ଅନ୍ଧବିଶ୍ୱାସ ଅନ୍ତରାଳେ

ଅନ୍ନପୂର୍ଣ୍ଣା ପାଣ୍ଡେ
ଆପଣମାନେ ପ୍ରତିଦିନ ଖବରକାଗଜରେ ଡାହାଣୀ ପ୍ରଥା ଉପରେ ପଢୁଥିବେ। ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, ଅନୁଗୋଳ, ଢେଙ୍କାନାଳ ଆଦି ଅଞ୍ଚଳରେ କେତେ ଯେ ଡାହାଣୀ ନାଁରେ ହତ୍ୟା ଚାଲିଛି ତା’ର କଳନା ନାହିଁ। ଓଡ଼ିଶାରେ ଡାହାଣୀ ପ୍ରଥାକୁ ନେଇ ଅତ୍ୟାଚାର ବେଶି। ଗୋଟିଏ ଆଇନ ମଧ୍ୟ ୨୦୧୩ ମସିହାରୁ ଚାଲୁହୋଇଛି କିନ୍ତୁ ଡାହାଣୀ କହି ସ୍ତ୍ରୀଲୋକଙ୍କ ଉପରେ ଅକପଥନୀୟ ଅତ୍ୟାଚାର ବନ୍ଦ ହୋଇନାହିଁ। ଏବେ ଗଞ୍ଜାମ ଜିଲାପାଳ ଭୂତପ୍ରେତ ଓ ଗୁଣିଗାରେଡିକୁ ସାବ୍ୟସ୍ତ କରିପାରିଲେ ୧୦,୦୦୦ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି।
ଅଳ୍ପଦିନ ତଳେ ରାୟଗଡ଼ା ଜିଲାର ଏକ ଛୋଟିଆ ଗାଁର ଜଣେ ସହରିଆ ଶିକ୍ଷିତ ବ୍ୟକ୍ତି ବଡ଼ ବ୍ୟସ୍ତ ହୋଇ କହିଲେ, ”ଜାଣିଛନ୍ତି ଏଇ ଗାଁର ଲୋକମାନେ ବଡ଼ ଅନ୍ଧବିଶ୍ୱାସୀ। ସାପକାମୁଡ଼ାରେ ଡାକ୍ତରଖାନା ଯାଆନ୍ତି ନାହିଁ। ଗାଁର ବିଜୁଣୀ ପାଖକୁ ଯାଇ ଝଡ଼ାଫୁଙ୍କା କରନ୍ତି। ଦେଶୀ ଚିକିତ୍ସାକୁ ବେଶି ଆଦରନ୍ତି।“ ମୁଁ ଗାଁର କିଛି ଲୋକଙ୍କୁ ପଚାରିଲି, ”ଆପଣ କ’ଣ ସତରେ ଡାକ୍ତର ପାଖକୁ ଯାଆନ୍ତି ନାହିଁ?“ ମୋତେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି କହିଲେ, ”ଆଜ୍ଞା, ଆମ ଦୁଃଖ କହିଲେ ସରିବ ନାହିଁ। ଡାକ୍ତରଖାନା ପାଖରେ ନାହିଁ। ଚାଲି ଚାଲି କିମ୍ବା ସାଇକେଲରେ ପାହାଡ଼ ଓହ୍ଲେଇ ଆମେ ଅତି କଷ୍ଟରେ ସରକାରୀ ଡାକ୍ତରଖାନାରେ ପହଞ୍ଚିଲେ ବି ଆମ କଥା କେହି ଶୁଣନ୍ତି ନାହିଁ। ଘଣ୍ଟା ଘଣ୍ଟା ଅପେକ୍ଷା କରି ଡାକ୍ତର ଆସିଲା ବେଳକୁ ରୋଗୀର ପ୍ରାଣ ଚାଲିଯାଇଥାଏ। ଯଦିବା ଡାକ୍ତର ଦେଖିଲେ, ଆମ ଲୋକ ସେଠାରୁ ପ୍ରାଣ ଥାଇ ଫେରନ୍ତି ନାହିଁ। ଆମର ସେଥିପାଇଁ ଡାକ୍ତରଖାନାକୁ ବଡ଼ ଡର। ଆମେ ଗାଁରେ ବିଜୁଣୀ ପାଖକୁ ଗଲେ ସେ କୁକୁଡା ବଳି ଦେଇ ରୋଗୀ ଭଲ ହେବା ପାଇଁ ଉପାୟ ବତାଏ। ତା’ପରେ ପ୍ରାଣ ରହିବ ବା ଯିବ, ତାହା ଦେବତା ହାତରେ। ବୁଝିଲି ଯେ ସେମାନେ ଡାକ୍ତର ବା ଡାକ୍ତରଖାନାକୁ ସନ୍ଦେହ କରନ୍ତି ନାହିଁ କିନ୍ତୁ ତାଙ୍କ ନିଜ ଅନୁଭୂତିକୁ ନେଇ ଡାକ୍ତର ଉପରେ ଆସ୍ଥା ରଖନ୍ତି ନାହିଁ। ଅନ୍ୟ ସୂତ୍ରରୁ ଶୁଣିଲି ସେମାନେ ଗାଁ ଗହଳିରେ ଥିବା ଡାକ୍ତରମାନଙ୍କଠାରୁ ପଥି ଖାଆନ୍ତି। ତାଙ୍କ ନିଜର ଜଡିବୁଟି ସହିତ ବିଦେଶୀ ଔଷଧ ମଧ୍ୟ ଖାଆନ୍ତି। ଏମାନଙ୍କୁ ଅନ୍ଧବିଶ୍ୱାସୀ କହି ଏଡେଇଦେବା କ’ଣ ଠିକ୍‌ କଥା?
ମୁଁ ଜଣେ ବିଜୁଣୀକୁ ଭେଟିଲି। ଗାଁରେ ବିଜୁଣୀ (ସ୍ତ୍ରୀ ଗୁଣିଆ) ଏବଂ ବିଜୋ (ପୁରୁଷ ଗୁଣିଆ) ବଡ଼ ସାଧାରଣ ଲୋକ। ସେମାନଙ୍କୁ ଗୁଣିଆ କୁହାଯାଇପାରେ। ତାଙ୍କ ଘର ଅନ୍ୟମାନଙ୍କ ଘରଠାରୁ ନିଆରା ନୁହେଁ। ଦିନ ଗୋଟାଏ ବେଳେ ବିଜୁଣୀ ଜଣକ ଜଙ୍ଗଲରୁ ଚାଷ କାମ ସାରି ଜାଳ ନେଇ ଫେରିଥାନ୍ତି। ଗାଧୋଇ ସାରି ଗୋଟିଏ ଧଳା ସୂତା ଶାଢ଼ି ପିନ୍ଧିଥାନ୍ତି। ମୋତେ ଆଦରରେ ପାଖରେ ବସେଇଲେ। ପଚାରିଲି ଆପଣ କ’ଣ କରନ୍ତି? ”ଲୋକମାନେ ଡାକିଲେ ଯାଏ। ଦେହ ଖରାପ ହେଲେ ପଥି ଦିଏ। ଫସଲ ଚାଷ ପୂର୍ବରୁ କ୍ଷେତରେ ପୂଜା କରାଏ। ଆମ ଯାନିଯାତ୍ରାରେ ପୂଜାରୀ ହୁଏ।“ ଜଣେ ସାଧାରଣ ଭଦ୍ର ମହିଳା, କିନ୍ତୁ ମୁହଁିଟି ତେଜୋଦୀପ୍ତ। ମୋ ମୁଣ୍ଡ ନଇଁଗଲା। ଜଣେ ବିଜୋଙ୍କ ସାଙ୍ଗରେ ମଧ୍ୟ ଭେଟ ହେଲି। ସେମାନେ ତାଙ୍କର ଦେବତାଙ୍କୁ ଲୋକଙ୍କ ଗୁହାରି ଶୁଣାନ୍ତି। ଲୋକଙ୍କ ହିତ ପାଇଁ ନିଜର ସମୟ ଦିଅନ୍ତି, କିନ୍ତୁ ବଡ଼ ସାଧାରଣ ଭାବରେ ରୁହନ୍ତି। ମୋତେ ସେମାନଙ୍କୁ ମାରାତ୍ମକ ବୋଲି ବିଶ୍ୱାସ ହେଲାନାହିଁ ଏବଂ ମୁଁ ବାହାର ଲୋକ, ତାଙ୍କୁ ସମାଲୋଚନା କରିବାର ଅଧିକାର ମୋର ନାହିଁ।
ମୁନିଗୁଡ଼ା ପାଖରେ ଗୋଟିଏ ଡଙ୍ଗରିଆ କନ୍ଧ ଗାଁରେ ଲୋକଙ୍କୁ ପଚାରିଲି। ଆପଣମାନେ କ’ଣ ଗୁଣିଗାରେଡିରେ ବିଶ୍ୱାସ କରନ୍ତି? ଡାକ୍ତରଙ୍କ ପାଖକୁ ଦେହ ଖରାପ ହେଲେ ଯାଆନ୍ତି ନାହିଁ? ଜଣେ ଭେଣ୍ଡିଆ ଲୋକ ମୁହଁ ଖୋଲିଲେ। ଆଜ୍ଞା, ଆମେ ଆମ ବାପା, ଜେଜେବାପାଙ୍କ ଅମଳରୁ ଜଡିବୁଟି ଉପରେ ବିଶ୍ୱାସ କରିଆସୁଛୁ। ପାହାଡ଼ ପର୍ବତରୁ ଚେରମୂଳି ଖାଇ ଆମ ଦେହ ଭଲ ହୁଏ। ବର୍ତ୍ତମାନ ଆଉ ଏ ଚେରମୂଳି, ବିଜୁଣୀ ଚିକିତ୍ସାରେ ଆମ ଦେହ ଭଲ ହେଉନାହିଁ। ସାଧାରଣ ଲୋକଙ୍କୁ ବଣ୍ଟାଯାଉଥିବା ଚାଉଳ ମିଳୁଛି। କିଲୋ ଟଙ୍କାଟେ। ରାସାୟନିକ ସାର ଓ କୀଟନାଶକ ଦେଇ ଚାଷ ହେଉଥିବା ଧାନର ଚାଉଳ ଏବଂ କୀଟନାଶକ, କେମିକାଲଯୁକ୍ତ ପରିବା ଖାଇ ଆମ ଦେହ ଖରାପ ହେଉଛି। ଆମକୁ ଡାକ୍ତରୀ ଚିକିତ୍ସା ମିଳେ ନାହିଁ। ଜଡିବୁଟି ଔଷଧ ଖାଇଲେ ମଧ୍ୟ ଆଗଭଳି ଫଳ ମିଳୁନାହିଁ। ଭାଗ୍ୟକୁ ଆଦରି ଆମେ ରହିଛୁ। ତା’ ଉପରେ ଆମେ ଅନ୍ଧବିଶ୍ୱାସୀ ବୋଲି ସମାଲୋଚନା ଚାଲିଛି।
ଗୋଟିଏ କନ୍ଧ ଗାଁରେ ଜଣେ ବିଜୋକୁ ଭେଟିବାକୁ ଯାଇଥାଏ। ବଡ଼ ସାଧାରଣ ଲୋକ, ଜଙ୍ଗଲକୁ ଯିବା ପାଇଁ ବାହାରିଥାନ୍ତି। ସେ ଗାଁର ସମସ୍ତଙ୍କ ଦେହପା’ କଥା ବୁଝନ୍ତି। ଗାଁ ପାଖରେ ଏକ ପ୍ରତ୍ୟକ୍ଷ ଠାକୁରାଣୀଙ୍କ ମନ୍ଦିର ଅଛି। ସେହି ମନ୍ଦିରରେ ସେ ପୂଜାପାଠ ମଧ୍ୟ କରନ୍ତି। ତାଙ୍କ ଘର ସାମ୍‌ନାରେ ଜଣେ ସ୍ତ୍ରୀଲୋକର ଦେହ ବହୁତ ଖରାପ। ୫୦ ବର୍ଷର ଡେଙ୍ଗା ସ୍ତ୍ରୀଲୋକଟିଏ। ମୁହଁଟି ବଡ ସୁନ୍ଦର। କାଶୁଥାନ୍ତି। କହିଲେ, ଦେହ ଭଲ ନାହିଁ। ଯିଶୁ (ଖ୍ରୀଷ୍ଟିଆନଙ୍କ ଦ୍ୱାରା ପରିଚାଳିତ ଘରୋଇ) ଡାକ୍ତରଖାନାରେ ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ଦେଖିବେ ନାହିଁ। ସରକାରୀ ଡାକ୍ତରଖାନାରେ ଔଷଧ ନାହିଁ। ଯାହା ପାଣି ଔଷଧ ଦେଉଛନ୍ତି, ସେଥିରେ ଦେହ ଭଲ ହେଉନାହିଁ। ବଡ଼ କାମିକା ଲୋକ। ବର୍ତ୍ତମାନ ବସି ବସି ଦେହଟା ଦୁର୍ବଳ ହୋଇଗଲାଣି। ମୋର ଟଙ୍କିକିଆ ଚାଉଳ ଏବଂ ସାରଦିଆ ପରିବା କଥା ମନେପଡ଼ିଲା।
ଏଇଠି ମୁଁ ଆପଣମାନଙ୍କୁ ମଙ୍ଗ୍‌ (Hmong) ଆଦିବାସୀ ଲୋକମାନଙ୍କ ବିଷୟରେ ଦୁଇଧାଡି କହିବି। ସେମାନଙ୍କର ରାଜ୍ୟ ହେଲା ଲାଓସ, ଭିଏତ୍‌ନାମ୍‌ ଏବଂ ଥାଇଲାଣ୍ଡ ମଝିରେ ଛୋଟିଆ ଦେଶଟିଏ। ସେମାନେ ଗୁଣିଆ ଉପରେ ବିଶ୍ୱାସ କରନ୍ତି। ୧୯୭୦ ମସିହାରୁ ବହୁତ ମଙ୍ଗ୍‌ ଲୋକ ଆମେରିକାରେ ବସବାସ କରିଛନ୍ତି। ସେଠି ମଧ୍ୟ ସେମାନେ ତାଙ୍କ ଗୁଣିଆଙ୍କଠାରୁ ଔଷଧ ନିଅନ୍ତି। କୁକୁଡା ବଳି, ଗାଈବଳି ଦେଇ ଦେହ ଭଲ ପାଇଁ ପୂଜାବିଧି କରନ୍ତି। ତାଙ୍କ ଉପରେ ବହୁତ ଗବେଷଣା ହୋଇଛି। ସେମାନେ ଡାକ୍ତରଙ୍କ ଔଷଧ ଖାଆନ୍ତି କିନ୍ତୁ ଅନେକେ ତାଙ୍କ ନିଜ ପାରମ୍ପରିକ ଔଷଧ ଉପରେ ବିଶ୍ୱାସ କରନ୍ତି। ବର୍ତ୍ତମାନ ଆମେରିକାରେ ମଙ୍ଗ୍‌ ଗୁଣିଆମାନେ ଡାକ୍ତରଖାନାରେ ଯାଇ ତାଙ୍କ ଲୋକଙ୍କ ପାଇଁ ପୂଜାପାଠ କରିବେ ବୋଲି ଅନୁମୋଦିତ ହୋଇଛି।
ଗତ ନଭେମ୍ବରରେ ଲଣ୍ଡନର କ୍ରୋୟଡନ୍‌ ସହରରେ ଗୋଟିଏ ବଡ଼ ଡାହାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେଥିରେ ଏକାଧିକ କର୍ମଶାଳା ରହିଥିଲା। ନାନା ଦେଶରୁ ଭାଗନେବା ପାଇଁ ଲୋକମାନେ ଆସି ପ୍ରକୃତି ପୂଜା, ନାରୀଶକ୍ତି ଇତ୍ୟାଦି ଉପରେ ଚର୍ଚ୍ଚା କରିଥିଲେ। ଆୟୋଜକଙ୍କ କହିବା ଅନୁସାରେ, ଏଇଟା ସାରା ପୃଥିବୀରେ ସବୁଠାରୁ ବଡ଼ ଡାହାଣୀ ଉତ୍ସବ ଥିଲା।
୧୭୦୦ ଶତାବ୍ଦୀରୁ ଡାହାଣୀ ପ୍ରଥାକୁ ନେଇ ଆମେରିକାରେ ଡାହାଣୀମାନଙ୍କୁ ବହୁ ପରିମାଣରେ ନିର୍ଯାତନା ସହିବାକୁ ପଡିଛି। ସେଲମ୍‌ ଟ୍ରାଏଲ୍‌ ୧୬୯୨ରେ ଅନେକ ସ୍ତ୍ରୀଲୋକଙ୍କୁ ଡାହାଣୀ ନାଁରେ ଦଣ୍ଡ ମିଳୁଥିଲା ଏବଂ ୧୯ ଜଣ ଲୋକଙ୍କୁ ସେଥିପାଇଁ ପ୍ରାଣଦଣ୍ଡ ମିଳିଥିଲା। କିନ୍ତୁ ଏହି ଦଣ୍ଡ ପ୍ରଥା ଆମେରିକାରେ ଅନେକ ଦିନରୁ ବନ୍ଦ ହୋଇଛି।
ବିଂଶ ଶତାବ୍ଦୀରୁ ଡାହାଣୀମାନଙ୍କ ଉପରେ ଚର୍ଚ୍ଚା ଗୋଟିଏ ଆନ୍ଦୋଳନରେ ପରିଣତ ହୋଇଛି। ମୋ ବିଶ୍ୱବିଦ୍ୟାଳୟରେ କେତେକ ଝିଅ ବଡ଼ ଗର୍ବର ସହିତ କହନ୍ତି, ମୁଁ ଗୋଟିଏ ଡାହାଣୀ ଏବଂ ମୁଁ ପ୍ରକୃତି ପୂଜା କରେ। ପ୍ରକୃତିର ଶକ୍ତି ଉପରେ ବିଶ୍ୱାସ ରଖେ। ପାଠକେ, ଆମେ ଯଦି ଆମର ସ୍ତ୍ରୀମାନଙ୍କୁ ଯଥାଯୋଗ୍ୟ ସମ୍ମାନ ଦେବା ଏବଂ ଆଦିବାସୀମାନଙ୍କୁ ତଳୁଆ ନ ଭାବି ତାଙ୍କ ଜ୍ଞାନର ଉପଯୋଗ କରିବା, ତେବେ ଆମେ ମଧ୍ୟ ସେମାନଙ୍କଠାରୁ ଅନେକ କିଛି ଶିଖିପାରିବା।
ଡାହାଣୀ ନାଁରେ ଯେଉଁ ହତ୍ୟା ଚାଲିଛି ତାହା ନାରୀମାନଙ୍କୁ ଚୁପ୍‌ କରାଇବାର ଗୋଟିଏ ଉପାୟ। ଗୋଟିଏ ଜଣାଶୁଣା ଖବରକାଗଜର ସମ୍ପାଦକ ମୋତେ କହିଲେ, ଶତକଡା ୯୦ ଭାଗ ଡାହାଣୀଙ୍କୁ ହତ୍ୟା ସମ୍ପତ୍ତିକୁ ନେଇ। ତେଣୁ ଖାଲି କୁସଂସ୍କାର କହି ମୂଳ କାରଣକୁ ଏଡ଼ାଇଦଲେ ହେବ ନାହିଁ।
adpandey101@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri