ଆଦିବାସୀଙ୍କୁ ମିଳୁନି ଶାଳମଞ୍ଜିର ମୂଲ୍ୟ

କେନ୍ଦୁଝର, ୯ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ବଣ ଜଙ୍ଗଲ ଅର୍ଥନୀତି ଉପରେ ବନବାସୀମାନେ ନିର୍ଭରଶୀଳ। ବର୍ଷର ପ୍ରାୟ ୮ମାସ ଜଙ୍ଗଲରୁ ଫଳମୂଳ, ମଞ୍ଜି ଆଦି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ଚଳନ୍ତି ା ସେଥିରୁ ବର୍ଷର ୩ମାସ ମହୁଲ, ଶାଳମଞ୍ଜି, ଟୋଲ ଭଳି ଲାଭଜନକ ବିଭିନ୍ନ ବନଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ବଜାରରେ ବିକ୍ରି କରି ପରିବାରର ପ୍ରତିପୋଷଣ କରିଥାନ୍ତି। ତେବେ ସେମାନେ ସଂଗ୍ରହ କରୁଥିବା ଶାଳ ମଞ୍ଜିକୁ ବଜାରରେ ବିକ୍ରି ଲାଗି କୌଣସି ସ୍ବତନ୍ତ୍ର ସୁବିଧା ନ ଥିବାରୁ ଆଦିବାସୀମାନେ ପରିଶ୍ରମର ମୂଲ୍ୟ ପାଇ ପାରୁ ନାହାନ୍ତି। ଅନ୍ୟ ରାଜ୍ୟର ବେପାରୀମାନଙ୍କ ଦ୍ୱାରା ସେମାନେ ଠକାମୀର ଶିକାର ହେଉଛନ୍ତି।
ସାଧାରଣତଃ ମେ’ ଓ ଜୁନ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶାଳମଞ୍ଜି ଉତ୍ପାଦନ ହୋଇଥାଏ। ଏବେ ଜିଲାର ବଣ ପାହାଡ଼ ଅଞ୍ଚଳରେ ଥିବା ଶାଳଜଙ୍ଗଲଗୁଡିକ ଫୁଲରେ ଫଳ ଭରପୁର ହୋଇଛି। ଶାଳ ମଞ୍ଜି ସଂଗ୍ରହ ପାଇଁ ଆଦିବାସୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏହି ମଞ୍ଜି ସଂଗ୍ରହ କରିବାକୁ ଲୋକେ ଖରାକୁ ଖାତିର ନ କରି ଶାଳ ଜଙ୍ଗଲର ଗଛ ମୂଳରେ ପଡ଼ିିଥିବା ମଞ୍ଜି ଗୋଟାଇ ନିଜର ଜୀବିକା ନିର୍ବାହ କରିଥାନ୍ତି। ଅନେକ ସମୟରେ ଘଞ୍ଚ ଜଙ୍ଗଲରେ ଜୀବଜନ୍ତୁ ଆକ୍ରମଣର ଶିକାର ହୋଇ ଏବଂ ପାହାଡ଼ରେ ପଡ଼ି ଖଣ୍ଡିଆଖାବରା ହୋଇ ମଧ୍ୟ ଏହି ମଞ୍ଜି ସଂଗ୍ରହ କରିଥାନ୍ତି। ପିଲାଙ୍କଠାରୁ ଆରମ୍ଭକରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ପରିବାରର ସମସ୍ତେ ଶାଳମଞ୍ଜି ଗୋଟାଇବା କାମରେ ଲାଗିପଡ଼ନ୍ତି ା ଗୋଟିଏ ପରିବାର ଦୈନିକ ୫ରୁ ୧୦କି.ଗ୍ରା. ମଞ୍ଜି ସଂଗ୍ରହ କରିଥାନ୍ତି ା ଶାଳମଞ୍ଜିକୁ ଖରାରେ ଶୁଖାଇ ପରେ ତାକୁ ନିଆଁରେ ପୋଡି ଓ ଶିଳରେ ରଗଡି ମଞ୍ଜି ବାହାରକରି ସଫାକରି ବେପାରୀମାନଙ୍କୁ ବିକିଥାନ୍ତି। ଏହାର ମୂଲ୍ୟ ଯଦିଓ ସରକାର ନିର୍ଦ୍ଧାରଣ କରିଛନ୍ତି ତେବେ ଅନେକ ସମୟରେ ସେମାନେ ଓଜନ ଓ ମୂଲ୍ୟରେ ଠକେଇର ଶିକାର ହୋଇଥାନ୍ତି ା ସଚେତନତାର ଅଭାବ ଯୋଗୁ ସେମାନେ କିଲୋ ୧୦ ଟଙ୍କାରୁ ୨୦ ଟଙ୍କାରେ ବିକିବାକୁ ବାଧ୍ୟ ହୋଇଥାନ୍ତି। ବିଶେଷକରି ହରିଚନ୍ଦନପୁର, ଘଟଗାଁ, ଘସିପୁରା, ଆନନ୍ଦପୁର, ପାଟଣା, ସାହାରପଡା, ଝୁମ୍ପୁରା, ତେଲକୋଇ, ବାଂଶପାଳ, ସଦର, ଯୋଡା, ଚମ୍ପୁଆ ଆଦି ବ୍ଲକର ଆଦିବାସୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ବନଜାତ ଦ୍ରବ୍ୟର ବିକ୍ରି ଲାଗି ସ୍ବତନ୍ତ୍ର ବଜାର ବ୍ୟବସ୍ଥା କରାଗଲେ ସୁବିଧାରେ ବିକ୍ରୀ ହୋଇ ପାରନ୍ତା ବୋଲି ବନବାସୀମାନେ କହିଛନ୍ତି। ତେବେ ଶାଳମଞ୍ଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ା ବନବାସୀମାନେ କିପରି ଠକାମୀର ଶିକାର ନ ହେବେ ସେଥିପ୍ରତି ଧ୍ୟାନ ଦିଆଯାଉଛି ବୋଲି ଅତିରିକ୍ତ ଜିଲାପାଳ ସନ୍ତୋଷ ନାୟକ କହିଛନ୍ତି।