Posted inଖେଳ

୨ ଫିଜିକାଲ ଏଜୁକେଶନ କଲେଜରୁ ସ୍ବୀକୃତି ପ୍ରତ୍ୟାହାର: ଅନ୍ଧାରରେ ଖେଳ ଶିକ୍ଷକଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୨।୮(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ ଖେଳ ଭିତ୍ତିଭୂମି ବଢ଼ିଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାର ଖେଳ ଭିତ୍ତିଭୂମିକୁ ନେଇ ଚର୍ଚ୍ଚା। ଭୁବନେଶ୍ୱର ଏବେ ଦେଶର ଅଘୋଷିତ କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। ଏଠାରେ ଏବେ ବିଭିନ୍ନ କ୍ରୀଡ଼ାର ହାଇ ପରଫର୍‌ମାନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି। ମାତ୍ର ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଛି। ସ୍କୁଲସ୍ତରରେ ପିଲାମାନଙ୍କୁ ଖେଳ ସମ୍ପର୍କରେ ଜ୍ଞାନ ଦେବା ଏବଂ ପ୍ରତିଭା ଚିହ୍ନଟ କରିବା କ୍ଷେତ୍ରରେ ଖେଳ ଶିକ୍ଷକଙ୍କ ଭୂମିକା ଅନସ୍ବିକାର୍ଯ୍ୟ। ମାତ୍ର ଖେଳର ମୂଳଦୁଆ ପକାଉଥିବା ଏହି ଖେଳ ଶିକ୍ଷକଙ୍କ ପାଇଁ କାହାରି ଆଗ୍ରହ ନାହିଁ। ଏପରିକି ଆଗକୁ ଆଉ ଖେଳ ଶିକ୍ଷକ ନ ବାହାରିବା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାରେ ଥିବା ୨ଟି ସରକାରୀ କଲେଜରୁ ନ୍ୟାଶନାଲ କାଉନ୍‌ସିଲ ଅଫ ଟିଚର ଏଜୁକେଶନ (ଏନ୍‌ସିଟିଇ) ସ୍ବୀକୃତି ପ୍ରତ୍ୟାହାର କରି ନେଇଛି। ଫଳରେ ଖେଳ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଚାଲିଯାଇଛି।
ଓଡ଼ିଶାରେ ୨ଟି ସରକାରୀ ଫିଜିକାଲ ଏଜୁକେଶନ କଲେଜ ଅଛି। ଗୋଟିଏ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏବଂ ଅନ୍ୟଟି ସମ୍ବଲପୁରସ୍ଥିତ କୁଲୁଣ୍ଡିରେ। ୨ଟି ଯାକ କଲେଜ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଅଧୀନରେ ଅଛି। କେତେ ଫାକଲ୍ଟି ଅଛନ୍ତି, ଗ୍ରାଉଣ୍ଡ ଏବଂ କଲେଜ ପାଇଁ ଘର ଆଦି ସମ୍ପର୍କରେ ସବିଶେଷ ବିବରଣୀ ଦେବା ପାଇଁ ନ୍ୟାଶନାଲ କାଉନ୍‌ସିଲ ଅଫ ଟିଚର ଏଜୁକେଶନ (ଏନ୍‌ସିଟିଇ) ପକ୍ଷରୁ ନୋଟିସ ଜାରି କରାଥିଲା। କଳିଙ୍ଗ ଷ୍ଟାଡିୟମରେ ଥିବା କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଥମେ ୨୦୧୮ ଏପ୍ରିଲ ୨୦ ଏବଂ ୨୦୧୮ ନଭେମ୍ବର ୨୮ରେ ୨ଥର କାରଣଦର୍ଶାଅ ନୋଟିସ ହୋଇଥିଲା। ସେହିପରି କୁଲୁଣ୍ଡି କଲେଜ କର୍ତ୍ତୃପକ୍ଷଙ୍କୁ ୨୦୧୯ ଫେବୃୟାରୀ ୨୧ ଏବଂ ମେ’ ୨୧ରେ ୨ ଥର କାରଣଦର୍ଶାଅ ନୋଟିସ ହୋଇଥିଲା। ମାତ୍ର ସନ୍ତୋଷଜନକ ଉତ୍ତର ଦିଆଯାଇପାରି ନ ଥିବାରୁ ଏନ୍‌ସିଟିଇ ପକ୍ଷରୁ ଏହି ୨ଟି କଲେଜରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଆଡ୍‌ମିଶନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମରେ ଥିବା କଲେଜ ଭାରତର ଦ୍ୱିତୀୟ ସର୍ବପୁରାତନ କଲେଜ। ମାତ୍ର ଏପର୍ଯ୍ୟନ୍ତ ଏହି କଲେଜର ନିଜସ୍ବ ଗ୍ରାଉଣ୍ଡ ନାହିଁ କି ଆବଶ୍ୟକ ଫାକଲ୍‌ଟି ନାହାନ୍ତି। ଏବେ ଏହି କଲେଜ ପାହାଳସ୍ଥିତ ଆପେକ୍ସ ଇଞ୍ଜିନିୟରିଂ କଲେଜକୁ ଉଠି ଯାଉଥିବା ଶୁଣିବାକୁ ମିଳୁଛି। ମାତ୍ର ସେଠାରେ ମଧ୍ୟ ଉପଯୁକ୍ତ ପଡ଼ିଆ ନାହିଁ କିମ୍ବା ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଏନସିଟିଇକୁ ଅବଗତ କରାଯାଇ ନାହିଁ ବୋଲି ଜାଣିବାକୁ ମିଳିଛି। କଲେଜ ପାହାଳକୁ ଉଠାଇ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ବ୍ୟବହାର କରିବାକୁ ସମ୍ଭବତଃ ସରକାର ଚାହୁଁଛନ୍ତି। ମାତ୍ର ସେଠାରେ ମଧ୍ୟ ଏନସିଇଟିର ଆବଶ୍ୟକ ପୁରଣ ହେବାଭଳି ଭିତ୍ତିଭୂମି ନାହିଁ। ତେଣୁ ଫିଜିକାଲ ଏଜୁକେଶନ ଟିଚର୍ସ ଟ୍ରେନିଂ କଲେଜ ପାଇଁ କେହି ଆଗ୍ରହ ଦେଖାଉ ନ ଥିବା ପରିଲକ୍ଷିତ ହେଉଛି। ଘରୋଇ ଫିଜିକାଲ ଏଜୁକେଶନ କଲେଜ ଗୁଡ଼ିକ ଯେତେବେଳେ ଏନସିଟିଇର ସମସ୍ତ ନିୟମକୁ ପାଳନ କରୁଛନ୍ତି ସେ କ୍ଷେତ୍ରରେ ସରକାରୀ କ୍ଷେତ୍ରରେ ପାଳନ ହୋଇ ନ ପାରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁରି ମୂଳରେ ହେଲା କଳିଙ୍ଗ ଷ୍ଟାଡିୟମରେ ଥିବା କଲେଜର ଆବଶ୍ୟକ ଫାକ୍‌ଲଟି ନାହାନ୍ତି। ନିଜସ୍ବ ଗ୍ରାଉଣ୍ଡ କିମ୍ବା ଘର ନାହିଁ। ଆବଶ୍ୟକ ଷ୍ଟାଫ୍‌ ନ ଥିଲେ କେମିତି କଲେଜ ଚାଲିବ ବୋଲି ଜଣେ ପୂର୍ବତନ ଛାତ୍ର ପ୍ରଶ୍ନ କରିଛନ୍ତି।
କଲେଜର ପୂର୍ବତନ ପ୍ରିନ୍ସିପାଲମାନେ ମଧ୍ୟ ଅନୁରୂପ ମତ ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟମ ପରିସର କଲେଜ ୧୯୫୭ ମସିହାର। ତେବେ ଏପର୍ଯ୍ୟନ୍ତ ଏହାର ନିଜସ୍ବ ଜାଗାବାଡ଼ି କିଛି ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ହିଁ ହେଉଛି ବାସ୍ତବତା। ୧୯୫୭ରୁ ୧୯୯୪ ପର୍ଯ୍ୟନ୍ତ ଏହା ବାରବାଟୀ ଷ୍ଟାଡିୟମରେ ପରିଚାଳିତ ହେଉଥିଲା। ୧୯୯୪ରୁ ଏହା କଳିଙ୍ଗ ଷ୍ଟାଡିୟମରେ ଚାଲୁଛି। ଏନ୍‌ସିଟିଇ ପକ୍ଷରୁ ୧୯୯୬ରେ ସର୍ବଭାରତୀୟ ସ୍ତରରେ ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଥିଲା। ଏପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମର ଜାଗା ଜମି ଦେଖାଇ ଏହି କଲେଜର ସମସ୍ତ ଔପଚାରିକତା ପୂରଣ କରାଯାଉଥିଲା। ମାତ୍ର ଏବେ ଏନ୍‌ସିଟିଇ ଅନୁଭବ କଲା ଯେ, ଏହି କଲେଜର ନିଜସ୍ବ ବିଲ୍ଡିଂ କିମ୍ବା ପଡ଼ିଆ ନାହିଁ କି ନିୟମ ଅନୁସାରେ ଆବଶ୍ୟକ ଷ୍ଟାଫ୍‌ ନାହାନ୍ତି। ତେଣୁ ୨୦୨୦-୨୧ ପାଇଁ ସ୍ବୀକୃତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୂର୍ବତନ ପ୍ରିନ୍ସିପାଲ ପ୍ରକାଶ କରିଛନ୍ତି। ୧୯୫୭ରେ ଗ୍ବାଲିୟରରେ ଏଲଏନ୍‌ଇପି ଫିଜିକାଲ ଏଜୁକେଶନ କଲେଜ ପ୍ରତିଷ୍ଠା ହୋଇଥିଲା। ତାହା ଏବେ ୟୁନିଭର୍ସିଟି ହୋଇ ଅନ୍ତର୍ଜାତୀୟସ୍ତରର ହୋଇସାରିଲାଣି। ଏକା ବର୍ଷ ୨ଟି ଯାକ କଲେଜ ଆରମ୍ଭ ହୋଇଥିଲେ ହେଁ ଆମେ ପଛରେ ପଡ଼ିଯାଇଛୁ। ଏଥିପାଇଁ ସରକାରୀସ୍ତରରେ କେହି ଆନ୍ତରିକତା ଦେଖାଉନାହାନ୍ତି। ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି ସେ କହିଛନ୍ତି। ମୋ ସମୟରେ ଯେତେବେଳେ ଏନ୍‌ସିଟିଇ ଟିମ୍‌ ଆସିଥିଲା, ସେତେବେଳେ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମିକୁ ଦେଖାଇ ଆମେ ସ୍ଥିତିକୁ ସମ୍ଭାଳି ନେଇଥିଲୁ। ପରେ ବୋଧହୁଏ ଏହାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯାଇ ପାରିନାହିଁ। ଫଳରେ ସ୍ବୀକୃତି ପ୍ରତ୍ୟାହାର ପର୍ଯ୍ୟନ୍ତ କଥା ଯାଇଛି ବୋଲି ସେ କହିଛନ୍ତି। କଲେଜ ଏବେ ପାହାଳସ୍ଥିତ ଆପେକ୍ସ ଇଞ୍ଜିନିୟରିଂ କଲେଜକୁ ଉଠିଯାଉଛି ବୋଲି ଶୁଣିବାକୁ ପାଉଛି। ତାହା ହେଲେ ସ୍ଥିତି ଆହୁରି ସାଂଘାତିକ ହେବ। କଲେଜ ପୂରା ବନ୍ଦ ହୋଇଯିବ। ଏନ୍‌ସିଟିଇ ନିୟମ ଅନୁସାରେ କଲେଜ ନାମରେ ଅତିକମ୍‌ରେ ୮ ଏକର ଜମି ଏବଂ ଖେଳପଡ଼ିଆ ଥିବା ଆବଶ୍ୟକ। ଟ୍ରାକ୍‌, ଫୁଟ୍‌ବଲ ପଡ଼ିଆ, ହଷ୍ଟେଲ, ଷ୍ଟାଫ୍‌ ଥିବା ଆବଶ୍ୟକ। ଏତେସବୁ ସୁବିଧା ସୁଯୋଗ ଆପେକ୍ସରେ ନାହିଁ। ତେଣୁ ଏହି କଲେଜକୁ ଦେଖିଲେ ଏନ୍‌ସିଟିଇ ପୂରା କଲେଜକୁ ରିଜେକ୍ଟ କରିଦେବା ସମ୍ଭାବନା ରହିଛି। ଏବେ ୨ଟି ଯାକ କଲେଜରୁ ସ୍ବୀକୃତି ପ୍ରତ୍ୟାହାର ଦ୍ୱାରା ଏହାକୁ ପେସା କରିବାକୁ ଚାହୁଁଥିବା ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଗଲା ବୋଲି କହିବାକୁ ହେବ। ସମ୍ବଲପୁର କଲେଜରେ ଜମି କିମ୍ବା ବିଲ୍ଡିଂ ସମସ୍ୟା ନାହିଁ। ସେଠାରେ କେବଳ ଫାକଲ୍‌ଟି ସମସ୍ୟା ରହିଛି। ସରକାର ନିଯୁକ୍ତି ଦେବାକୁ କୁଣ୍ଠିତ ହେଉଛନ୍ତି। ଗେଷ୍ଟ ଫାକଲ୍‌ଟି ନେଇ ମଧ୍ୟ କାମ ଚଳାଇ ହୁଅନ୍ତା, ମାତ୍ର ତାହା ବି ହେଉନି। ତେଣୁ କଲେଜରୁ ସ୍ବୀକୃତି ପ୍ରତ୍ୟାହାର ପର୍ଯ୍ୟନ୍ତ କଥା ଯାଇଛି। ଏବେ ରି-ଆପ୍ଲାଏ କରିବାକୁ ପଡ଼ିବ। ଏନ୍‌ସିଟିଇର ସମସ୍ତ ଆବଶ୍ୟକତାକୁ ପୂରଣ କରି ଆବେଦନ କଲେ ଯାଇ କିଛି ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri