ସମ୍ପାଦକୀୟ/ ଭାରତମୁହଁା ଆଇଏସ୍‌

ନିକଟରେ ଶ୍ରୀଲଙ୍କାରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ବଡ଼ ଧରଣର ଆକ୍ରମଣ କରିଥିବା ଦାବି କରିଥିଲା। ଏବେ ଏହି ଆତଙ୍କବାଦୀ ସଙ୍ଗଠନ ଭାରତରେ ଏକ ପ୍ରୋଭିନ୍ସ ବା ପ୍ରଦେଶ ଗଠନ କରିଥିବା କହିଛି। ଇସ୍‌ଲାମିକ୍‌ ଷ୍ଟେଟ୍‌ ଜମ୍ମୁ ଓ କଶ୍ମୀର (ଜେକେଆଇଏସ୍‌)ର ଇଶ୍‌ଫାକ୍‌ ସୋଫି ଓରଫ ଅବଦୁଲ୍ଲା ଭାଇଙ୍କୁ ନିପାତ କରାଯାଇଥିବା ନେଇ ଭାରତୀୟ ସେନା ପକ୍ଷରୁ କୁହାଯିବାର ଦିନକ ପରେ ଆଇଏସ୍‌ ଏଭଳି ଦାବି କରିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ଶୋପିଆନ୍‌ ଜିଲା ଆମ୍‌ସିପୋରା ଗ୍ରାମରେ ୧୦ ମେ’ରେ ଭାରତୀୟ ସେନା ପକ୍ଷରୁ ଏନ୍‌କାଉଣ୍ଟର କରାଯାଇଥିଲା। ଏଥିରେ ହିଜ୍‌ବୁଲ ମୁଜାହିଦ୍ଦିନ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଜାକିର ମୁସାଙ୍କ ଘନିଷ୍ଠ ସହଯୋଗୀ ଇଶ୍‌ଫାକ୍‌ ସୋଫି ନିହତ ହୋଇଥିଲେ। ଆତଙ୍କବାଦୀଙ୍କୁ ହତ୍ୟା କରି ବାହାବା ନେବାକୁ ସେନା ଚେଷ୍ଟା କରିବାରୁ ଆଇଏସ୍‌ ସିଧାସଳଖ ତାହାକୁ ଚ୍ୟାଲେଞ୍ଜ କରି ଓ୍ବିଲାୟାହ ଅଫ୍‌ ହିନ୍ଦ୍‌ (ଭାରତରେ ଆଇଏସ୍‌ର ଏକ ପ୍ରଦେଶ) ଗଠନ କରିଛି ବୋଲି କହିଛି।
ମଧ୍ୟପ୍ରାଚ୍ୟରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ବ୍ୟାପକ ନରସଂହାର କରିବା ପରେ ନିରାପତ୍ତା ଦୃଷ୍ଟିରୁ ଦୁର୍ବଳ ଥିବା ରାଷ୍ଟ୍ରଗୁଡ଼ିକୁ ଏବେ ଟାର୍ଗେଟ୍‌ କରିବାର ସଙ୍କେତ ଶ୍ରୀଲଙ୍କା ଆକ୍ରମଣରୁ ବୁଝାପଡ଼ିଯାଉଛି। ଏହି ପରିପ୍ରେକ୍ଷୀରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ବ୍ୟସ୍ତ ଲାଗିବା ସ୍ବାଭାବିକ। କାରଣ ଏ ଦେଶରେ ନିରାପତ୍ତା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସେଭଳି କୌଣସି ପଦକ୍ଷେପ ନିଆଯାଇପାରୁ ନାହିଁ। ସବୁ କଥାରେ ରାଜନୈତିକ ମୋଡ଼ ଦିଆଯାଉଥିବାରୁ କାର୍ଯ୍ୟ ହାସଲ ସମ୍ଭବପର ହେଉନାହିଁ। ଏପରି କି ସେନାକୁ ନେଇ ରାଜନୀତି ପ୍ରବଳ ମାତ୍ରାରେ ଚାଲିଛି। ସାଧାରଣ ନିର୍ବାଚନ ଥିବାରୁ ଭୋଟ ହାତେଇବା ପାଇଁ କେନ୍ଦ୍ରରେ ଭାଜପା ସରକାର ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ କରିଥିବା ବାଲାକୋଟ୍‌ କାର୍ଯ୍ୟାନୁଷ୍ଠାନକୁ ଅସ୍ତ୍ର ଭାବେ ବ୍ୟବହାର କରିଛି। ଭାଜପାର କେତେକ ନେତା ଭାରତୀୟ ସେନାକୁ ‘ମୋଦି ସେନା’ ଆଖ୍ୟା ଦେଉଥିବା ବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ନିଜେ ନିଜକୁ ପ୍ରଶଂସା କରି ଏକ ଟେଲିଭିଜନ ଚ୍ୟାନେଲରେ କୌତୂହଳପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୋସିଆଲ ମିଡିଆରେ ବହୁଳ ଭାବେ ନିନ୍ଦିତ ହେଉଥିବା ଏହି ସାକ୍ଷାତ୍‌କାରରେ ମୋଦି କହିଛନ୍ତି, ବାଲାକୋଟ୍‌ ଉପରେ ଆକ୍ରମଣ କରିବାକୁ ଭାରତର ପ୍ରତିରକ୍ଷା ବିଶେଷଜ୍ଞମାନେ ଦ୍ୱନ୍ଦ୍ୱ ପ୍ରକାଶ କରି କହୁଥିଲେ ଯେ, ଅନୁକୂଳ ପାଗ ନ ଥିବାରୁ ବିମାନ ଆକ୍ରମଣର ସଫଳତା ସନ୍ଦେହଜନକ। ଏଭଳି ମନ୍ତବ୍ୟକୁ ନିଜେ ପ୍ରଧାନମନ୍ତ୍ରୀ ଏଡ଼ାଇ ଦେଇ କୁଆଡ଼େ ନିଷ୍ପତ୍ତି ନେଲେ ଯେ, ଘନବାଦଲ ଥିବା ହେତୁ ପାକିସ୍ତାନ ରାଡାରରେ ଭାରତୀୟ ବିମାନ ଧରାପଡ଼ିବ ନାହିଁ। ମୋଦିଙ୍କ ଏହି ମନ୍ତବ୍ୟ ସମାଲୋଚନାର ଶରବ୍ୟ ହେଲା, କାରଣ ରାଡାରର କାର୍ଯ୍ୟକୁ ବାଦଲ ବାଧା ଦିଏନାହିଁ।
ଦେଖିବାକୁ ଗଲେ ଦେଶରେ ଉତ୍ତର ଓ ଦକ୍ଷିଣ ଭାରତୀୟଙ୍କ ମଧ୍ୟରେ ବିଦ୍ୱେଷଭାବ ରହିଛି। ଉତ୍ତର-ପୂର୍ବାଞ୍ଚଳବାସୀଙ୍କୁ ଅନେକେ ଭାରତୀୟ ବୋଲି ଭାବୁ ନାହାନ୍ତି। ସେହିପରି ପୁଲ୍‌ଓ୍ବାମା ଆକ୍ରମଣ ପରେ ଦେଶର ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା କଶ୍ମୀରୀମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଇ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ଭାରତରେ ଯେତେବେଳେ ବି ଆତଙ୍କବାଦୀ ଆକ୍ରମଣ ହୋଇଛି, ମୁସଲମାନ ସମ୍ପ୍ରଦାୟ ସନ୍ଦେହର ବଳୟ ମଧ୍ୟକୁ ଟଣା ହୋଇଆସୁଛନ୍ତି। ଅସହିଷ୍ଣୁତା ଦେଶର ସାମାଜିକ ସଦ୍‌ଭାବକୁ ବିଗାଡ଼ିବାରେ ଲାଗିଛି। ଏଭଳି ଦେଶରୁ ଆଭ୍ୟନ୍ତରୀଣ ବିଭେଦର ଫାଇଦା ନେବାକୁ ଯାଇ ଆଇଏସ୍‌ ବିଭିନ୍ନ ସ୍ଥାନରେ ତା’ର ଶିବିର ସ୍ଥାପନ କରିବାକୁ ଉଦ୍ୟମ କରୁଛି। ଆଇଏସ୍‌ର ଏଭଳି ମନ୍ଦ ଉଦ୍ଦେଶ୍ୟ କାର୍ଯ୍ୟକାରୀ ହେବା କଷ୍ଟକର ନ ହୋଇପାରେ। କଶ୍ମୀର ଉପତ୍ୟକାରେ ଆଇଏସ୍‌ର ଉପସ୍ଥିତିକୁ ସୁରକ୍ଷା ସଂସ୍ଥାଗୁଡ଼ିକ ଅସ୍ବୀକାର କରୁଥିବା ବେଳେ ଜମ୍ମୁ-କଶ୍ମୀରକୁ ଏହି ସଙ୍ଗଠନ ପ୍ରୋଭିନ୍ସ ବୋଲି ଦାବି କରିବା ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି। କାରଣ ପ୍ରାୟ ଶୁକ୍ରବାର ନମାଜ ପାଠ ବେଳେ ଖୋଦ୍‌ ଶ୍ରୀନଗରରେ ଇସ୍‌ଲାମିକ୍‌ ଆଦର୍ଶ ପ୍ରତି ଅନୁପ୍ରାଣିତ ଉଦ୍‌ଭ୍ରାନ୍ତ ଯୁବକମାନେ ଆଇଏସ୍‌ ପତାକା ଦେଖାଇବାର ଅନେକ ନଜିର ରହିଛି। ଏହା ସିଧାସଳଖ ଆଇଏସ୍‌କୁ ସମର୍ଥନ ଦେଉଥିବା ବେଳେ ସ୍ବରାଷ୍ଟ୍ର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଏସବୁ ପରିସ୍ଥିତିକୁ ଦେଖିଲେ ବିଭାଜନ ରାଜନୀତି ଆଜି ଭାରତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି। ରାଜରାଜୁଡ଼ା ଅମଳରୁ ଦେଖାଯାଇଛି ଯେ, ରାଜ୍ୟରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଘଟିଲେ ବାହ୍ୟଶତ୍ରୁ ଆକ୍ରମଣ କରିଥାଆନ୍ତି। ଅନ୍ୟପକ୍ଷରେ ଦେଶର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିଲେ ଆତଙ୍କବାଦୀ ଆକ୍ରମଣ ସହଜ ହୋଇ ନ ଥାଏ। ଏହି ପରିପ୍ରେକ୍ଷୀରେ ଆମେରିକାରେ ୯/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମନେପକାଯାଇପାରେ। ଗୋଇନ୍ଦା ଓ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯିବା ପରେ ସେଠାରେ ଆଉ ବଡ଼ ଧରଣର ଆକ୍ରମଣ ଘଟିନାହିଁ। ଭାରତକୁ ଗୋଇନ୍ଦା ବିଫଳତା ବାରମ୍ବାର ଆକ୍ରମଣ ମୁହଁକୁ ଠେଲିଦେଇଛି। ତେଣୁ ଆଇଏସ୍‌ର ପ୍ରଦେଶ ଗଠନ ଦାବିକୁ ହାଲୁକା ଭାବେ ନିଆଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

ନୀତିଗତ ତ୍ରୁଟି

ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍‌…

ଏଇ ଭାରତରେ

ଦେବେନ୍ଦ୍ର କୁମାର ୨ ବର୍ଷର ହୋଇଥିବାବେଳେ ତାଙ୍କ କୋଳରେ ୩ଦିନର ଝିଅକୁ ଛାଡ଼ିଦେଇ ମାତାପିତା ଅରପାରିକି ଚାଲିଗଲେ। ଦିଲ୍ଲୀର ଏକ ବସ୍ତିରେ ରହୁଥିବା ଅସହାୟ ଭାଇଭଉଣୀଙ୍କୁ ସମ୍ପର୍କୀୟମାନେ…

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri