ଶ୍ରୋତା ବଶୀକରଣ ମନ୍ତ୍ର

ମାଧବ ଚନ୍ଦ୍ର ସ୍ବାଇଁ
ନିକଟରେ ବ୍ୟଙ୍ଗ କବି ହୁଙ୍କାପିଟାଙ୍କର ବ୍ୟଙ୍ଗ କବିତା ପୁସ୍ତକ ‘ଅବଲୋକରା’ ସାହିତ୍ୟ ଭବନରେ ଉନ୍ମୋଚନ ହୋଇଯାଇଛି। ଆଗକୁ କବି ଶୁଣ୍ଠା ଦାସଙ୍କର ପୁସ୍ତକ ‘ମାଟିହାଣ୍ଡି’ ଓ ‘କାଠଚୁଲି’ କବିତା ପୁସ୍ତକ ଉନ୍ମୋଚିତ ହେବ।
ଚା ଖଟିରେ ବସି ହୁଙ୍କାପିଟା ଶୁଣ୍ଠା ଦାସଙ୍କୁ ତାଙ୍କ ଉନ୍ମୋଚନ ଉତ୍ସବର କାହାଣୀ ବର୍ଣ୍ଣନା କରୁ କରୁ କହିଲେ-ହେ! ଆଗକୁ ଏ ପୁସ୍ତକ ଉନ୍ମୋଚନକୁ ଲକ୍ଷେ ଜୁହାର। କବିତା ବହି ଉପରେ ବକ୍ତାମାନେ ଭାଷଣ ଦେଇ ଚାଲିଲା ବେଳେ ଶ୍ରୋତା ମହଲରେ ଶୁଖୁଆ ହାଟର ଆଦି ପର୍ବ। ଅନେକ ଗପଟପରେ ବ୍ୟସ୍ତ ଥିବାବେଳେ, ଆଉ କେତେକ ମୋବାଇଲରେ ଟିପ ଚାଳନାରେ ବ୍ୟସ୍ତ। ପ୍ୟାକେଟ ଲୋଭରେ ସାହିତ୍ୟ ସଦନ ଭିତରକୁ ଅନୁପ୍ରବେଶ କରିଥିବା କେତେକ ବ୍ୟକ୍ତି ପଛରୁ ଖାଲି ପ୍ୟାକେଟ ପ୍ୟାକେଟ ବୋଲି ପାଟି କରୁଥାନ୍ତି। ଧନ୍ୟବାଦ ଅର୍ପଣ ଯାଏ ତର ସହିଲା ନାହିଁ। ବାଧ୍ୟ ହୋଇ ପ୍ୟାକେଟ ବଣ୍ଟାଗଲା। ଶେଷ ବକ୍ତା ଜଣକ ରକ୍ତଚାଉଳ ଚୋବାଉଥିଲେ। ପ୍ୟାକେଟ ନେଇ ଯିଏ ଯୁଆଡେ ପାର। ବିଚରା ଧନ୍ୟବାଦ ଅର୍ପଣ କରିବାକୁ ଥିବା ବ୍ୟକ୍ତିଟି କେବଳ ଧନ୍ୟବାଦ କହି ଆସନ ତ୍ୟାଗ କଲେ।
ଶୁଣ୍ଠା ଦାସ ଏମନ୍ତ କଥା ଶୁଣି କହିଲେ- ଏ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ପଡିବ। ଘଟଣା ଏମିତି ଘଟିଯାଉଛି ଯେ ନିମନ୍ତ୍ରଣପତ୍ରରେ ମଧ୍ୟାହ୍ନଭୋଜନ କିମ୍ବା ସାରେ ଜଳଖିଆ ପ୍ୟାକେଟର ମେନୁ ନ ଦେଲେ ଶ୍ରୋତା ଆସୁନାହାନ୍ତି। ମଞ୍ଚରେ କେତେଜଣ ଅତିଥି ଶ୍ରୋତା ମହଲରେ ହାତଗଣତି କେତେଜଣ ଶ୍ରୋତା। ବାକି ଚଉକି ସବୁ ଶ୍ରୋତାଙ୍କ ଓଜନ ଭାରରୁ ରକ୍ଷା ପାଇ ନିଜକୁ ପରମ ସୌଭାଗ୍ୟ ମନେ କରୁଥାନ୍ତି। ମୋ ନାଁ ଶୁଣ୍ଠା ଦାସ। ମୋ ନାମର ଯଥାର୍ଥତା ମୁଁ ନିଶ୍ଚୟ ମାଟିହାଣ୍ଡି କାଠଚୁଲି ଲୋକାର୍ପଣରେ ପ୍ରମାଣିତ କରିବି।
ଦୁଇ ବନ୍ଧୁ ଖଟିରୁ ବିଦାୟ ନେଲେ। ଶୁଣ୍ଠା ଦାସ ଉନ୍ମୋଚନ ଉତ୍ସବର ନିମନ୍ତ୍ରଣ ପତ୍ର ବାଣ୍ଟି ସେହି ସୁଦିନକୁ ଅପେକ୍ଷା କରି ରହିଲେ।
ଶୁଣ୍ଠା ଦାସଙ୍କ ମାଟି ହାଣ୍ଡି ଓ କାଠଚୁଲି ପୁସ୍ତକ ଉନ୍ମୋଚନର ସମସ୍ତ ଅତିଥି ଠିକଣା ସମୟରେ ଉପସ୍ଥିତ ଥିଲେ। ନିମନ୍ତ୍ରଣ ପତ୍ରରେ ରାଜାମାର୍କା ଜଳଖିଆ ପ୍ୟାକେଟ କଥା ଉଲ୍ଲେଖ ଥିବାରୁ ସଦନରେ ଶ୍ରୋତା ଭରପୂର। କେବଳ ପ୍ୟାକେଟ ପାଇଁ ଆସୁଥିବା ଦର୍ଶକମାନଙ୍କ ସଂଖ୍ୟା ସେଦିନ ବି ଅଧିକ ଥିଲା।
ଶୁଣ୍ଠା ଦାସଙ୍କ ମାଟିହାଣ୍ଡି ଓ କାଠଚୁଲି ପୁସ୍ତକ ଉନ୍ମୋଚନ ଏକ ଅଭିନବ ଢଙ୍ଗରେ ହୋଇଥିଲା। ଗୋଟିଏ ମାଟି ହାଣ୍ଡିରେ ବହିଗୁଡିକ ରଖାଯାଇ ଶିକାରେ ଲଟକାଇ ଦିଆଯାଇଥିଲା। ଉନ୍ମୋଚନ ବେଳେ ଉନ୍ମୋଚକ ସର୍ବଗିଳା ଶେଷ୍ଢ କାଠଫାଳିଆଟାଏ ଧରି ସେ ହାଣ୍ଡିକୁ ଏମିତି ପାହାରେ ଦେଲେ ହାଣ୍ଡି ନବଖଣ୍ଡ। ପୁସ୍ତକଗୁଡିକ ତଳେ ପଡି ଏକଠାବେ ହୋଇଗଲେ ରୁଣ୍ଡ। ସେ ବହିକୁ ଅତିଥିମାନେ ହାତରେ ଧରି ପୋଜ୍‌ ନେଲେ। ଫଟୋ ଉଠିଲା।
ଏତିକିବେଳେ ଦୁଇଟି ବଡ ବଡ କାଗଜ କାର୍ଟୁନ ପେଟି ମଞ୍ଚ ତଳେ ଟେବୁଲ ପାଖରେ ଲଗାଇ ରଖାଯାଇଥିଲା। ପ୍ୟାକେଟ ବିକିଳିଆ ଶ୍ରୋତା ଓ ଦର୍ଶକ ସେହି କାର୍ଟୁନକୁ ଦେଖି ଦେଖି ସମୟ ଅତିବାହିତ କରୁଥାନ୍ତି। ମଝିରେ ପ୍ୟାକେଟ ପ୍ୟାକେଟ ପାଟି ହେବାରୁ ଶୁଣ୍ଠା ଦାସ ମାଇକିରେ ଟିପାମାରି ହ୍ୟାଲୋ ହ୍ୟାଲୋ କରି କହିଲେ, ସଭାଶେଷରେ ପ୍ୟାକେଟ ଦିଆଯିବ। ଯେଉଁମାନେ ବ୍ୟସ୍ତ ଓ ବିବ୍ରତ ସେମାନେ ସ୍ଥାନ ଛାଡି ଚାଲିଯାଇପାରନ୍ତି। କେହି ସ୍ଥାନ ଛାଡିଲେ ନାହିଁ। ଶେଷରେ ଶୁଣ୍ଠା ଦାସ ଘୋଷଣା କଲେ ଅତି ଦୁଃଖର ସହିତ ମୋତେ କହିବାକୁ ପଡୁଛି-ଗତକାଲିର ବଳି ପଡିଥିବା ବାସି ଜଳଖିଆକୁ ଦୋକାନୀ ଦେଇ ମୋତେ ଚିତା କାଟିଛି। ମୁଁ କାହାର ସ୍ବାସ୍ଥ୍ୟ ବିଗାଡିବାକୁ ଦେବି ନାହିଁ। ଚାଲନ୍ତୁ ସେ ଜଳଖିଆ ଦୋକାନ ଆଗରେ ଧାରଣା ଦେବା। ଏହା ଶୁଣି ଶୁଣ୍ଠାଠାରୁ ଆଉ କ’ଣ ଆଶା କରାଯାଇପାରେ ବୋଲି କହି ଲୋକେ ସ୍ଥାନ ଛାଡିଲେ। ବାସ୍ତବିକ ସେଥିରେ ଜଳଖିଆ ପ୍ୟାକେଟ ନ ଥିଲା। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଥିଲା କେତେଖଣ୍ଡ ଇଟା।
ଶୈଳ ନିବାସ, ଏଫ-୧୮୦, ସେକ୍ଟର-୭, ସିଡିଏ, କଟକ, ମୋ-୯୪୩୭୧୪୬୩୬୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri