ଆଇସିସି ବିଶ୍ୱକପ୍‌: ସେମିଫାଇନାଲରେ ଇଂଲଣ୍ଡ

ଚେଷ୍ଟର- ଲି- ଷ୍ଟିଟ୍‌, ୪।୭(ପି.ଟି)- ଚଳିତ ଆଇସିସି ବିଶ୍ୱକପ୍‌ରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଭାରତ ସେମିରେ ପ୍ରବେଶ କରିସାରିଛନ୍ତି। ବୁଧବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ବୃହତ୍‌ ୧୧୯ ରନରେ ନ୍ୟୁଜିଲାଣ୍ଡକୁ ହରାଇ ୧୯୯୨ ପରେ ପ୍ରଥମଥର ପାଇଁ ସେମିକୁ ଉଠିଛି। ତେବେ ପରାସ୍ତ ହୋଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଏବେ ମଧ୍ୟ ସେମିଫାଇନାଲର ଆଶା ଉଜ୍ଜୀବିତ ରହିଛି। ଶୁକ୍ରବାର ଖେଳାଯିବାକୁ ଥିବା ପାକିସ୍ତାନ- ବାଂଲାଦେଶ ମ୍ୟାଚର ଫଳାଫଳ ଉପରେ ସବୁକିଛି ନିର୍ଭର କରୁଛି। ଏହାର ଉପରେ ଚତୁର୍ଥ ସେମିଫାଇନାଲିଷ୍ଟ କିଏ ହେବ ତାହା ସ୍ପଷ୍ଟ ହେବ। ୧୯୮୩ ପରେ ଇଂଲଣ୍ଡ ବିଶ୍ୱକପ୍‌ରେ କେବେବି ନ୍ୟୁଜିଲାଣ୍ଡକୁ ପରାସ୍ତ କରିପାରି ନ ଥିବା ବେଳେ ଏଥର କିନ୍ତୁ ସଫଳ ହୋଇଛି। ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଡରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଓପନର ଜନ୍ନି ବେୟାରଷ୍ଟୋଙ୍କ ଶତକ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୦୫ ରନ ସଂଗ୍ରହ କରିଛି। ଜବାବରେ ନ୍ୟୁଜିଲାଣ୍ଡ ୪୫ ଓଭରରେ ୧୮୬ ରନ କରି ଅଲଆଉଟ୍‌ ହେବା ସହ ଆତ୍ମସମର୍ପଣ କରିଥିଲା। ଶତକ ହାସଲ କରିଥିବା ବେୟାରଷ୍ଟୋ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୦୬ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୧୪ ରନରେ ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ ହେନେରୀ ନିକୋଲ୍ସଙ୍କୁ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେନେରୀ ଖାତା ଖୋଲିବା ପୂର୍ବରୁ କ୍ରିସ୍‌ ଓ୍ବକ୍ସଙ୍କ ଦ୍ୱାରା ଏଲ୍‌ବଡବ୍ଲ୍ୟୁ ହୋଇଥିଲେ। ସେହିପରି ୮ ରନ କରିଥିବାବେଳେ ଗୁପ୍ଟିଲ ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଜୋସ ବଟଲରଙ୍କୁ କ୍ୟାଚଦେଇ ପ୍ୟାଭିଲିୟନ ଫେରିଥିଲେ। ଇନ୍‌ଫର୍ମ ଅଧିନାୟକ କେନ୍‌ ଓ୍ବିଲିୟମସନ ୨୭ ରନ କରିଥିବା ବେଳେ ମାର୍କ ଉଡ୍‌ଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଏହାପରେ ଅଭିଜ୍ଞ ରସ୍‌ ଟେଲର ମଧ୍ୟ ଅନୁରୂପ ଭାବେ ପ୍ୟାଭିଲିୟନ ଫେରିଥିଲେ। ୨୮ ରନ କରିଥିବାବେଳେ ଆଦିଲ ରସିଦଙ୍କ ଥ୍ରୋରେ ସେ ଉଇକେଟକିପର ଜୋସ ବଟଲରଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ଦୁଇ ତାରକା ବ୍ୟାଟ୍ସମ୍ୟାନ ରନ୍‌ ଆଉଟ ହେବା ପରେ ନ୍ୟୁଜିଲାଣ୍ଡ ଇନିଂସ ଦୋହଲିଯାଇଥିଲା। ଏହାପରେ ଜିମ୍ମି ନିଶାମ ୧୯ ଓ କଲିନ ଡି ଗ୍ରାଣ୍ଡହୋମ ୩ ରନ କରି ଯଥାକ୍ରମେ ଉଡ୍‌ ଓ ଷ୍ଟୋକ୍ସଙ୍କ ଦ୍ୱାରା ଆଉଟ ହୋଇଥିଲେ। ନିଶାମ ବୋଲ୍ଡ ହୋଇଥିବା ବେଳେ ଗ୍ରାଣ୍ଡହୋମ ରୁଟଙ୍କୁ କ୍ୟାଚ୍‌ ଦେଇଥିଲେ। ଉଇକେଟକିପର ଟମ୍‌ ଲଥାମ ଲଢ଼ୁଆ ପ୍ରଦର୍ଶନ କରି ୬୫ ବଲର ସମ୍ମୁଖୀନ ହୋଇ ୫ ଚୌକା ସହ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ଲିୟମ ପ୍ଲଙ୍କେଟଙ୍କ ବଲରେ ଉଇକେଟ ପଛରେ ବଟଲରଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। ପଞ୍ଚମ ଉଇକେଟରେ ଲଥାମ ଓ ନିଶାମ ୫୪ ରନ ସଂଗ୍ରହ କରିଥିଲେ। ଏହାପରେ ମିଚେଲ ସାଣ୍ଟନର ୧୨ ରନ କରି ଉଡ୍‌ଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ୭ ରନ କରିଥିବାବେଳେ ମ୍ୟାଟ୍‌ ହେନେରୀ ବୋଲ୍ଡ ହୋଇ ଉଡ୍‌ଙ୍କ ତୃତୀୟ ଶିକାର ହୋଇଥିଲେ। ଶେଷରେ ଟ୍ରେଣ୍ଟ ବୋଲ୍ଟ ସ୍ପିନର ଆଦିଲ ରସିଦଙ୍କ ବଲ୍‌ରେ ବଟଲରଙ୍କୁ କ୍ୟାଚ୍‌ ଦେଇଥିଲେ। ଟିମ୍‌ ସୌଦି ୭ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଉଡ୍‌ ୩, ଓ୍ବକ୍ସ, ଆର୍ଚର, ପ୍ଲଙ୍କେଟ, ରସିଦ ଓ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଦୁଇ ଓପନର ଜାସନ ରୟ ଓ ଜନ୍ନି ବେୟାରଷ୍ଟୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଜବରଦସ୍ତ ଆରମ୍ଭ କରିଥିଲା। ଓପନିଂ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୯ ଓଭର ପୂର୍ବରୁ ୧୨୩ ରନ ସଂଗ୍ରହ କରିନେଇଥିଲେ। ତେବେ ରୟ ୮ ଚୌକା ସହ ୬୧ ବଲରୁ ୬୦ ରନ କରି ଜିମ୍ମି ନିଶାମଙ୍କ ବଲ୍‌ରେ ମିଚେଲ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ନିର୍ଭରଯୋଗ୍ୟ ଜୋ ରୁଟ୍‌ ୨୫ଟି ବଲ୍‌ ଖେଳି ୨୪ ରନ କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ଉଇକେଟ ପଛରେ ଟମ୍‌ ଲଥାମଙ୍କୁ କ୍ୟାଚ୍‌ ଦେଇଥିଲେ ଓ ସେ ପୁଣିଥରେ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଛନ୍ତି। ଏଥିସହିତ ରୁଟ୍‌ ଚଳିତ ବିଶ୍ୱକପ୍‌ରେ ପଞ୍ଚମ ବ୍ୟାଟ୍ସମ୍ୟାନ ଭାବେ ୫୦୦ରୁ ଊର୍ଦ୍ଧ ରନ ସଂଗ୍ରହ କରିଛନ୍ତି। ପୁଣି ସେ ପ୍ରଥମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ପାଇଛନ୍ତି। ଏହାପରେ ଇନ୍‌ଫର୍ମ ଓପନର ବେୟାରଷ୍ଟୋ ୯୯ଟି ବଲର ସମ୍ମୁଖୀନ ହୋଇ ୧୫ ଚୌକା ଓ ୧ ଛକା ସହାୟତାରେ ୧୦୬ ରନର ଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ମ୍ୟାଟ୍‌ ହେନେରୀଙ୍କ ବଲ୍‌ରେ ସେ ଲାଇନ ମିସ୍‌ କରି ପ୍ଲେଡ ଅନ୍‌ ହୋଇଥିଲେ। ବଲ୍‌ ବ୍ୟାଟର ଏଜ୍‌ ନେଇ ଷ୍ଟମ୍ପରେ ବାଜିଥିଲା। ବେୟାରଷ୍ଟୋ ପ୍ରଥମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ରେ କ୍ରମାଗତ ଦୁଇଟି ଶତକ ଅର୍ଜନ କରିବାର ଗୌରବ ଅର୍ଜନ କରିଛନ୍ତି। ଏହାପୂର୍ବରୁ ସେ ଭାରତ ବିପକ୍ଷରେ ୧୧୧ରନର ଶତକୀୟ ଇନିଂସ ଖେଳିଥିଲେ।
ଇଂଲଣ୍ଡ ଏକଦା ଗୋଟିଏ ଉଇକେଟ ହରାଇ ୧୯୪ ରନ କରି ଦୃଢ଼ ସ୍ଥିତିରେ ଥିଲା। ତେବେ ଏହାପରେ ଉଇକେଟ ମନ୍ଥର ହୋଇଥିଲା। ଫଳରେ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡ ବୋଲରମାନେ ଗୋଟିଏ ପରେ ଗୋଟିଏ ଉଇକେଟ ହାସଲ କରିଥିଲେ। ଫଳରେ ଇଂଲଣ୍ଡକୁ ୩୦୦ ରନ ପାର କରିବାକୁ ସଂଘର୍ଷ କରିବାକୁ ପଡିଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ବିଫଳ ହୋଇଥିଲେ। ସେ ୧୧ ରନ କରି ବୋଲ୍ଟଙ୍କ ବଲ୍‌ରେ କେନ ଓ୍ବିଲିୟମସନଙ୍କୁ କ୍ୟାଚ୍‌ ଦେଇଥିଲେ। ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ମନ୍ଥର ବ୍ୟାଟିଂ କରି ୨୭ଟି ବଲର ସମ୍ମୁଖୀନ ହୋଇ ମାତ୍ର ୧୧ ରନ କରି ସ୍ପିନର ସାଣ୍ଟନରଙ୍କ ବଲ୍‌ରେ ହେନେରୀଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି କ୍ରିସ୍‌ ଓ୍ବକ୍ସ ୪ ରନ କରିଥିବା ବେଳେ ନିଶାମଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅଧିନାୟକ ଇଅନ ମୋର୍ଗାନ ୪୦ ବଲରୁ ୫ ଚୌକା ସହ ୪୨ ରନକରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ହେନେରୀଙ୍କ ବଲ୍‌ରେ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ଆଦିଲ ରସିଦ ୧୬ ରନ କରି ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦିଙ୍କ ଦ୍ୱାରା କ୍ଲିନ ବୋଲ୍ଡ ହୋଇଥିଲେ। ଲିଅମ ପ୍ଲଙ୍କେଟ ୧୫ ଓ ଜୋଫ୍ରା ଆର୍ଚର ୧ ରନକରି ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ବୋଲ୍ଟ, ହେନେରୀ, ନିଶାମ ୨ଟି ଲେଖାଏ, ସାଉଦି ଓ ସାଣ୍ଟନର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ହାମଷ୍ଟ୍ରିଙ୍ଗ ଇଞ୍ଜୁରି କାରଣରୁ ଦ୍ରୁତ ବୋଲର ଲୋକି ଫର୍ଗୁସନ ଦଳରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ ସାଉଦିଙ୍କୁ ଖେଳିବାକୁ ସୁଯୋଗ ମିଳିଛି। ଟୁର୍ନାମେଣ୍ଟରେ ସେ ୯ ଓଭରରେ ୭୦ ରନ ଦେଇ ଗୋଟିଏ ଉଇକେଟ ଅକ୍ତିଆର କରି ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ୫୦ ଓଭରରେ ୩୦୫/୮
(ବେୟାରଷ୍ଟୋ- ୧୦୬, ରୟ- ୬୦, ମୋର୍ଗାନ- ୪୨, ରୁଟ୍‌- ୨୪, ବୋଲ୍ଟ- ୨/୫୬, ହେନେରୀ- ୨/ ୫୪, ନିଶାମ- ୨/୪୧)
ନ୍ୟୁଜିଲାଣ୍ଡ ୪୫ ଓଭରରେ ୧୮୬ ଅଲଆଉଟ୍‌
(ଲଥାମ- ୫୭, ଟେଲର- ୨୮, ଓ୍ବିଲିୟମସନ- ୨୭, ଉଡ୍‌- ୩/୩୪)।


Enter your email to get our daily news in your inbox.

All Right Reserved By Dharitri.Com

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri