ସ୍କୁଲ ଅପମିଶ୍ରଣ ଓ ଆତଙ୍କିତ ଶିକ୍ଷକ

ଅଞ୍ଜନ ଚାନ୍ଦ
କିଛିଦିନ ତଳେ ଏଠାରେ ଗୋଟିଏ ଦୁଃଖଦ ଘଟଣା ଘଟିଲା। ଦୁଇଜଣ ସ୍କୁଲ ପିଲା ମଧ୍ୟାହ୍ନଭୋଜନ ବିରତି ବେଳେ ସ୍କୁଲ ପାଖ କେନାଲରେ ଖସିପଡ଼ିଲେ। ସେମାନଙ୍କୁ ପାଣିରୁ ଉଦ୍ଧାର କରି ଡାକ୍ତରଖାନା ନିଆଗଲା। କିନ୍ତୁ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା। ମୃତ୍ୟୁଖବର ଶୁଣିବା ପରେ ଗାଁର ଲୋକମାନେ ଉତ୍‌କ୍ଷିପ୍ତ ହୋଇ ସ୍କୁଲକୁ ମାଡ଼ିଆସିଲେ। ଶିକ୍ଷକମାନଙ୍କୁ ଗାଳିଗୁଲଜ, ଠେଲାପେଲା କଲେ। ସମସ୍ତଙ୍କୁ ଗୋଟିଏ ଘରେ ପୂରାଇ ତାଲା ପକାଇ ଦେଲେ। ନିକଟବର୍ତ୍ତୀ ଥାନାର ଜଣେ ମହିଳା ଅଧିକାରୀ ଚତୁରତାର ସହିତ ଲୋକମାନଙ୍କୁ ବୁଝାଇ ରାତି ନଅଟା ସମୟରେ ସେମାନଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ନେଇଆସିଲେ। ସେହି ରାତିଯାକ ଏବଂ ତା’ ପରଦିନ ସେମାନେ ଥାନାରେ ରହିଲେ। ଆମେ ଦିନ ବାରଟା ସମୟରେ ସେଠାକୁ ଯାଇଥିଲୁ। ସେଠାରୁ ଗାଁ ଭିତରକୁ ଗଲୁ। ଠିକ୍‌ ସେତେବେଳେ ପିଲା ଦୁହିଁଙ୍କର ମୃତଦେହ ପୋଷ୍ଟମର୍ଟମ ହୋଇ ଗାଁକୁ ଫେରିଥିଲା। ଚାରିଆଡେ କାନ୍ଦବୋବାଳି। ତା’ ସହିତ ଶିକ୍ଷକମାନଙ୍କୁ ଭର୍ତ୍ସନା। ପରିସ୍ଥିତି ଅସମ୍ଭାଳ ଓ ହୃଦୟବିଦାରକ ଥିଲା। ଏକମାତ୍ର ପୁଅକୁ ହରାଇ ଶୋକାତୁର ହୋଇପଡିଥିବା ମା’ବାପାଙ୍କୁ ସାନ୍ତ୍ୱନା ଦେବା ପାଇଁ ଭାଷା ବୋଧହୁଏ କାହାରି ପାଖରେ ନ ଥିଲା।
ସେଠାରୁ ଆମେ ସ୍କୁଲ ପାଖକୁ ଗଲୁ। ତାହା ଗୋଟିଏ ନୋଡ଼ାଲ ସ୍କୁଲ। ପ୍ରାୟ ଦୁଇଶହ ମିଟର ଦୂରରେ ଥିବା ପ୍ରାଇମେରୀ ସ୍କୁଲଟିକୁ ହାଇସ୍କୁଲ ସହିତ ମିଶାଇ ଦିଆଯାଇଛି। ବିଶାଳ ପରିସର ଅଥଚ ପାଚେରି କିମ୍ବା ବାଡ଼ କିଛି ନାହିଁ। ମଧ୍ୟାହ୍ନଭୋଜନ ରୋଷେଇ ହାଇସ୍କୁଲରେ ହୁଏ। ପ୍ରାଇମେରୀ ପିଲାମାନେ ସେଠାକୁ ଯିବାଆସିବା କରନ୍ତି। ନିକଟରେ କେନାଲ, ଦୁଇପଟେ ପଥର ବସାଯାଇଛି। ବର୍ଷା ଦିନେ ପାଣି ଭର୍ତ୍ତିହୋଇ ରହିଛି। ଘଟଣା ଦିନ ହାଇସ୍କୁଲରୁ ମଧ୍ୟାହ୍ନଭୋଜନ ଖାଇ ପିଲାମାନେ ପ୍ରାଇମେରୀ ସ୍କୁଲକୁ ଫେରୁଥିଲେ। କେଜାଣି କେଉଁ କାରଣରୁ ସେ ପିଲା ଦୁୁହେଁ କେନାଲ ପାଖକୁ ଚାଲିଗଲେ। ପଥରରେ ଗୋଡ ଖସି ପାଣିରେ ପଡିଗଲେ। ଦୂରରୁ ଦେଖି ପିଲାମାନେ ପାଟିକରି ଉଠିଲେ। ପାଟି ଶୁଣି ଲୋକମାନେ ଧାଇଁ ଆସିଲେ। ପାଣିରୁ ଉଦ୍ଧାର କରି ଡାକ୍ତରଖାନାକୁ ନେଲେ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ପିଲାଦୁହେଁ ଜୀବନ ଫେରିପାଇଲେ ନାହିଁ ଏବଂ ସେଥିପାଇଁ ଦାୟୀ ହେଲେ ଶିକ୍ଷକ। ମାସାଧିକ ସମୟ ବିତିଗଲାଣି। ଏବେ ବି ସେଠାରେ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ଦୁଇଜଣ ଶିକ୍ଷକ ସସ୍‌ପେଣ୍ଡ ହୋଇଛନ୍ତି। କେତେଜଣ ଭୟରେ ସ୍କୁଲକୁ ଯାଉନାହାନ୍ତି। ବଦଳି ହୋଇଯିବାକୁ ଚାହୁଁଛନ୍ତି। କିନ୍ତୁ ସେମାନଙ୍କ ବଦଳରେ କୌଣସି ଶିକ୍ଷକ ସେଠାକୁ ଯିବାକୁ ରାଜି ହେଉନାହାନ୍ତି।
ଉପଯୁକ୍ତ ଭିତ୍ତିଭୂମି ନ ଥାଇ ସ୍କୁଲଗୁଡ଼ିକୁ ଯେପରି ତରବରରେ ଅପମିଶ୍ରଣ କରାଯାଇଛି ତାହାର କୁପରିଣତିର ଏହା ଏକ ବାସ୍ତବ ନମୁନା। ଆହୁରି ଏମିତି ଅନେକ ସ୍କୁଲ ଅଛି ଯେଉଁଠି ହାଇସ୍କୁଲରୁ ଚାହିଁଲେ ଦିଶେନାହିଁ ପ୍ରାଇମେରୀ ସ୍କୁଲ। ଏସବୁ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କର କାଗଜ କାମ ଅଧିକ। ଦଶଟାରୁ ଚାରିଟା ନିଜ ଟେବୁଲ ଉପରେ ମୁହଁମାଡି ପଡ଼ିବାକୁ ହୁଏ। ପ୍ରାଇମେରୀ ସ୍କୁଲରେ କ’ଣ ଚାଲିଛି ତାହା ଦେଖିବାକୁ ସମୟ ମିଳେନାହିଁ। କେବେ କେମିତି ଛୋଟ ମୋଟ ଦୁର୍ଘଟଣା ଘଟେ। ଶିକ୍ଷକମାନେ ଆତଙ୍କିତ ଅବସ୍ଥାରେ ରୁହନ୍ତି।
ରାଜଧାନୀରେ ସଚିବଙ୍କଠାରୁ ବ୍ଲକ୍‌ରେ ଅତିରିକ୍ତ ଶିକ୍ଷାଧିକାରୀ ପର୍ଯ୍ୟନ୍ତ ଶିକ୍ଷା ବିଭାଗରେ ଅସଂଖ୍ୟ ଅଧିକାରୀ। ବର୍ଷଯାକ କେତେ ଯୋଜନା, କେତେ ନୀତିନିୟମ ଲାଗୁ ହେଉଛି। ଶିକ୍ଷା ବ୍ୟବସ୍ଥା ସୁଧୁରୁଛି ବୋଲି ଡିଣ୍ଡିମ ପିଟାଯାଉଛି। କିନ୍ତୁ ପର୍ଯ୍ୟବେକ୍ଷଣରେ ଯେତେବେଳେ ଦେଖାଯାଉଛି ଶିକ୍ଷାର ମାନ ଅଧିକ ହ୍ରାସ ପାଇଛି, ସବୁ ଦୋଷ ଶିକ୍ଷକମାନଙ୍କ ମୁଣ୍ଡ ଉପରେ ଲଦି ଦିଆଯାଉଛି। ବର୍ତ୍ତମାନ ଗଣଶିକ୍ଷାରେ ପ୍ରଚଳିତ କେତେକ ବିଚିତ୍ର ନୀତି ଦେଖନ୍ତୁ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କ୍ଲାସ୍‌ ପରୀକ୍ଷାରେ ଫେଲ କରାଯାଇପାରିବ ନାହିଁ କିନ୍ତୁ ଦଶମ ବୋର୍ଡ ପରୀକ୍ଷାରେ ସେମାନେ ଫେଲ୍‌ ହେଲେ ଶିକ୍ଷକଙ୍କ ଦରମା ବନ୍ଦ ହେବ। ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତି ଦିଆଯିବ ନାହିଁ କିନ୍ତୁ ଯେଉଁ ବିଷୟରେ ପିଲା ଫେଲ ହେବେ ସେ ବିଷୟ ପଢାଉଥିବା ଶିକ୍ଷକମାନଙ୍କୁ ଦରମା ଦିଆଯିବ ନାହିଁ। ସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି କିନ୍ତୁ ପରୀକ୍ଷା ଫଳ ଖରାପ ହେଲେ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଇନ୍‌କ୍ରିମେଣ୍ଟ ବନ୍ଦ ହେବ। ପିଲାମାନେ ପଡ଼ିଆରେ ଖେଳିବେ କିନ୍ତୁ ଦୈବାତ୍‌ ପଡ଼ିଯାଇ ଆହତ ହେଲେ ଦାୟୀ ହେବେ ଶିକ୍ଷକ। ପିଲାମାନେ ବିଶୃଙ୍ଖଳିତ ହେବେ କିନ୍ତୁ ଶୃଙ୍ଖଳା ପାଇଁ ଶାସନ କଲେ ଶିକ୍ଷକ ନିଲମ୍ବିତ ହେବେ। ସ୍କୁଲରେ ବଗିଚା ହେବ, ସ୍କୁଲ ହତା ସଫା ରହିବ କିନ୍ତୁ ପିଲାମାନେ କୌଣସି କାମରେ ହାତ ଲଗାଇବେ ନାହିଁ। ସ୍କୁଲରେ ପୂଜା, ଉତ୍ସବ ହେବ, ପିଲାମାନେ ଭୋଜି ଖାଇବେ କିନ୍ତୁ ସେମାନେ ଚାନ୍ଦା ଦେବେ ନାହିଁ କି ସେଦିନ ମଧ୍ୟାହ୍ନଭୋଜନ ହେବନାହିଁ। ବିଚରା ଶିକ୍ଷକମାନଙ୍କର ଜୀବନ ଭୟଭ୍ରାନ୍ତିରେ ବିତୁଛି, ସେମାନେ ଉତ୍ତମ ଶିକ୍ଷାଦାନ କରିବେ କିପରି?
ଅଙ୍ଗାରଗାଡ଼ିଆ, ବାଲେଶ୍ୱର, ମୋ-୯୪୭୭୨୯୬୮୬୪


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri