ଆଜିଠୁ ଚନ୍ଦନଯାତ୍ରା: କଟକଣା ପାଇଁ ନରେନ୍ଦ୍ର ସରୋବରକୁ ବିଜେ କରିବେନି ମହାପ୍ରଭୁ, ଶ୍ରୀମନ୍ଦିର ଭିତରେ ସମ୍ପନ୍ନ ହେବ ବିଧି

ପୁରୀ ଅଫିସ,୨୬।୪: ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ ଚନ୍ଦନ ଯାତ୍ରା। ତେଣୁ ରବିବାରଠାରୁ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରାରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। କିନ୍ତୁ କରୋନା କଟକଣା ପାଇଁ ଏ ବର୍ଷ ନରେନ୍ଦ୍ର ସରୋବରକୁ ବିଜେ କରିବେନି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏବଂ ପଞ୍ଚ ମହାଦେବ। ଶ୍ରୀମନ୍ଦିର ଭିତରେ ହିଁ ସମ୍ପନ୍ନ ହେବ ଚନ୍ଦନ ଯାତ୍ରାର ବିଧି। ସେହିପରି ଅକ୍ଷୟ ତୃତୀୟା ନୀତି ବି ମେଘନାଦ ପାଚେରି ପରିସରରେ କରାଯିବ। ଚାହାଣି ମଣ୍ଡପ ଏବଂ ସ୍ନାନବେଦି ମଧ୍ୟଭାଗରେ ରଥ ନିର୍ମାଣ ଅନୁକୂଳ ହେବ। ଶନିବାର ଜିଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ସେବାୟତଙ୍କ ସହ ହୋଇଥିବା ବୈଠକରେ ମେଘନାଦ ପାଚେରି ଭିତରେ କେଉଁଠି କିଭଳି ଠାକୁରଙ୍କ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହେବ ତାହା ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ରଥ ଅନୁକୂଳ ଏବଂ ବାହାର ଚନ୍ଦନ ଯାତ୍ରା ମନ୍ଦିର ଭିତରେ ହେବାର କୌଣସି ପ୍ରମାଣ ନ ଥିବାବେଳେ ଏ ବର୍ଷ କରୋନା ପାଇଁ ଶ୍ରୀମନ୍ଦିର ଇତିହାସରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି।

ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ହୋଇଥାଏ। ଏହି ପବିତ୍ର ତିଥିରୁ ଠାକୁରଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୁଏ। ଚଳିତବର୍ଷ ମହାମାରୀ କରୋନା ପାଇଁ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଥିବାରୁ କିପରି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରାଯିବ ସେ ନେଇ ଶୁକ୍ରବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମାର୍ଗଦଶନ କରିଥିଲେ। ଲକ୍‌ଡାଉନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ବିଧି ମନ୍ଦିର ପରିସରରେ କରିବାକୁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ଜିଲାପାଳ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ନୀତି ସହ ସମ୍ପୃକ୍ତ ସେବକଙ୍କୁ ଡାକି ମନ୍ଦିର ପରିସର କେଉଁ ସ୍ଥାନରେ କିପରି କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ପ୍ରଥମେ ପଞ୍ଚମହାଦେବ ସେବାୟତଙ୍କ ସହ ଆଲୋଚନା ହୋଇଥିଲା। ପରେ ପୂଜାପଣ୍ଡା ସେବାୟତ, ପରିଚାଳନା କମିଟି ସଦସ୍ୟ ଏବଂ ଅନ୍ୟ ସେବାୟତଙ୍କ ସହ ଆଲୋଚନା କରାଯାଇଥିଲା। ଏଭଳି ପ୍ରତିକୂଳ ପରିସ୍ଥିତିରେ ଜନସମାଜର ସ୍ବାର୍ଥ ଏବଂ ମହାପ୍ରଭୁଙ୍କ ବିଧି ପରମ୍ପରା ଯେପରି ରକ୍ଷା ହୋଇପାରିବ ସେଥିରେ ସହଯୋଗ କରିବେ ବୋଲି ସମସ୍ତେ ସହମତି ପ୍ରକାଶ କରିଥିଲେ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ବେଢ଼ା ପରିସର ଜଳକ୍ରୀଡ଼ା ମଣ୍ଡପ ନିକଟରେ ଚନ୍ଦନ ଯାତ୍ରା ନୀତି କରାଯିବ। ପୂର୍ବରୁ ଏଠାରେ ଗୋଟିଏ କୁଣ୍ଡ ରହିଛି। ଏହି କୁଣ୍ଡରେ ଭିତର ଚନ୍ଦନ ଯାତ୍ରାରେ ଶ୍ରୀଦେବୀ ଏବଂ ମଦନମୋହନ ଜଳକ୍ରୀଡ଼ା କରିଥାନ୍ତି। ତେଣୁ ଏଥର ବାହାର ଚନ୍ଦନ ଯାତ୍ରା ପାଇଁ ରାମ କୃଷ୍ଣ ଏବଂ ପଞ୍ଚ ମହାଦେବ (ଯମେଶ୍ୱର, ଲୋକନାଥ, ମାର୍କଣ୍ଡେଶ୍ୱର, କପାଳମୋଚନ ଓ ନୀଳକଣ୍ଠେଶ୍ୱର)ଙ୍କ ପାଇଁ ୨ଟି କୁଣ୍ଡ ତିଆରି ହେବ। ଏହି କୁଣ୍ଡ ପିତ୍ତଳ କିମ୍ବା ଗ୍ରାନାଇଟ୍‌ରେ ତିଆରି କରାଯାଇ ପ୍ରତିଷ୍ଠା କରାଯିବ। ସାଙ୍କେତିକ ଜଳକ୍ରୀଡ଼ା କରିବେ ସମସ୍ତ ଠାକୁର। ସେହିପରି ପ୍ରତିବର୍ଷ ନରେନ୍ଦ୍ର ପୁଷ୍କରିଣୀ ଚନ୍ଦନ ଚକଡ଼ାରେ ଭୋଗ ପାଇଁ ମାଣ୍ଡୁଅ ପ୍ରସ୍ତୁତ ହୋଇଥାଏ। ମାତ୍ର ଏଥର ମହାଲକ୍ଷ୍ମୀଙ୍କ ରୋଷରେ ମାଣ୍ଡୁଅ ପ୍ରସ୍ତୁତ କରାଯାଇ ଠାକୁରଙ୍କ ପାଖରେ ଭୋଗ ଲାଗି ହେବ। ଏହାଛଡ଼ା ରାତିଚାପ ସହ ଯେଉଁ ନୀତି ନରେନ୍ଦ୍ର ପୁଷ୍କରିଣୀରେ କରାଯାଏ ସମସ୍ତ ନୀତି ମନ୍ଦିର ଭିତରେ କରାଯିବ। ବିଗତ ବର୍ଷଗୁଡ଼ିକରେ ବାହାର ଚନ୍ଦନ ଯାତ୍ରା ୨୧ ଦିନ ପଞ୍ଚମହାଦେବ ନୀତି ସାରି ସ୍ବମନ୍ଦିରକୁ ବିଜେ କରିଥାନ୍ତି। କିନ୍ତୁ ଏଥର ବର୍ଷତମାମ୍‌ ଶ୍ରୀମନ୍ଦିରରେ ଯେଉଁଠାରେ ଥାନ୍ତି ସେହିଠାକୁ ହିଁ ବିଜେ କରିବେ ବୋଲି ଲୋକନାଥ ମନ୍ଦିର ସେବାୟତ ସନ୍ତୋଷ କୁମାର ପଣ୍ଡା କହିଛନ୍ତି।

ସୂଚନାଥାଉ କି, ପ୍ରତିବର୍ଷ ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ ପାଲିଙ୍କିରେ ସବା ଆଗରେ, ତାଙ୍କ ପଛକୁ ମଣି ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଏବଂ ସବା ପଛରେ ପଞ୍ଚ ମହାଦେବ ବିମାନରେ ବସି ନରେନ୍ଦ୍ର ସରୋବରକୁ ଯାତ୍ରା କରିଥାନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚତ୍ବା ପରେ ଠାକୁରମାନେ ଜଳକ୍ରୀଡ଼ା କରିଥାନ୍ତି। ଜଗତି ଉପରେ ଥିବା କୁଣ୍ଡରେ ସ୍ନାନ ପରେ ମାଣ୍ଡୁଅ ଭୋଗ ହୋଇଥାଏ। ପରେ ବେଶ ହୋଇ ଠାକୁରମାନେ ରାତ୍ର ଚାପରେ ସାମିଲ ହୋଇଥାନ୍ତି। ଚାପ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରକୁ ଏବଂ ପଞ୍ଚ ମହାଦେବ ସ୍ବମନ୍ଦିରକୁ ବିଜେ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?