ସେକାଳ ଚିଠି

ଡା. ବାସୁଦେବ ପ୍ରଧାନ
ଆଜି ବାକ୍ସ ଭିତରୁ ପୁରୁଣା ଚିଠିଟିଏ ପାଇ ଚିଠି ବିଷୟରେ ଦୁଇପଦ ଲେଖିବାକୁ ଇଚ୍ଛା ହେଲା। ଚିଠି ବହୁ ପୁରୁଣା କଥା ମନେ ପକେଇଦିଏ। ଯୁବସୁଲଭ ଗୁଣ ମନକୁ ରୋମାଞ୍ଚଭରା କରିଦେଲା। ପ୍ରେମର ବାହକ ଥିଲା ଚିଠି। ଉତ୍କଣ୍ଠା, ଆବେଗ, ବିରହ ମିଳନର ବାସ୍ନାରେ ବାସ୍ନାୟିତ ଚିଠିର ଦେହ। ଆଖିରେ ଆଖି ମିଶିବା ପରେ ଅଧିକ କିଛି କୁହାଯାଏ ଚିଠିରେ। ଭାରି ଭାରି ଶବ୍ଦରେ ଓଜନିଆ ହୋଇଉଠେ ଦେହ ତା’ର। କେତେବେଳେ ଦୁଇ ପଦରେ ସରୁଥିଲା ତ କେତେବେଳେ ବଢ଼ୁଥିଲା ତା’ର କଳେବର। ପୋଷ୍ଟକାର୍ଡ, ଅନ୍ତର୍ଦେଶୀୟପତ୍ର, ଲଫାପା ମାଧ୍ୟମରେ ଲେଖା ହେଉଥିଲା ଚିଠି। ସମୟ ବାହାର କରି ମନକଥା ଲେଖାହେଉଥିଲା। ଚିଠି ଲେଖୁଥିବା ଲୋକ ଉତ୍ତର ପାଇବା ଆଶାରେ ଚାହିଁ ବସୁଥିଲା। ଉତ୍ତର ପ୍ରାପ୍ତିରେ ବିଳମ୍ବ ହେଲେ ମନରେ ଦୁଃଖ ଭରିଯାଉଥିଲା। ଆଉ ଉତ୍ତର ପାଇଲେ ଆନନ୍ଦର ସୀମା ରହୁ ନ ଥିଲା। ଚିଠି କେବଳ ଡାକବାଲା ନେଉ ନ ଥିଲା। ଚିଠିକୁ ମଧ୍ୟ ଜହ୍ନ, କେତେବେଳେ ମେଘ ହାତରେ ବି ପଠାଯାଉଥିଲା ମନର କଳ୍ପନାରେ। ସେଥିପାଇଁ ଅନେକ ଓଡ଼ିଶୀ, ଛାନ୍ଦ, ଢଗଢମାଳି ରଚନା କରାଯାଇଛି। ଯେମିତି ମେଘକୁ ଡାକବାଲା ସଜାଇ ବୋଲା ଯାଉଥିଲା- କହିବୁ ମେଘରେ କାନ୍ତଙ୍କୁ ଯାଇ…। ଆଉ କେବେ ନିଜସ୍ବ କବିତାରେ ଜହ୍ନକୁ ଡାକବାଲା ସଜାଇ ଲେଖିଚି- ଜହ୍ନରେ ଜହ୍ନ ଯିବୁ ଗାଁକୁ ଦେଖିଆସିବୁ ମୋ ପ୍ରିୟାକୁ।
ପିଲାବେଳ କଥା ମନେପଡେ। ସ୍କୁଲ ଯିବାକୁ ତର ତର। ସ୍କୁଲରୁ ଆସି ବସ୍ତାନି ଫିଙ୍ଗି ଖେଳିବାକୁ ଯିବାକୁ ତରତର। ସେତିକିବେଳେ ବିଦେଶରେ ରହୁଥିବା ସ୍ବାମୀ, ପୁଅମାନଙ୍କର ସ୍ତ୍ରୀ ଓ ମା’ମାନେ ଚିଠିଟିଏ ଲେଖିବା ପାଇଁ ଅନୁରୋଧ କରୁଥିଲେ। ନ ଲେଖିଲେ ମନ ଦୁଃଖ କରୁଥିଲେ। ଚିଠି ଲେଖିଦେବା ପାଇଁ ପାଚିଲା କଦଳୀ, ପିଜୁଳି, ସିତାଫଳ କେତେ କ’ଣ ଲାଞ୍ଚ ମିଳୁଥିଲା। ପାଲା ଗାଇବା ପୂର୍ବରୁ ମଙ୍ଗଳାଚରଣ ଗାଇବା ପରି ଶ୍ରୀଶ୍ରୀଗ୍ରାମଦେବତୀଙ୍କ ଚରଣେ ଶରଣ, ବୃନ୍ଦାବନଚନ୍ଦ୍ରଙ୍କ ଚରଣେ ଶରଣ, ଶ୍ରୀଶ୍ରୀବାଲୁଙ୍କେଶ୍ୱରଙ୍କ ଚରଣେ ଶରଣ। ଏମିତି ଲେଖୁ ଲେଖୁ ଚିଠି ଅଧା ହୋଇଯାଏ। (ଜଣେ କବିଙ୍କ ଭାଷାରେ କଲିକତାରୁ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀ ପାଖକୁ ଚିଠି ଲେଖିଛନ୍ତି: ଶିରୀ ଶିରୀ ଗଙ୍ଗାକାଳୀ ଚରଣେ ଶରଣ, ଲଇକ୍ଷଣ ବୋଉ ଶୁଣ ଲେଖିବା କାରଣ…।) ଆଉ ଅଧାରୁ ଦାଦାଙ୍କର ଆଶୀର୍ବାଦ, ଖୁଡୀଙ୍କର ଆଶୀର୍ବାଦ, ଜେଜେମା, ଜେଜେବାପାଙ୍କର ଆଶୀର୍ବାଦ, ଭାଇ ଭାଉଜଙ୍କର ଆଶୀର୍ବାଦ ଲେଖାରେ ବାକି ଅଧକରୁ ଅଧା ସରିଯାଏ। ଅବଶିଷ୍ଟ ଚାରଣା ଜାଗାରେ ମୂଳ ପ୍ରସଙ୍ଗ ରହୁଥିଲା। ଏଇ ଯେମିତି ଏବର୍ଷ ଫସଲ ଭଲ ହୋଇନି। ଧୋଇ ମରୁଡିରେ ସବୁତକ ଗଲା। ଝିଅ ପାଇଁ କଂସାବାସନ କିଣା, ସ୍ନୋପାଉଡର, କଜ୍ଜଳ, ସିନ୍ଦୂର, ପାଟରା ଜିନିଷର ବିବରଣୀ। ଶେଷରେ ଧାରକରଜର ତାଲିକା। ଟଙ୍କା ପଠେଇବାକୁ ଅନୁରୋଧ। ଶେଷ କେଇ ଧାଡିରେ ନିଜ ଦେହପାକୁ ଜଗିରଖିବାକୁ ପରାମର୍ଶ। ଏମିତି କେତେକଥା। ସବୁଠାରୁ ମନଛୁଆଁ ଧାଡିଟି ହେଲା ଇତି ତମର ସୀତା କି ଲକ୍ଷ୍ମୀର ବୋଉ। ନିଜର ନାଁ ଲେଖିବାକୁ ଲାଜ ଲାଗୁଥିଲା। ସେତେବେଳେ ଚିଠିକୁ ଇତି କଲା ବେଳେ ସେମାନେ ତମର ଗୀତା, ମିତା, କବିତା ଲେଖିବାରେ ଅସୁବିଧା କେଉଁଠି ଜାଣିପାରୁ ନ ଥିଲି। ବେଳେ ବେଳେ ଭାଉଜମାନଙ୍କର ଭାଇଙ୍କ ପାଇଁ ଚିଠି ଇତି କଲାବେଳେ ଲେଖିଦିଏ ଇତି ତମର ପ୍ରେମପାଗଳିନୀ ଅଭାଗିନୀ ପ୍ରମିଳା କି ହେମ ବୋଲି। ଚିଠି ଲେଖା ସରିବା ପରେ ସେମାନଙ୍କୁ ଶୁଣେଇବାକୁ ପଡୁଥିଲା। କିଛି ରହିଗଲେ ସେମାନଙ୍କର ଅନୁରୋଧ ଆଉ କିଛି ଯୋଡିବାକୁ। ଆରଥରକୁ ଲେଖିବି କହି ଚିଠିଲେଖା ବନ୍ଦ କରୁଥିଲି। ଖାଲି ଲେଖିଦେଲେ ହବନି। ଚିଠି ଡାକବାକ୍ସରେ ପକେଇବା ଦାୟିତ୍ୱ ମଧ୍ୟ ଥିଲା ମୋର। ସତରେ ଚିଠି କଥା ମନେପଡିଲେ ମନେପଡେ ଆମ ଅତୀତ। ଡାକସେବା ପ୍ରଚଳନ ହେଲା ପରେ ଚିଠିର ଆଦାନ ପ୍ରଦାନ ସହଜ ହେଲା। ଚିଠି ସମ୍ପର୍କ ଯୋଡିବାର ମାଧ୍ୟମ। ପୋଷ୍ଟମ୍ୟାନ, ପୋଷ୍ଟବକ୍ସ, ଡାକଘର ଦିନେ ଅତି ଚଳଚଞ୍ଚଳ ଥିଲା। ପୋଷ୍ଟବକ୍ସଟିଏ ଦେଖିଲେ ମନରେ ଆନନ୍ଦ ଆସୁଥିଲା, ମନ ଉଲ୍ଲସିତ ହେଉଥିଲା। ଏସବୁ ପ୍ରତି ଏବେ ଅଣଦେଖା, ଅନାଦର। ଏବେ ଡାକଘର ଅଛି। ହେଲେ ସେବାର ତରିକା ବଦଳିଗଲାଣି। କେତେବେଳେ ଡାକଘର ସଞ୍ଚୟର ମାଧ୍ୟମ ହେଲାଣି ତ ଆଉ କେବେ ଆଗାମୀ ଦିନରେ କିଛି ନୂଆ କରିବାର ପ୍ରଚେଷ୍ଟା ଆରମ୍ଭ ହେଲାଣି। ଏବେ ମୋବାଇଲ ଫୋନ୍‌, ନେଟ୍‌ ସେବା ଯୋଗାଯୋଗ ଶ୍ରେଷ୍ଠ ମାଧ୍ୟମ ହେଲାଣି। ଶୀଘ୍ର ବାର୍ତ୍ତା ପହଞ୍ଚତ୍ୟାଉଛି। ଏଗୁଡିକ ଏବେ ଡାକଘର ପରି କାମ କରୁଛନ୍ତି। ହେଲେ ସେକାଳ ଚିଠିରେ ଥିବା ସେ ଆନ୍ତରିକତା ନାହିଁ। ତଥାପି ଚିଠି, ଡାକବାଲା ଓ ଡାକଘର ରହିଛି ଓ ରହିବ। ପୁରୁଣା ସ୍ମୃତି ବଖାଣୁଥିବ।
ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା’ ଛକ, ଭୁବନେଶ୍ୱର, ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri