଳିଙ୍ଗ, ଧଉଳି ଓ ଉକତ୍ଳ ପ୍ରଭୃତି ଶବ୍ଦ ମୂଳତଃ ଆଦିବାସୀ।
ଓଡ଼ିଶା ଉତ୍ତର ଓ ଦକ୍ଷିଣ ଭାରତର ସଂଯୋଗ ସେତୁ ସହ ଆର୍ଯ୍ୟ, ଦ୍ରାବିଡ଼ ଶାବର ସଂସ୍କୃତିର ମନୋଜ୍ଞ ସମନ୍ବୟ। କେବଳ ଭୌଗୋଳିକ ଦୃଷ୍ଟିକୋଣରୁ ନୁହେଁ – ଚିନ୍ତା ଚେତନା, ଦର୍ଶନ, ଧର୍ମଭାବନା, ରୀତିନୀତି, ଆଚାର ବିଚାରରେ ଓଡ଼ିଶା ହେଉଛି ସମଗ୍ର ଭାରତବର୍ଷରେ ଏକ ମନୋଜ୍ଞ ସମନ୍ବୟ କ୍ଷେତ୍ର। ଏହା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଂସ୍କୃତି ସହ ଆସି ସେଥିରୁ ଭଲଭାବକୁ ଗ୍ରହଣ କରିଛି ଏବଂ ନିଜର ଅସ୍ତିତ୍ୱକୁ ବଜାୟ ରଖିଛି। ଏହାର ପରିପ୍ରକାଶ ଘଟିଛି କଳା, ଭାସ୍କର୍ଯ୍ୟ, ଶିଳ୍ପ, ସ୍ଥାପତ୍ୟ, ନୃତ୍ୟ, ଗୀତ, ସାମରିକ ଐତିହ୍ୟ ପ୍ରଭୃତି ମାଧ୍ୟମରେ। ପୋଥି ଓ ପଥର ମଧ୍ୟରେ ଆଦିବାସୀ ସଂସ୍କୃତିର ପ୍ରଭାବ ଏବେ ମଧ୍ୟ ଦୃଷ୍ଟିଗୋଚର ହୁଏ। କୋରାପୁଟର ଶାବରୀ ନଦୀକୂଳ ସେମାନଙ୍କର ଆଦି ବାସସ୍ଥଳୀ ଥିଲା। ମହେନ୍ଦ୍ରଗିରି ଏମାନଙ୍କ ଚରାଭୂଇଁ ଥିଲା। ଏମାନେ ମାଟିର ସୁଖଦୁଃଖ, ହାନିଲାଭ ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ। ମହାଭାରତ ଯୁଦ୍ଧରେ ପୁତ୍ର ସହିତ ଯୋଗଦାନ କରିଥିବା କଳିଙ୍ଗରାଜା ଶତାୟୁଧଙ୍କ ସୈନ୍ୟବାହିନୀରେ ସଂଖ୍ୟାଧିକ ଶବର ବା ପୁଳିନ୍ଦ ରହିଥିଲେ (ମହାଭାରତ, ଭୀଷ୍ମପର୍ବ, ୧୬/୬୨୩) ଶବରମାନଙ୍କ ବାସ୍ତବ ବର୍ଣ୍ଣନା କାଦମ୍ବରି (ପୂର୍ବଭାଗ ପୃ୬୬-୬୭) ଓ ବରାହ ମିହିରଙ୍କ ବୃହତ୍‌ ସଂହିତା (୧୪/୮-୧୦)ରେ ରହିଅଛି। ଓଡ଼ିଆ ସାହିତ୍ୟରେ ସାରଳା, ବଳରାମ, ଉପେନ୍ଦ୍ର ପ୍ରମୁଖଙ୍କ କାବ୍ୟକୃତିରେ ଶବରମାନଙ୍କ ମନୋଜ୍ଞ ବର୍ଣ୍ଣନା ପ୍ରଦାନ କରାଯାଇଛି।
ଜଗନ୍ନାଥ ହେଉଛନ୍ତି ମୂଳତଃ ଶବର ଦେବତା। କାଳକ୍ରମେ ତାଙ୍କର ଆର୍ଯ୍ୟୀକରଣ କରାଯାଇଛି। ପଣ୍ଡିତ ନୀଳକଣ୍ଠ ଜଗନ୍ନାଥଙ୍କୁ ବେଦ ପୂର୍ବର ଦେବତା ବୋଲି କହିଛନ୍ତି। ମହେଞ୍ଜୋଦାରୋ ଭୂମି ଖନନରୁ ମିଳିଥିବା ୧୮ ଓ ୧୯ ନମ୍ବର ଚିତ୍ରଦ୍ୱୟ ଜଗନ୍ନାଥଙ୍କ ବିଗ୍ରହର ସାଦୃଶ୍ୟ ବହନ କରିଥିବା ହେତୁ ଜଗନ୍ନାଥଙ୍କୁ ପ୍ରାକ୍‌ବୈଦିକ ଦେବତାଭାବେ ଅନୁମାନ କରିବାରେ ଭୁଲ ନାହିଁ। ଯଦି ବୈଦିକ ଯୁଗ ପରେ ଜଗନ୍ନାଥଙ୍କ ମୂର୍ତ୍ତି ପରିକଳ୍ପିତ ହୋଇଥାନ୍ତେ ତେବେ ସେ ରାମକୃଷ୍ଣଙ୍କ ପରି ଶରୀରଧାରୀ ହୋଇଥାନ୍ତେ। ସମସାମୟିକ ବେବିଲୋନୀୟ ସଭ୍ୟତାରେ ଆଦିମ ମୂର୍ତ୍ତିମାନଙ୍କ ସହ ଏ ମୂର୍ତ୍ତିର ସାମଞ୍ଜସ୍ୟ ରହିଥିବା ହେତୁ ଏହା ଅନୁମାନ କରିହେବ ଓ ବେଦର ପୂର୍ବଜଭାବେ ବିନା ଦ୍ୱିଧାରେ ସ୍ବୀକାର କରାଯାଇପାରେ।
ଶବର ସଂସ୍କୃତିର ଧାରାକୁ ଅନୁକରଣ କରି ଆମେ ଜଗନ୍ନାଥଙ୍କୁ ତୁ ବୋଲି ସମ୍ବୋଧନ କରୁଛୁ। ଜଗନ୍ନାଥଙ୍କ ଯାତ୍ରା ଉତ୍ସବ, ପର୍ବପର୍ବାଣି ଓ ଆଚାର ବିଚାରରେ ସର୍ବତ୍ର ଶବର ସଂସ୍କୃତିର ପ୍ରଭାବ ରହିଛି। ଶବରମାନେ ଦେବତାଙ୍କୁ ଭୋଗ ଦେବା ସମୟରେ କୌଣସି ମନ୍ତ୍ର ପାଠ କରନ୍ତି ନାହିଁ। ଜଗନ୍ନାଥଙ୍କ ନିସଙ୍ଖୁଡ଼ି ଭୋଗରେ ମଧ୍ୟ ଠିକ୍‌ ସେହିପରି କୌଣସି ମନ୍ତ୍ରପାଠ କରାଯାଇ ନ ଥାଏ। କେବଳ ସମର୍ପଣ କରାଯାଇଥାଏ। ଶବର ସଂସ୍କୃତିରେ ସବୁଠାରୁ ଭଲ ଦ୍ରବ୍ୟଟିକୁ ପ୍ରଥମେ ଜଗନ୍ନାଥ ବା ଦେବତାଙ୍କୁ ସମର୍ପଣ କରାଯାଇଥାଏ। ଆମେ ମଧ୍ୟ ଗଛର ପ୍ରଥମ ଫଳଟିକୁ ଜଗନ୍ନାଥ ବା ଦେବତାଙ୍କୁ ସମର୍ପଣ କରିଥାଉ। ଶବର ଦେବତାଙ୍କୁ କନ୍ଦମୂଳ ଓ ମାଂସପୋଡ଼ା ସମର୍ପଣ କଲାପରି ଆମେ ମଧ୍ୟ ଜଗନ୍ନାଥଙ୍କୁ ପୋଡ଼ପିଠା ସମର୍ପଣ କରିଥାଉ। ଅଫୁଟା, ଅବଟା, ବ୍ୟଞ୍ଜନ ସହ ଅଗଳା ଅନ୍ନକୁ ମାଟିପାତ୍ରରୁ ନ ବାଢି ତା’ର ଚାରିପାଖରେ ବସି ଶବରମାନେ ଭୋଜନ କଲାଭଳି ଆମେ ମଧ୍ୟ ଜଗନ୍ନାଥଙ୍କ ପବିତ୍ର ଅବଢ଼ାରେ ନିଜର ବନ୍ଧୁ କୁଟୁମ୍ବଙ୍କ ସହ ଭୋଜନ କରିଥାଉ। ଶବର ଜାତି ମଦମାଂସପ୍ରିୟ। ଜଗନ୍ନାଥଙ୍କୁ ମଧ୍ୟ ମଦତୁଲ୍ୟ ତମ୍ବାପାତ୍ରରେ ପଇଡ଼ପାଣି ଓ ମାଂସତୁଲ୍ୟ ବିରିପିଠା ଅର୍ପଣ କରାଯାଇଥାଏ। ଶବରମାନେ ବୃକ୍ଷକୁ ନିଜ ଗୋତ୍ରର ସଙ୍କେତ ରୂପେ ପୂଜା କରନ୍ତି। ଅଥର୍ବବେଦରେ ବୃକ୍ଷକୁ ଦେବସଦନରୂପେ କଳ୍ପନା କରାଯାଇଛି। ଗଣ୍ଡମାନେ ଦୁଇଗୋଟି କୃଷ୍ଣ ଦାରୁକୁ ଜଙ୍ଗା ଦେବତା ନାମରେ ପୂଜିଥାଆନ୍ତି। ପ୍ରକୃତିପ୍ରିୟ ମାନବ। ଆବହମାନକାଳରୁ ପ୍ରକୃତିର ଉପାସନା କରିଆସିଛି। ବୃକ୍ଷଲତା ପୂଜା ତାହା ମଧ୍ୟରୁ ଅନ୍ୟତମ। ତୁଳସୀ ବିଭିନ୍ନ ଦେବତାଙ୍କ ଆଶ୍ରୟ ସ୍ଥଳଭାବେ ବର୍ଣ୍ଣନା କରାଯାଇଅଛି।
ଖଡ଼ିଆ ଓ ସଉରାମାନେ ପୂଜା କରୁଥିବା ମଡାମ, ବଳାମ ଦେବତା ବଳରାମଙ୍କ ପୂର୍ବରୂପ କହିଲେ ଅତ୍ୟୁକ୍ତି ହେବନାହିଁ। ସେହିପରି ଶବରମାନଙ୍କ ଦେବୀ ସ୍ତମ୍ଭେଶ୍ୱରୀଙ୍କ ନୂତନ ସଂସ୍କରଣ ଭାବେ ସୁଭଦ୍ରାଙ୍କୁ ନିଆଯାଇପାରେ। ଆଦିବାସୀ ଉପାସିତ ଦେବଦେବୀଙ୍କ ମଧ୍ୟରେ ଜଗାରାଜୁ, କୋରାରାଜୁ ଓ ସୁଭଦ୍ରାମ୍ମା ପ୍ରଧାନ। ଶବରମାନେ ଶିକାରେ, ଏକ କୁଡ଼ୁଆ ମଧ୍ୟରେ ଯେଉଁ ତିନିଗୋଟି କାଠମୂର୍ତ୍ତି ପୂଜା କରନ୍ତି, ସେମାନେ ହେଲେ କିତୁଙ୍ଗ, ଧର୍ମଦେବତା ଓ ବାଲିଆ। ଶବର ଭାଷାରେ କିତୁଙ୍ଗର ଅର୍ଥ ଜଗନ୍ନାଥ। ଆଦିବାସୀ କନ୍ଧମାନେ ଗଁାମୁଣ୍ଡର ବରଗଛ ମୂଳରେ ୩ଖଣ୍ଡ ପଥରକୁ ଧାଡ଼ିକରି ରଖି ସେମାନଙ୍କ ମୁଣ୍ଡ ଉପରେ ଖଣ୍ଡିଏ ପଥର ଛାତ ପରି ରଖି ପୂଜା କରନ୍ତି। ଏହା ଯେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଭିନ୍ନରୂପ ଯେ କେହି ଅନୁମାନ କରିପାରିବ। ଭଗବାନ ବିଷ୍ଣୁଙ୍କ ନୀଳମାଧବ ବିଗ୍ରହ ଜଗନ୍ନାଥ ରୂପରେ ରୂପାନ୍ତରିତ ହେବା ପରିକଳ୍ପନାର ପୃଷ୍ଠଭୂମିରେ ଏହି ସତ୍ୟ ନିହିତ। ତେଣୁ ଆମ ଶ୍ରୀକ୍ଷେତ୍ର ଶବର ସଂସ୍କୃତିର ଭାବ ବହନ କରିବା ସହ ସାର୍ବଜନୀନ ଧର୍ମ ଓ ସଂସ୍କୃତିର ଲୀଳାକ୍ଷେତ୍ର ଭାବେ ପରିଚିତ।
ଖୋର୍ଦ୍ଧା, ମୋ-୮୮୯୫୫୪୭୪୯୦


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri