ଆଖି ନ ଥାଇ ଜୀବନ ଯୁଦ୍ଧର ବିଜେତା କୀର୍ତ୍ତନ: ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛନ୍ତି ହସ

କାମାକ୍ଷାନଗର, ୧୩।୧: ଆଖି ନାହିଁ। ଦେଖିପାରନ୍ତିନି ଦୁନିଆକୁ। ହେଲେ ଏହି ଦୁଃଖ କେବେ ଆସିନି ତାଙ୍କ ଓଠ ପାଖକୁ। ଖୁସ୍‌ ମିଜାଜ ଆଉ ହସହସ ମୁହଁରେ କେଇ ମିନିଟ ଭିତରେ ଅପରିଚିତ ମଣିଷକୁ ନିଜର କରିପାରୁଥିବା ଜୀବନ ଯୁଦ୍ଧର ଏହି ବିଜେତା ଜଣକ ହେଲେ କୀର୍ତ୍ତନ ସେଠୀ। ଅଙ୍ଗାର ନିଆଁ, ଆଇରନ ବକ୍ସକୁ ସାଥୀ କରି ସେ କାନ୍ଧରେ ବୋହି ଚାଲିଛନ୍ତି ସଂସାରର ବୋଝ। କପଡ଼ାର ଭାଙ୍ଗକୁ କଡ଼ା ଆଇରନ୍‌ କରି ଚକ୍‌ଚକ୍‌ କରି ଦେଉଥିବା ଏହି ମଣିଷଙ୍କ ହାଡ଼ଭଙ୍ଗା ପରିଶ୍ରମ ଏବେ ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛି ହସ।
ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିର ୧୨ନଂ. ଓ୍ବାର୍ଡରେ ରୁହନ୍ତି କୀର୍ତ୍ତନ। ସ୍ତ୍ରୀ ଖୁଲଣା, ୩ ଝିଅ ଏବଂ ଏକମାତ୍ର ପୁଅ ରୁଦ୍ରଙ୍କୁ ନେଇ ତାଙ୍କ ପରିବାର। ଲୁଗାପଟା ଆଇରନ୍‌ କରି ଯାହା ମିଳେ ସେଥିରେ ବେଶ୍‌ ଖୁସିରେ ଚଳୁଥିଲା ସଂସାର। ହେଲେ ୨୦୦୭ରେ କୀର୍ତ୍ତନଙ୍କ ଜୀବନରେ ଘୋଟି ଆସିଲା କଳାବାଦଲ। ହସଖୁସିରେ ଯେମିତି ଲାଗିଗଲା କାହା ନଜର। ହଠାତ୍‌ ତାଙ୍କ ମୁଣ୍ଡ ଘୂରାଇଲା। କେଇଥର ବାନ୍ତି ହେଲା। ଏହାପରେ ହଠାତ୍‌ ତାଙ୍କୁ ଆଉକିଛି ଦେଖାଗଲାନାହିଁ। ସ୍ବାମୀଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବାକୁ ଆପ୍ରାଣ ଉଦ୍ୟମ କଲେ ଖୁଲଣା। ଧାରଉଧାର କରି ଦୀର୍ଘ ୫ବର୍ଷ ରାଜ୍ୟ ସମେତ ରାଜ୍ୟ ବାହାରର ନାମୀଦାମୀ ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସା କରାଇଲେ। ଏଥିରେ ଖର୍ଚ୍ଚ ହେଲା ୫ ଲକ୍ଷ ଟଙ୍କା। ହେଲେ ସୁଫଳ ମିଳିଲାନି। ଦୁଇ ଆଖିକୁ ସବୁଦିନ ପାଇଁ ହରାଇଲେ କୀର୍ତ୍ତନ। ଦୁନିଆଯାକର ସୁନ୍ଦରତା ତାଙ୍କ ପାଇଁ ହୋଇଗଲା ପର। ଗୋଟିଏ ପଟେ ଆଖି ହରାଇବାର ଦୁଃଖ, ଆଉ ଗୋଟେ ପଟେ ପରିବାର ଚିନ୍ତା। ପୁଣି ଅଣ୍ଟା ଭିଡ଼ିଲେ କୀର୍ତ୍ତନ। ସବୁ କଷ୍ଟକୁ ପଛରେ ପକାଇ ହାତରେ ଧରିଲେ ଆଇରନ୍‌ ବକ୍ସ। କପଡ଼ାକୁ ନ ଦେଖି କେବଳ ଅନୁମାନ କରି ଆଇରନ କରିବା ବେଶ୍‌ କଷ୍ଟକର ଥିଲା। ଏଥିରେ କିଛିଦିନ ସ୍ତ୍ରୀ ଖୁଲଣା ଏବଂ ପୁଅ ରୁଦ୍ର ସହଯୋଗ କଲେ। ଏହାପରେ ଧୀରେ ଧୀରେ ସବୁକିଛି ସ୍ବାଭାବିକ ହୋଇଯାଇଛି। କାମାକ୍ଷାନଗର ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଏବେ ବେଶ୍‌ ଚଳଚଞ୍ଚଳ କୀର୍ତ୍ତନଙ୍କ ଦୋକାନ।
ନିଜର କର୍ମମୟ ଜୀବନ ସମ୍ପର୍କରେ କୀର୍ତ୍ତନ କୁହନ୍ତି, ସକାଳୁ ସଞ୍ଜଯାଏ ଖଟିଲେ ୧୫୦ରୁ ୩୦୦ ଟଙ୍କା ଯାଏ ରୋଜଗାର ହୁଏ। ୩ ଝିଅଙ୍କ ବିବାହ ସରିଛି। ନିଜ ଉଦ୍ୟମରେ ପୁଅକୁ ଯୁକ୍ତ ୩ ଯାଏ ପାଠ ପଢ଼ାଇପାରିଛି। ଈଶ୍ୱର ସିନା ଆଖି ନେଇଗଲେ, ହେଲେ ହାତ ଓ ଜୀବନ ଦେଇଛନ୍ତି। ସେଇଥିରେ ସବୁ ଚାଲିଛି। କେବେ କାହାକୁ ଠକିନାହିଁ। ଦୟାର ପାତ୍ର ହୋଇ ବଞ୍ଚତ୍ବାର ଆଶା ନାହିଁ। ଆଖି ହରାଇବା ପରେ ଯଦିଓ ବେପାର ଆଗଭଳି ହେଉନାହିଁ। ତଥାପି ସେ ବେଶ୍‌ ଖୁସି। ହାତ ଥିଲେ ଭାତର ଅଭାବ ରହିବ ନାହିଁ ବୋଲି କୀର୍ତ୍ତନ ଦୃଢ଼ତାର ସହ କହିଛନ୍ତି।