ଆଜିର ଅର୍ଥନୀତି/ଆସନ୍ନ ତୈଳ ସଂକଟ

ଇରାନୀୟ ତୈଳ ଉପରେ କଟକଣା ଲଗାଇବା ପୂର୍ବରୁ ଆମେରିକା ଯେଉଁ ଛଅମାସର ଛାଡ଼ ଦେଇଥିଲା, ତାହା ଏବେ ଉଠାଇନେବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆଠଟି ଦେଶ- ଚାଇନା, ଭାରତ, ଜାପାନ, ଦକ୍ଷିଣ କୋରିଆ, ତାଇଓ୍ବାନ, ତୁର୍କୀ, ଇଟାଲୀ ଓ ଗ୍ରୀସକୁ ସିଧାସଳଖ ପ୍ରଭାବିତ ହେବେ। ଭାରତ ତା’ର ତୈଳ ଚାହିଦାର ୮୦ ପ୍ରତିଶତ ଆମଦାନି କରୁଥିବା ବେଳେ ଆମର ମୋଟ ଚାହିଦାର ପ୍ରାୟ ୧୧ ପ୍ରତିଶତ ଇରାନ ପୂରଣ କରେ। ଭୌଗୋଳିକ ଦୂରତା ଦୃଷ୍ଟିରୁ ଇରାନରୁ ତୈଳ ଆମଦାନି ଆମ ପାଇଁ ସୁବିଧାଜନକ। କିନ୍ତୁ ଆମେରିକାର ଆଦେଶ ଅମାନ୍ୟ କଲେ ଆମେରିକାରୁ ଆମକୁ ଯେଉଁ ଆର୍ଥିକ ଓ ବୈଷୟିକ ସାହାଯ୍ୟ ସହଯୋଗ ମିଳୁଛି ତାହା ଆଉ ମିଳିବ ନାହିଁ। ସେ ଦେଶରେ ଆମର କମ୍ପାନୀମାନେ ଯେଉଁ ବ୍ୟବସାୟ କରୁଛନ୍ତି ତାହା ପ୍ରଭାବିତ ହେବ। ଆମର ରପ୍ତାନି ଓ ପୁଞ୍ଜି ଆଗମନ କମିଯିବ। କଟକଣା ଲାଗୁ ପାଇଁ ଆମେରିକାର ଛଅମାସିଆ ଛାଡ଼ ସମୟସୀମାର ଅନ୍ତ ହେବା ମାନେ ଭାରତରେ ତୈଳ ଦର ମହଙ୍ଗା ହୋଇଯିବା। ଇରାନ ସବୁବେଳେ ଆମ ପାଇଁ ଉତ୍ତମ ମାନର ଅଶୋଧିତ ତୈଳର ଉତ୍ସ ଥିଲା। ଅନେକ ଦଶନ୍ଧି ଧରି ଏହି ଦେଶ ସହିତ ଆମର ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ରହିଆସିଛି। ବର୍ତ୍ତମାନ ଆମେରିକାର କଟକଣାକୁ ମାନି ଆମକୁ ବାଧ୍ୟହୋଇ ଇରାନରୁ ତୈଳ ଆମଦାନି ବନ୍ଦ କରିବାକୁ ପଡ଼ିବ। ଏହା ଫଳରେ ଆମର ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହେବ। ଉକ୍ତ ଦେଶ ସହିତ ମିଶି ଭାରତ ଯେଉଁ ଚାବହାର ବନ୍ଦର ଏବଂ ଆଫଗାନିସ୍ତାନ ଓ କେନ୍ଦ୍ରୀୟ ଏସିଆକୁ ସଂଯୋଗ କରିବା ପାଇଁ ସଡ଼କ ଓ ରେଳପଥ ନିର୍ମାଣ ପରି ଯୁଗ୍ମ ପ୍ରକଳ୍ପର ଯୋଜନା କରିଥିଲା ତାହା ଉପରେ ପ୍ରଶ୍ନବାଚୀ ଠିଆ ହେବ। ଇରାନ ସହ ସମ୍ପର୍କ ବିଗିଡ଼ିବା ଅର୍ଥ ପାକିସ୍ତାନର ମୁକାବିଲା କରିବା ଲାଗି ନୂଆଦିଲ୍ଲୀର ସାମର୍ଥ୍ୟ ହ୍ରାସ ଘଟିବା।
ଆମେରିକା ଚାହୁଁଛି ଆସନ୍ତା ମେ ମାସରୁ ଇରାନ ଯେପରି କୌଣସି ଦେଶକୁ ଆଦୌ ତୈଳ ରପ୍ତାନି କରି ନ ପାରେ। ଆଗାମୀ ଦିନରେ ସାରା ବିଶ୍ୱରେ ଏ ଭୂ-ରାଜନୈତିକ ଲଢ଼େଇ କେମିତି ଚାଲିବ ଓ ପରିସ୍ଥିତି କ’ଣ ରହିବ ତାହା ସମୟ କହିବ। ତେବେ ସେ ଯାହା ହେଉନା କାହିଁକି ଏହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିଶ୍ଚୟ ବୃଦ୍ଧି ପାଇବ। ତେଣୁ ଦରଦାମ୍‌ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତୈଳର ବିଶ୍ୱ ଚାହିଦା ବୃଦ୍ଧି ପାଇଲେ ସ୍ବଳ୍ପ ଅବଧି ଭିତରେ ଆମେରିକାର ଶେଲ ଉତ୍ପାଦନ ବୃଦ୍ଧି ପାଇବ। ଆମେରିକା ଓ ଚାଇନା ମଧ୍ୟରେ ବାଣିଜି୍ୟକ ଯୁଦ୍ଧ ବିଶ୍ୱ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଦ୍ୱିତୀୟରେ ଇରାନର ତୈଳ ରପ୍ତାନି ବନ୍ଦ ହୋଇଗଲେ ସେହି ଅଭାବକୁ ପୂରଣ କରିବା ପାଇଁ ଆମେରିକା ତା’ର ବନ୍ଧୁରାଷ୍ଟ୍ର ସୌଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍‌ସକୁ ଅଧିକ ତୈଳ ଉତ୍ପାଦନ କରିବାକୁ କହିପାରେ। ଏହା ମଧ୍ୟ ତୈଳ ରପ୍ତାନିକାରୀ ଦେଶଗୁଡ଼ିକର ସଂଗଠନକୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ଅନୁପ୍ରେରିତ କରିପାରେ।
ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧିପାଇବା ସହ ଭାରତର ତୈଳ ଆମଦାନି ବିଲ୍‌ ଉପରେ ତା’ର ଆନୁଷଙ୍ଗିକ ପ୍ରଭାବ ପଡ଼ିବ। ଫଳରେ ଭାରତର ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡ଼ିବା ସହ ଚଳନ୍ତି ଖାତା ନିଅଣ୍ଟ ବୃଦ୍ଧି ପାଇବ। ଏହାଦ୍ୱାରା ମୁଦ୍ରାସ୍ଫୀତି ବୃଦ୍ଧି ପାଇବ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବ ଏବଂ ଭାରତୀୟ ଟଙ୍କା ଦୁର୍ବଳ ହେବ, ଯାହା କେନ୍ଦ୍ରରେ ନୂଆ ସରକାର ପାଇଁ ଏକ ଦୁଃସ୍ବପ୍ନମୟ ପରିସ୍ଥିତି ସୃଷ୍ଟି କରିବ। ଭାରତ ଏ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଜ୍ଞତାର ସହ ନିଜର କାର୍ଡ ଖେଳିବା ଉଚିତ। ଏହା କଟକଣା ଉଠାଇନେବା ପାଇଁ ଆମେରିକା ଉପରେ ଚାପ ସୃଷ୍ଟି କରିବା ଆବଶ୍ୟକ। ଭାରତ ଅବଶ୍ୟ ଇରାନରୁ ତୈଳ ଆମଦାନି ବନ୍ଦ ହୋଇଗଲେ ସମ୍ଭାବ୍ୟ ସମସ୍ୟାର ସାମ୍‌ନା କରିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରିଛି। ଭାରତ ଯେତିକି ଦେଶରୁ ତୈଳ ଆମଦାନି କରୁଛି, ତାହାର ସଂଖ୍ୟା ବୃଦ୍ଧି କରିବା ଦରକାର। ଭାରତ ତା’ର ଦୀର୍ଘକାଳୀନ ତୈଳ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଉଭୟ ଯୋଗାଣ ପକ୍ଷ ଓ ଚାହିଦା ପକ୍ଷର ପଦକ୍ଷେପକୁ ତ୍ୱରାନ୍ବିତ କରିବା ଉଚିତ। ଗାଡ଼ି ପ୍ରଭୃତିର ଶକ୍ତି-ଦକ୍ଷତା ବୃଦ୍ଧି, ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି ଏବଂ ବିଦ୍ୟୁତ୍‌ଚାଳିତ ବା ବ୍ୟାଟେରି-ଚାଳିତ ଗାଡ଼ିର ବହୁଳ ପ୍ରଚଳନ ବିଷୟରେ ସରକାର ଭାବିବା ଆବଶ୍ୟକ। ଆମ ନିଜ ଦେଶରେ ମଧ୍ୟ ଅଧିକ ତୈଳ ଉତ୍ପାଦନ ପାଇଁ ପଦକ୍ଷେପ ନିଆଯାଇପାରେ। ସରକାର କୂଟନୈତିକ ସ୍ତରରେ ଇରାନୀ ତୈଳ ଉପରୁ କଟକଣା ହଟାଇବା ପାଇଁ ଚେଷ୍ଟା କରିବା ସହ ଅନ୍ୟ ବିକଳ୍ପ ଯୋଗାଣ ଉତ୍ସଗୁଡ଼ିକ ସହ ଯୋଗଯୋଗ କରିବା ଆବଶ୍ୟକ। ଯାହା ଜଣାପଡ଼ୁଛି ଇରାନରେ ଅଚଳାବସ୍ଥା ସୃଷ୍ଟି କରି ଟ୍ରମ୍ପ ପ୍ରଶାସନ ଚାହୁଁଛି ସେ ଦେଶର ସରକାରକୁ ଭାଙ୍ଗି ନୂଆ ସରକାର ଗଠନ କରିବା ପାଇଁ। ଏହାଦ୍ୱାରା ଉପସାଗରୀୟ ଅଞ୍ଚଳ (ଗଲ୍‌ଫ)ରେ ସଂକଟ ଅଧିକ ଦିନ ଲାଗି ରହିବା ସହ ବିଶ୍ୱ ତୈଳ ବଜାର ଉପରେ ତାହାର କୁପ୍ରଭାବ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri