ସମ୍ପାଦକୀୟ/ପ୍ଲାଷ୍ଟିକ୍‌ ଦିଅ, ଭାତ ଖାଅ

ପ୍ଲାଷ୍ଟିକ୍‌ ବା ପଲିଥିନ୍‌ଜାତୀୟ ପଦାର୍ଥ ପରିବେଶକୁ ପ୍ରଦୂଷିତ କରିଚାଲିଛି। ଏହାର କୁପରିଣାମ ବିଷୟରେ ଦେଶସାରା ଢେର ଆଲୋଚନା ହେଲାଣି। ବହୁ ରାଜ୍ୟ ସରକାର ଏହାର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଓଡ଼ିଶାରେ ମଧ୍ୟ ଏ ସଂକ୍ରାନ୍ତରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ବ୍ୟବସ୍ଥା କରାଯାଇଛି। ନିକଟରେ ଭୁବନେଶ୍ୱରରେ ୫୦ ଲକ୍ଷ ଟଙ୍କାର ପଲିଥିନ୍‌ ଜବତ ହୋଇଥିଲା। ହେଲେ ଲୁଚାଛପାରେ ଏହାର ବ୍ୟବହାର ବଢ଼ୁଥିବାରୁ ତାହାକୁ ରୋକିବା ସକାଶେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୧୬ ଡିସେମ୍ବରରେ ଏକ ଅଭିନବ ପଦକ୍ଷେପ ନେଇଛି। ଯେଉଁମାନେ ୫୦୦ ଗ୍ରାମ୍‌ର ବ୍ୟବହୃତ ପଲିଥିନ୍‌ ଆଣି ଆହାର କେନ୍ଦ୍ର ନିକଟରେ ଥିବା ଡଷ୍ଟବିନ୍‌ ନିକଟରେ ପହଞ୍ଚାଇବେ, ସେମାନେ ଆହାର କେନ୍ଦ୍ରରେ ଭୋଜନ କରିପାରିବେ। ଅର୍ଥାତ୍‌ ପ୍ଲାଷ୍ଟିକ୍‌ ପଦାର୍ଥ ଏଣେତେଣେ ବିକ୍ଷିପ୍ତ ହୋଇ ପଡ଼ିବା ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକାଯାଇପାରିବ। ପ୍ରତିବଦଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆହାର କେନ୍ଦ୍ରରେ ଖାଇବାର ସୁଯୋଗ ମିଳିପାରିବ। ସାଧାରଣତଃ ଗରିବ ତଥା ରାସ୍ତାକଡ଼ରେ ଜୀବନ ବିତାଉଥିବା ଲୋକେ ଏଥିରେ ସାମିଲ ହେଲେ ସେମାନଙ୍କୁ ଖାଦ୍ୟ ମିଳିପାରିବ। ଉଲ୍ଲେଖଯୋଗ୍ୟ, ସଂଗୃହୀତ ପ୍ଲାଷ୍ଟିକ୍‌କୁ ମ୍ୟାଟେରିଆଲ ରିକଭରି ସେଣ୍ଟର (ଏମ୍‌ଆର୍‌ସି)ରେ ପକାଯାଇ ସେଥିରୁ ଏକ ପ୍ରକାର ତେଲ ପ୍ରସ୍ତୁତ କରାଯାଇପାରିବ। ଉକ୍ତ ତେଲ ଗାଡ଼ିମୋଟର ଶିଳ୍ପରେ ବ୍ୟବହୃତ ଗ୍ରିଜ୍‌ର ବିକଳ୍ପ ଭାବେ ବ୍ୟବହୃତ ହୋଇପାରିବ ବୋଲି କୁହାଯାଉଛି।
ବିଏମ୍‌ସିର ଯୋଜନା କେତେଦୂର କାର୍ଯ୍ୟକାରୀ ହୋଇପାରିବ, ତାହା ଏବେଠାରୁ ଆକଳନ କରିବା ସମ୍ଭବପର ନୁହେଁ। କାରଣ ଅତୀତରେ ବିଏମ୍‌ସି ତରଫରୁ ଏହିଭଳି ଆବର୍ଜନା ପରିଚାଳନା ବ୍ୟବସ୍ଥା ଅନେକ ଥର କରାଯାଇଥିଲେ ମଧ୍ୟ ତାହାର ସୁଫଳ ଜନସାଧାରଣଙ୍କୁ ମିଳିନାହିଁ। ଏପରିକି ଆବର୍ଜନା ସୃଷ୍ଟି କରୁଥିବା ହୋଟେଲ, ରେଷ୍ଟୁରାଣ୍ଟ, କ୍ଲିନିକ୍‌, ଡାକ୍ତରଖାନା ଏବଂ ବିରାଟକାୟ ମଲ୍‌ ସମ୍ମୁଖରେ ଅଳିଆ ପକାଇ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଏମ୍‌ସିର ପ୍ରୟାସ ହୋଇଥିଲା। ଦୀର୍ଘମିଆଦୀ ସୁଫଳ ମିଳିବା ପୂର୍ବରୁ ବିଏମ୍‌ସି ବାଟବଣା ହୋଇଗଲା। ସେତିକିରେ ଦଣ୍ଡବିଧାନ ଶେଷ ହେଲା ଏବଂ ସେତେବେଳେ ପରିସ୍ଥିତି ଯେମିତି ଥିଲା ଆଜି ମଧ୍ୟ ସେମିତି ରହିଛି। ଏହାବ୍ୟତୀତ ରାଜ୍ୟକୁ ପଲିଥିନ୍‌ ପ୍ରବେଶ ନିଷେଧ କରା ନ ଯିବା ପର୍ଯ୍ୟନ୍ତ କୌଣସି ଲକ୍ଷ୍ୟ ପୂରଣ ହେବା କଷ୍ଟକର। ଅସରନ୍ତି ପ୍ଲାଷ୍ଟିକ୍‌ ସାମଗ୍ରୀ ଟ୍ରକ୍‌ ମାଧ୍ୟମରେ ଖୋଲାଖୋଲି ଭାବେ ବିଭିନ୍ନ ସ୍ଥାନକୁ ଆସୁଥିବା ବିଷୟ ସମସ୍ତେ ଜାଣନ୍ତି। କିନ୍ତୁ ତାହାକୁ ବନ୍ଦ କରାଯାଉ ନାହିଁ। ଅନ୍ୟପଟେ ଭୁବନେଶ୍ୱରରେ ଭିକାରି ମାନସିକତା ସୃଷ୍ଟି କରାଯିବା ଦିଗରେ ୫୦୦ ଗ୍ରାମ୍‌ ପଲିଥିନ୍‌ ଗୋଟାଇବା ଏହି ପଦକ୍ଷେପର ପରିଣାମ ହୋଇପାରେ। ତେଣୁ ଭିକାରି ସୃଷ୍ଟି କରିବା ପରିବର୍ତ୍ତେ ଥରେ ବ୍ୟବହୃତ ହୋଇପାରୁଥିବା ପଲିଥିନ୍‌ ବ୍ୟାଗ୍‌ର ରାଜ୍ୟକୁ ଆମଦାନୀ ବନ୍ଦ କରାଯିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ପ୍ରତ୍ୟେକ ଦିନ ଅନେକ ହଜାର ଗଛ କାଟୁଥିବା ବିଏମ୍‌ସି ଭଲ ଭାବେ ଜାଣିଛି ଯେ ମୂଳରୁ କାଟିଲେ ଯିବ ସରି। ସେଥିପାଇଁ ଜଙ୍ଗଲ ଧ୍ୱଂସ କଲା ଭଳି ପ୍ଲାଷ୍ଟିକ୍‌ ଧ୍ୱଂସ କରିବାକୁ ହେଲେ ମୂଳରୁ ମାରିବାକୁ ପଡ଼ିବ।
ଏଥିସହିତ ସରକାର ନିଜ କାର୍ଯ୍ୟରେ ମଧ୍ୟ ଉଦାହରଣ ସୃଷ୍ଟି କରିବା ଆବଶ୍ୟକ। ଏଠାରେ ଓମ୍‌ଫେଡ୍‌ର ଦୃଷ୍ଟାନ୍ତ ଦିଆଯାଇପାରିବ। ରାଜ୍ୟ ସରକାରଙ୍କ ଏକ ସଫଳ ଉଦ୍ୟୋଗ ଭାବେ ଏହି ସଂସ୍ଥା ପରିଚିତ। ଅନେକ ଦୁଗ୍ଧ ଚାଷୀଙ୍କ ସକାଶେ ଏହା ସଫଳତା ଆଣିଦେଇଛି। କିନ୍ତୁ ଅନ୍ତିମ ପାଦରେ ସେହି ସଂସ୍ଥା ତରଫରୁ ଗ୍ରାହକଙ୍କୁ ପ୍ଲାଷ୍ଟିକ୍‌ ପାଉଚ୍‌ ମାଧ୍ୟମରେ ଦୁଗ୍ଧ ଓ ଦହି ଯୋଗାଇ ଦିଆଯାଉଛି। ସେଭଳି କ୍ଷେତ୍ରରେ ବିକଳ୍ପ ଭାବେ ଅପରେଶନ ଫ୍ଲଡ୍‌ର ଦୃଷ୍ଟାନ୍ତକୁ ଆପଣାଯାଇପାରେ।
ଦେଖିବାକୁ ଗଲେ ଭାରତୀୟମାନେ ଜୀବନର ପ୍ରତି ପଦକ୍ଷେପରେ ପଚାରୁଛନ୍ତି- ‘ଏହା କଲେ ଆମକୁ କ’ଣ ଲାଭ ମିଳିବ’। ଏପରି କି ନିଜ ଜୀବନ ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ବାଟ ଦେଖାଇ ଦିଆଗଲେ ମଧ୍ୟ ତାଙ୍କ ପାଇଁ ଅନ୍ୟ କେହି କରିଦେଉ ବୋଲି ଆଶା ରଖୁଛନ୍ତି। ଅଧିକାର ବିଷୟରେ ସର୍ବଦା ଯୁକ୍ତି ବାଢ଼ୁଥିବା ଲୋକ ନିଜର କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି। ଏବେ ବିଏମ୍‌ସି ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ ସହ ପରିବେଶକୁ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଯେଉଁ ଅଭିନବ ପ୍ରୟାସ ନେଇ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛି, ତାହାର ହିତାଧିକାରୀ ସାଧାରଣତଃ ଜରିଗୋଟାଳି ଓ ଗରିବ ଶ୍ରେଣୀର ଲୋକ ହୋଇପାରିବେ। ସମସ୍ତେ ଦେଖିଥିବେ ସହରାଞ୍ଚଳର ବସ୍ତି ଅଞ୍ଚଳରେ ଅଧିକ ପ୍ଲାଷ୍ଟିକ୍‌ ଜିନିଷ ବିକ୍ଷିପ୍ତ ଭାବେ ପଡ଼ି ରହିଥାଏ। ଯେତେବେଳେ ଅଳିଆ ଗୋଟାଳିଙ୍କୁ ଖାଇବାର ସୁଯୋଗ ମିଳିଯିବ, ସେତେବେଳେ ସେମାନେ ତତ୍ପର ହୋଇ ଉଠିପାରନ୍ତି। ଅନ୍ୟପକ୍ଷରେ ସହରରେ ବାସ କରୁଥିବା ଶିକ୍ଷିତ ବ୍ୟକ୍ତିଙ୍କ କଥା ଦେଖିଲେ ତାଜୁବ ହେବାକୁ ପଡ଼ୁଛି। ପଲିଥିନ୍‌ ନେଇ ସରକାରୀ କଟକଣା କରାଯାଇଥିଲେ ମଧ୍ୟ ହାତରେ ଖଣ୍ଡେ ବ୍ୟାଗ୍‌ ଧରି ବଜାର ଯିବାକୁ ଅନେକେ ନାପସନ୍ଦ କରୁଛନ୍ତି। ଫଳରେ ଜିନିଷ ଆଣିବା ବେଳେ ଦୋକାନୀଙ୍କୁ ତାହା ମାଗୁଛନ୍ତି। ସଚେତନ ନାଗରିକଙ୍କ ମାନସିକତା ଯେତେବେଳେ ଏଭଳି ରହୁଛି, ସେତେବେଳେ ପରିବର୍ତ୍ତନ ଆସିବା କଷ୍ଟକର ହୋଇପଡ଼ିବ। ଏଥିରୁ ବୁଝିବାକୁ ହେବ ଯେ ଲୋକେ ନିଜର ମଙ୍ଗଳ ପାଇଁ ମଧ୍ୟ କିଛି ଛାଡ଼ିବାକୁ ଚାହୁଁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri