ସୁନାବେଶେ ଉଭା ପ୍ରଭୁ କାଳିଆ ସାଆନ୍ତ

ଡ. କିଶୋର ମହାନ୍ତି
ଶ୍ରୀକ୍ଷେତ୍ରରେ ବାରମାସରେ ତେରପର୍ବ ଅପୂର୍ବ ଓ ଅବର୍ଣ୍ଣନୀୟ, ଯେଉଁଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ପ୍ରକାର ବର୍ଣ୍ଣିଳ ଭବ୍ୟ ରୂପ ଶ୍ରଦ୍ଧାଳୁମାନଙ୍କର ମନକୁ ଆକର୍ଷି ନେଇଥାଏ। ସେଇସବୁ ବେଶ ମଧ୍ୟରୁ ଅବକାଶ ବେଶ, ବଡସିଂହାର ବେଶ, ସୁନାବେଶ, ଚନ୍ଦନଲାଗି ବେଶ, ଗଜାନନ ବେଶ, ଘୋଡ଼ଲାଗି ବେଶ, ନବାଙ୍କ ବେଶ, ବନଭୋଜି ବେଶ, କାଳୀୟ ଦଳନ ବେଶ, ପ୍ରଳମ୍ବାସୁର ବଧ ବେଶ, କୃଷ୍ଣବଳରାମ ବେଶ, ରାଧାଦାମୋଦର ବେଶ, ଠିଆକିଆ ବେଶ, ଡାଳିକିଆ ବେଶ, ନାଗାର୍ଜୁନ ବେଶ, ରାଜରାଜେଶ୍ୱର ବେଶ, ବାମନ ବେଶ, ଶ୍ରାଦ୍ଧ ବେଶ, ଚାଚେରୀ ବେଶ ପ୍ରଧାନ।
ମହାପ୍ରଭୁଙ୍କ ସୁନା ବେଶ ଓ ଗଜାନନ ବେଶ ଆକର୍ଷଣୀୟ। ଶହ ଶହ ଭକ୍ତ ଏହି ଭବ୍ୟରୂପକୁ ତୃଷିତ ନୟନରେ ଦର୍ଶନ କରିଥାନ୍ତି। ମହାପ୍ରଭୁଙ୍କର ସୁନାବେଶ ପ୍ରାୟତଃ ବର୍ଷକୁ ପାଞ୍ଚ ଥର ଅନୁଷ୍ଠିତ ହୋଇଥାଏ। ଜଗନ୍ନାଥ ସଂସ୍କୃତିର ଗବେଷକଙ୍କ ମତରେ ୧୨୩୨ ଖ୍ରୀଷ୍ଟାବ୍ଦରୁ ଏହି ରୀତି ପ୍ରଚଳିତ ହୋଇଆସୁଛି। ଏହି ପାଞ୍ଚୋଟି ସୁନାବେଶରୁ କେବଳ ଆଷାଢ଼ ଶୁକ୍ଳ ଏକାଦଶୀରେ ବା ବାହୁଡ଼ା ପରଦିନ ସିଂହଦ୍ୱାର ସମ୍ମୁଖରେ ମହାର୍ହ ସୁବର୍ଣ୍ଣବେଶ ପ୍ରଚଳିତ ହୋଇଆସୁଛି। ବଡ଼ଦାଣ୍ଡରେ ରଥ ଉପରେ ଥିଲା ବେଳେ ପ୍ରଭୁଙ୍କର ଏହି ବେଶ ହୋଇଥାଏ। ବାକି ଚାରୋଟି ବେଶ ଅନ୍ୟାନ୍ୟ ଦିବସରେ ହୋଇଥାଏ, ଯଥା ମାଘ ପୂର୍ଣ୍ଣିମା, ଦଶହରା, କାର୍ତ୍ତିକ ପୂର୍ଣ୍ଣିମା ଏବଂ ପୌଷ ପୂର୍ଣ୍ଣିମା।
କୁହାଯାଇଛି ଜଗନ୍ନାଥ ଷୋଳକଳା- ସେ ଯଥାର୍ଥରେ କଳାର ଠାକୁର। ଏହି ମାଟିର କବି ଜୟଦେବକୃତ ଗୀତଗୋବିନ୍ଦର ପ୍ରାରମ୍ଭରୁ ହିଁ କବି ରାଧାମାଧବଙ୍କୁ ସ୍ମରଣ କରିଛନ୍ତି। ତାଙ୍କ ରୂପ ବର୍ଣ୍ଣନାରେ ସେ ସିଦ୍ଧହସ୍ତ। ରାଧାମାଧବଙ୍କୁ ସେ ନାୟକ ନାୟିକା ଭାବରେ ଆଖ୍ୟାୟିତ କରିଛନ୍ତି ତାଙ୍କ କାବ୍ୟରେ, କିନ୍ତୁ ପ୍ରେମମୟ ଠାକୁରଙ୍କର ଅନନ୍ୟ କଳା ପ୍ରୀତି ଅନ୍ୟତ୍ର ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି-
”କିବା ଚବିଶ ଅବତାର,
କଳ୍ପିତ ବେଶେ ତୋ ପ୍ରଚାର।
ନାହିଁ ସେ ବେଶର ଉପମା,
ବାକ୍ୟେ କେ ବର୍ଣ୍ଣିବ ମହିମା।“
କଳାପ୍ରେମୀ ସେବକ ସିଂହାରୀ ପୁଷ୍ପାଳକଗଣ ମହାପ୍ରଭୁଙ୍କର ଏହି ଭବ୍ୟ ବେଶ ସମ୍ପାଦନ କରିଥାନ୍ତି। ମହାପ୍ରଭୁଙ୍କର ବେଶକର୍ମ ନିର୍ବାହ ନିମନ୍ତେ ସେବା ନିଯୋଗର ‘ମେକାପ’ ସଂଜ୍ଞକ ସେବକଙ୍କ ସମ୍ପୃକ୍ତି ବାସ୍ତବରେ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।
ପ୍ରଭୁ ଶ୍ରୀମଧୁସୂଦନଙ୍କର ମଥୁରା ଯାତ୍ରା ହେଉ ଅବା ଶ୍ରୀମନ୍ଦିରରୁ ବାହାରି ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବଡ଼ଦାଣ୍ଡରେ ତାଙ୍କର ନବଦିନାତ୍ମକ ଯାତ୍ରା, ସବୁରି ମୂଳରେ ନିଜର ଅନନ୍ତ ଲୀଳା ପରିପ୍ରକାଶ କରିବା ହେଉଛି ତାଙ୍କର ମୁଖ୍ୟ ଅଭିଳାଷ। ରତ୍ନ ସିଂହାସନରୁ ଓହ୍ଲାଇ ଶହ ଶହ ଭକ୍ତଙ୍କୁ ଭେଟିବାର ଦୁର୍ବାର ପ୍ରୟାସ ଇଏ। ଭକ୍ତ ତାଙ୍କର ପ୍ରାଣଧନ। ସେ ଭାବବିନୋଦିଆ ହରି, ସେମାନଙ୍କ ସହ ଭାବଗତ ସମ୍ପର୍କର ତୁଳନା ନାହିଁ- ଭକ୍ତ ତାଙ୍କ ରୂପକାନ୍ତିରେ ବିମୁଗ୍ଧ ହୋଇ ଗାଇଛି-
”ଚାଲ ସଖୀ ଆମେ ଦର୍ଶନ କରିବା
ନୀଳଗିରି କାଳିଆକୁ,
କେଉଁ ସୁରପତି ବେଶ କରିଅଛି
ଗିରିବର ତୋଳିଆକୁ…।“
ପ୍ରକୃତରେ ଭକ୍ତସମୂହ ବଡ଼ଦାଣ୍ଡରେ ତିନିରଥରେ ବିଜେ ଶ୍ରୀଜୀଉମାନଙ୍କର ସୁନାବେଶ ଦେଖି ଆତ୍ମବିଭୋର ହୋଇଉଠନ୍ତି। ତିନି ମୂର୍ତ୍ତିଙ୍କର ଅଙ୍ଗରେ ସିଂହାରୀ ଶାଢି ଖଣ୍ଡୁଆ ଲାଗି କରାଇବା ପରେ କେବଳ ଶ୍ରୀଜଗନ୍ନାଥ ଓ ବଳରାମଙ୍କର ଶ୍ରୀହସ୍ତରେ ନେତପୁଟ ପରିଧାନ କରାଇଥାନ୍ତି। ପ୍ରଭୁଙ୍କର ଅଙ୍ଗଲାଗି ନିମନ୍ତେ ସୁବର୍ଣ୍ଣ ଆଭୂଷଣ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗଚ୍ଛିତ ହୋଇ ରହିଥାଏ। ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ବଡ଼ ସତର୍କତା ସହିତ ସ୍ବର୍ଣ୍ଣ ଆଭୂଷଣଗୁଡ଼ିକ ରଥ ଉପରକୁ ଅଣାଯାଇଥାଏ। ପ୍ରଭୁଙ୍କ ପାଇଁ ଆସିଥିବା ସ୍ବର୍ଣ୍ଣ ଅଳଙ୍କାର ଶ୍ରୀପୟର, ଶ୍ରୀଭୁଜରେ ଲାଗି କରାଯାଏ। ଆହୁରି ଆଶ୍ଚର୍ଯ୍ୟ ଲାଗେ ସେହି ଅଙ୍ଗୁଳିଗୁଡ଼ିକରେ ସ୍ବର୍ଣ୍ଣ ଅଙ୍ଗୁରୀୟ ମଧ୍ୟ ଖଞ୍ଜା ଯାଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ରୌପ୍ୟ ନିର୍ମିତ ପଞ୍ଚଜନ୍ୟ ଓ ଡାହାଣ ଭୁଜରେ ସ୍ବର୍ଣ୍ଣନିର୍ମିତ ସୁଦର୍ଶନ ଚକ୍ର ମଧ୍ୟ ଲଗାଯାଇଥାଏ। ମସ୍ତକରେ ମୁକୁଟ ପରିଧାନ ଆହୁରି ଶୋଭାବର୍ଦ୍ଧନ କରେ। ଶ୍ରୀଜଗନ୍ନାଥ ଏବଂ ବଳଦେବଙ୍କ ମୁକୁଟ ଉପରେ ମୟୂରଚୂଳ ନାମକ ସ୍ବର୍ଣ୍ଣ ଅଳଙ୍କାର ଖଞ୍ଜା ଯାଇଥାଏ। ତାହା ଚନ୍ଦ୍ରିକା ଭାବରେ ପରିଚିତ। ମାତା ସୁଭଦ୍ରାଙ୍କ କର୍ଣ୍ଣରେ ତଡ଼କୀ ନାମକ ସ୍ବତନ୍ତ୍ର ଅଳଙ୍କାର ଲାଗିଥାଏ। ସେମାନଙ୍କର ଦୁଇ କର୍ଣ୍ଣରେ କର୍ଣ୍ଣକୁଣ୍ଡଳ ଶୋଭା ବର୍ଦ୍ଧନରେ ବିଶେଷ ସହାୟକ ହୋଇଥାଏ। ସୁଦର୍ଶନ ସ୍ବର୍ଣ୍ଣମୁକୁଟ ପରିଧାନ କରିଥାନ୍ତି।
ବଡ଼ କୌତୂହଳପ୍ରଦ କଥା ହେଲା, ପ୍ରଭୁ ଓଡ଼ିଆଙ୍କ ରୂପରେ ଉଭା ହୋଇଥାନ୍ତି। ପାରମ୍ପରିକ ଢଙ୍ଗରେ ଓଡ଼ିଆ ପରିବାର ଗ୍ରାମ୍ୟବଧୂ କଟିରେ ପିନ୍ଧୁଥିବା ଚନ୍ଦ୍ରହାର, ଗୋଠ, ପାହୁଡ଼, କଟିମେଖଳା ଆଦି ଠାକୁରଙ୍କୁ ବେଶ୍‌ ମାନୁଥାଏ। ଅନ୍ୟାନ୍ୟ ଅଳଙ୍କାର ମଧ୍ୟରେ ତାବିଜ, ହରିଡ଼ାକଦମ୍ବ ମାଳି, ବାଘନଖୀ ମାଳି, କଦମ୍ବ ମାଳି, ସେବତୀ ମାଳି ପ୍ରଭୃତି ଆଭୂଷଣରେ ସଜାଇ ଦିଆଯାଇଥାଏ। ପୁଷ୍ପନିର୍ମିତ ନାକୁଆସି, ଝୁମ୍ପା, ଅଧରଚୁମ୍ବିତ ମାଳା ବ୍ୟବହୃତ ହୋଇଥାଏ। ଏହିପରି ସକଳ ପରିପାଟୀରେ ଦାରୁବିଗ୍ରହ ଜନମନକୁ ଆକର୍ଷି ନିଅନ୍ତି । ଏହି ଅମୃତମୟ ଦୃଶ୍ୟ ଯେତିକି ମନୋମୋହକର ସେତିକି ଚିତ୍ତବିନୋଦକ। ମହାପ୍ରଭୁଙ୍କର ଏପରି ବିରଳ ବର୍ଣ୍ଣାଢ଼୍ୟ ଦୃଶ୍ୟ ଦେଖିବାର ସୁଯୋଗ ସମସ୍ତେ ପାଇ ପାରନ୍ତିନି। ପ୍ରଭୁଙ୍କର ଡୋରି ଲାଗିଲେ ଯାଇ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିହୁଏ। ଦେଖିବାର ଅପୂର୍ବ ସୁଯୋଗ ମିଳେ ପ୍ରଭୁଙ୍କର ରାଜବେଶ। ରଥ ଉପରେ ଏ ବେଶକୁ ବଡ଼ତଡ଼ାଉ ବେଶ କୁହାଯାଏ। ପ୍ରକୃତି ଓ ପୁରୁଷକୁ ଆପଣେଇ ନେଉଥିବା ଜଗତର ନାଥ ଜଗନ୍ନାଥ ଏକ ରହସ୍ୟମୟ ଦେବତା ହେଲେ ହେଁ ସେ ଯେ ସୌନ୍ଦର୍ଯ୍ୟପ୍ରିୟ, ରସିକ, ପ୍ରେମୀ ଓ ଭକ୍ତର ବନ୍ଧୁ ଏହା ତାଙ୍କର ବିଭିନ୍ନ ବେଶ ଓ ରଥଯାତ୍ରାରୁ ପ୍ରମାଣିତ ହୋଇଥାଏ।
ଇ-୫୦, ସେକ୍ଟର-୭, ସିଡିଏ, କଟକ, ମୋ-୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri