ସମ୍ପାଦକୀୟ/ପ୍ଲାଷ୍ଟିକ୍‌ ଦିଅ, ଭାତ ଖାଅ

ପ୍ଲାଷ୍ଟିକ୍‌ ବା ପଲିଥିନ୍‌ଜାତୀୟ ପଦାର୍ଥ ପରିବେଶକୁ ପ୍ରଦୂଷିତ କରିଚାଲିଛି। ଏହାର କୁପରିଣାମ ବିଷୟରେ ଦେଶସାରା ଢେର ଆଲୋଚନା ହେଲାଣି। ବହୁ ରାଜ୍ୟ ସରକାର ଏହାର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଓଡ଼ିଶାରେ ମଧ୍ୟ ଏ ସଂକ୍ରାନ୍ତରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ବ୍ୟବସ୍ଥା କରାଯାଇଛି। ନିକଟରେ ଭୁବନେଶ୍ୱରରେ ୫୦ ଲକ୍ଷ ଟଙ୍କାର ପଲିଥିନ୍‌ ଜବତ ହୋଇଥିଲା। ହେଲେ ଲୁଚାଛପାରେ ଏହାର ବ୍ୟବହାର ବଢ଼ୁଥିବାରୁ ତାହାକୁ ରୋକିବା ସକାଶେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୧୬ ଡିସେମ୍ବରରେ ଏକ ଅଭିନବ ପଦକ୍ଷେପ ନେଇଛି। ଯେଉଁମାନେ ୫୦୦ ଗ୍ରାମ୍‌ର ବ୍ୟବହୃତ ପଲିଥିନ୍‌ ଆଣି ଆହାର କେନ୍ଦ୍ର ନିକଟରେ ଥିବା ଡଷ୍ଟବିନ୍‌ ନିକଟରେ ପହଞ୍ଚାଇବେ, ସେମାନେ ଆହାର କେନ୍ଦ୍ରରେ ଭୋଜନ କରିପାରିବେ। ଅର୍ଥାତ୍‌ ପ୍ଲାଷ୍ଟିକ୍‌ ପଦାର୍ଥ ଏଣେତେଣେ ବିକ୍ଷିପ୍ତ ହୋଇ ପଡ଼ିବା ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକାଯାଇପାରିବ। ପ୍ରତିବଦଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆହାର କେନ୍ଦ୍ରରେ ଖାଇବାର ସୁଯୋଗ ମିଳିପାରିବ। ସାଧାରଣତଃ ଗରିବ ତଥା ରାସ୍ତାକଡ଼ରେ ଜୀବନ ବିତାଉଥିବା ଲୋକେ ଏଥିରେ ସାମିଲ ହେଲେ ସେମାନଙ୍କୁ ଖାଦ୍ୟ ମିଳିପାରିବ। ଉଲ୍ଲେଖଯୋଗ୍ୟ, ସଂଗୃହୀତ ପ୍ଲାଷ୍ଟିକ୍‌କୁ ମ୍ୟାଟେରିଆଲ ରିକଭରି ସେଣ୍ଟର (ଏମ୍‌ଆର୍‌ସି)ରେ ପକାଯାଇ ସେଥିରୁ ଏକ ପ୍ରକାର ତେଲ ପ୍ରସ୍ତୁତ କରାଯାଇପାରିବ। ଉକ୍ତ ତେଲ ଗାଡ଼ିମୋଟର ଶିଳ୍ପରେ ବ୍ୟବହୃତ ଗ୍ରିଜ୍‌ର ବିକଳ୍ପ ଭାବେ ବ୍ୟବହୃତ ହୋଇପାରିବ ବୋଲି କୁହାଯାଉଛି।
ବିଏମ୍‌ସିର ଯୋଜନା କେତେଦୂର କାର୍ଯ୍ୟକାରୀ ହୋଇପାରିବ, ତାହା ଏବେଠାରୁ ଆକଳନ କରିବା ସମ୍ଭବପର ନୁହେଁ। କାରଣ ଅତୀତରେ ବିଏମ୍‌ସି ତରଫରୁ ଏହିଭଳି ଆବର୍ଜନା ପରିଚାଳନା ବ୍ୟବସ୍ଥା ଅନେକ ଥର କରାଯାଇଥିଲେ ମଧ୍ୟ ତାହାର ସୁଫଳ ଜନସାଧାରଣଙ୍କୁ ମିଳିନାହିଁ। ଏପରିକି ଆବର୍ଜନା ସୃଷ୍ଟି କରୁଥିବା ହୋଟେଲ, ରେଷ୍ଟୁରାଣ୍ଟ, କ୍ଲିନିକ୍‌, ଡାକ୍ତରଖାନା ଏବଂ ବିରାଟକାୟ ମଲ୍‌ ସମ୍ମୁଖରେ ଅଳିଆ ପକାଇ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଏମ୍‌ସିର ପ୍ରୟାସ ହୋଇଥିଲା। ଦୀର୍ଘମିଆଦୀ ସୁଫଳ ମିଳିବା ପୂର୍ବରୁ ବିଏମ୍‌ସି ବାଟବଣା ହୋଇଗଲା। ସେତିକିରେ ଦଣ୍ଡବିଧାନ ଶେଷ ହେଲା ଏବଂ ସେତେବେଳେ ପରିସ୍ଥିତି ଯେମିତି ଥିଲା ଆଜି ମଧ୍ୟ ସେମିତି ରହିଛି। ଏହାବ୍ୟତୀତ ରାଜ୍ୟକୁ ପଲିଥିନ୍‌ ପ୍ରବେଶ ନିଷେଧ କରା ନ ଯିବା ପର୍ଯ୍ୟନ୍ତ କୌଣସି ଲକ୍ଷ୍ୟ ପୂରଣ ହେବା କଷ୍ଟକର। ଅସରନ୍ତି ପ୍ଲାଷ୍ଟିକ୍‌ ସାମଗ୍ରୀ ଟ୍ରକ୍‌ ମାଧ୍ୟମରେ ଖୋଲାଖୋଲି ଭାବେ ବିଭିନ୍ନ ସ୍ଥାନକୁ ଆସୁଥିବା ବିଷୟ ସମସ୍ତେ ଜାଣନ୍ତି। କିନ୍ତୁ ତାହାକୁ ବନ୍ଦ କରାଯାଉ ନାହିଁ। ଅନ୍ୟପଟେ ଭୁବନେଶ୍ୱରରେ ଭିକାରି ମାନସିକତା ସୃଷ୍ଟି କରାଯିବା ଦିଗରେ ୫୦୦ ଗ୍ରାମ୍‌ ପଲିଥିନ୍‌ ଗୋଟାଇବା ଏହି ପଦକ୍ଷେପର ପରିଣାମ ହୋଇପାରେ। ତେଣୁ ଭିକାରି ସୃଷ୍ଟି କରିବା ପରିବର୍ତ୍ତେ ଥରେ ବ୍ୟବହୃତ ହୋଇପାରୁଥିବା ପଲିଥିନ୍‌ ବ୍ୟାଗ୍‌ର ରାଜ୍ୟକୁ ଆମଦାନୀ ବନ୍ଦ କରାଯିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ପ୍ରତ୍ୟେକ ଦିନ ଅନେକ ହଜାର ଗଛ କାଟୁଥିବା ବିଏମ୍‌ସି ଭଲ ଭାବେ ଜାଣିଛି ଯେ ମୂଳରୁ କାଟିଲେ ଯିବ ସରି। ସେଥିପାଇଁ ଜଙ୍ଗଲ ଧ୍ୱଂସ କଲା ଭଳି ପ୍ଲାଷ୍ଟିକ୍‌ ଧ୍ୱଂସ କରିବାକୁ ହେଲେ ମୂଳରୁ ମାରିବାକୁ ପଡ଼ିବ।
ଏଥିସହିତ ସରକାର ନିଜ କାର୍ଯ୍ୟରେ ମଧ୍ୟ ଉଦାହରଣ ସୃଷ୍ଟି କରିବା ଆବଶ୍ୟକ। ଏଠାରେ ଓମ୍‌ଫେଡ୍‌ର ଦୃଷ୍ଟାନ୍ତ ଦିଆଯାଇପାରିବ। ରାଜ୍ୟ ସରକାରଙ୍କ ଏକ ସଫଳ ଉଦ୍ୟୋଗ ଭାବେ ଏହି ସଂସ୍ଥା ପରିଚିତ। ଅନେକ ଦୁଗ୍ଧ ଚାଷୀଙ୍କ ସକାଶେ ଏହା ସଫଳତା ଆଣିଦେଇଛି। କିନ୍ତୁ ଅନ୍ତିମ ପାଦରେ ସେହି ସଂସ୍ଥା ତରଫରୁ ଗ୍ରାହକଙ୍କୁ ପ୍ଲାଷ୍ଟିକ୍‌ ପାଉଚ୍‌ ମାଧ୍ୟମରେ ଦୁଗ୍ଧ ଓ ଦହି ଯୋଗାଇ ଦିଆଯାଉଛି। ସେଭଳି କ୍ଷେତ୍ରରେ ବିକଳ୍ପ ଭାବେ ଅପରେଶନ ଫ୍ଲଡ୍‌ର ଦୃଷ୍ଟାନ୍ତକୁ ଆପଣାଯାଇପାରେ।
ଦେଖିବାକୁ ଗଲେ ଭାରତୀୟମାନେ ଜୀବନର ପ୍ରତି ପଦକ୍ଷେପରେ ପଚାରୁଛନ୍ତି- ‘ଏହା କଲେ ଆମକୁ କ’ଣ ଲାଭ ମିଳିବ’। ଏପରି କି ନିଜ ଜୀବନ ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ବାଟ ଦେଖାଇ ଦିଆଗଲେ ମଧ୍ୟ ତାଙ୍କ ପାଇଁ ଅନ୍ୟ କେହି କରିଦେଉ ବୋଲି ଆଶା ରଖୁଛନ୍ତି। ଅଧିକାର ବିଷୟରେ ସର୍ବଦା ଯୁକ୍ତି ବାଢ଼ୁଥିବା ଲୋକ ନିଜର କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି। ଏବେ ବିଏମ୍‌ସି ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ ସହ ପରିବେଶକୁ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ଯେଉଁ ଅଭିନବ ପ୍ରୟାସ ନେଇ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛି, ତାହାର ହିତାଧିକାରୀ ସାଧାରଣତଃ ଜରିଗୋଟାଳି ଓ ଗରିବ ଶ୍ରେଣୀର ଲୋକ ହୋଇପାରିବେ। ସମସ୍ତେ ଦେଖିଥିବେ ସହରାଞ୍ଚଳର ବସ୍ତି ଅଞ୍ଚଳରେ ଅଧିକ ପ୍ଲାଷ୍ଟିକ୍‌ ଜିନିଷ ବିକ୍ଷିପ୍ତ ଭାବେ ପଡ଼ି ରହିଥାଏ। ଯେତେବେଳେ ଅଳିଆ ଗୋଟାଳିଙ୍କୁ ଖାଇବାର ସୁଯୋଗ ମିଳିଯିବ, ସେତେବେଳେ ସେମାନେ ତତ୍ପର ହୋଇ ଉଠିପାରନ୍ତି। ଅନ୍ୟପକ୍ଷରେ ସହରରେ ବାସ କରୁଥିବା ଶିକ୍ଷିତ ବ୍ୟକ୍ତିଙ୍କ କଥା ଦେଖିଲେ ତାଜୁବ ହେବାକୁ ପଡ଼ୁଛି। ପଲିଥିନ୍‌ ନେଇ ସରକାରୀ କଟକଣା କରାଯାଇଥିଲେ ମଧ୍ୟ ହାତରେ ଖଣ୍ଡେ ବ୍ୟାଗ୍‌ ଧରି ବଜାର ଯିବାକୁ ଅନେକେ ନାପସନ୍ଦ କରୁଛନ୍ତି। ଫଳରେ ଜିନିଷ ଆଣିବା ବେଳେ ଦୋକାନୀଙ୍କୁ ତାହା ମାଗୁଛନ୍ତି। ସଚେତନ ନାଗରିକଙ୍କ ମାନସିକତା ଯେତେବେଳେ ଏଭଳି ରହୁଛି, ସେତେବେଳେ ପରିବର୍ତ୍ତନ ଆସିବା କଷ୍ଟକର ହୋଇପଡ଼ିବ। ଏଥିରୁ ବୁଝିବାକୁ ହେବ ଯେ ଲୋକେ ନିଜର ମଙ୍ଗଳ ପାଇଁ ମଧ୍ୟ କିଛି ଛାଡ଼ିବାକୁ ଚାହୁଁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri