ଅବ୍ୟବସ୍ଥିତ ବ୍ୟାଙ୍କସେବା ପାଇଁ ସୁଫଳ ଦେଉନି ‘କାଳିଆ’

ବୈପାରୀଗୁଡ଼ା,୧୭।୧(ଡି.ଏନ୍‌.ଏ.) – ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କରିଥିବା ବେଳେ କେନ୍ଦ୍ର ସରକାର ପିଏମ୍‌ କିଷାନ ଯୋଜନା କରିଛନ୍ତି। କିନ୍ତୁ ଏହି ଦୁଇଟି ଯୋଜନାର ଲାଭ ଚାଷୀ ପାଇପାରୁ ନାହାନ୍ତି। ଯୋଜନା ଓ ସଫଳତା ଭିତରେ ବାଧକ ସାଜିଛି ଅବ୍ୟବସ୍ଥିତ ବ୍ୟାଙ୍କସେବା। ବୈପାରୀଗୁଡ଼ା ବ୍ଲକର ଚାଷୀ ଏଭଳି ସମସ୍ୟା ଭୋଗୁଥିବା ଅଭିଯୋଗ ବାଢ଼ିଛନ୍ତି।
ବୈପାରୀଗୁଡ଼ା ବ୍ଲକ ସଦରରେ ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ଓ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ରହିଛି। ଓଭରସିଜ୍‌ ବ୍ୟାଙ୍କ ଶାଖା ପୁରୁଣା ହୋଇଥିବାରୁ ବହୁ ସରକାରୀ ଯୋଜନାରେ ସଂପୃକ୍ତ ହିତାଧିକାରୀଙ୍କ ଜମାଖାତା ଏଠାରେ ରହିଛି। କାଳିଆ ଯୋଜନା, ଆବାସ ଯୋଜନା, ପି.ଏମ୍‌. କିଷାନ ଯୋଜନା, କେନ୍ଦୁପତ୍ର ତୋଳାଳିଙ୍କ ପାଉଣା, ମଣ୍ଡିରେ ଧାନବିକା ଅର୍ଥ ଜମାଖାତାକୁ ଆସେ। କିନ୍ତୁ ବ୍ୟାଙ୍କ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁ ନାହାନ୍ତି। ବ୍ୟାଙ୍କରେ କାମ ବୋଝ ବଢୁଥିବା ବେଳେ ଆବଶ୍ୟକ କର୍ମଚାରୀ ନ ଥିବା କାରଣରୁ ହିତାଧିକାରୀ ବ୍ୟାଙ୍କ ଗଲେ ସେମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଛଇ। ଜମାଖାତାରେ କାରବାର ଓ ବ୍ୟାଙ୍କ ବାଲାନ୍ସ ତଥ୍ୟ ଦେବାକୁ ମନା କରାଯାଉଛି। ବର୍ତ୍ତମାନ କାଳିଆ ଯୋଜନାରେ ଅନଲାଇନ୍‌ ଗ୍ରିଭେନ୍ସ ପାଇଁ ଅପଡେଟ୍‌ ପାଶବୁକ୍‌ କପି ଦାଖଲ କରିବାକୁ ପଡୁଛି। କିନ୍ତୁ ଖାତା ଅପଡେଟ୍‌ କରିବାକୁ ଯାଉଥିବା ଜମାକାରୀଙ୍କୁ ପ୍ରିଣ୍ଟର ଅଚଳ କହି ଫେରାଇ ଦିଆଯାଉଛି। ଏଠାରୁ ୨୨ କିମି ଦୂର ଜୟପୁର ବ୍ରାଞ୍ଚକୁ ଯାଇ କରିବାକୁ କୁହାଯାଉଛି। ନିରକ୍ଷରତା ହେତୁ ଅନେକ ସମୟରେ ଗରିବ ଓ ଆଦିବାସୀ ହିତାଧିକାରୀ ଟଙ୍କା ଉଠାଇବା ବେଳେ ଅନ୍ୟମାନଙ୍କ ସାହାରା ନିଅନ୍ତି। ସେହି ସୁଯୋଗରେ ଅନେକ ଦଲାଲ ସେମାନଙ୍କ ଖାତାରୁ ଟଙ୍କା ହଡ଼ପ କରୁଛନ୍ତି। ଯେଉଁ ଜମାକାରୀ ଟଙ୍କା ଉଠାଇବା ଫର୍ମରେ ଟିପଚିହ୍ନ ଦେଉଛନ୍ତି, ସେମାନଙ୍କୁ ବାହାରେ ବାୟୋମେଟ୍ରିକ ମେଶିନ ଦ୍ୱାରା ଆଧାର କାର୍ଡ ନମ୍ବରରେ ଅର୍ଥ ଉଠାଇବାକୁ କୁହାଯାଉଛି। ବାହାରେ ଅର୍ଥ ଉଠାଣରେ ହଜାରକୁ ୬ ଟଙ୍କା କମିସନ ଦେବାକୁ ପଡୁଛି।
ଗତ ସୋମବାରର ଘଟଣା। ବୈପାରୀଗୁଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଭାଟିପଡ଼ା ଗ୍ରାମର କାଳିଆ ଯୋଜନା ହିତାଧିକାରୀ ଦୈତାରୀ ଗାଦବା ଓ ଗୋରା ଗାଦବା ନିଜ ଖାତାରେ କେତେ ଟଙ୍କା ଅଛି ଜାଣିବା ପାଇଁ ବ୍ୟାଙ୍କ ଯାଇଥିଲେ। ଜଣେ କର୍ମଚାରୀ ବିନା ଯାଞ୍ଚରେ ପ୍ରିଣ୍ଟର ଖରାପ ଥିବା ଆଳ ଦେଖାଇ ଖାତା ଅପଡେଟ୍‌ କରିବାକୁ ଜୟପୁର ଯିବା ପାଇଁ କହିଥିଲେ। ନେଟ୍‌ରେ ଯାଞ୍ଚ କରିବା ବେଳେ ଦୈତାରୀଙ୍କ ଖାତାରେ ଗତ ବର୍ଷ ଫେବୃଆରୀ ୨୧ରେ ପ୍ରଥମ କିସ୍ତି ଓ ନଭେମ୍ବର ୬ରେ ଦ୍ବିତୀୟ କିସ୍ତିରେ ମୋଟ ୧୦ ହଜାର ଟଙ୍କା ଆସିଥିବା ଜଣାପଡ଼ିଥିଲା। କାଳିଆ ଟଙ୍କାରେ ଛେଳି କିଣି ଗୁଜୁରାଣ ଚଳାଇବାକୁ ଆଶା ରଖିଥିବା ଦୈତାରୀ ବ୍ୟାଙ୍କକୁ ବାରମ୍ବାର ଆସି ନିରାଶ ହେଉଥିବା କହିଛନ୍ତି। ବାଲିଗଁା ପଞ୍ଚାୟତ ସିନ୍ଧିଗଁାର ଗୁରୁ ଗୌଡ଼ ଗତ ବର୍ଷ କାଳିଆ ଯୋଜନାରେ ଆବେଦନ କରିଥିଲେ। ଗତ ନଭେମ୍ବର ୭ରେ ତାଙ୍କୁ ପ୍ରଥମ କିସ୍ତି ସହାୟତା ମିଳିଥିବା ନେଟ୍‌ରେ ଯାଞ୍ଚ ବେଳେ ଜଣାପଡ଼ିଛି। କିନ୍ତୁ ବ୍ୟାଙ୍କ ଗଲେ ଟଙ୍କା ନ ଥିବା କହି ଫେରାଇ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଓଭରସିଜ୍‌ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଯୋଗାଯୋଗ କରିବାରୁ ୩ ମାସ ହେବ ଜମାକାରୀଙ୍କ ପାଇଁ ଥିବା ପ୍ରିଣ୍ଟର ଖରାପ ଥିବା କଥା ସେ ସ୍ବୀକାର କରିଥିଲେ। ବ୍ୟାଙ୍କରେ ଅନ୍ୟ ଏକ ପ୍ରିଣ୍ଟର ଥିଲେ ବି କର୍ମଚାରୀ ଅଭାବରୁ ତାହା ଅପରେଟ ହୋଇପାରୁ ନ ଥିବା ସେ କହିଛନ୍ତି। ସ୍ଥାନୀୟ କୃଷି ଅଧିକାରୀ ନନ୍ଦୁ ଜାନି କହିଛନ୍ତି, ତାଙ୍କ ନିକଟରେ ଏପରି ଅଭିଯୋଗ ରହିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କହିବା ସତ୍ତ୍ବେ ଅବସ୍ଥା ସୁଧୁରୁନି।
ଉଲ୍ଲେଖଯୋଗ୍ୟ, ଚଳିତ ମାସ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ବେଳେ ବ୍ୟାଙ୍କର ସମସ୍ୟା ଅଭିଯୋଗ ହୋଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ରଜନୀକାନ୍ତ ଦାସ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଡାକି ତାଗିଦ୍‌ କରିଥିଲେ। କିନ୍ତୁ ଏଯାବତ୍‌ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ଅନ୍ୟପକ୍ଷରେ ଖାତା ଅପଡେଟଡ୍‌ ନ ହେବା କାରଣରୁ କାଳିଆ ଯୋଜନାରେ ଆବେଦନ କରୁଥିବା ବହୁ ଚାଷୀ ବାଦ୍‌ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri