ସ୍ମାର୍ଟ ନଗରୀର ଲଜ୍ଜା

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ସେମଣିଷ ହୁଅନ୍ତୁ ଅବା ନଗରୀ, ଯିଏ ସ୍ମାର୍ଟ ଭିତରେ ଗଣା ତାଙ୍କର ପୁଣି ଲଜ୍ଜା କ’ଣ! ସ୍ମାର୍ଟ ମଣିଷ ତ ଅନ୍ୟ ସାଧାରଣ ମଣିଷଙ୍କଠୁଁ ନିଆରା; ଯେମିତି ଅସାଧାରଣ, ସେମିତି ଅନନ୍ୟ। ପଛକୁ ଫେରିବାର ପ୍ରବଣତାଠାରୁ ଦୂରରେ ଥାଇ ନିଜ ଉଚ୍ଚାରଣ ଓ ଆଚରଣରେ ଯିଏ ଏକ ଅଗ୍ରଗାମୀ ଚେତନାର ବାହକ ଭାବେ ନିଜ ପରିଚୟ ପ୍ରତିଷ୍ଠା କରେ, ଯାହା ପାଖରେ ସବୁ ପ୍ରକାର ପ୍ରଶ୍ନର ଉତ୍ତର ଥାଏ, ଅବା ସମ୍ଭାବ୍ୟ ସଙ୍କଟରୁ ମୁକୁଳିଯିବାର ଉପାୟ ଥାଏ, ତାକୁ ‘ସ୍ମାର୍ଟ’ ଭଳି ଏକ ସଂଭ୍ରାନ୍ତ ବିଶେଷଣରେ ବିଭୂଷିତ କରାଯାଇଥାଏ। ବଡ଼ ବା ବୟସ୍କମାନଙ୍କ କଥା ଦୂରେ ଥାଉ, କୋମଳ କିଶୋରଟିଏ ମଧ୍ୟ ‘ସ୍ମାର୍ଟ ବୟ’ର ସମ୍ମାନ ସନନ୍ଦ ଅର୍ଜନ କରିବା ପାଇଁ କିଛି ବିଶେଷ ଗୁଣରାଜିର ଧାରକ ହେବା ଏକାନ୍ତ ଅପରିହାର୍ଯ୍ୟ ହୋଇଥାଏ। ନିଜ ଆଚରଣରେ ଗଧଙ୍କ ପରି ନିଷ୍କ୍ରିୟ ଜଣାପଡୁଥିବା ପିଲାଟିକୁ ‘ସ୍ମାର୍ଟ ବୟ’ ବୋଲି ସାର୍ଟିଫିକେଟ୍‌ ଦେଲେ ତା’ ପାଇଁ ଲଜ୍ଜାଜନକ ହେଉ କି ନ ହେଉ ‘ସ୍ମାର୍ଟ’ ଶବ୍ଦଟିର ଅପମାନ ହେବ!
ସ୍ମାର୍ଟ ମଣିଷ ପରି ସ୍ମାର୍ଟ ନଗରୀ ପାଇଁ ସେଇ ଏକା ଯୋଗ୍ୟତାର ମାପଦଣ୍ଡ। ଆମ ଦେଶରେ ବହୁ ନଗରୀ ଥିଲେ ମଧ୍ୟ ଏମିତି ବଛା ବଛା କେତୋଟି ନଗରୀ କେବଳ ‘ସ୍ମାର୍ଟ’ ମାନ୍ୟତା ଅର୍ଜନ କରିଛନ୍ତି। କେଇବର୍ଷ ତଳେ ଯେତେବେଳେ ଆମ ରାଜଧାନୀ ନଗରୀ ଭୁବନେଶ୍ୱର ଏହି ଅପୂର୍ବ ମାନ୍ୟତାର ଅଧିକାରୀ ହୋଇଥିବା ରାଷ୍ଟ୍ରସ୍ତରରେ ଘୋଷଣା ହେଲା, ସେତେବେଳେ ଏଠାକାର ଅଧିବାସୀମାନଙ୍କ ହୃଦୟରେ ସୃଷ୍ଟି ହୋଇଥିଲା ଏକ ଅଭିନବ ମୁଗ୍‌ଧ ବିଭୋରଭାବ। ଏଠାରେ ବସବାସ କରିବାର ସୁଯୋଗରୁ ବଞ୍ଚତ୍ତ ହୋଇଥିବା ଅବଶିଷ୍ଟ ଓଡ଼ିଆମାନେ ଅନୁଭବ କରିଥିଲେ ଏକ ଅବ୍ୟକ୍ତ ଶୂନ୍ୟତା। ତେବେ କ’ଣ ଏହି ସ୍ମାର୍ଟପଣ, ଯାହାକୁ ନେଇ ଭୁବନେଶ୍ୱରରେ ରହୁଥିବା ଲୋକଟିଏ ନିଜେ ଉପଭୋଗ କରିବା ସହ ଅନ୍ୟ ସହରର ପ୍ରତିପକ୍ଷଙ୍କୁ ଦେଖାଇ ପାରୁଥିଲା ସେ କେମିତି ଅନ୍ୟମାନଙ୍କଠୁଁ ଭିନ୍ନ, ଅନନ୍ୟ!
ଗୋଟିଏ ନଗରୀ ‘ସ୍ମାର୍ଟ ସିଟି’ ତାଲିକାରେ ନିଜ ନାମ ଲେଖାଇବାକୁ ସେତେବେଳେ ଯୋଗ୍ୟ ବିବେଚିତ ହୁଏ, ଯେତେବେଳେ ଏହା ଅନ୍ୟ ସହର ବା ନଗରଠାରୁ ଚେହେରାରେ ଅଧିକ ଉଜ୍ଜ୍ୱଳ ଦେଖାଯାଏ। ଯେତେବେଳେ ଏହାର ଅଧିବାସୀମାନେ ସେଇ ସବୁ ସୁବିଧା ଉପଭୋଗ କରନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଉପଲବ୍ଧ ନ ଥାଏ। ସେଇ ଦୃଷ୍ଟିରୁ ଆମ ରାଜଧାନୀ ନଗରକୁ ସ୍ମାର୍ଟ ଭାବେ ବିବେଚନା କରିଥିବା ନିର୍ଦ୍ଧାରକମାନେ ଏହାର ପ୍ରଶସ୍ତ ରାଜପଥ, ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା, ପ୍ରଦୂଷଣ ବିରୋଧୀ ବିସ୍ତୃତ ସବୁଜବଳୟ, ସୁଲଭ ଗମନାଗମନ ବ୍ୟବସ୍ଥା, ଉନ୍ନତ ଶିକ୍ଷାଦାନ ପାଇଁ ବଡ଼ ବଡ଼ ବିଶ୍ୱବିଦ୍ୟାଳୟ, ତହୁଁ ବଳି ଉନ୍ନତ ମାନର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ କର୍ପୋରେଟ୍‌ ହସ୍ପିଟାଲ ସହିତ ସଫ୍ଟଓ୍ବେୟାର ଟେକ୍ନୋଲୋଜିକୁ ବିକଶିତ କରୁଥିବା ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀର କର୍ମଶାଳା ଆଦିକୁ ବିଚାରକୁ ନେଇଥିବେ। ଏ କଥା ବି ଦେଖିଥିବେ ଯେ ଦେଶର ବହୁ ନଗର ତୁଳନାରେ ଭୁବନେଶ୍ୱର କେମିତି ମଣିଷର ଆଧ୍ୟାମତ୍ିକ ଚେନତାକୁ ପରିପୁଷ୍ଟ କରିବାକୁ ମନ୍ଦିରମାଳିନୀ ନଗର ଭାବେ ପୂର୍ବରୁ ମାନ୍ୟତା ଅର୍ଜନ କରିଛି। ପୁଣି କେମିତି ବହୁବିଧ ପ୍ରାକୃତିକ ସମ୍ଭାରରେ ସମୃଦ୍ଧ ହୋଇ ଯନ୍ତ୍ରମନସ୍କ ଯୁବାବର୍ଗଙ୍କୁ ଜୀବନବୋଧର ଭିନ୍ନ ଏକ ଦିଗନ୍ତ ପ୍ରତି ଆକର୍ଷିତ କରିବାର ସାମର୍ଥ୍ୟ ରଖିଛି। ଅବଶ୍ୟ ଏକଥା ଭିନ୍ନ ଯେ ସେତେବେଳେ ବିଚାରକମାନେ ଏକଥା ଦେଖି ନ ଥିବେ ଯେ ଏଠାରେ ବି ଦୂରବର୍ତ୍ତୀ ଗଁା ଓ ଅପେକ୍ଷାକୃତ କ୍ଷୁଦ୍ର ସହର ଭଳି ଖରାଦିନେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍‌ ହେଉଛି, ପୁଣି ରାଜପଥରୁ ବାଟ ଭାଙ୍ଗି ରାଜଧାନୀର ଗଳି ରାସ୍ତାଧାରର ବସ୍ତିବାସିନ୍ଦାମାନେ ଅସ୍ବାସ୍ଥ୍ୟକର ପରିବେଶରେ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି ଏବଂ ସର୍ବୋପରି ବର୍ଷାଦିନରେ ଖୋଲା ଡ୍ରେନର ପ୍ରଚଣ୍ଡ ସ୍ରୋତରେ ଭାସିଯାଇ ତରୁଣ ଛାତ୍ରଟିର ପ୍ରାଣହାନି ଘଟୁଛି!
ସ୍ମାର୍ଟ ସିଟି ଭୁବନେଶ୍ୱରକୁ ନେଇ ଏତେ ଚିତ୍ରଣ, ମନ୍ଥନ ଓ ବିଶ୍ଳେଷଣର ଆବଶ୍ୟକତା ପଡ଼ନ୍ତା ନାହିଁ, ଯଦି କେଇଦିନ ତଳର ଲଘୁଚାପଜନିତ ବର୍ଷା ବିତ୍ପାତର ବିକଳ ଚିତ୍ର ହୃଦୟକୁ ଥରାଇ ଦେଇ ନ ଥା’ନ୍ତା; ଏକ ବାଧ୍ୟ ବିବଶ ଅସହାୟତାରେ। ବିଗତ କେଇବର୍ଷ ହେଲା ରାଜଧାନୀ ନଗରୀରେ ରହୁଥିବା ଅଧିବାସୀଙ୍କ ପାଇଁ ଏ ବର୍ଷା ବିତ୍ପାତ କିଛି ନୂଆ ନ ଥିଲା। ସ୍ମାର୍ଟ ସିଟିର ମାନ୍ୟତା ପାଇବା ପୂର୍ବରୁ ରାଜଧାନୀରେ ଭାରି ବର୍ଷାର ଇତିହାସ କିଛି କମ୍‌ ନୁହେଁ। ମାତ୍ର ପାଖରେ ଥିବା କଟକ ନଗର ଭଳି କେବେ ବି ଏହା ଭୋଗୁ ନ ଥିଲା ବର୍ଷା ବିତ୍ପାତର ଦୁର୍ଦ୍ଦଶା। କେବେ ବି ଏଠାରେ ଘର ଭିତରେ ପାଣିର ସୁଅ ଚାଲୁ ନ ଥିଲା କିମ୍ବା ଘର ଭିତରେ ଛଅ ମାସର ଛୁଆକୁ ଧରି ମାଆ ଜଣେ ବୁଡ଼ିଯାଇଥିବା ଖଟ ଉପରେ ଚେୟାରଟି ପକାଇ ତା’ ଉପରେ ଆଶ୍ରୟ ନେଉ ନ ଥିଲା। ମାତ୍ର ସ୍ମାର୍ଟ ସିଟି ହେଲା ପରେ କଟକକୁ ପଛରେ ପକାଇ ବଳିଗଲାଣି ଭୁବନେଶ୍ୱରବାସୀଙ୍କ ଦୁର୍ଦ୍ଦଶା।
କୁହାଯାଉଛି, ଭୁବନେଶ୍ୱର ନଗରର ପରିକଳ୍ପନା କଲାବେଳେ ମାତ୍ର ଚାଳିଶ ହଜାର ଲୋକ ଏଠାରେ ବସବାସ କରିବେ ବୋଲି ଚିନ୍ତା କରାଯାଇଥିଲା। ଅଥଚ ଏବେ ଏହାର ଲୋକସଂଖ୍ୟା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି। ଆଧୁନିକ ଜୀବନର ଆକର୍ଷଣରେ ଗଁାରୁ ସହରମୁହଁା ହେଉଥିବା ଲୋକଙ୍କ ରାଜଧାନୀରେ ବସା ବାନ୍ଧିବାର ପ୍ରବଣତା ମଧ୍ୟରେ ରାଜଧାନୀର ବିସ୍ତୀର୍ଣ୍ଣ ଭୂସମ୍ପଦ ଉପରେ ଗଢ଼ି ଉଠିଲାଣି ମାଳ ମାଳ କଂକ୍ରିଟ୍‌ର କୋଠାବଣ। ପ୍ରଶାସନର ଉଦାସୀନତା ଓ କେତେକ କ୍ଷେତ୍ରରେ ସହଯୋଗିତାରେ ସରକାରୀ ଜମି, ଏପରିକି ଗୋଚର ଜମି ଉପରେ ବି ଛିଡ଼ା ହେଲାଣି ମାଳ ମାଳ କୋଠାଘର। ବର୍ଷାଜଳ ବୋହିନେବାକୁ ଡ୍ରେନ୍‌ ନାହିଁ କି ଶୋଷିନେବାକୁ ମାଟି ମୁଠାଏ ନାହିଁ। ସୁତରାଂ ବ୍ୟାପକ ଜଳ ପ୍ଳାବନ ମଧ୍ୟରେ ଉବୁଟୁବୁ ହେବାକୁ ଆମ ସ୍ମାର୍ଟ ସିଟି ବସ୍ତୁତଃ ବାଧ୍ୟ। ପକେଟରେ ଟଙ୍କା ଓ ହାଣ୍ଡିରେ ଚାଉଳ ଥାଇ ବି ରୋଷେଇ କରି ନ ପାରି ଉପାସରେ ଦିନ କାଟିବାକୁ ଏଠାକାର ବାସିନ୍ଦାଙ୍କ ଭାଗ୍ୟ ଓ ଟିଉଶନ ସାରି ଘରକୁ ଫେରିଲାବେଳକୁ ଖୋଲା ଡ୍ରେନ୍‌ରେ ପଡ଼ିଯାଇ ଅକାଳରେ ସଂସାର ଛାଡ଼ିବା ଏଠାକାର ତରୁଣଙ୍କ ଭବିଷ୍ୟ!
ଉପସଂହାରରେ ଏଥର ବର୍ଷା ବିତ୍ପାତରେ ସ୍ମାର୍ଟସିଟିର ଦୁଇଟି ଦୁର୍ଭାଗ୍ୟପୂର୍ଣ୍ଣ ଦୃଶ୍ୟପଟ। ଅତ୍ୟନ୍ତ ହୃଦୟସ୍ପର୍ଶୀ ଏହି ଦୁଇଟି ଦୃଶ୍ୟର ମାନବୀୟ ଆବେଦନ ବେଶ୍‌ ମାର୍ମିକ। ପ୍ରଥମରେ ରାଜଧାନୀର ନିଉ ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଥିବା ଅଶୀତିପର ବୁଢ଼ାବୁଢ଼ୀ ଦୁହେଁ ନିଜ ଘରେ ଜଳବନ୍ଦୀ ହୋଇ ରହୁଛନ୍ତି। ରାଜଧାନୀର ଅନ୍ୟ ବହୁ ବୟସ୍କ ମାତାପିତାଙ୍କ ପରି ସେମାନଙ୍କ ସନ୍ତାନସନ୍ତତି ବିନା ଏକା ଏକା ରହୁଥିବା ଏହି ବୃଦ୍ଧ ଦମ୍ପତି ଅତି ବିକଳରେ କହୁଥିଲେ, ”ଘର ଭିତରେ ଆଣ୍ଠୁଏ ପାଣି। ଆମର ସେବାକାରୀ କାମବାଲିର ଘରେ ପାଣି ପଶିଥିବାରୁ ସେ ଆସିବନି ବୋଲି ମନାକଲା ପରେ ବିନା ଖାଦ୍ୟପେୟରେ ଖଟ ଉପରେ ଚେୟାର ପକାଇ ଆମେ ଦୁହେଁ ବସିରହିଛୁ।“ ଦ୍ୱିତୀୟ ଦୃଶ୍ୟଟି ଆହୁରି ଚିନ୍ତା ଉଦ୍ରେକକାରୀ। ସ୍ମାର୍ଟ ସିଟିରେ ଚାକିରି କରି ଘରଭଡ଼ା ନେଇ ରହୁଥିବା ଲୋକ ଜଣେ ପାଣି ଘେରରେ ଉପାସରେ ଥିବା ନିଜ ପିଲାମାନଙ୍କ ବିକଳ ଅବସ୍ଥା ଦେଖି ନ ପାରି ପରିବାରକୁ ନେଇ ଗଁାକୁ ଚାଲିଗଲେ। ଏହି ଦୁଇଟି ଘଟଣାକୁ ସ୍ମାର୍ଟ ସିଟିର ଦୁଃଖ ନ କହି ଲଜ୍ଜା କହିଲେ ଅଧିକ ସମୀଚୀନ ହେବ। ନିଜ ପୁଅକୁ ସ୍ମାର୍ଟ ବୟ କହି ଛାତି ଫୁଲାଉଥିବା ବାପା ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଜାଣି ନ ଥିବା ପୁଅଟିର ବିଫଳତାରେ ଲଜ୍ଜାବୋଧ କଲାପରି ସ୍ମାର୍ଟ ସିଟିର ବାସିନ୍ଦାଙ୍କୁ ନିମ୍ନତମ ନିରାପତ୍ତା ଯୋଗାଇବାରେ ବିଫଳ ହେଉଥିବା ପ୍ରଶାସନ ଲଜ୍ଜିତ ହେଉଛନ୍ତି କି ନାହିଁ କେଜାଣି।
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri