ଅର୍ଥନୀତି ଓ ପରିବେଶ

ଡ. ଜୟକୃଷ୍ଣ ପାଣିଗ୍ରାହୀ

ଅର୍ଥନୀତି ହେଉଛି ଦ୍ରବ୍ୟ ଓ ସେବା ଉତ୍ପାଦନ, ବଣ୍ଟନ ଏବଂ ବ୍ୟବହାରର ଏକ ବ୍ୟବସ୍ଥା, ଯାହା ପରିଶେଷରେ ଏକ ଗୋଷ୍ଠୀ ମଧ୍ୟରେ ସମ୍ବଳର ବିତରଣକୁ ନିର୍ଦ୍ଧାରିତ କରେ। ଏହା ସାଧାରଣତଃ ଅଞ୍ଚଳଭିତ୍ତିକ ହୋଇଥାଏ, ଯେପରିକି ଏକ ରାଷ୍ଟ୍ର କିମ୍ବା ସହରର ଅର୍ଥନୀତି। ଏହା ଉକ୍ତ ଅଞ୍ଚଳରେ ଉପଲବ୍ଧ ଥିବା ସମ୍ବଳ ଓ ଧନସମ୍ପତ୍ତିକୁ ନେଇ ନିର୍ଣ୍ଣିତ ହୁଏ। ଏକ ସୁବ୍ୟବସ୍ଥିତ ଅର୍ଥ ବ୍ୟବସ୍ଥା ବିନା ଗୋଟିଏ ରାଷ୍ଟ୍ର ପ୍ରଗତିପଥରେ ଅଗ୍ରସରହେବା ଅସମ୍ଭବ ଏବଂ ଏହାର ଅବନତି ଅବଶ୍ୟମ୍ଭାବୀ ହୁଏ। ଆଧୁନିକ ଅର୍ଥବ୍ୟବସ୍ଥାରେ କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟିକ ସଂସ୍ଥା ବାହ୍ୟ ବ୍ୟବସାୟ ଅଥବା ଅନ୍ତର୍ଜାତୀୟ ସମ୍ପ୍ରଦାୟର ଲୋକଙ୍କ ସହିତ ସାମଗ୍ରୀ ଓ ସେବା ପ୍ରଦାନର ବାଣିଜ୍ୟ କରିବାରେ ସମର୍ଥ ଏବଂ ରାଷ୍ଟ୍ରର ସୀମା ବାହାରୁ ଦେଶ ମଧ୍ୟକୁ ପୁଞ୍ଜିନିବେଶ ରୂପେ ପାଣ୍ଠିର ପ୍ରବାହ ସମ୍ଭବପର ହେଉଛି। ଏବେ ହେଉଛି ଜଗତୀକରଣ ଏବଂ ଉଦାରୀକରଣର ଯୁଗ, ଯାହା ବ୍ୟବସାୟ କାର୍ଯ୍ୟକୁ ବିଶ୍ୱବ୍ୟାପୀ ବିସ୍ତାରିତ ଏବଂ ଅର୍ଥନୀତିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ସମ୍ପ୍ରତି ଯୋଗାଯୋଗ ବ୍ୟବସ୍ଥାର ଅଗ୍ରଗତି, ବୈଷୟିକ କ୍ଷେତ୍ରର ପ୍ରଗତି ଏବଂ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ କ୍ଷେତ୍ରର ଉନ୍ନତି ଦ୍ୱାରା ଏହା ସହଜସାଧ୍ୟ ହୋଇଛି। ସାମଗ୍ରିକ ଭାବରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ତ୍ୱରାନ୍ବିତ ହେବାସହ ମାନବ ଜୀବନଶୈଳୀ ଓ ବସ୍ତୁବାଦୀ ଚିନ୍ତାଧାରାରେ ପ୍ରଭୂତ ପରିବର୍ତ୍ତନ ଘଟିଛି। କିନ୍ତୁ ଏସବୁ ପ୍ରକ୍ରିୟାର ପରିଣାମରେ ଯେଉଁ ଉଲ୍ଲେଖନୀୟ ନକାରାତ୍ମକ ଘଟଣାର ସୂତ୍ରପାତ ହୋଇଛି, ତାହା ହେଉଛି ପ୍ରକୃତି-ପରିବେଶର ଗୁଣାତ୍ମକ ମାନରେ ଅବକ୍ଷୟ।
ସାମ୍ପ୍ରତିକ ଅର୍ଥନୀତିର ପରିବର୍ତ୍ତିତ ରୂପରେ ମାନବ ପରିବେଶ କିପରି ଚାପଗ୍ରସ୍ତ ଏବଂ କ୍ଷତିଗ୍ରସ୍ତ ହୋଇଚାଲିଛି, ତାହା ହେଉଛି ଆଜିର ପ୍ରମୁଖ ପ୍ରସଙ୍ଗ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅବିଶ୍ୱସନୀୟ ଅଗ୍ରଗତି ଏବଂ ମାନବ ସଭ୍ୟତାର ପ୍ରଗତି ସହିତ ଅର୍ଥନୈତିକ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଛି ସତ, କିନ୍ତୁ ବହୁ କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧି ପ୍ରକୃତି ଓ ପରିବେଶର ଅବକ୍ଷୟର କାରଣ ପାଲଟିଛି। ଖଣିଜ ଉତ୍ତୋଳନ, ପ୍ରକ୍ରିୟାକରଣ, ଶିଳ୍ପ ଉତ୍ପାଦନ, ପରିବହନ, ବ୍ୟବହାର ଏବଂ ଏ ସମସ୍ତ ପ୍ରକ୍ରିୟାରୁ ନିର୍ଗତ ବର୍ଜ୍ୟପଦାର୍ଥ ଦ୍ୱାରା ଦୁଇଟି ନକାରାତ୍ମକ ଘଟଣା ସଂଘଟିତ ହେଉଛି। ପ୍ରକୃତିରେ ଗଚ୍ଛିତ ସୀମିତ ସମ୍ପଦ କ୍ରମଶଃ ନିଃଶେଷ ହୋଇଚାଲିବା ସହ ପରିବେଶ ମଧ୍ୟକୁ କ୍ଷତିକାରକ ବର୍ଜ୍ୟବସ୍ତୁ ନିଷ୍କାସନ ବୃଦ୍ଧି ଘଟି ଏହାର ଗୁଣାତ୍ମକ ମାନରେ ଅବନତି ହେବା ସହ ପ୍ରାକୃତିକ ସନ୍ତୁଳନରେ ବ୍ୟାଘାତ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ପ୍ରଦୂଷିତ ପରିବେଶର ଗୁଣବତ୍ତାର ଉନ୍ନତିସାଧନ ନିମନ୍ତେ ଅଧିକ ଖର୍ଚ୍ଚର ବିନିଯୋଗ ହେଉଛି, ଯାହା ଅର୍ଥନୀତି ଉପରେ ଚାପ ସୃଷ୍ଟିକରୁଛି। ଉପଭୋକ୍ତାବାଦ ମାନସିକତାର ପ୍ରସାରଣ କ୍ରମଶଃ ଆମର ପରିବେଶୀୟ ପାଦଚିହ୍ନକୁ ତୀବ୍ରତର କରୁଛି। ଅତଏବ ପ୍ରଚଳିତ ଅସହନୀୟ ମାର୍ଗରେ ସାଧିତ ହେଉଥିବା ବିକାଶ ପ୍ରକ୍ରିୟା ଏବଂ ଏହା ଉପରେ ନିର୍ଭରଶୀଳ ଅର୍ଥନୀତି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରକୃତି ତଥା ପରିବେଶ ନିମନ୍ତେ କ୍ଷତିକାରକ ସାବ୍ୟସ୍ତ ହେଉଛନ୍ତି। ଯେହେତୁ ମାନବଜାତି ସମେତ ସମଗ୍ର ଜୀବଜଗତର ସ୍ବାସ୍ଥ୍ୟ ପରିବେଶର ଗୁଣବତ୍ତା ଦ୍ୱାରା ନିୟନ୍ତ୍ରିତ, ସେଥିପାଇଁ ସମସ୍ତ ଜୀବଜନ୍ତୁ ବହୁବିଧ ରୋଗ ଓ ସ୍ବାସ୍ଥ୍ୟ ସମସ୍ୟାରେ ପ୍ରପୀଡ଼ିତ ହୋଇ ମୂଲ୍ୟ ତୁଲାଉଛନ୍ତି।
ଅର୍ଥନୈତିକ ପ୍ରଗତି ଦୃଷ୍ଟିରୁ ପ୍ରଚଳିତ ରୈଖିକ ଅର୍ଥନୀତି ଏବଂ ପରିବେଶ ବିଶେଷଜ୍ଞମାନେ ପ୍ରୋତ୍ସାହିତ କରୁଥିବା ବୃତ୍ତାକାର ଅର୍ଥନୀତିର ତୁଳନାତ୍ମକ ଚିତ୍ର ଉପସ୍ଥାପନର ଆବଶ୍ୟକତା ରହିଛି। ପୃଥିବୀରେ ଶିଳ୍ପ ବିପ୍ଳବର ପ୍ରସାରଣ ଦୃଶ୍ୟପଟ୍ଟର ରୈଖିକ ଅର୍ଥନୀତିର ଢାଞ୍ଚା ସ୍ଥାପିତ ହେଲା, ଯାହା ସ୍ବଳ୍ପକାଳୀନ ଭିତ୍ତିରେ ଅନେକ ଲାଭ ପ୍ରଦାନକରି ମାନବଜାତିକୁ ଆକୃଷ୍ଟ କଲା। ପ୍ରଥମଥର ପାଇଁ କଳକାରଖାନା ମାଧ୍ୟମରେ କଞ୍ଚାମାଲ ରୂପେ ପ୍ରାକୃତିକ ସମ୍ପଦର ଅନିୟନ୍ତ୍ରିତ ବ୍ୟବହାର ଦ୍ୱାରା ବହୁଳ ଭାବରେ ସାମଗ୍ରୀ ସବୁର ଉତ୍ପାଦନ ସକ୍ଷମ ହେଲା। ଏପରି ଅର୍ଥନୈତିକ ରୂପାନ୍ତରଣ ମାଧ୍ୟମରେ ଆମେରିକା ଓ ୟୁରୋପର ଶିଳ୍ପପ୍ରଧାନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଧନିକ ସମାଜରେ ପରିଣତ ହେଲେ। ବିଶ୍ୱ ଜନସଂଖ୍ୟାରେ ବୃଦ୍ଧି ଘଟିଲା ଏବଂ ବହୁସଂଖ୍ୟକ ଲୋକ ଦାରିଦ୍ର୍ୟ ବଳୟରୁ ମୁକ୍ତହେଲେ। ‘ କଞ୍ଚାମାଲ ଆଣ-ପ୍ରକ୍ରିୟାକରଣ କର- ବର୍ଜ୍ୟ ନିଷ୍କାସନ କର’ (ଟେକ୍‌-ମେକ୍‌-ୱେଷ୍ଟ) ବୋଲି ଅଭିହିତ ହେଉଥିବା ଏହି ଅର୍ଥନୀତିରେ ପ୍ରାକୃତିକ ଉତ୍ସର ବ୍ୟବହାରରେ କାରଖାନାରେ ଉତ୍ପାଦ ପ୍ରସ୍ତୁତ ହୋଇ ବଜାରକୁ ଆସେ, ଖାଉଟିଙ୍କ ଦ୍ୱାରା ବ୍ୟବହୃତ ହୁଏ ଏବଂ ପରିଶେଷରେ ଅବ୍ୟବହୃତ କିଛିଅଂଶ ଆବର୍ଜନା ରୂପେ ପରିବେଶକୁ ନିଷ୍କାସିତ ହୁଏ। ଏଥିରେ ଉତ୍ପାଦ ଏବଂ ସାମଗ୍ରୀ ସାଧାରଣତଃ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟ ପର୍ଯ୍ୟନ୍ତ ବ୍ୟବହୃତ ହୁଅନ୍ତି ନାହିଁ। ଏହାର ନାମ ଯାହା ସୂଚାଏ, ଏହା ସର୍ବଦା ଗୋଟିଏ ଦିଗରେ ହିଁ ଗତିକରେ – କଞ୍ଚାମାଲରୁ ଆବର୍ଜନା ପର୍ଯ୍ୟନ୍ତ। ଏହି ଅର୍ଥନୀତି ଏକ ପ୍ରଦୂଷଣକାରୀ ପଦ୍ଧତି, ଯାହା ପ୍ରାକୃତିକ ପ୍ରକ୍ରିୟା ସବୁକୁ ନକାରାତ୍ମକ ଭାବେ ପ୍ରଭାବିତ କରେ। ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ଅବକ୍ଷୟ ଏବଂ ପରିବେଶ ଅସନ୍ତୁଳନ ପରି ଅନେକ ବିଶ୍ୱସ୍ତରୀୟ ଆହ୍ବାନର କାରକ ରୂପେ ଏହା କାର୍ଯ୍ୟକରେ। ଏହାର ପ୍ରଭାବରେ ପ୍ରାକୃତିକ ସମ୍ବଳ ଏବଂ ଭୂଦୃଶ୍ୟର ତ୍ରୁଟିପୂର୍ଣ୍ଣ ପରିଚାଳନା ହେଉଛି; ମୃତ୍ତିକାର ମାନରେ ଅବନତି ଘଟୁଛି; ନଦୀ, ସମୁଦ୍ର ସହ ଅଧିକାଂଶ ଜଳଉତ୍ସ ପ୍ରଦୂଷିତ ହେଉଛି; ମଧୁରଜଳର ଉପଲବ୍ଧି ଏକ ବିଷମ ସମସ୍ୟା ହୋଇଛି; ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ସମସ୍ୟାକୁ ବହୁଗୁଣିତ କରୁଛି; ଜଙ୍ଗଲସମ୍ପଦ ଏବଂ ବନ୍ୟଜନ୍ତୁ ବିପଦଗ୍ରସ୍ତ ହେଉଛନ୍ତି ଏବଂ ସାମଗ୍ରିକ ଭାବରେ ଏହି ଅର୍ଥନୀତି।
ଅନ୍ୟପକ୍ଷରେ ବୃତ୍ତାକାର ଅର୍ଥନୀତି ହେଉଛି ‘ଉତ୍ପାଦନ-ବ୍ୟବହାର-ପୁନଃବ୍ୟବହାର/ ପୁନଃଚକ୍ରଣ’ର ଏକଚାକ୍ରିକ ବ୍ୟବସ୍ଥା, ଯେଉଁଥିରେ ସାମଗ୍ରୀ ସହଜରେ ବର୍ଜ୍ୟବସ୍ତୁ ରୂପେ ନିଷ୍କାସିତ ହୁଏନାହିଁ ଏବଂ ପ୍ରାକୃତିକ ଉତ୍ସର ପୁନରୁଦ୍ଧାର ଘଟେ। ଏଥିରେ ରକ୍ଷଣାବେକ୍ଷଣ, ପୁନଃବ୍ୟବହାର, ପୁନଃନିର୍ମାଣ, ପୁନଃଉତ୍ପାଦନ, ପୁନଃଚକ୍ରଣ ଏବଂ କମ୍ପୋଷ୍ଟିଂ ପରି ପ୍ରକ୍ରିୟା ମାଧ୍ୟମରେ ଉତ୍ପାଦ ଏବଂ ସାମଗ୍ରୀର ପୁନର୍ବାର ବ୍ୟବହାରକୁ ପ୍ରାଧାନ୍ୟ ଦିଆଯାଏ। ବର୍ଜ୍ୟବସ୍ତୁ ଭିତ୍ତିକ ରୈଖିକ ଅର୍ଥନୀତିକୁ ପରିବର୍ତ୍ତିତ କରି ଏଠାରେ ବର୍ଜ୍ୟପଦାର୍ଥ କଞ୍ଚାମାଲ ରୂପେ ବାରମ୍ବାର ବ୍ୟବହୃତ ହୁଏ। ଏହାଦ୍ୱାରା ଉତ୍ପାଦଗୁଡ଼ିକର ଜୀବନଚକ୍ର ଲମ୍ବା ସମୟ ପର୍ଯ୍ୟନ୍ତ ବିସ୍ତାରିତ ହୁଏ ଏବଂ ପରିବେଶକୁ ବର୍ଜ୍ୟବସ୍ତୁର ପ୍ରବେଶ ସର୍ବନିମ୍ନକୁ ହ୍ରାସପାଏ। ପରିଣାମରେ ସମ୍ବଳର ସଂରକ୍ଷଣ ଏବଂ ପ୍ରକୃତିର ପୁନରୁତ୍ଥାନ ସମ୍ଭବପର ହୁଏ। ବୃତ୍ତାକାର ଅର୍ଥନୀତି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଆବଶ୍ୟକତାର ପୂରଣ ସହିତ ଆମକୁ ଜଳବାୟୁ ପରିବର୍ତ୍ତନ ଏବଂ ଜୈବବିବିଧତା ଅବକ୍ଷୟର ମୁକାବିଲା ଦିଗରେ ସାଧନ ଯୋଗାଏ। ସବୁଜଗୃହ ବାଷ୍ପ ନିର୍ଗମନ, ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ପ୍ରଦୂଷଣକୁ ନିୟନ୍ତ୍ରିତ କରିବାସହ ଏହା ଆମକୁ ସମୃଦ୍ଧ ହେବା, ନିଯୁକ୍ତି ସୁଯୋଗ ବୃଦ୍ଧିକରିବା ଏବଂ ସ୍ଥିରତା ବଜାୟ ରଖିବାକୁ ସାମର୍ଥ୍ୟ ପ୍ରଦାନକରେ।
ପାନୀୟ ବୋତଲ ସବୁର ପୁନଃବ୍ୟବହାର ନିମନ୍ତେ ସଂଗ୍ରହ ଏବଂ ପୁନଃଚକ୍ରଣ ପଦ୍ଧତି ଅନୁସରଣ କରିବା ଅଥବା ବର୍ଜିତ ଜୈବିକ ପଦାର୍ଥକୁ କମ୍ପୋଷ୍ଟିଂ ମାଧ୍ୟମରେ ଖତରେ ରୂପାନ୍ତରିତ କରିବା ବୃତ୍ତାକାର ପ୍ରଣାଳୀର ପ୍ରମୁଖ ଉଦାହରଣ। ଶିଳ୍ପକ୍ଷେତ୍ରର ଏକ ଉପଯୁକ୍ତ ଦୃଷ୍ଟାନ୍ତ ହେଉଛି ହିଣ୍ଡାଲ୍‌କୋ କମ୍ପାନୀ ଆଲୁମିନା ବିଶୋଧନ ପ୍ରକ୍ରିୟାରେ ଏକ ଉପ-ଉତ୍ପାଦ ଭାବରେ ବକ୍ସାଇଟର ଅବଶିଷ୍ଟାଂଶ ସୃଷ୍ଟିକରେ, ଯାହାକୁ ଅଲଟ୍ରା ଟେକ୍‌ କମ୍ପାନୀ ସିମେଣ୍ଟ ଉତ୍ପାଦନରେ କଞ୍ଚାମାଲ ରୂପେ ବ୍ୟବହାରରେ ଲଗାଏ। ବର୍ଦ୍ଧିତ ପରିବେଶ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ନିଷ୍କାସନ ପରିପ୍ରେକ୍ଷୀରେ ଶିଳ୍ପସଂସ୍ଥା ଏବଂ କମ୍ପାନୀଗୁଡ଼ିକ ଆଇନକାନୁନ ଦ୍ୱାରା ଅଧିକ ଚାପଗ୍ରସ୍ତ ହେଉଥିବାରୁ ଏପରି ଅଧିକ ସବୁଜ ପଦ୍ଧତି ସବୁ ଅବଲମ୍ବନକରି ବୃତ୍ତାକାର ଅର୍ଥନୀତିକୁ ସୁଦୃଢ଼ କରିବା ବାଞ୍ଛନୀୟ। ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri