ସା ବିଦ୍ୟା ଯା ନିଯୁକ୍ତୟେ

ସମଗ୍ର ଭାରତବର୍ଷରେ ସମ୍ପ୍ରତି ନୂତନ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ବିତର୍କ ଜାରି ରହିଥିବା ବେଳେ ଗୋଟିଏ ରୋଚକ ପ୍ରସଙ୍ଗ ମୋର ସ୍ମରଣକୁ ଆସେ। କିଛିଦିନ ତଳେ ଜଣେ ଲେଖକ ମୟୂରଭଞ୍ଜର କେତେକ ସାନ୍ତାଳ ଗାଁ ଦେଖିବାକୁ ଯାଇଥିଲେ। ଗାଁର ଅନେକ ପିଲା ପାଠ ପଢିବାକୁ ସ୍କୁଲ ନ ଯାଇ ଘରପାଖ ପଡିଆରେ ଖେଳୁଥିଲେ। ଏହା ଦେଖି ଲେଖକ ଜଣକ ଜଣେ ଅଶୀବର୍ଷର ବୁଢୀକୁ ପଚାରିଲେ- ତୁମେ ତମ ନାତିନାତୁଣୀଙ୍କୁ ସ୍କୁଲ ପଠାଉନାହଁ କାହିଁକି। ବୁଢୀ ଜଣକ ଫଁ କରି ଗର୍ଜିଉଠି ଲେଖକଙ୍କୁ ପଚାରିଲା-ସ୍କୁଲ? କେଉଁ ସ୍କୁଲ କଥା କହୁଛ? ଯେଉଁଠି ମାଟ୍ରିକ ପାସ କଲେ ପିଲା ଯାଇ ବାରିପଦାରେ ରହିବ, ବି.ଏ. ପାସ୍‌ କଲେ ଭୁବନେଶ୍ୱରରେ ଘର କରି ରହିବ? ସେଇ ସ୍କୁଲକୁ ମୋ ପିଲାଙ୍କୁ ପଠେଇବାକୁ କହୁଛ। ଆମର ଦରକାର ନାହିଁ ସେ ପାଠ, ଯେଉଁ ପାଠ ଆମ ପିଲାଙ୍କୁ ଆମଠାରୁ ଦୂରେଇ ଦଉଛି। ବୁଢୀର ଉତ୍ତରରେ ନିର୍ବାକ୍‌ ହୋଇଗଲେ ଲେଖକ ଜଣକ। ପାଠକେ! ଆମ ଶିକ୍ଷା ବ୍ୟବସ୍ଥା ଯେ ସମାଜକୁ ଭାଙ୍ଗିବା ପାଇଁ, ଯୋଡିବା ପାଇଁ ନୁହେଁ, ଏ ବିଷୟରେ ବୁଢୀର ସଚେତନତା ବୋଧହୁଏ ଆମ ଭିତରେ ନାହିଁ।
ଏବେ ଦେଶବ୍ୟାପୀ ଅସଂଖ୍ୟ ବିଦ୍ୟାଳୟ, ମହାବିଦ୍ୟାଳୟରେ ଅଗଣିତ ଶିକ୍ଷକ ଓ ଶିକ୍ଷାର୍ଥୀ। ଶିକ୍ଷାର ଉନ୍ନତି ପାଇଁ ବହୁ ଯୋଜନା ଓ ଅଭିଯାନ। ଏହା ସତ୍ତ୍ୱେ ସମ୍ପ୍ରତି ଭାରତରେ ସାକ୍ଷରତା ହାର ଶତକଡା ୭୪ ଭାଗ। ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତି ଅନୁସାରେ ୨୦୨୫ ସୁଦ୍ଧା ଶତ ପ୍ରତିଶତ ସାକ୍ଷରତା ହାସଲ ପାଇଁ ଆମର ଲକ୍ଷ୍ୟ ରହିଛି। ମାତ୍ର ବିଡମ୍ବନା ହେଲା ଏହା ଯେ ଲୌକିକ ଅର୍ଥରେ ସାକ୍ଷରଙ୍କ ସଂଖ୍ୟା ତ ବଢିବ, କିନ୍ତୁ ଶିକ୍ଷିତଙ୍କ ସଂଖ୍ୟା ବଢିବ କି? ଶିକ୍ଷାର ଅସଲ ଲକ୍ଷ୍ୟ ସାଧିତ ହେବ କି? ଆଜି ଶିକ୍ଷା କହିଲେ ଆମେ ଯାହା ବୁଝୁ, ସେ ଅର୍ଥରେ ତ ସାକ୍ଷରଙ୍କ ସଂଖ୍ୟାରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି, ମାତ୍ର ଆମର ସାମାଜିକ ନିରାପତ୍ତା, ମାନସିକ ସ୍ବାସ୍ଥ୍ୟ, ଶାନ୍ତି ଓ ସ୍ବାଚ୍ଛନ୍ଦ୍ୟର ମାତ୍ରାରେ ଉନ୍ନତି ହେବାର କୌଣସି ଆଶା ନାହିଁ। ଆଜି ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକ ଏକପ୍ରକାର ଶିଳ୍ପରେ ପରିଣତ ହୋଇଛି। ଏହି ଶିଳ୍ପ ଶିକ୍ଷିତ ନାମରେ ଯାହା ଉତ୍ପାଦନ କରୁଛି, ତାହା ପ୍ରାୟତଃ ଏକ ବୈଚିତ୍ର୍ୟହୀନ ଯାନ୍ତ୍ରିକ ପ୍ରାଣୀ। ସେ ପ୍ରାଣୀର ମୁଖ୍ୟ ଲକ୍ଷ୍ୟ ଓ ଆଭିମୁଖ୍ୟ ହେଲା, ଯେନତେନପ୍ରକାରେଣ ଅଜସ୍ର ଅର୍ଥ ଉପାର୍ଜନ କରିବା ଓ ସେ ଅର୍ଥ ବଳରେ ସୁଖର ମରୀଚିକା ପଛରେ ଧାବମାନ ହୋଇ ଦିନେ ସୂର୍ଯ୍ୟାସ୍ତ ବେଳେ ଟଲଷ୍ଟୟଙ୍କ ବିଖ୍ୟାତ କାହାଣୀ ଦୁଇଗଜ ଜମିର ପାହୋମ୍‌ ଚରିତ୍ର ଭଳି ସ୍ବୟଂ ଅସ୍ତମିତ ହେବା। ହାୟ! ଏହା ହିଁ ହେଉଛି ଆମ ଆଧୁନିକ ଶିକ୍ଷାର ଅନ୍ତିମ ପରିଣତି।
ଏଣୁ ଆଜିର ଏ ଆଧୁନିକ ଶିକ୍ଷାକୁ ବିଦ୍ୟାର ପ୍ରତିଶବ୍ଦ ଭାବେ କେବେ ବି ଗ୍ରହଣ କରାଯାଇପାରେନା। ବିଦ୍ୟାର ଏକମାତ୍ର ଓ ଅନତିକ୍ରମ୍ୟ ସଂଜ୍ଞା ହେଲା ‘ସା ବିଦ୍ୟା ଯା ବିମୁକ୍ତୟେ’। ସିଏ ହେଉଛି ବିଦ୍ୟା ଯାହା ମାନବକୁ ମୁକ୍ତି ପ୍ରଦାନ କରେ। ଜୀବନକୁ ମାର୍ଜିତ ଓ ରୁଚିବନ୍ତ କରେ। ଅଜ୍ଞାନ ଅନ୍ଧକାରକୁ ଅପସାରିତ କରି ଜ୍ଞାନାଲୋକରେ ଜୀବନର ମାର୍ଗକୁ ଆଲୋକିତ କରେ। ଆଜିର ଶିକ୍ଷା ତାହା ଆମକୁ ପ୍ରଦାନ କରିଛି କି? ବରଂ ଆଜିର ଶିକ୍ଷା ଆମକୁ ଅଧିକରୁ ଅଧିକ ବନ୍ଧନ ଭିତରକୁ ଠେଲି ଦେଉଛି। ପ୍ରଚଳିତ ଧାରଣାରେ ଆମେ ଶିକ୍ଷା କହିଲେ ବୁଝିଛୁ, ସାକ୍ଷରତାଠାରୁ ଆରମ୍ଭ କରି ପାଠ୍ୟକ୍ରମରେ ସିଦ୍ଧି, କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାଫଲ୍ୟ ବା ଜୀବିକା ନିର୍ବାହ ନିମନ୍ତେ କୌଣସି ଏକ ମାର୍ଗରେ ତାଲିମପ୍ରାପ୍ତି। କିନ୍ତୁ ଏହା ଶିକ୍ଷାର ମୌଳିକ ଉଦ୍ଦେଶ୍ୟ ନୁହେଁ। ଜ୍ଞାନ-ସମୃଦ୍ଧ ପ୍ରାଚୀନ ଭାରତରେ ସାକ୍ଷରତା ବିନା ବି ବିଦ୍ୟାଲାଭ କରାଯାଇପାରୁଥିଲା। ବେଦ-ବେଦାନ୍ତ ଯୁଗରେ ବିଦ୍ୟାର୍ଥୀ ନିମନ୍ତେ ତା’ର ସ୍ମୃତିପଟ ହିଁ ଥିଲା ତା’ର ପୁସ୍ତକ। ସେତେବେଳେ ଶିକ୍ଷାର ମୌଳିକ ଉଦ୍ଦେଶ୍ୟ ଥିଲା ମନୁଷ୍ୟକୁ ସର୍ବପ୍ରକାର ମାନବିକ ଗୁଣରେ ମଣ୍ଡିତ କରିବା ଓ ନୈତିକତାରେ ପରିପୁଷ୍ଟ କରି ଆତ୍ମିକ, ସାମାଜିକ ଓ ରାଷ୍ଟ୍ରୀୟ ଚିନ୍ତନରେ ଉଦ୍‌ବୁଦ୍ଧ କରିବା। କିନ୍ତୁ ଆଜିର ଶିକ୍ଷା କେବଳ ଐକିକ ଉଦରପୂର୍ତ୍ତିର ସାଧନ ମାତ୍ର ପାଲଟିଛି। ପ୍ରତିବର୍ଷ ଆମର ଶିକ୍ଷାୟତନଗୁଡିକ ଯେଉଁ କର୍ମଦକ୍ଷତାଶୂନ୍ୟ ଉପାଧିଧାରୀ ଯୁବକଯୁବତୀମାନଙ୍କୁ ସୃଷ୍ଟି କରୁଛନ୍ତି ସେମାନଙ୍କର ମାନସିକ, ଶାରୀରିକ, ଆତ୍ମିକ ତଥା ନୈତିକ ଶକ୍ତିର ପରିପୂର୍ଣ୍ଣ ବିକାଶର ଦ୍ୱାର ଅବରୁଦ୍ଧ। ଏହି ଶିକ୍ଷା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଉଦଣ୍ଡତା, ଅନୁଶାସନହୀନତା ଓ ଚରିତ୍ରହୀନତାର ପ୍ରସାର କରୁଛି। ବିଦ୍ୟାର୍ଥୀମାନଙ୍କ ପ୍ରାଣରୁ ଉଚ୍ଚାଭିଳାଷ ଓ ବହୁ ଶାସ୍ତ୍ରଦର୍ଶୀ ଜଣେ ପ୍ରଜ୍ଞାଶୀଳ ବ୍ୟକ୍ତି ହେବାର ପ୍ରବଣତାକୁ ନଷ୍ଟ କରି ଚାଲିଛି। ଏହି ଜାତୀୟ ଦୁର୍ଗତିରୁ ନିସ୍ତାର ପାଇବାକୁ ହେଲେ ଆମର ଜାତୀୟ ଶିକ୍ଷାନୀତିରେ ସଂଶୋଧନ ଲୋଡା। ଆଧୁନିକ ଶିକ୍ଷା ବର୍ଷ ବର୍ଷ ଧରି କେବଳ ଡାକ୍ତର, ଇଞ୍ଜିନିୟର, ଅଧ୍ୟାପକ, ପ୍ରଶାସକ ଓ ବୈଜ୍ଞାନିକ ଇତ୍ୟାଦି ସୃଷ୍ଟି କରିଚାଲିଛି। ଆମକୁ ବୈଷୟିକ ଜ୍ଞାନରେ ଭରପୂର କରିଦେଇଛି। କିନ୍ତୁ ଉଚ୍ଚାଙ୍ଗ ଆଦର୍ଶର ଠିକଣା ଦେଇପାରିନି। ଭଲ ମଣିଷଟିଏ ଗଢିବାର ଭିତ୍ତିଭୂମି ପ୍ରତିଷ୍ଠା କରିପାରିନି।
କିଏ ଜଣେ କହିଥିଲେ- ମଣିଷ ମହାନ୍‌ ହେବା ପାଇଁ ତିନିଟି ଜିନିଷ ଲୋଡା। ପୁରୁଷର ମସ୍ତିଷ୍କ, ନାରୀର ହୃଦୟ ଓ ଶିଶୁର ମନ। ଯେଉଁ ସମୟରେ କୋମଳମତି ଶିଶୁଟିଏ ସ୍କୁଲକୁ ଆସେ କିମ୍ବା ନବଯୁବକଟିଏ ମହାବିଦ୍ୟାଳୟରେ ପାଦଦିଏ, ସେମାନେ ଦୁଇଟି ଜିନିଷ ସାଥୀରେ ଧରି ଆସିଥାନ୍ତି। ଗୋଟିଏ ହେଲା ମସ୍ତିଷ୍କ ଓ ଅନ୍ୟଟି ହେଲା ହୃଦୟ। ବିଦ୍ୟାଳୟ, ମହାବିଦ୍ୟାଳୟରେ ଯେତେ ପାଠ୍ୟକ୍ରମ ଅଛି, ସେ ସବୁ ହୁଏତ ବିଦ୍ୟାର୍ଥୀର ମସ୍ତିଷ୍କକୁ ତୀକ୍ଷ୍‌ଣ କରିବାରେ ସକ୍ଷମ ହୋଇଛି। ମାତ୍ର ତା’ର ହୃଦୟକୁ ସ୍ପର୍ଶ କରିପାରିନାହିଁ। ଅପରପକ୍ଷରେ ତା’ର ଶାନ୍ତ ସରଳ ମନ ଭିତରେ ପ୍ରତିଦ୍ୱନ୍ଦ୍ୱିତାର ନିଶା ପ୍ରବେଶ କରାଇ, ତା’ର ଶୈଶବର ମୃତ୍ୟୁ ଘଟାଇ, ଏକ ରାକ୍ଷସର ଆବିର୍ଭାବ ତା’ର ହୃଦୟ ମଧ୍ୟରେ ସୃଷ୍ଟି କରାଉଛି। ସେଇଥିପାଇଁ କୋମଳମତି ଶିଶୁଟିଏ ଯିଏ ଜନମାନସକୁ ଠିକ୍‌ ଭାବେ ଚିହ୍ନିନାହିଁ, ସେ ମଧ୍ୟ ବିଦ୍ୟାଳୟକୁ ବମ୍‌ ଏବଂ ଭୁଜାଲି ଭଳି ମାରଣାସ୍ତ୍ର ଆଣି ସାଙ୍ଗସାଥୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି। ଏହାର କାରଣ କ’ଣ?
ଏକଥା ନିଶ୍ଚିତ ସତ୍ୟ ଯେ ଶିଶୁ ହୃଦୟର ବିକାଶ ପାଇଁ ଆମ ପାଠ୍ୟକ୍ରମରେ କିଛି ବ୍ୟବସ୍ଥା ନାହିଁ। ଶିଶୁଟିଏ ଭଲ ଇଞ୍ଜିନିୟର କିମ୍ବା ଭଲ ଡାକ୍ତର ହେବା ପୂର୍ବରୁ କିପରି ଜଣେ ଭଲ ମଣିଷ ହେବ, ତାହା ଯଦି ଶିଖନ୍ତା, ଆଜି ଏ ସମାଜର ଏପରି ଅଧଃପତନ ହୁଅନ୍ତା ନାହିଁ। ଆପଣମାନେ ଜାଣନ୍ତି, ଜାପାନ ହେଉଛି ବିଶ୍ୱର ଏକମାତ୍ର ରାଷ୍ଟ୍ର, ଯେଉଁଠାର ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କେବଳ ସଦ୍‌ବ୍ୟବହାର ଶିକ୍ଷା ଦିଆଯାଇଥାଏ। ସେଇଥିପାଇଁ ଜାପାନୀମାନେ ଏତେ ନମ୍ର ଓ ଭଦ୍ର। ବର୍ତ୍ତମାନ ଆମ ଭାରତୀୟ ପାଠ୍ୟକ୍ରମରେ ସାହିତ୍ୟ, ସଂସ୍କୃତି, ସଙ୍ଗୀତ, କଳା, କବିତା, ଯୋଗ, ପ୍ରାଣାୟମ, ବ୍ୟାୟାମ ଓ ସର୍ବୋପରି ନୈତିକ ଶିକ୍ଷା ଆଦି ସାମିଲ କରାଯାଇ ଶିକ୍ଷା ପ୍ରଦାନ କରାଗଲେ, ବିଦ୍ୟାର୍ଥୀ ହୃଦୟର ବିକାଶ ହୋଇପାରନ୍ତା। ଏକ ଅନ୍ତଃସାରଶୂନ୍ୟ ଶିକ୍ଷା ବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ଶ୍ରେଣୀଗୃହକୁ ନେଇ ଭାରତବର୍ଷ ଏବେ ପୃଥିବୀର ସର୍ବଶ୍ରେଷ୍ଠ ରାଷ୍ଟ୍ର ହେବାର ସ୍ବପ୍ନ ଦେଖୁଛି। କେବଳ ନଭଶ୍ଚୁମ୍ବୀ ପ୍ରାସାଦ ଓ ଅତ୍ୟାଧୁନିକ କଳକାରଖାନା ଗଢି ଦେଶଟାକୁ ଚିମ୍‌ନି ଧୂଆଁରେ ଭରିଦେଲେ ଦେଶ ସଭ୍ୟ ଓ ଉନ୍ନତ ହୋଇଯାଏନା। ଦେଶ ଉନ୍ନତ ହୁଏ ଲୋକମାନଙ୍କର ମାନସିକ ପୁଷ୍ଟିରେ, ନୈତିକ ବିକାଶରେ ଓ ଆଧ୍ୟାତ୍ମିକ ଜାଗରଣରେ। ଏଥିପାଇଁ ଅର୍ଥବାଦୀ ଶିକ୍ଷା ବଦଳରେ ଜୀବନବାଦୀ ଶିକ୍ଷା ଲୋଡା।
ଏକଥା ସତ୍ୟ ଯେ ଯେଉଁଦିନ ପର୍ଯ୍ୟନ୍ତ ଆମ ଶିକ୍ଷାର ଲକ୍ଷ୍ୟ କେବଳ ଚାକିରି ଥିବ, ସେ ପର୍ଯ୍ୟନ୍ତ ଆମ ଶିକ୍ଷା ବ୍ୟବସ୍ଥା କେବଳ ଚାକର ସୃଷ୍ଟି କରି ଚାଲିଥିବ। ମାଲିକ ନୁହେଁ। ଆଉ ସେଇଦିନ ପର୍ଯ୍ୟନ୍ତ ବିଦ୍ୟାର ଏକମାତ୍ର ଓ ଅନତିକ୍ରମ୍ୟ ସଂଜ୍ଞା ‘ସା ବିଦ୍ୟା ଯା ବିମୁକ୍ତୟେ’ ସମୟର ଗଡ୍‌ଡଳିକା ପ୍ରବାହରେ ରୂପାନ୍ତରିତ ହୋଇ ‘ସା ବିଦ୍ୟା ଯା ନିଯୁକ୍ତୟେ’ରେ ପରିଣତ ହୋଇ ସାରିଥିବ।
ନୀଳମାଧବ କଲେଜ, କଣ୍ଟିଲୋ, ମୋ-୯୪୩୭୫୧୭୯୭୮


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା ପ୍ରବଣତା ଓ ନିରାକରଣ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଗଣମାଧ୍ୟମରେ ନିୟମିତ ଆତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ଯୋଗୁ ତାହା ସ୍ଥଳବିଶେଷରେ ବିଷମ ସ୍ଥିତି ସୃଷ୍ଟି କରୁଛି। କେଉଁଠି...

ଏଇ ଭାରତରେ

ଘର ବଗିଚାରୁ ଯାତ୍ରା ଆରମ୍ଭ କରି ୧୦ ଏକର ଜମିରେ ଜୈବିକ ଚାଷରେ ସଫଳ ହୋଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ତାମିଲନାଡୁର ପି. ଭୁବନେଶ୍ୱରୀ।...

ଚୋର ଅପେକ୍ଷା…

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଅଦ୍ୟାବଧି ବିଶ୍ୱରେ ୧ ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି।...

ଅସୁରକ୍ଷିତ ମାନବାଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜାତୀୟତା ଏପରି କି ରାଜନୈତିକ ବିଚାର ନିର୍ବିଶେଷରେ ବିଶ୍ୱର ସବୁ ମଣିଷଙ୍କର ଜଣେ ମଣିଷ ଭାବେ ରହିଥିବା...

ଏଇ ଭାରତରେ

ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଭୟଙ୍କର ପରିସ୍ଥିତି ନ ଉପୁଜିବା ଲାଗି ଲକ୍‌ଡାଉନ୍‌କୁ ବି କଡ଼ାକଡି ଭାବେ ପାଳନ କରାଯାଉଛି। କିନ୍ତୁ ଆମ ସ୍ବାସ୍ଥ୍ୟ...

ଶିକ୍ଷା ବ୍ୟବସ୍ଥାର ଗତି ଓ ସ୍ଥିତି

ପ୍ରମୋଦ କୁମାର ପଣ୍ଡା ସେ ଯାହାବି ହେଉ ଅନେକ ଦିନ ପରେ ସରକାର ଯେତେବେଳେ ଶିକ୍ଷାବିଭାଗ ପ୍ରତି ଦୃଷ୍ଟି ଦେଇଛନ୍ତି ଜନସାଧାରଣଙ୍କ ମନରେ ଆଶା ସଂଚାର...

ଏଇ ଭାରତରେ

ଦେଶରେ ଲକ୍‌ଡାଉନ ଆରମ୍ଭ ହେବାଠାରୁ ଅଦ୍ୟାବଧି ପ୍ରାୟ ୨୦୦ ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମହାରାଷ୍ଟ୍ରର ବିଦ୍ୟା ଶେଲ୍‌କେ। ମୁମ୍ବାଇର ଉପାନ୍ତ...

ଧର୍ମୀୟ ଭାବାବେଗ ଓ ରାଜନୀତି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ୧୯୫୦ ମସିହାରେ ଯେତେବେଳେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେଲା, ସେତେବେଳେ ଏହାର ମୁଖବନ୍ଧରେ ‘ସେକ୍ୟୁଲାର’ ଶବ୍ଦଟି ନ ଥିଲା। ୧୯୭୬ରେ ୪୨ତମ...

Advertisement
Archives

Model This Week