ସରଳ ଜୀବନ

ଦ୍ୱିତୀ ଚନ୍ଦ୍ର ସାହୁ

ଦେଖିଲି ଜଣେ ବୟସ୍କ ମଣିଷ ମୁହଁରେ ଗାମୁଛା ଘୋଡେଇ ଗାଁ ଆଡକୁ ଚାଲିଛି। ହାତରେ ଖାଲି ଗୋଟେ ବାଡି। ସନ୍ଧ୍ୟା ଭ୍ରମଣରେ ଫେରୁଥିଲି ଘରକୁ।
ଲକ୍‌ଡାଉନ୍‌ ଜନିତ ଅବସାଦ ମେଣ୍ଟାଇବାକୁ ଘର ପଛ ପାଖ ରାସ୍ତାକୁ ବୁଲିବାକୁ ବାଛି ଥାଏ । ପାଖ ଏକ ଗାଁର ଲୋକ ହୋଇଥିବ ଭାବି ପଚାରିଲି- ‘ମଉସା! କୁଆଡେ ଯାଉଛ?’ ‘ନାଇଁ ଆଜ୍ଞା! ଏ ବଜାରକୁ ଯାଉଛି।
ମୋର ଖଇନି ସରିଗଲା ଆଜ୍ଞା ! ପାଟିରେ ଖଇନି ନ ଥିଲେ ଏବେ ଆଉ ଚଳୁନି !’ ଉତ୍ତର ଦେଲା ସେ।
କଥାକୁ ଲମ୍ବେଇବାକୁ ଯାଇ ପଚାରିଲି- ‘ତୁମେ ସବୁ ଧୂଆଁ ପିଉଛ ପରା ! ଆଉ ଖଇନି କି ପାଇଁ ଖୋଜୁଛ ?’
‘ନାଇଁ ଆଜ୍ଞା ! ସବୁବେଳେ ସେଟା ପିଇ ହେଉନି। ଇଟା ତ ବଜାରରେ ସୁବିଧାରେ ମିଳି ଯାଉଛି। ନେଇଗଲେ ପାଟିରେ ପକେଇଦେଲେ କାମ ସରିଲା !’
ଏମିତି ଉତ୍ତର ପାଇବା ପରେ ଟିକେ ଦରଦ ହୋଇ ପଚାରିଲି – ‘ଆଉ ଏ ଲକ୍‌ଡାଉନ୍‌ରେ ତୁମର ଗାଁରେ ଚଳିବା କିପରି? ବେଶି ଅସୁବିଧା କରିଦେଲା ମଉସା କରୋନା ସମସ୍ତଙ୍କୁ!’ ଭାବୁଥିଲି ବୁଢା ମଣିଷ ଆକ୍ତାମାକ୍ତା ହୋଇ ତା’ର ଦାରିଦ୍ର୍ୟର ଇସ୍ତାହାରକୁ ଖୋଲିବ। ତା’ର ପ୍ରତି ପୃଷ୍ଠାକୁ ପଢିବ ଗୋଟି ଗୋଟି !
ଆଉ ସେସବୁ ଶୁଣି ଆମଭଳି ଶିକ୍ଷିତ ମଣିଷ ଆହାଃ ପଦେ କହି ଖୁସିରେ ପହଁରିବ। ବୁଢା ସିଧା ସିଧା କହିଲା – ‘ନାଇଁ ବାବୁ ! ରୋଗ ଲାଗି ସିନା ଘରୁ ବାହାରିବା କଷ୍ଟ ହେଲା। ଆମର ପର୍ବପର୍ବାଣି ବନ୍ଦ ହୋଇଗଲା । ହେଲେ ଆମର କିଛି ଅସୁବିଧା ନାଇଁ! ସରକାର ତ ଚାଉଳ ଦେଲା। ପଇସା ବି ଦେଲା ଆଗରୁ। ଘରେ ଡଙ୍ଗର ତଳି ଖାଲୁଆ ଜମିର ପାଚି ଅଛି। ବାଡିରେ ପରିବାପତ୍ର। ଲେମ୍ବୁ ପାଇଁ ବି ଚିନ୍ତା ନାହିଁ। ଘରେ ତେନ୍ତୁଳି ଅଛି। ଚାର କୋଳି ବି ମିଳୁଛି। ସରଗି ମଞ୍ଜିକୁ ବି ଗୁଟଉଛୁ। ଏବେ ମହୁଲ ଫୁଲ ବି ଛିଡୁଛି। ତାକୁ ଗୁଟେଇ ରଖିଛୁ। ମହୁଲ ସରୁଛି କି ନାଇଁ ଆମ୍ବରେ ଆମ୍ବୁଲ ବି ତିଆରି କରୁଛୁ। ତା’ ପରେ ଆମ୍ବ ପାଚିଲେ ଚମ୍ପେଇତ, ଆମ୍ବଶଢା ହେବ। ଖାଇବା ତେଲ ପାଇଁ ଟୁଲ ମଞ୍ଜି ବି ଆଗକୁ ମିଳିବ। ଇଟାମଣେ ସରିବ କି ନାଇଁ ଡଙ୍ଗର ଚାଷ କରି ମାଣ୍ଡିଆ, ମକା, ଜହ୍ନା, ବାଜରା, କାଙ୍ଗୁ ଲଗେଇବାର ପାଳି। ସେ ଲାଗି ଡଙ୍ଗର ବି ସଜ କରୁଛୁ। ଆମକୁ ତିରୁବାଟୁ ନାଇଁ କା ! ସକାଳୁ ମାଇକିନାମାନେ ତୁମ ଗାଁକୁ ତେନ୍ତୁଳି, ଆମ୍ବୁଲ, ଚାର କୋଳି, ଭାଲିଆ ପାଣ୍ଡୁ, ପିତଳ କନ୍ଦା, ଲଙ୍ଗଳ କନ୍ଦା, ମୁନିଗାଁ ଶାଗ, ବରଡା ଶାଗ, ଗୁରୁଡି ଶାଗ ଇମିତିକା ଜିନିଷ ଧରି ବିକିବାକୁ ଆଣି ଏ ଛକରେ ବସିଗଲେ ସବୁ ସରିଯାଉଛି। ବେଳ ଟିକେ ଗଡିଲା ବେଳକୁ ପଳଉଛି। ସକାଳୁ ସକାଳୁ ଦୁକାନରୁ କ’ଣ ଟିକେ କିଣାକିଣି କରି ପଳେଇଗଲେ ଆଉ କିଛି ଲୁଡା ପଡୁନି। ଆମର ତୁମର ଭଳି ବେଶି ଲୁଡାନି ବାବୁ ! ଭାତ, ମାଣ୍ଡିଆ ଜାଉ ପାଖରେ କିସ ଟିକେ ତାଟିଆରେ ମିଳିଗଲେ ଖୁସି। ଖାଇ କି ଡଙ୍ଗର ପାହାଡ ଆଉ ଗାଁ ଭିତରେ ସରିଯାଉଛି ବେଳ ! ପରବ ହେଲେ କା ଆମର ଖର୍ଚ୍ଚ ବେଶି ! ସିଟା ତ ଏ କରୋନା ଲାଗି ବନ୍ଦ। ଆଉ କିସ ବାବୁ ଇମିତିକା ଚାଲିଛି। ବଞ୍ଚିବାକୁ ଚିନ୍ତା ନାଇଁ କା ଆମକୁ ! ‘ତାର ସରଳ ଅଥଚ ସଫା ଉତ୍ତର କିନ୍ତୁ ଚମକେଇ ଦେଲା। ବାଧ୍ୟ କଲା ନିଜକୁ ଚିନ୍ତା କରିବାକୁ।
କେତେ ବାସ୍ତବବାଦୀ ହୋଇ ବଞ୍ଚୁଛି’ ଜଙ୍ଗଲ ପାହାଡର ମଣିଷମାନେ ! ସ୍ବାଭାବିକ ଦିନରେ ଯେମିତି, କରୋନାଜନିତ ଲକ୍‌ଡାଉନ୍‌ରେ ବି ସେମିତି। ଫରକ କିଛି ନାହିଁ। ଅଳ୍ପରେ ଅନେକ ଭଳି ନିଜ ପାଖର ସମ୍ବଳକୁ ନେଇ ଜିଇପାରୁଛନ୍ତିି ଅତି ସହଜରେ। ଅଥଚ ଆମେ ଘରେ ଥିବା ମଣିଷକୁ ବହୁତ ଚିନ୍ତା। ଲକ୍‌ଡାଉନ୍‌ରେ ଆମର ଅଜସ୍ର ରୁଚି। ସକାଳ ପାହିଲେ ଆମେ ଖୋଜୁଛୁ ରେସିପି। ନୂଆ ନୂଆ କେବେ କରି ନ ଥିବା ଆଇଟମ ସବୁ ନେଟରୁ ଦେଖି ତିଆରି କରୁଛୁ। ତା’ପାଇଁ ଆବଶ୍ୟକ ଜିନିଷ ଲାଗି ଯେମିତି ହେଉ କୋଉ ଗଳା ବାଟ ଦେଇ ଦୋକାନକୁ ଯାଇ ଆଣିଲେ ଘରେ ଶାନ୍ତି। ଅବଶ୍ୟ ଏଇକ୍ରମରେ ପରିବାର ମଧ୍ୟରେ ଭାଗୀଦାରି, ସୁସମ୍ପର୍କ ସ୍ଥାପନ, ଅବସର ବିନୋଦନ ସର୍ବୋପରି ପାରିବାରିକ ମିଳନର ମହାର୍ଘ୍ୟ ସୁଖ ମିଳୁଛି। ହଜିଯାଉଥିବା ପାରିବାରିକ ଖୁସି ଫେରି ଆସିଛି। ବ୍ୟକ୍ତିଗତ ସମ୍ପର୍କ ବି ବଢିଛି। ଏକଥା ବି ଆପଣମାନେ କହି ପାରନ୍ତି ଡଙ୍ଗର ପାହାଡରେ ରହୁଥିବା ମଣିଷଙ୍କ ଜୀବନଶୈଳୀ ଏବଂ ଆମର ଜୀବନଚର୍ଯ୍ୟା ଅଲଗା ଅଲଗା। ତା’ର ତୁଳନାତ୍ମକ ଚିତ୍ର ଉପସ୍ଥାପନା କରିବା ଉଚିତ ନୁହେଁ। ଏକଥା ସତ। କିନ୍ତୁ ଆମେ ଯେଉଁ ମଣିଷମାନେ ଗାଁର ମାଟି କାଦୁଅରେ ବଢିଛୁ, ନଈନାଳର ବୋହୁଥିବା ପାଣିରେ ବାଳୁ୍‌ଙ୍ଗା ଗାଧୋଇଛୁ, କାଦୁଅମାଦୁଅ ହୋଇ ମାଛ ଧରିଛୁ, ଲଙ୍ଗଳ କଣ୍ଟି ଧରି ବିଲରେ ମାତିଛୁ, ପୂନେଇପରବରେ ମତପୁରିଆ ହୋଇଛୁ ସେମାନେ ଏବେକାର ପରିବର୍ତ୍ତିତ ରୂପରେ ବଞ୍ଚତ୍ବା ଶିଖିଗଲା ପରେ ସତରେ ଏଣିକି ଆଉ ଅଳ୍ପରେ ବଞ୍ଚିପାରୁଛୁ !
ଏତିକି କଥା କରିପାରୁନୁ ବୋଲି ଜୀବନଜୀବିକା ଦାୟରେ ପ୍ରବାସୀ ଫେରନ୍ତାମାନେ ଉତ୍‌ପାତିଆଣ ବଶତଃ ହେଉ କି ନିଜର ବଦଳେଇଥିବା ଭେକ ଦୃଷ୍ଟିରୁ ହେଉ ସଂଗରୋଧ କେନ୍ଦ୍ରରେ ଗଣ୍ଡଗୋଳ କରୁଛୁ। ମାତ୍ର ଚଉଦଦିନିଆର ସାମୟିକ ରହଣିକୁ ଗ୍ରହଣ କରିପାରୁନୁ। ଖାଦ୍ୟକୁ ପିଙ୍ଗି ବିଶୃଙ୍ଖଳା କରୁଛୁ। ଘର ଭିତରର ମଣିଷ ହୁଅନ୍ତୁ କି ସେ ପ୍ରବାସୀ ଘର ବାହୁଡାମାନେ ହୁଅନ୍ତୁ, ତଥାକଥିତ ସରଳ ଜୀବନକୁ କେତେ ଗ୍ରହଣ କରିପାରିଛୁ ! ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜୀବନଚର୍ଯ୍ୟା ଅପେକ୍ଷା ଜୀବନ ରଖିବା ବଡ କଥା। ବିଳାସବ୍ୟସନ ଅପେକ୍ଷା ବିଚାରବନ୍ତ ହେବା ଗୁରୁତ୍ୱ। ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇବା ଏବେ ପ୍ରମୁଖ ପ୍ରସଙ୍ଗ। ଅନ୍ତତଃ ଏତିକି କଥା ସେହି ନିଚ୍ଛକ ମଣିଷମାନଙ୍କଠାରୁ କିଛିଦିନ ପାଇଁ ହେଲେ ବି ଶିଖିବା ଆବଶ୍ୟକ। ନୁହେଁ କି !
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା,
ମୋ- ୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri