ଅଣ୍ଡା ଓ ହୃଦ୍‌ରୋଗ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆମ ରକ୍ତରେ ଥିବା କୋଲେଷ୍ଟରୋଲ ହେଉଛି ଏକ ପ୍ରକାର ଚର୍ବି ପରି ଉପାଦାନ। ଏହା ଆମ ଶରୀର ଦ୍ୱାରା ଉତ୍ପନ୍ନ ହୁଏ (ଯକୃତ ଦ୍ୱାରା ୭୫%)। ଅବଶିଷ୍ଟ ଆସେ ଆମ ଖାଦ୍ୟରୁ। କୋଲେଷ୍ଟରୋଲ ଆମ ଶରୀରର ପ୍ରତ୍ୟେକ କୋଷରେ ଥାଏ ଏବଂ ଖାଦ୍ୟ ହଜମ କରିବାରେ, ଭିଟାମିନ୍‌ ଡି ସୃଷ୍ଟି କରିବାରେ, କୋଷ ପ୍ରଚାର ନିର୍ମାଣ କରିବାରେ ଏବଂ କେତେକ ହର୍ମୋନ ତିଆରି କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏହାର ଆବଶ୍ୟକତା ଥିଲେ ବି ଅଧିକ କୋଲେଷ୍ଟରୋଲ ଆମ ଧମନୀକୁ କ୍ଷତି ପହଞ୍ଚାଇଥାଏ ଏବଂ ହୃଦ୍‌ରୋଗ ସୃଷ୍ଟି କରେ।
ଆମ ରକ୍ତରେ ଥିବା କୋଲେଷ୍ଟରୋଲ ଆପେ ଆପେ ଗତି କରେ ନାହିଁ। ଏହା ପ୍ରୋଟିନ ସହ ବାନ୍ଧିହୋଇ ରକ୍ତସ୍ରୋତରେ ଗତି କରେ। ଲିପୋପ୍ରୋଟିନ୍‌ ମୁଖ୍ୟତଃ ଦୁଇପ୍ରକାର: ଉଚ୍ଚ ସାନ୍ଦ୍ରତାବିଶିଷ୍ଟ ଲିପୋପ୍ରୋଟିନ୍‌ (ଏଚ୍‌ଡିଏଲ୍‌) ଓ ନିମ୍ନ ସାନ୍ଦ୍ରତାବିଶିଷ୍ଟ ଲିପୋପ୍ରୋଟିନ୍‌ (ଏଲ୍‌ଡିଏଲ୍‌)। ଏଚ୍‌ଡିଏଲ୍‌ କୋଲେଷ୍ଟରୋଲକୁ ଆମ ଧମନୀରୁ ବାହାର କରି ପୁଣି ଯକୃତରେ ନେଇ ପହଞ୍ଚାଇଦିଏ। ଏଲ୍‌ଡିଏଲ୍‌ କୋଲେଷ୍ଟରୋଲକୁ ଖରାପ କୋଲେଷ୍ଟରୋଲ କୁହାଯାଏ କାରଣ ଏହା କୋଲେଷ୍ଟରୋଲକୁ ଆଣି ରକ୍ତବାହିନୀ ବା ଧମନୀରେ ଛାଡ଼ିଦିଏ। ଅତିରିକ୍ତ ଏଲ୍‌ଡିଏଲ୍‌ କୋଲେଷ୍ଟରୋଲ ରକ୍ତନାଳୀ କାନ୍ଥରେ ଜମା ହୋଇ ପ୍ଲାକ୍‌ ବା ଫଳକ ସୃଷ୍ଟି କରେ। ଏହି ପ୍ଲାକ୍‌ ଧମନୀର ବାଟ ବନ୍ଦ କରିଦେଇପାରେ। ଫଳରେ ତା’ ଭିତରଦେଇ ଆଉ ସୁବିଧାରେ ରକ୍ତପ୍ରବାହ ହୋଇପାରେ ନାହିଁ, ଯାହାଦ୍ୱାରା ହୃଦ୍‌ଘାତ ଓ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇପାରେ। ଉଚ୍ଚମାତ୍ରାର କୋଲେଷ୍ଟରୋଲ ଥିଲେ ବି ସାଧାରଣତଃ ତା’ର ଲକ୍ଷଣ ବାହାରକୁ ଜଣାପଡ଼େ ନାହିଁ। ଫଳରେ ହଠାତ୍‌ ହାର୍ଟ ଆଟାକ୍‌ର ବିପଦ ଦେଖାଦେଇପାରେ। ଏହାର ଗୋଟିଏ ଲକ୍ଷଣ ହେଉଛି ଆପଣଙ୍କ କର୍ନିଆ (ଆଖିର ସ୍ବଚ୍ଛପଟଳ)ରେ ଚର୍ବିର ଧୂସର-ଧଳା ରେଖା ଦେଖାଯାଏ। ଆପଣଙ୍କ ବୟସ ଯଦି ୪୦ରୁ କମ୍‌ ତେବେ ଏହା ବିପଜ୍ଜନକଭାବେ ଅତି ଉଚ୍ଚମାତ୍ରାର କୋଲେଷ୍ଟରୋଲର ସୂଚନା ଦିଏ।
ବଂଶାନୁକ୍ରମିକ ଗୁଣ ଭାବେ ଆପଣଙ୍କ ଧମନୀରେ ଅଧିକ କୋଲେଷ୍ଟରୋଲ ଜମା ହୋଇପାରେ। ଏପର୍ଯ୍ୟନ୍ତ ଆମ ପରିବାରରେ କେହି ହୃଦ୍‌ଘାତରେ ମରିନାହାନ୍ତି। କିନ୍ତୁ ମୋ ଆଖିରେ ଈଷତ୍‌ ହଳଦିଆ ମିଶା ଧଳା ପ୍ୟାଚ୍‌ ଦେଖିବାକୁ ମିଳୁଛି, ଯାହା ମୋର ଅତିରିକ୍ତ କୋଲେଷ୍ଟରୋଲର ସୂଚନା ଦିଏ। ଏହା ମୋର ୪୦ରୁ ୫୦ ବର୍ଷ ବୟସ ଭିତରେ ଜମା ହୋଇଛି। ପ୍ରୌଢ଼ ବୟସରେ ଏହା ହୁଏ ଏବଂ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ବେଶି ଦେଖାଯାଏ। ମୋ ମାଆ ଓ ଜେଜେମାଆଙ୍କ ଆଖିରେ ବି କୋଲେଷ୍ଟରୋଲର ଲକ୍ଷଣ ଦେଖାଯାଇଥିଲା। ମୁଁ କମ୍‌ ତେଲଯୁକ୍ତ ନିରାମିଷ ଖାଦ୍ୟ ଖାଇବା ସହ ନିୟମିତ ବ୍ୟାୟାମ କରୁଥିଲେ ମଧ୍ୟ ମୋ ଶରୀରରେ ଅଧିକ କୋଲେଷ୍ଟରୋଲ ସୃଷ୍ଟି ହୋଇଛି। ଏକ ପରିବର୍ତ୍ତିତ ଜିନ୍‌ ଯୋଗୁ ବଂଶଗତ ଭାବେ ଏହି ସମସ୍ୟା ଦେଖାଦେଇଥାଏ। ଏହା ୫୫ ବର୍ଷ ବୟସ ପୂର୍ବରୁ ହୃଦ୍‌ରୋଗ ସୃଷ୍ଟି କରେ। କିନ୍ତୁ ମୁଁ ସେ ବୟସ ଅତିକ୍ରମ କରିସାରିଲିଣି। ମାଆବାପାଙ୍କଠାରୁ ଜେନିଟିକ୍‌ ମ୍ୟୁଟେଶନର ଅଧିକାରୀ ହୋଇଥିଲେ ୧୨% ମହିଳାଙ୍କଠାରେ ୫୦ ବର୍ଷ ବୟସ ପୂର୍ବରୁ ହୃତ୍‌ପିଣ୍ଡରେ ରକ୍ତସଞ୍ଚାଳକ ଧମନୀରେ ରୋଗ ହୁଏ ଏବଂ ୭୪% ମହିଳାଙ୍କଠାରେ ଏହା ୭୪ ବର୍ଷ ପରେ ହୁଏ। ପ୍ରାୟ ୮୫% ପ୍ରଭାବିତ ପୁରୁଷଙ୍କ କ୍ଷେତ୍ରରେ ୬୦ ବର୍ଷ ବୟସ ପୂର୍ବରୁ ହୃଦ୍‌ଘାତ ହୁଏ। କିନ୍ତୁ ଉପଯୁକ୍ତ ଖାଦ୍ୟ ଓ ବ୍ୟାୟାମ ଦ୍ୱାରା ଏହାକୁ ରୋକାଯାଇପାରେ। ବୟସ୍କଙ୍କଠାରେ ପ୍ରତି ଡେସିଲିଟର ରକ୍ତ ପିଛା ୨୦୦ ମିଲିଗ୍ରାମ୍‌ରୁ କମ୍‌ କୋଲେଷ୍ଟରୋଲ ରହିବା ଉଚିତ। ୨୦୦ରୁ ୨୩୯ ମିଲିଗ୍ରାମ୍‌ ଭିତରେ ହେଲେ ବିପଦର ସୀମାରେ ପହଞ୍ଚିଗଲା ଏବଂ ୨୪୦ ମିଲିଲିଟର ବା ତା’ଠୁ ଅଧିକ ହେଲେ ବିପଜ୍ଜନକ ଭାବେ ତାହା ଅତି ଉଚ୍ଚମାତ୍ରା ବୋଲି ବୁଝିବାକୁ ହେବ। ଏଲ୍‌ଡିଏଲ୍‌ କୋଲେଷ୍ଟରୋଲ ୧୦୦ ମିଗ୍ରା/ଡେଲିରୁ କମ୍‌ ରହିବା ଉଚିତ। ୧୦୦ରୁ ୧୨୯ ଭିତରେ ରହିଲେ ସୁସ୍ଥସବଳ ଲୋକଙ୍କ ପାଇଁ ଗ୍ରହଣୀୟ। କିନ୍ତୁ ହୃଦ୍‌ରୋଗ ସମ୍ଭାବନା ଥିବା ଲୋକଙ୍କ ପାଇଁ ବିପଦ ସଙ୍କେତ। ୧୩୦ରୁ ୧୫୯ ଭିତରେ ରହିଲେ ବିପଦର ସୀମାକୁ ଆସିଗଲା ଏବଂ ୧୬୦ରୁ ୧୮୯ ମିଗ୍ରା/ଡେଲି ଭିତରେ ରହିଲେ ବିପଜ୍ଜନକଭାବେ ଉଚ୍ଚମାତ୍ରା ବୋଲି ବୁଝିବାକୁ ହେବ। ଏଚ୍‌ଡିଏଲ୍‌ କୋଲେଷ୍ଟରୋଲର ସ୍ତର ୬୦ ମିଲିଗ୍ରାମ୍‌ରୁ ଅଧିକ ହେବା ଉଚିତ। କିନ୍ତୁ ପ୍ରତି ଡେସିଲିଟର ରକ୍ତ ପିଛା ୪୦ ମିଲିଗ୍ରାମ୍‌ରୁ କମ୍‌ ରହିଲେ ତାହା ହୃଦ୍‌ରୋଗର କାରଣ ହୋଇପାରେ।
କୋଲେଷ୍ଟରୋଲ କେବଳ ପ୍ରାଣିଜ ଖାଦ୍ୟ ଯଥା ଅଣ୍ଡା, କ୍ଷୀର, ଲହୁଣି, ଛେନା, ମାଂସ, ମାଛ, କୁକୁଡ଼ାମାଂସ ଏବଂ ପାମୋଲିନ୍‌ ଓ ନଡ଼ିଆତେଲ ପ୍ରଭୃତି ହାଇଡ୍ରୋଜେନେଟେଡ୍‌ ତୈଳରୁ ଆସେ। ଯେଉଁମାନେ ମାଛ, ମାଂସ, ଅଣ୍ଡା ପ୍ରଭୃତି ଖାନ୍ତି, ସେମାନଙ୍କଠାରେ କୋଲେଷ୍ଟରୋଲ ଅଧିକ ଥାଏ। ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇଲେ ଆମ ଯକୃତ କୋଲେଷ୍ଟରୋଲର ପରିମାଣ ବଢ଼ାଇଦିଏ। ଏଲ୍‌ଡିଏଲ୍‌ କୋଲେଷ୍ଟରୋଲର ପରିମାଣ ବୃଦ୍ଧି ପାଇଲେ ହୃଦ୍‌ରୋଗ ଓ ଡାଇବେଟିସ୍‌ର ଆଶଙ୍କା ଅଧିକ ରହେ।
ଖାଦ୍ୟ ସହ କୋଲେଷ୍ଟରୋଲ ପରିମାଣର କିପରି ସମ୍ପର୍କ ରହିଛି ତାହା ଉପରେ ହାଓ୍ବାର୍ଡ ହେଲ୍‌ଥ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁସବୁ ଖାଦ୍ୟ ଖରାପ କୋଲେଷ୍ଟରୋଲର ମାତ୍ରା କମାଇବାରେ ସାହାଯ୍ୟ କରେ ସେଗୁଡ଼ିକ ମଧ୍ୟରେ ଅଛି: ଓଟ୍‌, ବାର୍ଲି, ଗୋଟା ଶସ୍ୟ, ବିନ୍‌, ବାଦାମ ପ୍ରଭୃତି ମଞ୍ଜି, ସୂର୍ଯ୍ୟମୁଖୀ ତେଲ, ଫଳ (ସେଓ, ଅଙ୍ଗୁର, ଷ୍ଟ୍ରବେରୀ, କମଳା ପ୍ରଭୃତି), ସୋୟାବିନ୍‌ ଓ ତନ୍ତୁବହୁଳ ଖାଦ୍ୟ (କୌଣସି ପ୍ରାଣିଜ ଖାଦ୍ୟରେ ତନ୍ତୁ ନ ଥାଏ)। ଚର୍ବିଜାତୀୟ ଖାଦ୍ୟ ଖାଇବା କମାଇଦେଲେ ଆମର କୋଲେଷ୍ଟରୋଲର ସ୍ତର ଠିକ୍‌ ରହେ। କିନ୍ତୁ ଯେଉଁସବୁ ଖାଦ୍ୟରେ ସାଚୁରେଟେଡ୍‌ ଫ୍ୟାଟ୍‌ (ମାଂସ, କ୍ଷୀରଜାତ ଖାଦ୍ୟ, ପ୍ରକ୍ରିୟାକୃତ ଖାଦ୍ୟ ପ୍ରଭୃତି) ବା ଟ୍ରାନ୍ସ ଫ୍ୟାଟ୍‌ (କେତେକ ଭଜା ହୋଇଥିବା ଓ ପ୍ରକ୍ରିୟାକୃତ ଖାଦ୍ୟ) ଅଛି ତାହାକୁ ବର୍ଜନ କରନ୍ତୁ। ଅତିରିକ୍ତ ଓଜନ (ମେଦବହୁଳତା) ମଧ୍ୟ ଏଲ୍‌ଡିଏଲ୍‌ କୋଲେଷ୍ଟରୋଲର ସ୍ତର ବଢ଼ାଇବାରେ ସାହାଯ୍ୟ କରେ।
ଅନ୍ୟ ଯେଉଁସବୁ କାରଣ ପାଇଁ କୋଲେଷ୍ଟରୋଲର ମାତ୍ରା ବୃଦ୍ଧି ପାଇପାରେ ସେଗୁଡ଼ିକ ମଧ୍ୟରେ ଅଛି: ଡାଇବେଟିସ୍‌ (ଏହା ବି ଏକ ଜୀବନଶୈଳୀଜନିତ ରୋଗ), ଯକୃତ ଓ ବୃକ୍କ ରୋଗ, ପଲିସିଷ୍ଟିକ୍‌ ଓଭାରୀ ସିଣ୍ଡ୍ରୋମ୍‌ ଓ ଷ୍ଟେରଏଡ୍‌।
ଯଦି ଆପଣ ତନ୍ତୁବହୁଳ ଖାଦ୍ୟ ଏବଂ ତଟକା ଫଳ ଓ ପନିପରିବା ଖାଉଥାନ୍ତି, ତେବେ ଆପଣଙ୍କ ଦେହରେ କୋଲେଷ୍ଟରୋଲ ନିୟନ୍ତ୍ରିତ ମାତ୍ରାରେ ରହିବ। ଶାରୀରିକ କାର୍ଯ୍ୟକଳାପ ମଧ୍ୟ ଆପଣଙ୍କ ଓଜନ ଠିକ୍‌ ରଖିବାରେ ସାହାଯ୍ୟ କରେ। ପ୍ରତିଦିନ ଏକଘଣ୍ଟା ବ୍ୟାୟାମ କଲେ ଓଜନ କମିବା ସହ ହୃତ୍‌ପିଣ୍ଡ ଠିକ୍‌ ରହେ। ଏହା ଏଲ୍‌ଡିଏଲ୍‌ କୋଲେଷ୍ଟରୋଲର ପରିମାଣକୁ କମାଇବା ସହ ଭଲ କୋଲେଷ୍ଟରୋଲର ପରିମାଣକୁ ବଢ଼ାଇବାରେ ସାହାଯ୍ୟ କରେ।
ନର୍ଥଓ୍ବେଷ୍ଟର୍ନ ୟୁନିଭର୍ସିଟିର ପ୍ରତିଷେଧୀ ଔଷଧ ବିଭାଗ ଏବଂ ଶିକାଗୋର ଫେନ୍‌ବର୍ଗ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଗବେଷକମାନେ ୨୯,୦୦୦ ଲୋକଙ୍କ ଉପରେ ୧୭ ବର୍ଷରୁ ଅଧିକ କାଳ ଗବେଷଣା କରି ତାଙ୍କ ଗବେଷଣାର ଫଳାଫଳ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ ଅଣ୍ଡା ଖାଉଥିବା ଲୋକମାନଙ୍କଠାରେ ହୃଦ୍‌ରୋଗର ଆଶଙ୍କା ଅଧିକ ଥାଏ। କାରଣ ପ୍ରତ୍ୟେକ ଅଣ୍ଡାରେ ଥାଏ ୧୮୬ ମିଲିଗ୍ରାମ୍‌ କୋଲେଷ୍ଟରୋଲ। ଏହା ଆପଣ ଖାଦ୍ୟରେ ଦୈନିକ ଯେତିକି ଖାଇବା କଥା ତା’ଠୁ ୧୨୪% ଅଧିକ। ସପ୍ତାହକୁ ୩/୪ଟି ଅଣ୍ଡା ଖାଇଲେ ହୃଦ୍‌ରୋଗ ଆଶଙ୍କା ୩.୨% ଏବଂ ତଜ୍ଜନିତ ମୃତ୍ୟୁ ଆଶଙ୍କା ୪.୪% ବୃଦ୍ଧି ପାଏ। ଏହାଠାରୁ ଆଉ ଫାଳେ ଅଣ୍ଡା ଅଧିକ ଖାଇଲେ ହୃଦ୍‌ରୋଗ ଓ ତଜ୍ଜନିତ ମୃତ୍ୟୁ ଆଶଙ୍କା ୬ରୁ ୮% ବୃଦ୍ଧି ପାଏ। ତେବେ ସପ୍ତାହକୁ କେତୋଟି ଅଣ୍ଡା ଖାଇବା ନିରାପଦ? ଗୋଟିଏ ବି ଖାଇବା ନିରାପଦ ନୁହେଁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri